ଅଣାୟତ୍ତ ସାଇବର ଠକେଇ

ସତ୍ୟଜିତ୍‌ ରାଉତ, କାର୍ତ୍ତିକ ସାହୁ, ସୁଭାଶିଷ ପାଢ଼ୀ
ଭୁବନେଶ୍ୱର/କଟକ/ସମ୍ବଲପୁର,୨ା୧୧: ଲୋକମାନେ ଅନ୍‌ଲାଇନ ବ୍ୟବସ୍ଥାରେ ଅନେକ ସୁବିଧା ପାଉଛନ୍ତି। ହେଲେ ଲୋକଙ୍କ ପାଇଁ ଏହା ଅନେକ ସମୟରେ ଚିନ୍ତାର କାରଣ ପାଲଟୁଛି। ସାଇବର ଠକମାନେ ଲୋକଙ୍କୁ ବିଭିନ୍ନ ଜାଲରେ ଫସାଇ ବହୁ ଟଙ୍କା ହଡ଼ପ କରୁଛନ୍ତି। ବିଭିନ୍ନ ସ୍କିମ୍‌ ମାଧ୍ୟମରେ, ଫାର୍ମାସ୍ୟୁଟିକାଲ୍‌ ଉତ୍ପାଦ କ୍ରୟ ବା ଅନ୍‌ଲାଇନ୍‌ କାରବାର ସମୟରେ, ମୋବାଇଲ୍‌ ଟାୱାର ସ୍ଥାପନ ବା ବିଦେଶରୁ ଉପହାର ପାର୍ସଲ ପଠାଇବା ଆଳରେ ଠକିଥାନ୍ତି। ଆଉ କେତେବେଳେ ବ୍ୟାଙ୍କ ଅଧିକାରୀ ପରିଚୟ ଦେଇ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ମଧ୍ୟ ଖାଲି କରିଦେଉଛନ୍ତି। ବିଶେଷକରି ବିଦ୍ୟୁତ୍‌ ବକେୟା ବିଲ୍‌, ଚାକିରି ଲୋଭ, ଶେୟାର ମାର୍କେଟ, ଋଣ ଦେବା ଆଦି ଆଳରେ ଅଧିକ ଠକେଇ ହେଉଥିବା ଦେଖିବାକୁ ମିଳୁଛି। ଓଡ଼ିଶାରୁ ଗତ ୪ ବର୍ଷ ଅର୍ଥାତ ୨୦୧୮ରୁ ୨୦୨୨ ମଧ୍ୟରେ ୧୨୨.୪୮ କୋଟି ଟଙ୍କା ଠକେଇ ହୋଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତୀ ବେହେରା ଗତ ବିଧାନସଭା ଅଧିବେଶନରେ ତଥ୍ୟ ରଖିଥିଲେ। ଏପରି କି ଉକ୍ତ ଠକେଇ ଟଙ୍କାରୁ ୨.୮୭ କୋଟି ଫେରାଇ ଅଣାଯିବା ସହ ୨୪ ଆନ୍ତଃରାଜ୍ୟ ସାଇବର ଅପରାଧୀଙ୍କୁ ଗିରଫ କରାଯାଇଥିବା ଉଲ୍ଲେଖ କରିଥିଲେ। ତେବେ ମନ୍ତ୍ରୀଙ୍କ ବୟାନକୁ ଦେଖିଲେ ସାଇବର ଠକେଇ ହେଉଥିବା ପରିମାଣ ଅନୁସାରେ ଉଦ୍ଧାର ହେଉଥିବା ପରିମାଣ ବହୁ କମ୍‌। ରାଜ୍ୟରେ ବଢ଼ୁଥିବା ଆର୍ଥିକ ଠକେଇ ଏବଂ ସାଇବର ଅପରାଧର ମୁକାବିଲା ପାଇଁ ଓଡିଶାରେ ମୋଟ ୧୪ଟି ସାଇବର ଏବଂ ଅର୍ଥନୈତିକ ଅପରାଧ ପୋଲିସ ଷ୍ଟେଶନ ପ୍ରତିଷ୍ଠା କରାଯାଇଛି। ଏପରି କି ଏଥିପାଇଁ ୧୫୪ଟି ପଦବୀ ଏବଂ ୯୦ ଜଣ ବିଶେଷଜ୍ଞ ପଦବୀକୁ ମଞ୍ଜୁର କରାଯାଇଛି। ବର୍ତ୍ତମାନ ରାଜ୍ୟରେ ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, କଟକ, ଭୁବନେଶ୍ୱର, କେନ୍ଦୁଝର, ଅନୁଗୋଳ, ବାଲେଶ୍ୱର, ମୟୂରଭଞ୍ଜ, ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗୀର ଏବଂ କନ୍ଧମାଳଠାରେ ସାଇବର ପୋଲିସ ଷ୍ଟେଶନ ରହିଛି। ଏହାସତ୍ତ୍ୱେ ସାଇବର ଅପରାଧୀମାନେ ବିଭିନ୍ନ ଜାଲରେ ଲୋକଙ୍କୁ ଫସାଇ ଠକିବାରେ ଲାଗିଛନ୍ତି।
ତଥ୍ୟ ଅନୁଯାୟୀ ୨୦୨୦ରେ ରାଜ୍ୟରେ ସାଇବର ଅପରାଧ ସମ୍ପର୍କିତ ୧୯୩୧ଟି ମାମଲା ରୁଜୁ କରାଯାଇଥିବାବେଳେ ୨୦୨୧ରେ ଏଥିରେ ୫.୫% ବୃଦ୍ଧି ପାଇ ୨୦୩୭ଟି ମାମଲା ରୁଜୁ ହୋଇଥିଲା। ରାଜ୍ୟରେ ସାଇବର ଅଶ୍ଳୀଳତା ଓ ମର୍ଫିଂ ମାମଲା ମଧ୍ୟ ଚିନ୍ତାଜନକ ରହିଛି। ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ୨୦୨୧ରେ ଦେଶବ୍ୟାପୀ ସାଇବର ଅଶ୍ଳୀଳତା ଓ ମର୍ଫିଂ ମାମଲା ମୋଟ ୨,୫୯୭ ରହିଥିବା ବେଳେ ଏଥିରୁ ଓଡ଼ିଶାରେ ସର୍ବାଧିକ ୨୬ % ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେବଳ ଅପାଠୁଆ ନୁହେଁ, ବରଂ ଶିକ୍ଷିତ ବର୍ଗର ଲୋକେ ମଧ୍ୟ ସାଇବର ଠକେଇର ଶିକାର ହେଉଛନ୍ତି। ୨୦୨୧ ଡିସେମ୍ବରରେ କୋରାପୁଟ ଜିଲାର ଜଣେ ଆଇଟି ପ୍ରଫେଶନାଲ ସାଇବର ଅପରାଧୀଙ୍କ ପାଇଁ ୪୨.୬୭ ଲକ୍ଷ ଟଙ୍କା ହରାଇଥିଲେ। ତାଙ୍କୁ ଅନ୍‌ଲାଇନରେ ଅଳ୍ପ ସମୟ ମଧ୍ୟରେ ଅଧିକ ରିଟର୍ଣ୍ଣ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ ଠକେଇ କରାଯାଇଥିଲା।
ରାଜଧାନୀ ଭୁବନେଶ୍ୱରରେ ସାଇବର ଅପରାଧୀ ଅଧିକ ମାତ୍ରାରେ ସକ୍ରିୟ ଅଛନ୍ତି, ଯାହାକି ଗତ ୯ ମାସର ତଥ୍ୟକୁ ଦେଖିଲେ ସ୍ପଷ୍ଟ ଅନୁମେୟ ହେଉଛି। ଏହି ସମୟ ମଧ୍ୟରେ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ଓ ସାଇବର ହେଲ୍ପ ଡେସ୍କକୁ ୨ହଜାରରୁ ଅଧିକ ଅଭିଯୋଗ ଆସିଥିବାବେଳେ ୯.୫୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଠକ। ରିପୋର୍ଟ ଅନୁଯାୟୀ, ରାଜଧାନୀବାସୀ ଜାନୁୟାରୀରେ ୧.୩୧ କୋଟି, ଫେବୃୟାରୀରେ ୧.୩୯ କୋଟି, ମାର୍ଚ୍ଚରେ ୯୧.୫୬ ଲକ୍ଷ, ଏପ୍ରିଲରେ ୭୬ ଲକ୍ଷ, ମେ’ରେ ୭୫.୭୫ ଲକ୍ଷ, ଜୁନ୍‌ରେ ୧.୬ କୋଟି, ଜୁଲାଇରେ ୧.୩୮ କୋଟି, ଅଗଷ୍ଟରେ ୮୦ ଲକ୍ଷ ଏବଂ ସେପ୍ଟେମ୍ବରରେ ୧କୋଟି ୭ଲକ୍ଷ ୭୧ ହଜାର ୩୪୮ ଟଙ୍କା ହରାଇଛନ୍ତି। ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ୩୯ ମାମଲା ରୁଜୁ କରାଯାଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତ ୯ ମାସର ଏହି ରିପୋର୍ଟକୁ ଦେଖିଲେ ଅନେକ ଅଭିଯୋଗ ଆସୁଥିଲେ ମଧ୍ୟ ପୋଲିସ କିଛି ବଡ଼ ରାକେଟ ପାଖରେ ପହଞ୍ଚତ୍ପାରି ନାହିଁ। କେବଳ ଅକ୍ଟୋବର ୬ରେ ଇଣ୍ଟରନେଟ୍‌ରେ ବିଜ୍ଞାପନ ଦେଇ ବିଭିନ୍ନ ଏସ୍‌କର୍ଟ ସର୍ଭିସ ଦେବା ଆଳରେ ଠକେଇ କରୁଥିବା ଏକ ଗ୍ୟାଙ୍ଗର ୫ ଜଣଙ୍କୁ ଭୁବନେଶ୍ୱରରୁ ପୋଲିସ ଗିରଫ କରିଥିଲା। ସାଇବର ଠକେଇ ସମ୍ପର୍କରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ କହିବା କଥା, ସାଇବର ଠକେଇ ରୋକିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସାଇବର ଥାନା ଦ୍ୱାରା ଟଙ୍କା ଫେରାଇ ଅଣାଯାଇପାରୁଛି। ଧୀରେ ଧୀରେ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ୁଛି। ଠକେଇର ବହୁଦିନ ପରେ ପ୍ରାୟ ଲୋକ ଅଭିଯୋଗ କରୁଛନ୍ତି। ସେମାନେ ତୁରନ୍ତ ଅଭିଯୋଗ କଲେ ଓ ବ୍ୟବସ୍ଥା ଭଲ ଭାବେ କାର୍ଯ୍ୟ କଲେ ତଦନ୍ତରେ ସଫଳତା ମିଳିବ ବୋଲି ଡିସିପି ସିଂ କହିଛନ୍ତି।
ସେହିପରି ଚଳିତବର୍ଷ ସମ୍ବଲପୁର ସାଇବର ଥାନାରେ ୫୦ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୩୦ଟି ମାମଲାରେ ପୋଲିସ ୨୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲା ମଧ୍ୟରେ ୧୦ଟି ଅନ୍ତରଙ୍ଗ ଭିଡିଓ ଭାଇରାଲ ଘଟଣା ରହିଥିବାବେଳେ ସାମାଜିକ ଗଣମାଧ୍ୟମରେ ମିଛ ଆକାଉଣ୍ଟ ଖୋଲି ଚାନ୍ଦା ମାଗିବା ଏବଂ ବିଭନ୍ନ ପ୍ରସଙ୍ଗରେ ଭାଇରାଲ କରିବାର ୪ ମାମଲା ଏବଂ ଅନ୍ୟ ୩୬ଟି ଲଟେରି ଲାଗିବା, କଓ୍ବୋଇସି ଅପ୍‌ଡେଟ କରିବା, ଅନ୍‌ଲାଇନ୍‌ ଶପିଂ କରିବା ଭଳି ପ୍ରଲୋଭନ ଘଟଣା ରହିଛି। କଟକ ସହରରେ ଗତ ୯ମାସ ମଧ୍ୟରେ ସାଇବର ଅପରାଧ ସମ୍ପର୍କିତ ୩୩ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରେ ଆର୍ଥିକ କାରବାର ସମ୍ପର୍କିତ ୨୪ଟି ମାମଲା ରୁଜୁ ହୋଇଥିବାବେଳେ ୪ଟି ମାମଲାରେ ୭ଜଣଙ୍କୁ ଗିରଫ କରାଯାଇଛି। ଏଥିସହିତ ୧୫ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି। ସେହିପରି ସୋସିଆଲ ମିଡିଆ ସମ୍ପର୍କିତ ୯ଟି ମାମଲା ରହିଛି। ସେଥିରୁ ୩ଟି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଥିବା କଟକ ସାଇବର ଥାନା ଅଧିକାରିଣୀ ଚନ୍ଦ୍ରିକା ସ୍ବାଇଁ ସୂଚନା ଦେଇଛନ୍ତି।
ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ ମତରେ ସାଇବର କ୍ରାଇମର ଶିକାର ହେବା ପରେ ଲୋକମାନେ ପୋଲିସ ପାଖକୁ ଯାଆନ୍ତି। ଗୋଲ୍ଡେନ ଆୱାର କୁହାଯାଇଥିବା ୧ ଘଣ୍ଟା ମଧ୍ୟରେ ଅଭିଯୋଗ ହେଲେ ଅନ୍‌ଲାଇନ ଟୁଲ ମାଧ୍ୟମରେ ପୋଲିସ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରି କିଛି ମାମଲାରେ ଟଙ୍କା ଫେରାଇ ଆଣିପାରେ। ଯେଉଁ ଅପରାଧୀ ଲୁଟ୍‌ ଟଙ୍କାକୁ ଅନ୍ୟ କୌଣସି ବ୍ୟାଙ୍କକୁ ଟ୍ରାନ୍ସଫର୍‌ କରି ନ ଥାନ୍ତି, ସେଭଳି ସ୍ଥିତିରେ ଏହା ସମ୍ଭବ ହୁଏ। ଏହାଛଡ଼ା ପୋଲିସ ଆଉ କିଛି କରିପାରେ ନାହିଁ। ଅଧିକ ସାଇବର ଥାନା ଖୋଲାଗଲେ ମଧ୍ୟ ଏହି ଠକେଇ କମିବ ନାହିଁ। ସଚେତନତା ଦ୍ୱାରା ହିଁ ସାଇବର କ୍ରାଇମ୍‌ ରୋକିହେବ। ଲୋକମାନେ ବୁଝିବା ଭଳି ପ୍ରାୟ ୨ରୁ ୩ ମିନିଟ ବିଶିଷ୍ଟ ସାଇବର ସଚେତନାତ୍ମକ ଭିଡିଓ ଆସିବା ଦରକାର। ସରକାରଙ୍କ ପକ୍ଷରୁ ମଧ୍ୟ ଏକ ସଂସ୍ଥାକୁ ଦାୟିତ୍ୱ ଦେବା ସହ ଏକ ଟୋଲ ଫ୍ରି’ ନମ୍ବର ଅବା ହ୍ବାଟ୍‌ସଆପ୍‌ ନମ୍ବର ଜାରି କରିବା ଦରକାର। ଫଳରେ ଠକେଇ ହେବା ପୂର୍ବରୁ ଲୋକମାନେ ଉକ୍ତ ସାଇବର ହେଲ୍ପଲାଇନ ନମ୍ବର ସାହାଯ୍ୟରେ ପ୍ରଶ୍ନ ପଚାରି ପରାମର୍ଶ ନେଇପାରନ୍ତେ। କୌଣସି ରାଜ୍ୟ ପୋଲିସ ମଧ୍ୟ ସାଇବର ଅପରାଧୀ ଗ୍ୟାଙ୍ଗଙ୍କୁ ଧରିପାରୁ ନାହାନ୍ତି। ଫେକ୍‌ ସିମ୍‌ ବ୍ୟବହାର ଦ୍ୱାରା ସାଇବର ଠକମାନେ କଲ୍‌ କିମ୍ବା ଏସ୍‌ଏମ୍‌ଏସ୍‌ କରି ଠକେଇ କରୁଛନ୍ତି। ଟେଲିକମ୍‌ ସଂସ୍ଥା ପକ୍ଷରୁ ମଧ୍ୟ ନିୟମିତ ବ୍ୟବଧାନରେ କେୱାଇସି ହେବା ଦରକାର। କେୱାଇସି କରାଗଲେ ବହୁ ସିମ୍‌ ଫେକ୍‌ ବାହାରିବ। ଏପରିକି କଲ୍‌ ସେଣ୍ଟରରେ କାମ କରୁଥିବା କର୍ମଚାରୀମାନେ ବ୍ୟାଙ୍କ ତଥ୍ୟକୁ ସାଇବର ଠକଙ୍କୁ ବିକ୍ରି କରୁଛନ୍ତି। ଝାଡ଼ଖଣ୍ଡର ଜାମତେରା, ହରିୟାଣାର ମେୱାଟ୍‌, ରାଜସ୍ଥାନର ଭରତପୁର, ଉତ୍ତରପ୍ରଦେଶର ମଥୁରା ଏବଂ ପଶ୍ଚିମବଙ୍ଗର ଆଶାନ୍‌ସୋଲ୍‌ ଅଞ୍ଚଳରେ ବହୁ ସାଇବର ଅପରାଧୀ ରହି ସେମାନଙ୍କ ନେଟ୍‌ଓ୍ବର୍କ ଚଳାଇଛନ୍ତି। ଏସବୁ ଅଞ୍ଚଳରୁ ବାହାରକୁ କେତେ କଲ୍‌ ଯାଉଛି, ତାହାକୁ ଯାଞ୍ଚ କରାଗଲେ ମଧ୍ୟ ସାଇବର ଅପରାଧୀମାନେ ଧରାପଡ଼ିବେ। ସରକାର ଏଭଳି ପଦକ୍ଷେପ ନେଲେ ସାଇବର ଅପରାଧକୁ ରୋକା ଯାଇପାରିବ ବୋଲି ସାହୁ କହିଛନ୍ତି।
ସାଇବର ଠକେଇର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଥିବା କଟକ ଜିଲାର ସର୍ବପ୍ରସନ୍ନ ପଣ୍ଡା କହିଛନ୍ତି, ଓଡ଼ିଆ ମାଟ୍ରିମୋନିରେ ବିବାହ କରିବାକୁ ଯାଇ ସାଇବର ଠକେଇର ଶିକାର ହୋଇଥିଲି। ସାଇବର ଠକ ଝିଅ ରୂପେ ମୋ ସହ ସମ୍ପର୍କ ସ୍ଥାପନ କରି ଉପହାର ଲୋଭ ଦେଖାଇଥିଲା। ଲୋଭରେ ପଡ଼ି ମୁଁ ୩ ଲକ୍ଷ ୯୫ ହଜାର ଟଙ୍କା ସାଇବର ଅପରାଧୀଙ୍କୁ ଦେଇଥିଲି। ସାଇବର ହେଲ୍ପ ଡେସ୍କ ଓ ସ୍ଥାନୀୟ ନେମାଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ମୋ ଟଙ୍କା ଫେରାଇ ଆଣିପାରି ନ ଥିଲେ। ମୋ ଭଳି ଆଉ କେହି ଠକେଇର ଶିକାର ନ ହୁଅନ୍ତୁ। ସମସ୍ତେ ସଚେତନ ହୁଅନ୍ତୁ ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ୧୬ ବିଧାନସଭା ଏବଂ ୩ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସ ୩ଟି ବିଧାନସଭା ଆସନରେ ଆଜି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ଆଉ ୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଲୋକ ସଭା ପ୍ରାର୍ଥୀ...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ତା’ର ଆଉ ୧୬ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ...

ବର୍ତ୍ତମାନ ସୁଦ୍ଧା କେଉଁ ଦଳ କେତେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆଉ ରହିଲା କେତେ ଜାଣନ୍ତୁ…

ଭୁବନେଶ୍ୱର,୨୦ା୪: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ଚାଲିଛି। ବିଶେଷକରି ଭୋଟରଙ୍କ ନଜର ତିନି ପ୍ରମୁଖ ଦଳ ଯଥା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri