Posted inଫୁରସତ

ସେବା ପାଇଁ ସମର୍ପିତ, ଅନ୍ୟପାଇଁ ଉଦାହରଣ

ପ୍ରତ୍ୟେକ ବ୍ୟକ୍ତି ନିଜ ପରିବାର ପୋଷିବା ପାଇଁ କୌଣସି ନା କୌଣସି ବୃତ୍ତିରେ ଥାଆନ୍ତି। କିନ୍ତୁ ଏମିତି କେତେଜଣ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ପେସାରେ ଥାଇ ବି ବଳକା ସମୟରେ ଜନସେବାକୁ ଜୀବନର ବ୍ରତ ବୋଲି ମନେକରି ନିଜସ୍ବ ଉଦ୍ୟମରେ କିଛି ନିଆରା କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି…

ଅଟୋରିକ୍ସାରେ ମାଗଣା ପରିବହନ- ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଭୁବନେଶ୍ୱରକୁ ବିଭିନ୍ନ କାମରେ ଆସୁଥିବା ବିଭିନ୍ନବର୍ଗର ଲୋକମାନେ ରାଜଧାନୀର ରାଜରାସ୍ତାରେ ନାନା ପ୍ରକାରର ଯାନବାହନରେ ଯାତାୟାତ କରିଥାନ୍ତି। ଏହି ସମୟରେ କେହି କେହି ହୁଏତ ଦେଖିଥିବେ ଗୋଟିଏ ଅଟୋରିକ୍ସାକୁ। ଯେଉଁ ଅଟୋରିକ୍ସାରେ ଲେଖାଥାଏ-ଭିନ୍ନକ୍ଷମଙ୍କୁ ଏଥିରେ ଯିବା ସମ୍ପୂର୍ଣ୍ଣ ମାଗଣା । ତା’ସହ ଅଟୋରିକ୍ସାର ପଛପଟେ ଲେଖା ହୋଇଥାଏ ‘ସେବା ହିଁ ସ୍ବର୍ଗ’। କେବଳ ଅନ୍ଧ, ମୂକ ଓ ବଧିର ଆଦି ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସେ ତାଙ୍କର ଅଟୋରିକ୍ସାରେ ମାଗଣାରେ ନେଇଥାନ୍ତି। ସେ ହେଲେ ପ୍ରଭାତ ପ୍ରଧାନ। ସେ କୁହନ୍ତି, ସ୍କୁଲରେ ମାତ୍ର ୫ମ ଶ୍ରେଣୀଯାଏ ପଢ଼ିଛି। ସମୟ କ୍ରମେ ପରିବାର ଚଳେଇବା ପାଇଁ ପ୍ରଥମେ ଶହୀଦନଗରଠାରେ ଏକ ପାନଦୋକାନ କିଛିଦିନ କରିଥିଲି। ଆର୍ଥିକ ଅଭାବ ଯୋଗୁ ସାଇକେଲରେ ବୁଲିବୁଲି କେବଳ ଦୋକାନିଆମାନଙ୍କୁ ପାନ ଯୋଗାଉଥିଲି। ଏଥିରୁ ଯାହା ରୋଜଗାର ମିଳୁଥିଲା ସେଥିରେ ପରିବାର ଚଳିଲା। ସମୟକ୍ରମେ ଏକ ଅଟୋରିକ୍ସା କରି ଚାଳକ ହୋଇ ସେହି ଅଟୋରିକ୍ସାକୁ ଚଳାଇଲି। ସେଥିରେ ପରିବାରର ଗୁଜୁରାଣ ମେଣ୍ଟାଉଥିଲି। କିନ୍ତୁ ଅଟୋରିକ୍ସା ଧରି ରାସ୍ତାରେ ଗଲାବେଳେ ଯଦି କେହି ଭିନ୍ନକ୍ଷମ ବ୍ୟକ୍ତି କେଉଁସ୍ଥାନକୁ ଯିବାକୁ ଅପେକ୍ଷା କରୁଥିବା ଦେଖୁଥିଲି ତାଙ୍କୁ ସେଠାରୁ ଅଟୋରିକ୍ସାରେ ବସାଇ ଗନ୍ତବ୍ୟ ସ୍ଥାନରେ ସୁବିଧାରେ ପହଞ୍ଚାଇବାରେ ସାହାଯ୍ୟ କରୁଥିଲି। ଏଥିପାଇଁ କୌଣସି ଭିନ୍ନକ୍ଷମ ବ୍ୟକ୍ତିଙ୍କଠାରୁ କେବେ ପଇସାଟିଏ ନେଇନାହିଁ। ବରଂ ସେମାନଙ୍କୁ ମାଗଣାରେ କିଛି ସାହାଯ୍ୟ କରିପାରୁଥିବାରୁ ମତେ ଆନନ୍ଦ ମିଳିଲା। ତେଣୁ ଏହି ଧାରା ଜାରି ରଖିଲି। ଏଥିପାଇଁ ଅନେକଥର ଅନ୍ୟମାନଙ୍କ ଆକ୍ରୋଶର ଶିକାର ହୋଇଛି, ବହୁ ଉପହାସ ଶୁଣିଛି କିନ୍ତୁ ମୋର ଏହି କାମକୁ କେବେ ବନ୍ଦ କରିନାହିଁ। ଦୀର୍ଘ ୮ବର୍ଷ ମଧ୍ୟରେ ପ୍ରାୟ ୭ଶହ ଭିନ୍ନକ୍ଷମ ଏବଂ ଶତାଧିକ ଅସହାୟ ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଅଟୋରିକ୍ସାରେ ବସାଇ ନେବାରେ ସାହାଯ୍ୟ କରିପାରିଛି। ଅଧିକାଂଶ ସମୟ ରସୁଲଗଡ଼ ଛକ, କୋଚିଲେଇ ହାଟ ଛକ ଓ ଫୁଲନଖରା ଛକରେ ଅଟୋରିକ୍ସାକୁ ଚଳାଚଳ କରିଥାଏ। ଯେତେଦିନ ଯାଏ ମୋ ଅଟୋରିକ୍ସା ଚାଲୁ ରହିଥିବ ଏମିତି ସେବା ଚାଲୁ ରହିଥିବ।

ଗାଁରେ ରୋଗୀଙ୍କୁ ମାଗଣା ସେବା-ସେ କୌଣସି ମେଡ଼ିକାଲ କଲେଜରୁ ଚିକିତ୍ସା ସମ୍ପର୍କିତ ପାଠ ପଢିନାହାନ୍ତି କି ଚିକିତ୍ସାରେ ଡିଗ୍ରୀ ହାସଲ କରି ନାହାନ୍ତି କିମ୍ବା କୌଣସି ଜଣାଶୁଣା ଚିକିତ୍ସକ ନୁହନ୍ତି। ସେ ଜଣେ ସାଧାରଣ ଗାଉଁଲି ଲୋକ। ୯ମ ଯାଏ ପଢିଛନ୍ତି। ଦିନଥିଲା ଯେତେବେଳେ ସେ କଟକରେ ରହୁଥିଲେ ସେଠାରେ ସେ କବିରାଜ ରବି ମିଶ୍ର ଓ ଲକ୍ଷ୍ମଣ ମିଶ୍ରଙ୍କୁ ସାକ୍ଷାତ କରିଥିଲେ ଏବଂ ତାଙ୍କୁ ଗୁରୁଭାବେ ମାନି ତାଙ୍କଠାରୁ ଆୟୁର୍ବେଦିକ ଦେଶୀୟ ଚିକିତ୍ସା ସମ୍ପର୍କିତ କିଛି ବିଦ୍ୟା ହାସଲ କରିଥିଲେ। ସେହି ଦେଶୀ ଚିକିତ୍ସାକୁ ଲୋକଙ୍କ ସେବାରେ ଲଗାଇବା ପାଇଁ ତାଙ୍କ ମନରେ ଉତ୍କଣ୍ଠା ରହିଥିଲା। ମାତ୍ର ଯେତେବେଳେ ସେ ନିଜ ଗାଁକୁ ଫେରିଲେ ସେ ଜାଣିଥିବା ଦେଶୀୟ ଚିକିତ୍ସାକୁ କାଯର୍‌ୟକାରୀ କରିଥିଲେ। ସେ ହେଲେ ନୟାଗଡ଼ ଜିଲା ଭାବପୁର ବ୍ଲକ ଅନ୍ତର୍ଗତ ବାଇଗୁଣିଆ ଗ୍ରାମପଞ୍ଚାୟତ ବୋରଗାଁର ଗୋପାଳ ବାରିକ। ସେ କୁହନ୍ତି, ‘ଲକ୍ଷ୍ମଣ ମିଶ୍ରଙ୍କ ଔଷଧୀୟ ବହିକୁ ପଢି ଆମ ଗାଁ ନିକଟସ୍ଥ ଜଙ୍ଗଲରୁ କେତେକ ଚେରମୂଳି ସଂଗ୍ରହ କରିଥିଲି। ସେଥିରେ ଔଷଧ ପ୍ରସ୍ତୁତ କରି ରୋଗୀଙ୍କୁ ଦେଇଥିଲି, ଯେଉଁଥିରେ ରୋଗୀ ଯନ୍ତ୍ରଣାରୁ ଉପସମ ପାଇଥିଲେ। ବିଶେଷ କରି ଅର୍ଶ, ମଳକଣ୍ଟକ ଓ ଦାନ୍ତ ରୋଗୀଙ୍କ ପାଇଁ କେତେକ ଦେଶୀୟ ଔଷଧ ତିଆରି କରିଥିଲି। ଏମିତିରେ ପ୍ରାୟ ୧୨ବର୍ଷ ଧରି ମାଗଣାରେ ରୋଗୀଙ୍କ ସେବା କରି ଆନନ୍ଦ ପାଉଛି। କିନ୍ତୁ ଏଥିପାଇଁ କାହାରିଠାରୁ କେବେ ଟଙ୍କାଟିଏ ବି ମାଗେ ନାହିଁ କି ଦାବି କରିନାହିଁ ବରଂ ନିଜ ପରିବାର ଚଳିବା ପାଇଁ ମୋ ନିଜର କୌଳିକ ବୃତ୍ତିକୁ ଆପଣେଇଛି। ଏଯାଏ ପ୍ରାୟ ୨ହଜାର ରୋଗୀ ଉପଶମ ହେଲେଣି। ବଳକା ସମୟରେ ଗାଁ ନିକଟସ୍ଥ ସାହାସପୁର ଜଙ୍ଗଲକୁ ଯାଇ ସେଠାରୁ ବିଭିନ୍ନ ବୃକ୍ଷଲତାର ଚେରମୂଳକୁ ସଂଗ୍ରହ କରିବାକୁ ପଡ଼ିଥାଏ। ବିନା ଅର୍ଥରେ ଗରିବରୋଗୀଙ୍କୁ ସେବା ଯୋଗାଉଥିବାରୁ ମତେ ଅପାର ଆନନ୍ଦ ମିଳିଥାଏ। ଆଧୁନିକ ଯୁଗରେ ବିଜ୍ଞାନର ଅଗ୍ରଗତି ଯୋଗୁ ଚିକିତ୍ସା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଘଟିଛି। ତେବେବି ଆୟୁର୍ବେଦ ଉପରେ ଲୋକଙ୍କର ବିଶ୍ୱାସ ରହିଛି। ରୋଗୀମାନେ ଏହାଦ୍ୱାରା ବିଭିନ୍ନ ରୋଗରୁ ଉପଶମ ହୋଇପାରୁଛନ୍ତି। ତେଣୁ ଆୟୁର୍ବେଦିକ ଦେଶୀୟ ଚିକିତ୍ସା ପ୍ରତି ଗାଁରେ ଲୋକଙ୍କ ଚାହିଦା ରହିଛି। ମାତ୍ର ଅନ୍ଧବିଶ୍ୱାସ ସମ୍ପର୍କରେ ଜନସଚେତନତାର ଆବଶ୍ୟକତା ରହିଛି।

ହୋଟେଲରେ ରୋଗୀଙ୍କୁ ମାଗଣା ଖାଦ୍ୟ ମିଳେ-ସାଧାରଣତଃ କୌଣସି ସ୍ଥାନରେ ଯଦି ହୋଟେଲ ରହିଥାଏ ତେବେ ସେଠାରେ ହୁଏତ ଜଳଖିଆ କିମ୍ବା ଭୋଜନ ମିଳିବାର ସୁବ୍ୟବସ୍ଥା ହୋଇଥାଏ। ଏଥିପାଇଁ ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ବା ନେବାକୁ ହେଲେ ଗରାଖଙ୍କୁ ସେମାନଙ୍କ ଚାହିଦା ଅନୁସାରେ ନିର୍ଦ୍ଦିଷ୍ଟ ଖାଦ୍ୟ ପାଇଁ ଉଚିତ ମୂଲ୍ୟ ଦେବାକୁ ପଡ଼ିଥାଏ। ମାତ୍ର ଓଡ଼ିଶାରେ ଏମିତି ସ୍ଥାନରେ ଗୋଟିଏ ହୋଟେଲ ରହିଛି, ଯେଉଁଠି ଅନ୍ୟମାନଙ୍କ ଅପେକ୍ଷା କେତେକ ରୋଗୀ ଓ ଗରିବ ଅସହାୟଙ୍କ ପାଇଁ କେବଳ ମାଗଣାରେ ଖାଦ୍ୟ ଦେବାର ବ୍ୟବସ୍ଥା କରିଛନ୍ତି ସେହି ହୋଟେଲର ମାଲିକ। ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଗୋଲାମୁଣ୍ଡା ପଞ୍ଚାୟତର ଶିମିଳା ଛକରେ ରହିଛି ଶୁଭମ୍‌ ହୋଟେଲ। ସ୍ଥାନୀୟ ଅଞ୍ଚଳରେ ଏହି ହୋଟେଲ ବେଶ୍‌ ଜଣାଶୁଣା। ଏହି ହୋଟେଲ ମାଲିକ ସୁରେନ୍ଦ୍ର ନାଥ ପ୍ରଧାନ କୁହନ୍ତି – ରୋଜଗାର ଉଦ୍ଦେଶ୍ୟରେ ହୋଟେଲଟିଏ ଆରମ୍ଭ କରିଥିଲି। ମାତ୍ର କିଛି ଦିନପରେ ଚିନ୍ତାକଲି କେତେଜଣ ଅସହାୟ ଗରିବ ଓ ରୋଗୀଙ୍କୁ ମୋ ସାଧ୍ୟ ମତେ ପ୍ରତିଦିନ ସେମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଭୋଜନ ଦେଇପାରବି। କିନ୍ତୁ ପ୍ରତିଦିନ ଏହି ହୋଟେଲ ପାଖ ରାସ୍ତା ଦେଇ ଅନେକ ଲୋକ ଯାତାୟାତ କରିଥାନ୍ତି। କୌଣସି ରୋଗୀ ଯଦି ଏଠାକୁ ଖାଦ୍ୟ ଖାଇବାକୁ ଆସିଥାନ୍ତି ତେବେ ଏଠାରେ ସେମାନଙ୍କ ପାଇଁ ମାଗଣାରେ ଖାଇବା ବ୍ୟବସ୍ଥା କରାଯାଇଥାଏ। ପ୍ରାୟ ୫ବର୍ଷ ତଳୁ ସଙ୍କଳ୍ପ କରିଥିଲି ଏମିତି ସେବା କରିବି ବୋଲି। ଏଥିପାଇଁ ସଙ୍କଳ୍ପ ରକ୍ଷା କରି ପ୍ରାୟ ୫ବର୍ଷ ମଧ୍ୟରେ ୫ହଜାରରୁ ଅଧିକ ରୋଗୀଙ୍କୁ ବିନାମୂଲ୍ୟରେ ଖାଦ୍ୟ ଯୋଗାଇ ଆସୁଛି। ରୋଗୀଙ୍କୁ ମାଗଣାରେ ଖାଦ୍ୟ ଦେବା ବ୍ୟତୀତ ଆମ୍ବୁଲାନ୍‌ସ କର୍ମଚାରୀଙ୍କୁ ଖୁବ କମ ଟଙ୍କାରେ ଖାଦ୍ୟ ଦେବାର ବ୍ୟବସ୍ଥା ହୋଇଛି । ଏମିତିରେ ବିଳମ୍ବିତ ରାତିରେ ଆସୁଥିବା ରୋଗୀ ଓ ଆମ୍ବୁଲାନ୍‌ସ ଚାଳକଙ୍କ ପାଇଁ କିଛି ପରିମାଣରେ ଖାଦ୍ୟ ସାଇତି ରଖିଥାନ୍ତି। ପୁଣି ଗାଁରେ ଯଦି କାହାରି ଦେହ ପା କିଛି ଖରାପ ହୁଏ ନିଜ ସାଧ୍ୟମତେ ସାହାଯ୍ୟ ସହଯୋଗ କରିବାରେ ମତେ ମାନସିକ ଶାନ୍ତି ମିଳିପାରୁଛି।

ଶିକ୍ଷୟତ୍ରୀଙ୍କ ମାସକର ଦରମା ଗରିବ ଲୋକଙ୍କ ସେବାରେ-
ସେ ଜଣେ ଶିକ୍ଷୟିତ୍ରୀ, ମାତ୍ର ଶିକ୍ଷାଦାନ ବ୍ୟତୀତ ଗରିବ ଲୋକଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିବାରେ ସେ ଆନନ୍ଦ ପାଇଥାନ୍ତି। ପ୍ରତିବର୍ଷ ତାଙ୍କର ମାସକ ଦରମା ଟଙ୍କାକୁ ସେ ଅସହାୟଙ୍କୁ ଦାନ କରିଥାନ୍ତି। ଏଥିପାଇଁ ସେବାକୁ ସେ ବ୍ରତଭାବେ ଗ୍ରହଣ କରିଛନ୍ତି। ସେ ହେଲେ ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ବେଙ୍ଗସର ଗ୍ରାମର ସନତ କୁମାର ପ୍ରଧାନଙ୍କ ପତ୍ନୀ ସଚଳା ନାୟକ । ବର୍ତ୍ତମାନ ସେ କୁଡ଼ୁତାଇ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ସେ କୁହନ୍ତି, ସ୍କୁଲ ବୟସରୁ ସତ୍ୟସାଇ ବାଲବିକାଶରୁ ସେବା ଦ୍ୱାରା ଅନୁପ୍ରାଣିତ ହୋଇଥିଲି। ଅନ୍ୟମାନଙ୍କୁ କିଛିକିଛି ଦାନ ଓ ସାହାଯ୍ୟ କରିବା ମୋର ଅଭ୍ୟାସ ରହିଛି। ମାତ୍ର ଜଣେ ଶିକ୍ଷୟିତ୍ରୀ ଭାବେ ଚାକିରି କରିବା ପରେ ବର୍ଷକର ଦରମା ମଧ୍ୟରୁ ଗୋଟିଏ ମାସର ଦରମା ଟଙ୍କା ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥାଏ। କିଛିଦିନ ତଳେ କେତୋଟି ଶିତବସ୍ତ୍ର କିଣି କୁଡ଼ୁତାଇ, ବେଙ୍ଗସର, ଚଞ୍ଚରାପଲୀ, ଘାଟିପଲ୍ଲୀ ଓ ଖାଲିଆ ଗ୍ରାମର ଗରିବ ଅସହାୟ ଲୋକଙ୍କୁ ବାଣ୍ଟିଥିଲି। ଏମିତି କାର୍ଯ୍ୟରେ ମତେ ଖୁସୀ ମିଳେ, ମୋ ପରିବାରର ସହଯୋଗ ବି ରହିଛି। ଏହା ନରନାରାୟଣଙ୍କ ସେବା ବୋଲି ମନେ କରୁଛି। ଏଥିଯୋଗୁଁ ଅନ୍ୟମାନଙ୍କ ଆଶୀର୍ବାଦ ରହିବ । ପରସ୍ପରଙ୍କ ଭିତରେ ସେବା ମନୋଭାବ ବଢ଼ିପାରିବ।

ଚା ଦୋକାନୀଙ୍କ ମାଗଣା ସେବା- ସେ କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ନୁହନ୍ତି କି କୌଣସି ପ୍ରଭାବଶାଳୀ ବ୍ୟକ୍ତି ନୁହନ୍ତି। ଜଣେ ସାଧାରଣ ଚା ଦୋକାନୀ। ସାଦାସିଧା ଲୋକ। ତାଙ୍କ ନଁା ଭରତ ଚନ୍ଦ୍ର ସାହୁ। ଘର ଖୋର୍ଦ୍ଧା ଜିଲାର ବାଜପୁର ଗ୍ରାମରେ। ପ୍ରାୟ ୧୯୫୫ ମସିହାଠାରୁ ସେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ପରିସର ସମ୍ମୁଖରେ ଏକ ଚା ଦୋକାନ କରିଛନ୍ତି। ଏହି ଦୋକାନରୁ ଯାହା ରୋଜଗାର ହୁଏ, ସେଥିରେ ତାଙ୍କର ପରିବାର ପ୍ରତିପୋଷଣ କରିିଥାଆନ୍ତି। ମାତ୍ର ପିଲାଟି ଦିନରୁ ଅନ୍ୟକୁ ସାହାଯ୍ୟ କରିବାର ମନୋବୃତ୍ତି ଏବେ ତାଙ୍କର ଜନସେବା କର୍ମ ପ୍ରତି ଭିନ୍ନ ପରିଚୟ ସୃଷ୍ଟି କରିଛି। ସେ କୁହନ୍ତି, ମାନବ ସେବା ହିଁ ମାଧବ ସେବା। ଏଠାରେ ଚା ଦୋକାନ ଦେଇଥିଲେ ବି ସବୁ ସମୟରେ ଅନେକ ଅସହାୟ ଗରିବ ରୋଗୀଙ୍କ ଦୁଃଖ ମତେ ଆନ୍ଦୋଳିତ କରିଥାଏ। ମାତ୍ର ମୋ ସାମର୍ଥ୍ୟ ଅନୁସାରେ ଅନୁଭବ କରି କେତେକ ଗରିବ ଅସହାୟ ରୋଗୀଙ୍କୁ କିଛି ଖାଦ୍ୟ, କିଛି ଅର୍ଥ, ଏପରିକି ବେଳେବେଳେ କେତେକ ଲୁଗା କିଣି ପ୍ରଦାନ କରି ଆନନ୍ଦ ପାଇଥାଏ। ଏମିତି କାମରେ ମୋ ପ୍ରତି ଭଗବାନ୍‌ଙ୍କ କୃପା ମିଳେ ବୋଲି ମନକୁ ମନ ବୁଝାଇଥାଏ। ହସ୍ପିଟାଲକୁ ଆସୁଥିବା ଅନେକ ଅସହାୟ ରୋଗୀଙ୍କ ପାଇଁ ଅନେକ ସମୟରେ ମାଗଣାରେ ପିଇବା ପାଇଁ ଗରମ ପାଣିର ବ୍ୟବସ୍ଥା କରିଥାଏ। ପୁଣି କାହାକୁ କ୍ଷୀର ବି ଯୋଗାଡ଼ କରି ଦେବାର ବ୍ୟବସ୍ଥା କରିଥାଏ। ମୁଁ ଏକ ଦୁର୍ଘଟଣାରେ ଅସୁସ୍ଥ ଥିଲି, ଏବେ ସୁସ୍ଥ ଅନୁଭବ କରୁଛି। ମାତ୍ର ମେଡିକାଲକୁ ଆସୁଥିବା କୌଣସି ଅସହାୟ ଗରିବ ଲୋକଙ୍କ କିଛି ଅସୁବିଧା ଖବର କାନରେ ପଡ଼ିଲେ ମନ ଅଥୟ ହୋଇପଡ଼େ। ପାରୁପର୍ଯ୍ୟନ୍ତ ତାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥାଏ। ଏଥିପାଇଁ କାହାଠାରୁ କେବେ ଟଙ୍କାଟିଏ ନିଏ ନାହିଁ, ବରଂ ଆବଶ୍ୟକ ସ୍ଥଳେ ମୋ ଦ୍ୱାରା ଯେତିକି ସମ୍ଭବ, ସେତିକି ଆର୍ଥିକ ସହାୟତା ପ୍ରଦାନ କରି ନିଜକୁ ଧନ୍ୟ ମନେ କରିଥାଏ।

ମାଗଣାରେ ରୋଗୀ ରହିବା ଓ ଖାଦ୍ୟ ବ୍ୟବସ୍ଥା କରିଥାଉ
ସେ ଜଣେ ଏମ୍‌ବିଏ ଛାତ୍ର। ମାତ୍ର ନିଶା ତାଙ୍କର ଅସହାୟ, ଗରିବ ରୋଗୀଙ୍କୁ ସେବାରେ ସାହାଯ୍ୟ କରିବା। ସେ ହେଲେ ସ୍ମୃତିରଞ୍ଜନ ସେଠୀ। ସେ କୁହନ୍ତି, ପ୍ରାୟ ୬୦ଜଣ ସାଙ୍ଗ ଏକାଠି ହୋଇ ଗଠନ କରିଛୁ ଏକ ସାମାଜିକ ଅନୁଷ୍ଠାନ, ଯାହାର ନାଁ ସମ୍ରିଦ୍ଧି ସେବା। ବିଭିନ୍ନ ସମୟରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ଭଲ ଚିକିତ୍ସା ସେବା ପାଇବା ପାଇଁ ବହୁ ଦୂରଦୂରାନ୍ତରୁ ଅନେକ ରୋଗୀ ଆସିଥା’ନ୍ତି। କୌଣସି ଅସହାୟ କିମ୍ବା ରୋଗୀ ଯେପରି ଠିକ ସମୟରେ ଚିକିତ୍ସକଙ୍କୁ ସାକ୍ଷାତ୍‌ କରିବା ଏବଂ ପରାମର୍ଶ ନେବାରେ ସୁବିଧା ହୋଇପାରିବ। ଯଦି କୌଣସି କାରଣରୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀ କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନଙ୍କ ସୁବିଧା ନିମନ୍ତେ ଏହି ହସ୍ପିଟାଲ ନିକଟରେ ମାଗଣାରେ ରହିବା ଏବଂ ଖାଦ୍ୟର ବ୍ୟବସ୍ଥା କରିଥାଉ। ଏଥିରେ କେତେଜଣ ସେବା ମନୋଭାବ ରଖିଥିବା ଯୁବକ ଯୁବତୀ ବୁଝାଶୁଝା କରିଥା’ନ୍ତି। ଭଲ ପରିଚୟ ପାଇଁ ପ୍ରୟାସ କରିଥାଉ। ପ୍ରତି ରବିବାର ପ୍ରାୟ ୧୫୦ରୁ ୨୦୦ ଲୋକଙ୍କ ପାଇଁ ମାଗଣାରେ ଖାଦ୍ୟ ବଣ୍ଟନ କରିଥାଉ। ପୁଣି କୌଣସି ରୋଗୀଙ୍କ ପାଇଁ ଦରକାର ପଡ଼ୁଥିବା ରକ୍ତକୁ ମାଗଣାରେ ସଂଗ୍ରହ କରି ଦାନ କରିଥାଉ। ଏଥିପାଇଁ ଅନୁଷ୍ଠାନ ଗଠନ କରିଥିବା ସାଙ୍ଗମାନେ ନିଜସ୍ବ ଉଦ୍ୟମରେ ନିଜ ନିଜର ପକେଟ ମନିରୁ କିଛି କିଛି ସଞ୍ଚିତ ଅର୍ଥକୁ ସାଇତି ରଖି ଏମିତି ଜନସେବାରେ ଲଗାଇଥାଉ। ଏପରି ସେବା କାର୍ଯ୍ୟ କରି ନିଜକୁ ଧନ୍ୟ ମନେକରିଥାଉ। ତେବେ ଅନ୍ୟପକ୍ଷେ ସମାଜରେ ବହୁ ଅସହାୟ, ଗରିବ, ଦୁଃସ୍ଥ ରୋଗୀଙ୍କ ପାଇଁ ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ସମ୍ପୂର୍ଣ୍ଣ ମାଗଣାରେ କେହି ଖାଦ୍ୟ ତ କେହି ବସ୍ତ୍ର, ପୁଣି କେହି ପରିବହନ ସେବା ତ ଆଉ କେହି ରକ୍ତ, ପୁଣି କେହି ଆର୍ଥିକ ସହାୟତା କରିଥା’ନ୍ତି। ଏମାନଙ୍କ ପରି ଆହୁରି ଅନେକ ବଦାନ୍ୟ ବ୍ୟକ୍ତି ସମାଜରେ ରହିଛନ୍ତି, ଯେଉଁମାନଙ୍କ ପାଇଁ ସମାଜରେ ମାନବିକତାର ମହତ୍ତ୍ୱ ଓ ସେବାର ପ୍ରକୃତ ମୂଲ୍ୟ ବାରି ହୋଇପଡ଼େ, ଯାହା ଗଠନମୂଳକ ତଥା ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରେ।

– ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

NEET ପେପର ଲିକ୍ ପ୍ରସଙ୍ଗ; ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ରାହୁଲ, ଶିକ୍ଷାମନ୍ତ୍ରୀଙ୍କୁ କାହିଁକି….

ନୂଆଦିଲ୍ଲୀ,୧୭।୫: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ NEET ପେପର ଲିକ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ଉଠାଇ ସେ…

IPL 2026ରେ ହଠାତ ବଦଳିଲେ RCB କ୍ୟାପଟେନ, ରଜତ ପାଟିଦାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୭।୫: ରଜତ ପାଟିଦାର IPL 2026 ର 61 ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁନାହାଁନ୍ତି। ଏହି ମୁକାବିଲା ଉଭୟ ପଞ୍ଜାବ କିଙ୍ଗସ ଏବଂ…

ନିଆରା ପ୍ରେମ… ଚତୁର୍ଥ ଥର ପାଇଁ ବର ହେଲେ ୬୫ ବର୍ଷୀୟ ବୃଦ୍ଧ, ୬୨ ବର୍ଷୀୟ ବୃଦ୍ଧାଙ୍କୁ କଲେ ବିବାହ

ପାଟନା,୧୭ା୫: କୁହାଯାଏଯେ ପ୍ରେମ ଏବଂ ସାଥିର କୌଣସି ବୟସ ନଥାଏ । ଏହି ଭାବନାର ଏକ ହୃଦୟସ୍ପର୍ଶୀ ଉଦାହରଣ ବିହାରର ଜାମୁଇ ଜିଲାରୁ ସାମ୍ନାକୁ ଆସିଛି ।…

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

‘ମୋ ସ୍ତର ଏତେ ତଳକୁ ଖସିନାହିଁ..’, ବିଜୟକୁ ନେଇ ମୁହଁ ଖୋଲିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୧୭ା୫: ସାଉଥ ସୁପରଷ୍ଟାର ରଜନୀକାନ୍ତ ରବିବାର (୧୭ ମଇ) ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି କାର୍ଯ୍ୟକ୍ରମରେ, ସେ ତାମିଲନାଡୁ ବିଧାନସଭା ନିର୍ବାଚନ…

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ।…

TMC କାର୍ଯ୍ୟାଳୟରୁ ୧୦୦ରୁ ଅଧିକ ଆଧାର କାର୍ଡ ଜବତ; ସରକାରୀ ଜମିର ଅବୈଧ କ୍ରୟ-ବିକ୍ରୟ ସମ୍ପର୍କିତ କାଗଜପତ୍ର ମଧ୍ୟ ଜବତ

କୋଲକାତା,୧୭।୫: ପଶ୍ଚିମବଙ୍ଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ, ଏକ ଟିଏମସି କାର୍ଯ୍ୟାଳୟରୁ ସରକାରୀ ଜମିର ଅବୈଧ କିଣାବିକା ସହିତ ଜଡିତ କାଗଜପତ୍ର ସହିତ ୧୦୦…

ମଦ ଉପରେ ଟିକସ ବ୍ୟବସ୍ଥାକୁ ପରିବର୍ତ୍ତନ କଲେ ସରକାର, କମିବ ଦର!

ବେଙ୍ଗାଲୁରୁ,୧୭।୫: ମଦକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କର୍ଣ୍ଣାଟକ ସରକାର ମଦ ଉପରେ ଟିକସ ଆଦାୟ କରିବାର ପଦ୍ଧତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri