ବାହାପିଆଙ୍କ ବାରବାଟି ଚାଷ

ଡ. ଗୌରହରି ରାଉତ

ଆମ ଏ ଖଣ୍ଡମଣ୍ଡଳରେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଫକୁଆନା’ଙ୍କୁ କିଏ ବା ନ ଜାଣେ? ତାଙ୍କ ବେଶ ପରିପାଟୀକୁ ଦେଖିଲେ ଯେ କେହି ଭାବିବେ – ସରକାରୀ ଦପ୍ତରରେ କିଛି ଗୋଟେ ବଡ଼ ହାକିମ ହୋଇଥିବେ ପରା! ଶରୀର ଓ ପୋଷାକକୁ ଚାହିଁ କଥାବାର୍ତ୍ତା ବି ସେଇ ରକମର l କେହି ଅଜଣା ଲୋକ ଜୁଟିଗଲେ ତ ତାଙ୍କ କଥାର କିସମ ପରସ୍ତ ପରସ୍ତ ଲମ୍ବିଯାଏ କାହିଁ କେତେ ଆଗକୁ। ତାଙ୍କୁ ଜାଣିଥିବା ଲୋକ ଦୈବାତ ସେଇ ପାଖ ଦେଇ ଗଲାବେଳେ ଫକୁଆନା’ ଅତି ଚତୁରତାର ସହ କଥାର ମୋଡ଼ ବଦଳାଇ ଦିଅନ୍ତି। ଆପଣ ଉତ୍ସୁକ ହୋଇ ପଚାରିବେ – କି ବିଶେଷତ୍ୱ କି ଏଇ ଫକୁଆନା’ଙ୍କର? ହଁ, ବିଶେଷତ୍ୱ ହେଲା – ତାଙ୍କର ବାହାପିଆ କଥା l
ଲୋକ ଯେତିକିର ନୁହନ୍ତି ତା’ର ଦଶ ଡବଲ ଓଜନର କଥା କହୁଥାନ୍ତି l ସତେ ଅବା ଦୁନିଆର ସବୁକଥା ସେଇ ଏକା ଜାଣନ୍ତି, ଆଉ ସବୁ ନିର୍ବୁଦ୍ଧିଆ, ଜଡ଼ା ହୁଣ୍ଡା l ଅନ୍ୟର ଗୁଣରୁ ଖୁଣ କାଢ଼ିବାରେ ସେ ଓସ୍ତାତ l
ବାହାପିଆ କଥାରେ ବାରବାଟି ଜମି ଚାଷ କରୁଥିବା ଫକୁଆନା’ ବାସ୍ତବରେ କିନ୍ତୁ ‘ଅନ୍ତଃ ସାରଶୂନ୍ୟ ଗଜଭୁକ୍ତ କପିତ୍ଥବତ’ର ନୀତିହୀନ ନରାଧମ। ମହାକାଳ ଫଳ ପରି ଉପରକୁ ଭାରି ଚହଟ ଚିକ୍କଣ ଦିଶୁଥିଲେ ବି ଭିତରଟା କୁତ୍ସିତ କଦାକାର। ଆମ ଭାଷାରେ ଆମେ କହୁ ‘ବିଷକୁମ୍ଭ ପୟୋମୁଖ’। ନିଜର ଭୁଲ୍‌ କର୍ମ ପାଇଁ ବାହାରେ ଅନ୍ୟମାନଙ୍କ ପାଖରେ ବାରମ୍ବାର ଅପଦସ୍ଥ, ଅପମାନିତ ହେଉଥାନ୍ତୁ ପଛକେ ଘରେ ପିଲା ମାଇପଙ୍କ ନିକଟରେ ନିଜ ଅଣ୍ଡିରାପଣକୁ ଜାହିର କରି ଆତ୍ମସନ୍ତୋଷ ଲାଭ କରନ୍ତି। ଯେମିତି କେତେକ ପିଲା ଅଛନ୍ତି ଖେଳ ସମୟରେ ନିଜର ଦୁଷ୍ଟ ଗୁଣ ପାଇଁ ସାଙ୍ଗ ସାଥୀଙ୍କଠାରୁ ମାଡ଼ ଖାଇ ଘରକୁ ଆସି ମା’ ପାଖରେ ନିଜ ବୀରତ୍ୱର କଥା କହନ୍ତି ଏହିପରି – ଆଜି ସେ ପିଲାକୁ ପାନେ ଦେଇଛି, ମୋ ବିଧା ଚାପୁଡ଼ାରେ ମୂତିପକେଇଲା ସେ l ମା’ କିନ୍ତୁ ମୁହଁ ବୁଲେଇ ମୁରୁକିହସା ମାରୁଥାଏ। ସେ ଜାଣେ ତା’ ପିଲା କେମିତିକା। ଖୋଦ ଅନ୍ୟମାନଙ୍କଠାରୁ ମାଡ଼ ଖାଇ ମା’ ପାଖରେ ବଖାଣୁଛି ତା’ ବାହାପିଆ କଥା।
ଫକୁଆନା’ ସେଇ କିସମର ଜଣେ ବାହାପିଆ ମଣିଷ l ଅନ୍ୟାୟ ଅନୀତି କର୍ମ ପାଇଁ ଗାଁ ନିଶାପରେ ମୁରବୀମାନଙ୍କଠାରୁ ଗାଳି ଖାଇ ଲାଜରେ ତଳକୁ ମୁହଁ ପୋତି ବସିଥିବେ l ଗାଁ ଲୋକଙ୍କ ବିଚାର ଆକ୍ରମଣରେ ଘରକୁ ଫେରିବେ ଅଥଚ ଘରେ ବାହାପିଆ କଥା କହିବେ – ଆଜି ନିଶାପରେ ସମସ୍ତଙ୍କୁ ଧୂଳି ଚଟେଇଦେଲି l ଏମିତି କଥା କହିଲି ଯେ ସମସ୍ତଙ୍କ ମୁହଁ ଏକଦମ ଚୁପ୍‌। ଶେଷକୁ ମୋ ପରାକ୍ରମ ଦେଖି କିଏ କୁଆଡ଼େ ଲୁଚି ପଳେଇଲେ ଯେ ମୁଁ ଦରାଣ୍ଡିଲା ବେଳକୁ କେହି ନାହିଁ। ତାଙ୍କର ଏଭଳି ବାହାପିଆ କଥାରେ ଆମେ ହସି ହସି ବେଦମ ହେଉ। ମନେପଡ଼େ ଅକ୍ଷୟ ମହାନ୍ତିଙ୍କର ଏକ ଲୋକପ୍ରିୟ ପୁରୁଣା ଗୀତ – ‘ମାଇଚିଆ ଗୋଖେଇ ସାଉ, ମାଇପ ହାତରୁ କହୁଣି ଖାଉ। ଅଣ୍ଡିରାପଣ ତା ଚୁଲିକି ଯାଉ, … ବାହାରେ କୁହେ ସେ ବାଘ, ସମାଳି ପାରେନା ରାଗ…l’ ମୋଟାମୋଟି ଭାବରେ ଗୀତଟିର ସାରକଥା ଏଇଆ – ମାଇପକୁ ନିଜ କଥାରେ ଉଠ ବସ କରାଇ ଅଣ୍ଡିରାପଣର ବାହାପିଆ କଥା କହୁଥିବା ଗୋଖେଇ ସାଉ କିନ୍ତୁ ବାସ୍ତବ ଜୀବନରେ ମାଇଚିଆ ହୋଇ ମାଇପଠାରୁ କହୁଣି ଖାଉଥାଏ ନିତିଦିନ। ଠିକ୍‌ ସେମିତି ଆମର ଏ ଫକୁଆନା। ସମସ୍ତେ ଜାଣନ୍ତି – ବାହାପିଆ କଥାରେ ଫକୁଆନା’ ବାରବାଟି ଜମି ଚାଷ କରନ୍ତି ସିନା, ହେଲେ ତାଙ୍କ ମୁଣ୍ଡ ଉପରେ ଛପରଟିଏ ନ ଥିବାରୁ ୟା’ ଓଳି ତା’ ଓଳି ହେଉଥାନ୍ତି।
ଏମିତି କେତେ ଲୋକ ବାହାପିଆ କଥା କହି ବାରବାଟୀ ଚାଷ କରନ୍ତି କଥାରେ କଥାରେ l କେବଳ ଆମ ଗାଁ ନୁହେଁ, ଅତ୍ର ତତ୍ର ସର୍ବତ୍ର ବିଦ୍ୟମାନ ଏମାନେ l କେତେବେଳେନା କେତେବେଳେ କେଉଁଠିନା କେଉଁଠି ଆପଣମାନେ ଭେଟୁଥିବେ ଏମାନଙ୍କୁ l ଆଖିବୁଜି ନାଲି ଟହ ଟହ ରସରସିଆ ପାନଖିଆ ପାଟିରେ ବସେଇ ବସେଇ ଦିଲ୍ଲୀ ଦୁଲୁକେଇଲା ଭଳି କଥା କହି ନିଜ ବଡ଼ିମା ଦେଖାନ୍ତ। ‘ସବ୍‌ ଜାନତା’ର ଏକ ମୂର୍ତ୍ତିମନ୍ତ ବିଗ୍ରହ ଭାବରେ ନିଜର ପରିଚୟ ତିଆରି କରିବାକୁ ଯେତେ ଚେଷ୍ଟା କଲେ ବି ପଦାରେ ପଡ଼ିଯାନ୍ତି କାହାର ନା କାହାର ନଜରରେ। ପରିସ୍ଥିତି