ଭୁବନେଶ୍ୱର, ୨୩।୧(ବ୍ୟୁରୋ):ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ ଶୀତ କମିଯାଇଥିବାବେଳେ କୁହୁଡ଼ି ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେବ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ସୋମବାରରୁ ମଙ୍ଗଳବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କଟକ, ଜଗତ୍ସିଂହପୁର, ଅନୁଗୋଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼ ଓ କନ୍ଧମାଳ ଆଦି ୯ ଜିଲାରେ ଘନ କୁହୁଡ଼ି ହେବ। ତେଣୁ ଏସବୁ ଜିଳାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହାଛଡ଼ା ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଗଜପତି, କଳାହାଣ୍ଡି, ଯାଜପୁର, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ ସ୍ବଳ୍ପ ଧରଣର କୁହୁଡ଼ି ହେବ। ସେପଟେ ସାମୁଦ୍ରିକ ବାୟୂର ପ୍ରଭାବ ଯୋଗୁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ରବିବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାତ୍ରିର ତାପମାତ୍ରାରେ ସେଭଳି କୌଣସି ପରବର୍ତ୍ତନ ନାହିଁ।