ଚିରାଗଙ୍କ ବଂଶ

ଲିଗାସି ବା ବଂଶକୁଳ ସୂତ୍ରରେ ମିଳିଥିବା ଅଧିକାରକୁ ଜଣେ ଠିକ୍‌ ଭାବେ ଉପଯୋଗ କରିପାରିଲେ ତାଙ୍କର ମର୍ଯ୍ୟାଦା ବଢ଼ିଥାଏ। ଭାରତୀୟ ରାଜନୀତିରେ ଲିଗାସିର ବଡ଼ ଭୂମିକା ରହିଛି। ରହିବା ଉଚିତ ମଧ୍ୟ। କାରଣ ଏହା ରାତାରାତି ଜଣଙ୍କୁ ମିଳି ନ ଥାଏ। ଏହା ପୂର୍ବପୁରୁଷଙ୍କଠାରୁ ଗଡ଼ିଆସିଥାଏ। ହେଲେ ଦାୟାଧିକାରକୁ ଠିକ୍‌ ଭାବେ ପରିଚାଳନା କରି ନ ପାରିଲେ ସ୍ଥିତି ବିଗିଡ଼ିଯାଏ। ଏହାର ସଦ୍ୟ ଉଦାହରଣ ଭାବେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ନେତା ଚିରାଗ ପାଶ୍ୱାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏଲ୍‌ଜେପି ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କର ଗତବର୍ଷ ଅକ୍ଟୋବର ୮ରେ ପରଲୋକ ଘଟିଥିଲା। ବିହାର ବିଧାନସଭା ନିର୍ବାଚନ ଅକ୍ଟୋବର ୨୮ରେ ଆରମ୍ଭ ହେବାକୁ ଥିଲା। ପିତାଙ୍କ ମୃତ୍ୟୁ ପରେ ଚିରାଗ ଧରି ନେଇଥିଲେ ଯେ ଅନୁକମ୍ପାମୂଳକ ଭୋଟ ପାଇ ସେ ବିହାର ସରକାର ଗଠନରେ କିଙ୍ଗ୍‌ ମେକର ଭୂମିକା ନିର୍ବାହ କରିବେ। ସେହି ସମୟରେ ଚିରାଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହନୁମାନ ଆଖ୍ୟ ଦେଇଦେଲେ। ଏତିକିରେ ଉତ୍‌ଫୁଲ୍ଲିତ ହୋଇ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନୂ୍ୟନ କରି ଦେଖିବା ଆରମ୍ଭ କଲେ। ଏଥିସହିତ ଏଲ୍‌ଜେପି ବିହାର ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ ବୋଲି ଘୋଷଣା କଲେ। କିନ୍ତୁ ଫଳାଫଳ ତାଙ୍କ ପାଇଁ ଅଶୁଭ ହେଲା। ଦଳ ମାତ୍ର ଗୋଟିଏ ଆସନ ପାଇଲା। ଚିରାଗଙ୍କ ଅଙ୍କକଷା ଠିକ୍‌ ନ ହେବାରୁ ତାଙ୍କ ସାନବାପା ଲୋକ ସଭା ଏମ୍‌ପି ପଶୁପତି କୁମାର ପାରସ୍‌ ଏହାର ଫାଇଦା ନେବାକୁ ଆଗେଇ ଆସିଲେ। ଲୋକ ସଭାରେ ଥିବା ୬ ଏମ୍‌ପିଙ୍କ ମଧ୍ୟରେ ଫାଟ ସୃଷ୍ଟି କରି ପାରସ୍‌ ଅନ୍ୟ ୪ ଜଣଙ୍କୁ ନିଜ ସପକ୍ଷକୁ ନେଇ ୧୪ ଜୁନ୍‌ରେ ନିଜକୁ ଏଲ୍‌ଜେପି ସଂସଦୀୟ ଦଳ ନେତା ଘୋଷଣା କରିଛନ୍ତି। ଏପରି କି ୧୫ ଜୁନ୍‌ରେ ଚିରାଗଙ୍କୁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ବହିଷ୍କାର କରାଗଲା ବୋଲି କହିଛନ୍ତି। କିନ୍ତୁ ଏହାର କିଛି ଘଣ୍ଟା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା କହି ଚିରାଗ ତାଙ୍କ ସାନବାପାଙ୍କ ସହିତ ଅନ୍ୟ ୪ ଏମ୍‌ପିଙ୍କୁ ଦଳରୁ ବିଦା କରିଦେଇଛନ୍ତି। ଫଳରେ ଦଳକନ୍ଦଳ ଏବେ ଚରମସୀମାରେ ପହଞ୍ଚିଛି।
ଏହା ଜଣାଶୁଣା ଯେ, ରାମ ବିଳାସ ପାଶ୍ୱାନ ଜଣେ ସୁବିଧାବାଦୀ ରାଜନେତା ଥିଲେ। ତାଙ୍କ ରାଜନୈତିକ ଇତିହାସ ଅତ୍ୟନ୍ତ ଚମତ୍କାର। ଯେକୌଣସି ଦଳ କେନ୍ଦ୍ରରେ ସରକାର ଗଢ଼ିଲା ବେଳକୁ ରାମ ବିଳାସଙ୍କ ନାମ ମନ୍ତ୍ରୀ ତାଲିକାରେ ସ୍ଥାନ ପାଉଥିଲା। ଉଦାହରଣ ସ୍ବରୂପ ୧୯୮୯ରେ ଭି.ପି. ସିଂଙ୍କ ସରକାରରେ ରାମ ବିଳାସ ମନ୍ତ୍ରୀ ହେବାଠାରୁ ପରବର୍ତ୍ତୀ ସମୟରେ ଏଚ.ଡି. ଦେବେଗୌଡା, ଆଇ.କେ. ଗୁଜରାଲ, ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂ ଏବଂ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାରେ ସକ୍ଷମ ହୋଇଥିଲେ। ଏଠାରେ ମନେପଡ଼େ ୧୯୭୭ରେ ସଂସଦୀୟ ନିର୍ବାଚନରେ ହାଜିପୁର ଲୋକ ସଭା ନିର୍ବାଚନମଣ୍ଡଳୀରୁ ଜନତା ପାର୍ଟି ଟିକେଟରୁ ଲଢ଼ି ରାମ ବିଳାସ ଜିତିବା ସହ ରେକର୍ଡ ସୃଷ୍ଟି କରିଥିଲେ। ସେତେବେଳେ ତାଙ୍କ ଭୋଟ ବ୍ୟବଧାନ ସର୍ବାଧିକ ରହିଥିଲା। ସେହି ସଂଖ୍ୟା ଥିଲା ୪,୨୪,୦୦୦।
୨୦୦୦ ମସିହାରେ ରାମ ବିଳାସ ଏଲ୍‌ଜେପି ଗଢ଼ିଥିଲେ। ଏହି ଦଳ ଦଳିତ ଓ ପଛୁଆବର୍ଗଙ୍କ ପାଇଁ ଲଢ଼େଇ କରୁଥିବାରୁ ତାଙ୍କ ପ୍ରତି ଜନ ସମର୍ଥନ ଥିଲା। ତାଙ୍କ ଅବର୍ତ୍ତମାନରେ ଏଲ୍‌ଜେପିରେ ସର୍ବେସର୍ବା ହେବା ପାଇଁ ଦ୍ୱନ୍ଦ୍ୱ ଚାଲିଛି। ଯେଉଁ ଲିଗାସି କଥା କୁହାଯାଉଛି, ଚିରାଗ ପିତାଙ୍କ ଦାୟାଦ ହେବା ସ୍ବାଭାବିକ। ତଥାପି ତାଙ୍କ ସାନବାପାଙ୍କ ଯୋଗଦାନ ଦଳ ପାଇଁ ଅନେକ ଗୁରୁତ୍ୱ ରଖୁଥିଲା। ରାମ ବିଳାସ କେନ୍ଦ୍ରରେ ମନ୍ତ୍ରୀ ରହି ଦିଲ୍ଲୀରେ ରହୁଥିବା ବେଳେ ବିହାର ଦାୟିତ୍ୱ ପାରସ୍‌ଙ୍କ ଉପରେ ନ୍ୟସ୍ତ ଥିଲା। ଚିରାଗ ୨୦୧୪ ସାଧାରଣ ନିର୍ବାଚନରେ ଏମ୍‌ପି ହେବା ପରେ ତାଙ୍କ ଗୁରୁତ୍ୱ ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ ରାମ ବିଳାସଙ୍କ ପୁତ୍ର ରାଜନୀତିରେ ପ୍ରବେଶ କରିବା ପରେ ପାରସ୍‌ଙ୍କ ପ୍ରଭାବ ସ୍ବାଭାବିକ ଭାବେ ହ୍ରାସ ପାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାମ ବିଳାସଙ୍କ ପ୍ରଥମ ସ୍ତ୍ରୀ ଜଣେ ଦଳିତ। ତାଙ୍କ ପିଲାମନେ ରାଜନୀତିରେ ପ୍ରବେଶ କରିବାର ସୁଯୋଗ ପାଇ ନାହାନ୍ତି। ଚିରାଗ ହେଉଛନ୍ତି ରାମ ବିଳାସଙ୍କ ଦ୍ୱିତୀୟ ସ୍ତ୍ରୀ, ଜଣେ ହରିୟାଣା ମହିଳାଙ୍କ ପୁତ୍ର। ଏହି ଦ୍ୱିତୀୟ ସ୍ତ୍ରୀ ଦଳିତ ନୁହନ୍ତି। ତେବେ ଚିରାଗ ଦଳରେ ଗୁରୁତ୍ୱ ପାଇବା ଓ ପାରସ୍‌ଙ୍କୁ ଅଣଦେଖା କରାଯିବା ଦଳ ପାଇଁ ବିଷମ ସ୍ଥିତି ସୃଷ୍ଟି କରିଛି। ଏଥିସହିତ ଖୁବ୍‌ ଅଳ୍ପ ସମୟ ମଧ୍ୟରେ ଚିରାଗ ବଡ଼ ହେବା ପାଇଁ ଯେଉଁ ସ୍ବପ୍ନ ଦେଖିଲେ ସେହି ଅନୁଯାୟୀ ତୃଣମୂଳ ସ୍ତରରେ କାର୍ଯ୍ୟ କରିବାରେ ଅସଫଳ ହେଲେ। ଆଜିର ଯୁବପିଢ଼ି ରାଜନୈତିକ କ୍ଷେତ୍ରରେ ଧୈର୍ଯ୍ୟହରା ହୋଇପଡ଼ୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ପଦବୀ ଧାରଣ କରିବା ଲାଗି ଯେଉଁ ହୋମ୍‌ଓ୍ବାର୍କର ଆବଶ୍ୟକତା ରହିଛି ତାହା ସେମାନେ କରିବାକୁ ଚାହୁଁ ନାହାନ୍ତି। ଫଳରେ ସେମାନେ ନିଜକୁ ଉଚିତ ଭାବେ ଉପସ୍ଥାପନ କରିପାରୁ ନାହାନ୍ତି ଏବଂ ରାଜନୀତି ମଧ୍ୟ କଳୁଷିତ ହେଉଛି।
ଆଜିର ଭାରତରେ କଂଗ୍ରେସର ଗାନ୍ଧୀ ପରିବାରକୁ ଲକ୍ଷ୍ୟକରି ବଂଶବାଦ ବିରୋଧରେ ଯେଉଁ ମତ ସୃଷ୍ଟି କରିବାର ପ୍ରୟାସ କରାଯାଉଛି, ଭାରତୀୟ ସମାଜ ପାଇଁ ହାନି ଘଟାଇପାରେ। ଏହା ସତ୍ୟ ହୋଇପାରେ ଯେ ରାହୁଲ ଗାନ୍ଧୀ ଜଣେ ଅସଫଳ ରାଜନେତା। କିନ୍ତୁ କୁଳ ବା ବଂଶବାଦ ମଣିଷର ଚରିତ୍ରକୁ ଗଢ଼ିଥାଏ। ଯୋଗ୍ୟ ସନ୍ତାନ ହାସଲ କରିବା ପାଇଁ ମାତାପିତାଙ୍କୁ ଯୋଗ୍ୟ ହେବାକୁ ପଡ଼ିଥାଏ। ଅଜଣା ଅଚିହ୍ନା ଚୌକିଦାରକୁ ଘର ଜଗିବା ପାଇଁ ଛଡ଼ାଯାଏ ନାହିଁ। ରାଜନୀତି ସମେତ ସବୁ କ୍ଷେତ୍ରରେ ବଂଶବାଦର ଗୁରୁତ୍ୱ ରହିଛି। ପୃଥ୍ବୀରାଜ କପୁରଙ୍କ ପୁତ୍ର ରାଜ, ସମ୍ମି ଓ ଶଶି କେବଳ ନୁହନ୍ତି, ତାଙ୍କ ନାତି ଓ ଅଣନାତି ମଧ୍ୟ ସିନେମା ଜଗତରେ ପ୍ରତିଷ୍ଠିତ। ଧୀରୁଭାଇଙ୍କ ପୁଅ ମୁକେଶ ଓ ଅନିଲ ଶିଳ୍ପଜଗତରେ ସର୍ବାଗ୍ରେ। ସେହିଭଳି ଭାରତରେ ଯାତ୍ରାପାର୍ଟି ମାଲିକଙ୍କ ପୁଅ ମାଲିକ ଏବଂ ଓକିଲ ଓ ଡାକ୍ତରଙ୍କ ପିଲା ମଧ୍ୟ ସେହି ପେସାରେ ଯାଆନ୍ତି। ଯେତେବେଳେ ବଂଶରେ ଦୁର୍ବଳତା ଆସେ ସେତେବେଳେ ସେହି ସନ୍ତାନର ଅଧୋଗତି ଘଟେ ଓ ସେହି ପରିବାର ଧ୍ୱଂସ ପାଇଯାଏ। କିନ୍ତୁ ତାହାର ଅର୍ଥ ନୁହେଁ ଯେ ବଂଶବାଦର ମୂଲ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri