କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍): କଟକରୁ କଲେଜ ଛାତ୍ରୀଙ୍କୁ ଅପହରଣ ପରେ ପୁରୀରେ ନେଇ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ଆସିଛି । ସୋସିଆଲ ମିଡିଆରେ ପ୍ରେମ ପରେ ପୁରୀକୁ ନେଇ ବଳାତ୍କାର କରାଯାଇଥିଲା । କଟକର ନାବାଳିକା କଲେଜ ଛାତ୍ରୀଙ୍କୁ ବଳାତ୍କାର ଘଟଣାରେ ଏହି ତଥ୍ୟ ସାମ୍ନାକୁ ଆସିଛି ।
ଖବର ଅନୁସାରେ, ଗତ ନଭେମ୍ବର ମାସରେ ପୁରୀରେ ଘଟିଥିବା ଏକ ଚାଞ୍ଚଲ୍ୟକର ନାବାଳିକା ବଳାତ୍କାର ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ତିନିଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଏବେ ମଧ୍ୟ ଫେରାର ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜଣେ ନାବାଳିକା ଛାତ୍ରୀଙ୍କ ସହ ମୁଖ୍ୟ ଅଭିଯୁକ୍ତର ପରିଚୟ ସୋସିଆଲ ମିଡିଆ ମାଧ୍ୟମରେ ହୋଇଥିଲା। ପରେ ଏହା ପ୍ରେମ ସମ୍ପର୍କର ରୂପ ନେଇଥିଲା। ଗତ ନଭେମ୍ବର ମାସରେ ଅଭିଯୁକ୍ତ ଜଣକ କୌଶଳକ୍ରମେ ନାବାଳିକାଙ୍କୁ ପୁରୀ ନେଇଯାଇଥିଲେ। ସେଠାରେ ଅଭିଯୁକ୍ତ ଜଣକ ଛାତ୍ରୀଙ୍କୁ ଅସଦାଚରଣ ଓ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।
ଏହି ଅମାନବୀୟ କାର୍ଯ୍ୟରେ ତାଙ୍କୁ ଅନ୍ୟ ତିନିଜଣ ସହଯୋଗୀ ମଧ୍ୟ ସାହାଯ୍ୟ କରିଥିଲେ । ଘଟଣାର ତଦନ୍ତ କରି ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତ ସତ୍ୟବ୍ରତ ପରିଡା, ସୌମ୍ୟ ରଞ୍ଜନ ପରିଡା ଏବଂ କୈଳାସ ଚନ୍ଦ୍ର ବେହେରାଙ୍କୁ ଗିରଫ କରିଛି । ସମସ୍ତଙ୍କ ଘର ଯାଜପୁର ଅଞ୍ଚଳରେ । କଟକ ଜୋନ୍-୨ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଏହି ଗିରଫଦାରୀ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଅଭିଯୁକ୍ତମାନେ ନାବାଳିକାଙ୍କୁ ପୁରୀ ନେଇ ସେଠାରେ ବଳତ୍କାର କରିଥିଲେ । ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି । ପୋଲିସ ତାଙ୍କୁ ଧରିବା ପାଇଁ ଚଢାଉ ଜାରି ରଖିଛି ।

