ଭଞ୍ଜନଗର,୧୯।୧୧(ବାବୁଲା ପ୍ରଧାନ): ଭଞ୍ଜନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପିକ୍ଅପ୍ ଭ୍ୟାନ୍ ଧକ୍କାରେ କଂଗ୍ରେସ ନେତାଙ୍କ ଦେହାନ୍ତ ହୋଇଛି । ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଦେବୀ ବିଷୋୟୀଙ୍କ ମଝିଆ ଭାଇ ବିକ୍ରମ ବିଷୋୟୀ (୫୫)ଙ୍କ ଗୁରୁବାର ଅପରାହ୍ନରେ ଏକ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନା ଅନୁଯାୟୀ, ବିକ୍ରମ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ନିକଟରେ ଥିବା ନିଜ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ଖାଇବା ପାଇଁ ବାଉଁଶଲୁଣ୍ଡିସ୍ଥିତ ଘରକୁ ଯାଉଥିଲେ । ଘରଠାରୁ ମାତ୍ର ୨୦୦ ମିଟର ଦୂର ବିଶାଲ ମେଗା ମାର୍ଟ ନିକଟରେ ଏକ ଅଜଣା ପିକ୍ଅପ୍ ଭ୍ୟାନ୍ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବିକ୍ରମଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ଚାଳକଙ୍କୁ ଠାବ କରିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।
ବିକ୍ରମ ଦୀର୍ଘବର୍ଷ ଧରି କଲେଜ ଛାତ୍ର ସଂସଦ ନିର୍ବାଚନ ସହ ଜଡ଼ିତ ଥିଲେ।
କଂଗ୍ରେସ ଦଳର ପ୍ରାର୍ଥୀ ଚୟନ ଓ ନିର୍ବାଚନ ପରିଚାଳନାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଛାତ୍ରୀଛାତ୍ରଙ୍କ ମଧ୍ୟରେ ସେ ଜଣେ ପ୍ରିୟ ନେତା ଭାବେ ପରିଚିତ ଥିଲେ । ତାଙ୍କ ଅକାଳ ବିୟୋଗ କଂଗ୍ରେସ ଦଳ ପାଇଁ ଏକ ବଡ଼ କ୍ଷତି ବୋଲି ଦଳୀୟ ମହଲରେ କୁହାଯାଉଛି। ତାଙ୍କ ମୃତ୍ୟୁରେ ଭଞ୍ଜନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି ।

