ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ ମଧ୍ୟ ଦେଖିବାକୁ ମିଳିଛି । ଦ୍ୱିତୀୟ ପର୍ଯ୍ୟାୟ ଅବସରରେ ସୋମବାର ବଲାଙ୍ଗୀର ଜିଲାରୁ ୫ ଲକ୍ଷ ୨ ହଜାର ନାଗରିକଙ୍କ ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର ଜିଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।
ଏହି ଅଭିଯାନ ମାଧ୍ୟମରେ ଦେଶବ୍ୟାପୀ ୧୫ କୋଟିରୁ ଅଧିକ ନାଗରିକଙ୍କ ସ୍ୱାକ୍ଷର ସମ୍ବଳିତ ସ୍ମାରକପତ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଉଛି । ଅଭିଯାନ ପକ୍ଷରୁ ଗୋହତ୍ୟା ନିଷେଧ ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ, ଗୋମାତାଙ୍କୁ ରାଷ୍ଟ୍ରମାତା ର ମାନ୍ୟତା, କେନ୍ଦ୍ରୀୟ ଗୋ ମନ୍ତ୍ରଣାଳୟ ଗଠନ, ଗୋଚର ଜମିର ସୁରକ୍ଷା, କେନ୍ଦ୍ରୀୟ ଗୋ-ଚାରା ନୀତି ପ୍ରଣୟନ ସମେତ ୩୦ରୁ ଅଧିକ ଜନହିତକର ଦାବି ଉପସ୍ଥାପନ କରାଯାଇଛି।
ବଲାଙ୍ଗୀରରେ ସକାଳେ ପାଟଣେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଗୋମାତାଙ୍କ ପୂଜା ଅର୍ଚ୍ଚନା କରାଯିବା ସହ ଶଙ୍ଖଧ୍ୱନି, ଭଜନ-କୀର୍ତ୍ତନ କରାଯାଇ ପତାକା, ବ୍ୟାନର ଓ ସଚେତନତାମୂଳକ ପ୍ଲାକାର୍ଡ ସହ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ପାଟଣେଶ୍ୱରୀ ମନ୍ଦିରରୁ ବାହାରି ଜିଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା। ପରେ ଜିଲାପାଳଙ୍କ କାର୍ଯ୍ୟଳୟରେ ଦାବିପତ୍ର ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ
ସାଧୁ-ସନ୍ଥ, ଗୋଭକ୍ତ, ସାମାଜିକ ଓ ଧାର୍ମିକ ସଂଗଠନର ପ୍ରତିନିଧି, ମାତୃଶକ୍ତି, ଯୁବବର୍ଗ, କୃଷକ ଏବଂ ଜିଲାର ସମସ୍ତ ବ୍ଲକରୁ ବହୁ ସଂଖ୍ୟାରେ ଲୋକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ତ୍ରିଲୋଚନ ମେହେର ଓ ସନ୍ତୋଷ କୁମାର ଭୋଳା ପରିଚାଳନା କରିଥିଲେ । ଏଥିରେ ସାଇସୁନ୍ଦର ନାୟକ, ଯୁଧିଷ୍ଠିର ବନମାଳୀ, କାହ୍ନା ଶତପଥୀ, କୃଷ୍ଣା ପଣ୍ଡା, ଦେବାନନ୍ଦ ନାୟକ, ସନତ ପାତ୍ର, ରାଜୁ ନାଏକ, ଶଙ୍କର୍ଷଣ ଆଚାର୍ଯ୍ୟ, ସୁନଜ ତ୍ରିପାଠୀଙ୍କ ସମେତ ଜିଲାର ସମସ୍ତ ବ୍ଲକରୁ ଆସିଥିବା ଗୋଭକ୍ତମାନେ ସକ୍ରିୟ ସହଯୋଗ କରିଥିଲେ।