ଅଣାୟତ୍ତ ହୁଏ ଓ ତାଙ୍କ ଗୁଣ କୀର୍ତ୍ତି ଦାଣ୍ଡରେ ପଡ଼ି ହାଟରେ ଗଡ଼େ। ନେଡ଼ି ଗୁଡ଼ କହୁଣିକୁ ବୋହିବା ପରେ ଏମାନଙ୍କର ଜ୍ଞାନ ଉଦୟ ହୁଏ, ତଥାପି ନିଜର ଖୋଇ ଛାଡ଼ନ୍ତି ନାହିଁ l ବିରାଡ଼ି ଆଖି ବୁଜି କ୍ଷୀର ପିଇଲା ପରି ତାଙ୍କ ବାହାପିଆ ଖୋଇର କେହି ଟେର୍‌ ପାଉ ନ ଥିବେ ବୋଲି ଭାବନ୍ତି l
କିନ୍ତୁ ‘ଲୁଚିଛି ନା ଗୋ ଦି’ଟା ଦିଶୁଛି’ ପରି ନିଜର ପ୍ରକୃତ ରୂପକୁ ଲୁଚାଇ ବାହାରକୁ ଯେତେ ମିଛ ଆଦର୍ଶ ଦେଖାଇଲେ ବି ତାହା ପଦାରେ ପଡ଼ିଯାଏ। ଏସବୁ ଜାଣିଲା ପରେ ଲୋକେ ଦୂର୍‌ଦୂର୍‌ ମାର୍‌ମାର୍‌ କରନ୍ତି l ଢେଲା ପଥର ମାଡ଼ରେ ଖଣ୍ଡିଆ ଖାବରା, ଲହୁଲୁହାଣ ହୋଇ ବାତୁଳ ପ୍ରାୟ ଭ୍ରମନ୍ତି ଇତସ୍ତତଃ। ଭିତରେ ପୋଡ଼ୁଥାଏ, ଉଃ ଆଃ ହେଉଥାନ୍ତି – ଅନ୍ତରଦାହରେ ଆକ୍ତାମାକ୍ତା ହେଉଥାନ୍ତି ବାରମ୍ବାର। ଭୂଇଁରେ ନାକ ଘଷି ଧୂଳି ଚାଟୁଥାନ୍ତି, ତଥାପି ଅନ୍ୟର ନାକକୁ ଭୂଇଁରେ ଘଷାଇ ଧୂଳି ଚଟାଉଥିବା କଥା କହୁଥାନ୍ତି ବାହୁସ୍ଫୋଟ ମାରି। ଅନ୍ୟମାନଙ୍କ ଆକ୍ରମଣରେ ଲାଞ୍ଜ ଜାକି ଘରମୁହଁା ହେଲେ ବି ଶତସିଂହର ପରାକ୍ରମରେ ଅନ୍ୟମାନଙ୍କୁ ମେଣ୍ଢା କରି ତାଙ୍କ ତଣ୍ଟିର ରକ୍ତ ପିଇବା କଥା କହୁଥାନ୍ତି ଭାରି ଦର୍ପର ସହ।
ଆମେ ଆଜ୍ଞା ଚାରଣ ଲୋକ। ଚାରିଆଡ଼େ ଚରାବୁଲା କରିବା ସମୟରେ ଏମାନଙ୍କୁ କେତେ ହର ଗୁଣ କରି ହିସାବ କଲାପରେ ଭାଗଫଳ ଏଇଆ ପାଇଲୁ – ‘ଘୁଷୁରି ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ l’ ଆମ କଥାର ମଞ୍ଜି ପାଇଗଲା ପରେ ଆପଣ ଆପଣଙ୍କ ସାଧୁ ଭାଷାରେ କହିବେ ‘ପ୍ରକୃତି ନୈବ ମୁଚ୍ୟତେ… I’ ଆମେ ଏଭଳି ବାହାପିଆଙ୍କ ବାରବାଟି ଚାଷ ଅନେକ ଥର ଦେଖିସାରିଲୁଣି। ସେଇଥିପାଇଁ ସ୍ପଟ୍‌ଲାଇଟ ଧରି ତାହା ଆପଣମାନଙ୍କୁ ଦେଖାଉଛୁ l ତେଣୁ ହୁସିଆର, ଏମାନଙ୍କୁ ହାତେ ମାପି ଚାଖଣ୍ଡେ ନୁହେଁ, ଦଶ ଯୋଜନ ଦୂରରେ ଚାଲନ୍ତୁ। ତା’ ହେଲେ ଆପଣଙ୍କର ମଙ୍ଗଳ, ସମାଜର ବି।
ଇ – ୨୪/୩, ୟୁନିଟ୍‌-୯ (ଫ୍ଲାଟ), ଭୋଇନଗର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri