ହାଟଡିହୀ/ଛେନାପଦୀ,୨୧ା୧୦(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାକୁ ଯାଜପୁର ରୋଡ୍ ଅଞ୍ଚଳର ଅପରାଧୀମାନେ ବୁଧବାର ପ୍ରବେଶ କରିଛନ୍ତି। ପରେ ଆନନ୍ଦପୁର ଉପଖଣ୍ଡ ଅଧୀନ ନନ୍ଦିପଦା, ସୋସୋ, ଆନନ୍ଦପୁର, ରାମଚନ୍ଦ୍ରପୁର, ଘସିପୁରା ପ୍ରମୁଖ ଥାନାର ପୋଲିସ ବିଶେଷ କରି ଏବେ ପାର୍ବଣ ସମୟକୁ ନଜର ରଖି ହାଇଆଲର୍ଟ ହୋଇଛନ୍ତି।
ସୂଚନାନୁସାରେ, ଯାଜପୁର ରୋଡ୍ ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ଗ୍ରୁପ୍ର ୪ରୁ ୫ ଜଣ ଅପରାଧୀ କେନ୍ଦୁଝର ଜିଲାକୁ ପ୍ରବେଶ କରିଛନ୍ତି। ଏହି ଖବର ମିଳିବା ପରେ ପୋଲିସ ପାଟ୍ରୋଲିଂ ଜୋର୍ଦାର କରିଥିବା ବେଳେ ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଛି। ପୋଲିସ ଏମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି। ଧନ, ଜୀବନକୁ ସୁରକ୍ଷା ଦେବା ପ୍ରାଥମିକତା ଦୃଷ୍ଟି କୋଣରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସାଧାରଣ ଜନତା ସତର୍କ ଏବଂ ସଜାଗ ରହିବାକୁ ପୋଲିସ ଅପିଲ କରିଛି। କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେଲେ ତୁରନ୍ତ ଖବର ଦେବା ଏବଂ ସମସ୍ତେ ମିଳିମିଶି ଅପରାଧୀଙ୍କୁ ମୁକାବିଲା କରିବା ସହ ଅପରାଧକୁ ଦମନ କରିବା ପାଇଁ ପୋଲିସ ଆହ୍ବାନ ଦେଇଛି।

