Posted inଜାତୀୟ

ଦେଶର ଶିକ୍ଷା ବ୍ୟବସ୍ଥା ବଦଳିଲା

ପଞ୍ଚମ ଯାଏ ମାତୃଭାଷାରେ ଶିକ୍ଷା
ନୂଆ ଜାତୀୟ ଶିକ୍ଷାନୀତି (ଏନ୍‌ଇପି)ରେ ପ୍ରସ୍ତାବିତ ପରିବର୍ତ୍ତନ ମଧ୍ୟରୁ ପ୍ରମୁଖ ହେଉଛି ୧୦+୨ ବ୍ୟବସ୍ଥାକୁ ଉଚ୍ଛେଦ କରିବା। ଏହା ବଦଳରେ ୫+୩+୩+୪ ସ୍କୁଲ କରିକୁଲମ୍‌ ବ୍ୟବସ୍ଥା କରାଯିବ। ଏହି ବ୍ୟବସ୍ଥାରେ ମୋଟ ସ୍କୁଲ ଶିକ୍ଷା ୧୨ ବର୍ଷ ଏବଂ ୩ ବର୍ଷ ଅଙ୍ଗନଓ୍ବାଡି କିମ୍ବା ପ୍ରି-ସ୍କୁଲ ରହିବ।
ମାତୃଭାଷା କିମ୍ବା ସ୍ଥାନୀୟ/ଆଞ୍ଚଳିକ ଭାଷାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ ବୋଲି ସରକାରଙ୍କ ପକ୍ଷରୁ ନୂଆ ଶିକ୍ଷାନୀତି ଘୋଷଣା ଅବସରରେ କୁହାଯାଇଛି। ଏନ୍‌ଇପିର ଅନ୍ୟ ପରିବର୍ତ୍ତନଗୁଡ଼ିକ ମଧ୍ୟରେ ରହିଛି ଶିକ୍ଷା ଅଧିକାର ବୟସ ସୀମାକୁ ୩ରୁ ୧୮ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଶିକ୍ଷାନୀତିରେ ଧନ୍ଦାମୂଳକ ଶିକ୍ଷା, ଷଷ୍ଠ ଶ୍ରେଣୀ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଇଣ୍ଟର୍ନଶିପ୍‌, ୧୦+୨ ସ୍କୁଲ ଢାଞ୍ଚାରେ ପରିବର୍ତ୍ତନ ଏବଂ ସ୍ନାତକ କାର୍ଯ୍ୟକ୍ରମକୁ ୪ ବର୍ଷିଆ କରିବା ଆଦି ରହିଛି। ଏନ୍‌ଇପି ୨୦୨୦ ସ୍କୁଲ ଛାଡ଼ିଥିବା ୨ କୋଟି ପିଲାଙ୍କୁ ଶିକ୍ଷାର ମୂଳସ୍ରୋତକୁ ଫେରାଇ ଆଣିବ ବୋଲି ସରକାର ଦୃଢ଼ୋକ୍ତି ବାଢ଼ିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍‌ଇପି ୨୦୨୦କୁ ଶିକ୍ଷା କ୍ଷେତ୍ର ପାଇଁ ବହୁପ୍ରତୀକ୍ଷିତ ସଂସ୍କାର ଭାବେ ଅଭିହିତ କରି ସ୍ବାଗତ କରିଛନ୍ତି।
୬ଷ୍ଠ ଶ୍ରେଣୀରୁ କୋଡିଂ


ଛାତ୍ରୀଛାତ୍ରଙ୍କ ମଧ୍ୟରେ କମ୍‌ ବୟସରୁ ଗାଣିତିକ ଓ ବୈଜ୍ଞାନିକ ଚିନ୍ତାଧାରର ବିକାଶ କରିବାକୁ ନୂତନ ଶିକ୍ଷା ନୀତିରେ ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟ ପାଠ୍ୟକ୍ରମ ପାଇଁ ଯେତିକି ଆବଶ୍ୟକ ସେତିକିରେ ସୀମିତ ରଖାଯିବ ସହ ଯଥାସମ୍ଭବ ଏହାକୁ ସଂକ୍ଷିପ୍ତ କରାଯାଇଛି। ଏହିକ୍ରମରେ ୬ଷ୍ଠ ଶ୍ରେଣୀଠାରୁ ଧନ୍ଦାମୂଳକ ଶିକ୍ଷା ବା ଭୋକେଶନାଲ ଏଜୁକେଶନକୁ ବାଧ୍ୟତାମୂଳକ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଉଛି, ଏଣିକି ୬ଷ୍ଠ ଶ୍ରେଣୀ ପିଲାଙ୍କୁ କୋଡିଂ ବିଷୟରେ ଶିକ୍ଷା ପ୍ରଦାନ କରାଯିବ। ଏହା ତାଙ୍କୁ ଆଗକୁ ଯାଇ କୋଡିଂରେ କ୍ୟାରିୟର କରିବାରେ ବିଶେଷ ସହାୟକ ହେବ ବୋଲି କୁହାଯାଇଛି।

ସହଜ ହେବ ବୋର୍ଡ ପରୀକ୍ଷା
ସ୍କୁଲ ଶିକ୍ଷା ସଚିବ ଅଙ୍କିତା କରଓ୍ବାଲ ସଂସ୍କାର ସମ୍ପର୍କରେ ସୂଚନା ଦେବାକୁ ଯାଇ କହିଛନ୍ତି, ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ବୋର୍ଡ ପରୀକ୍ଷା ବଳବତ୍ତର ରହିବ। କିନ୍ତୁ କୋଚିଂ କ୍ଲାସ୍‌ର ଆବଶ୍ୟକତାକୁ ଶେଷ କରିବା ନିମନ୍ତେ ସଂସ୍କାର ଅଣାଯିବ। ଛାତ୍ରୀଛାତ୍ରଙ୍କ ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ବୋର୍ଡ ପରୀକ୍ଷାକୁ ନୂଆ ଢାଞ୍ଚାରେ କରାଯିବ। ପିଲାଙ୍କ ମୌଳିକ ଦକ୍ଷତା ଓ ଇଚ୍ଛାକୁ ପ୍ରୋତ୍ସାହିତ କରିବା ପାଇଁ ପରୀକ୍ଷାକୁ ସହଜ ଓ ସରଳ କରାଯିବ। ସମସ୍ତ ଛାତ୍ରୀଛାତ୍ରଙ୍କୁ ଏକ ନିର୍ଦ୍ଦିଷ୍ଟ ଶିକ୍ଷାବର୍ଷରେ ଦୁଇଥର ବୋର୍ଡ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିବ। ଗୋଟିଏ ମେନ୍‌ ଓ ଅନ୍ୟଟି ଇମ୍ପ୍ରୁଭମେଣ୍ଟ(ଯଦି ପରୀକ୍ଷାର୍ଥୀ ଆବଶ୍ୟକ ମନେକରନ୍ତି)। ସ୍କୁଲର ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷ ପରୀକ୍ଷାର ବ୍ୟବସ୍ଥା କରିବେ।
‘ବହୁ ପ୍ରତୀକ୍ଷିତ ସଂସ୍କାରମୂଳକ ଶିକ୍ଷାନୀତି’


କେନ୍ଦ୍ର କ୍ୟାବିନେଟ ଦ୍ୱାରା ଅନୁମୋଦିତ ଜାତୀୟ ଶିକ୍ଷାନୀତି-୨୦୨୦ ବହୁ ପ୍ରତୀକ୍ଷିତ ଓ ସଂସ୍କାରମୂଳକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି। ଶିକ୍ଷାକ୍ଷେତ୍ରରେ ହୋଇଥିବା ବୈପ୍ଲବିକ ପରିବର୍ତ୍ତନ ଯୋଗୁ କୋଟି କୋଟି ଲୋକଙ୍କ ଜୀବନ ଧାରଣ ମାନରେ ପରିବର୍ତ୍ତନ ଆସିପାରିବ। ଜ୍ଞାନଯୁଗରେ ଶିକ୍ଷା ଓ ଗବେଷଣା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସ୍ବାଭାବିକ। ଏହି ଶିକ୍ଷାର ମାନ, କ୍ଷମତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରାଇବା ସହ ଦେଶରେ ଉତ୍ସାହ ଭରିଦେବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଲାଗି ସଂସ୍କୃତକୁ ଅଗ୍ରାଧିକାର ଦିଆଯାଇଛି। ଦେଶ ବିକାଶ ସହ ଶିକ୍ଷାକ୍ଷେତ୍ର ଏହା ଦ୍ୱାରା ବ୍ୟାପକ ହୋଇପାରିବ ବୋଲି ମୋଦି କହିଛନ୍ତି।

୫+୩+୩+୪ କ’ଣ
ନୂଆନୀତି ଅନୁସାରେ ସ୍କୁଲ ପାଠ୍ୟକ୍ରମର ୧୦+୨ ଢାଞ୍ଚା ଉଠଯିବ। ଏହା ବଦଳରେ ୫+୩+୩+୪ ପାଠ୍ୟକ୍ରମ ପ୍ରଚଳନ କରାଯିବ। ଏହି ଛାତ୍ରୀଛାତ୍ରମାନଙ୍କ ବୟସ ଯଥାକ୍ରମେ ୩-୮, ୮-୧୧, ୧୧-୧୪ ଓ ୧୪-୧୮ ରହିବ। ଏହି ବ୍ୟବସ୍ଥା ଫଳରେ ପାଠପଢ଼ାରୁ ବଞ୍ଚତ୍ତ ୩-୬ ବର୍ଷର ପିଲାମାନଙ୍କୁ ସ୍କୁଲ କରିକୁଲମ୍‌ ମଧ୍ୟକୁ ଅଣାଯିବ, ଯାହାକୁ ବିଶ୍ୱବ୍ୟାପୀ ଏକ ଶିଶୁର ମାନସିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ବିବେଚନା କରାଯାଇଥାଏ। ନୂଆ ବ୍ୟବସ୍ଥାରେ ୩ ବର୍ଷ ଅଙ୍ଗନଓ୍ବାଡି କିମ୍ବା ପ୍ରି-ସ୍କୁଲ ଶିକ୍ଷା ରହିବ।
ଏନ୍‌ଇପି ୨୦୨୦ରେ ପ୍ରସ୍ତାବିତ ବ୍ୟବସ୍ଥାରେ ୪ ପର୍ଯ୍ୟାୟ ରହିବ। ସେଗୁଡ଼ିକ ହେଲା ମୌଳିକ ପର୍ଯ୍ୟାୟ (୩ ବର୍ଷ ଅଙ୍ଗନଓ୍ବାଡି କିମ୍ବା ପ୍ରି-ସ୍କୁଲ ପରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ), ପ୍ରସ୍ତୁତି ପର୍ଯ୍ୟାୟ (ତୃତୀୟରୁ ପଞ୍ଚମ), ମଧ୍ୟମ ପର୍ଯ୍ୟାୟ (ଷଷ୍ଠରୁ ଅଷ୍ଟମ) ଏବଂ ମାଧ୍ୟମିକ ପର୍ଯ୍ୟାୟରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ରହିବେ।
ଏଥିରେ ଛାତ୍ରୀଛାତ୍ରମାନେ କେଉଁ ବିଷୟରେ ପଢ଼ିବେ ନିଜ ମେଧା ଓ ରୁଚି ଅନୁସାରେ ତାହା ଚୟନ କରିବା ଅଧିକାର ଅଧିକ ରହିବ। କଳା ଓ ବିଜ୍ଞାନର ପୃଥକୀକରଣକୁ ଜୋର୍‌ ଦିଆଯିବ ନାହିଁ। ସେହିପରି କରିକୁଲାର ଓ ଏକ୍ସଟ୍ରା କରିକୁଲାର କାର୍ଯ୍ୟକଳାପ ଏବଂ ଧନ୍ଦାମୂଳକ ଓ ଶୈକ୍ଷିକ ଷ୍ଟ୍ରିମ୍‌ ମଧ୍ୟରେ ବିଶେଷ ଭିନ୍ନତା ରହିବ ନାହିଁ। ବିଜ୍ଞାନ, ସାମାଜିକ ବିଜ୍ଞାନ, କଳା, ଭାଷା, କ୍ରୀଡ଼ା, ଗଣିତ ଆଦି ସମସ୍ତ ବିଷୟକୁ ଭୋକେଶନାଲ ତଥା ଏକାଡେମିକ୍‌ ଷ୍ଟ୍ରିମ୍‌ ସହିତ ସମନ୍ବିତ କରି ଗୁରୁତ୍ୱ ଦିଆଯିବ। ଦେଶରେ ଅନେକ ଭାଷାର ପ୍ରଚଳନ ଦୃଷ୍ଟିରୁ ଏନ୍‌ଇପିରେ ବହୁଭାଷାକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଶିକ୍ଷାଦାନର ଭାଷା ଭାବେ ଅନୂ୍ୟନ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ମାତୃଭାଷାକୁ ବ୍ୟବହାର କରାଯିବ। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଘର, ମାତୃଭାଷା, ସ୍ଥାନୀୟ ଭାଷା ଓ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରାଯାଇ ପାରିଲେ ଭଲ।
ସ୍କୁଲ ଓ ଉଚ୍ଚତର ଶିକ୍ଷାର ସମସ୍ତ ସ୍ତରରେ ସଂସ୍କୃତ ପଢ଼ାଯିବ। ଏହାସହ ତିନି-ଭାଷା ସୂତ୍ର (ଥ୍ରି ଲାଙ୍ଗଏଜ୍‌ ଫର୍ମୁଲା)ର ବିକଳ୍ପ ମଧ୍ୟ ରହିବ। କୋରିଆନ୍‌, ଜାପାନିଜ୍‌, ଥାଇ, ଫରାସୀ, ଜର୍ମାନ, ସ୍ପାନିଶ, ପର୍ତ୍ତୁଗିଜ୍‌ ଓ ରୁଷିଆ ଭଳି ବିଦେଶୀ ଭାଷା ସେକେଣ୍ଡାରି ବା ମାଧ୍ୟମିକ ପର୍ଯ୍ୟାୟ ପାଠ୍ୟକ୍ରମରେ ରହିବ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍ବାଧୀନ ଷ୍ଟେଟ୍‌ ସ୍କୁଲ ଷ୍ଟାଣ୍ଡର୍ଡସ ଅଥୋରିଟି (ଏସ୍‌ଏସ୍‌ଏସ୍‌ଏ) ପ୍ରତିଷ୍ଠା କରିବେ। ଏସ୍‌ସିଇଆର୍‌ଟି ପକ୍ଷରୁ ସମସ୍ତ ପକ୍ଷଙ୍କ ସହ ଆଲୋଚନା ପରେ ଏକ ସ୍କୁଲ୍‌ କ୍ୱାଲିଟି ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡେଶନ ଫ୍ରେମ୍‌ଓ୍ବାର୍କ (ଏସ୍‌କ୍ୟୁଏଏଫ୍‌) ବିକଶିତ କରାଯିବ। ରାଜ୍ୟଗୁଡ଼ିକ ନିଜ ନିଜ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବେ। ସମସ୍ତ ଆଞ୍ଚଳିକ ଭାଷାରେ ବହି ଉପଲବ୍ଧ କରାଇବା ସର୍ବୋଚ୍ଚ ପ୍ରାଥମିକତା ହେବ। ବସ୍ତାନି ବୋଝ ହ୍ରାସ କରିବା ଲାଗି ବହିଗୁଡ଼ିକରେ ମଧ୍ୟ ଆବଶ୍ୟକ ପରିବର୍ତ୍ତନ ଅଣାଯିବ।

କସ୍ତୁରୀରଙ୍ଗନ କମିଟି ସୁପାରିସ


ନୂଆଦିଲ୍ଲୀ,୨୯ା୭: ନୂଆ ଜାତୀୟ ଶିକ୍ଷାନୀତି (ଏନ୍‌ଇପି)କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ଏନେଇ ବୁଧବାର ଅପରାହ୍ନ ୪ଟାରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଆଇଏସ୍‌ଆର୍‌ଓ)ର ପୂର୍ବତନ ମୁଖ୍ୟ ଡକ୍ଟର କେ. କସ୍ତୁରୀରଙ୍ଗନ୍‌ଙ୍କ ନେତୃତ୍ୱରେ କେତେଜଣ ବିଶେଷଜ୍ଞଙ୍କୁ ନେଇ ଗଠିତ ପ୍ୟାନେଲ ନୂଆ ଶିକ୍ଷାନୀତିର ଚିଠା ପ୍ରସ୍ତୁତ କରିଥିଲେ। କସ୍ତୁରୀରଙ୍ଗନ୍‌ କମିଟି ଗତବର୍ଷ ମେ ୩୧ରେ ଶିକ୍ଷାନୀତିର ଚିଠା ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ପ୍ରଦାନ କରିଥିଲା। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଥିଲେ। ‘ଭାରତକୁ ଏକ ବିଶ୍ୱସ୍ତରୀୟ ଶିକ୍ଷା ସୁପରପାଓ୍ବାର’ରେ ପରିବର୍ତ୍ତିତ’କରିବା ହେଉଛି ଏନ୍‌ଇପି ୨୦୨୦ର ଲକ୍ଷ୍ୟ। ନୂଆ ଶିକ୍ଷାବଥର୍ଷ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଆରମ୍ଭ ହେବ। କରୋନା ଭାଇରସ୍‌ ମୁକାବିଲା ପାଇଁ ଜାରି ଲକ୍‌ଡାଉନ୍‌ କାରଣରୁ ଏହା ପ୍ରକାଶ ପାଇବାରେ ବିଳମ୍ବ ହୋଇଛି।

ଅନ୍‌ଲାଇନ, ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ


ମହାମାରୀ କରୋନା ସମୟରେ ଅନ୍‌ଲାଇନ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଲାଗି ସୁପାରିସ କରାଯାଇଛି। ଏହାକୁ ଆପଣାଯିବା ଫଳରେ ଯେତେବେଳ ଏବଂ ଯେଉଁଠି ପାରମ୍ପରିକ ଓ ବ୍ୟକ୍ତିଗତ ଶିକ୍ଷା ହାସଲ କରିବାର ସାଧନ ଉପଲବ୍ଧ ହେବା ସମ୍ଭବ ହୋଇପାରିବ ନାହିଁ ସେଠାରେ ଗୁଣବତାପୂର୍ଣ୍ଣ ଶିକ୍ଷା ବିକଳ୍ପ ମାର୍ଗରେ ପ୍ରଦାନ କରିବା ଲାଗି ପ୍ରସ୍ତୁତି କରାଯିବ। ଏଥିପାଇଁ ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ଉଭୟକୁ ଇ-ଶିକ୍ଷାର ଆବଶ୍ୟକତା ପୂରଣ ନିମନ୍ତେ ସକ୍ଷମ କରାଯିବ। ଏଥିପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଡିଜିଟାଲ ଭିତ୍ତିଭୂମି, ଡିଜିଟାଲ କଣ୍ଟେଣ୍ଟ ଏବଂ କ୍ଷମତା ନିର୍ମାଣ ଉଦ୍ଦେଶ୍ୟରେ ଏକ ସମର୍ପିତ ୟୁନିଟ ଗଠନ କରାଯିବ।
ଶିକ୍ଷାରେ ପ୍ରଯୁକ୍ତି
ଶିଖିବା, ମୂଲ୍ୟାଙ୍କନ କରିବା, ଯୋଜନା ପ୍ରସ୍ତୁତ କରିବା, ପ୍ରଶାସନକୁ ପ୍ରୋତ୍ସାହନ ଦେବା ଲାଗି ପ୍ରଯୁକ୍ତିର ଉପଯୋଗ କରାଯିବ। ଏଥିପାଇଁ ମୁକ୍ତ ବିଚାର ଆଦାନ ପ୍ରଦାନ ଲାଗି ମଞ୍ଚ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକ ସ୍ବାୟତ ୟୁନିଟ, ଜାତୀୟ ଶୈକ୍ଷିକ ପ୍ରଯୁକ୍ତି ମଞ୍ଚ (ଏନଇଟିଏଫ) ନିର୍ମାଣ କରାଯିବ। ଶିକ୍ଷାର ସମସ୍ତ ସ୍ତରରେ ପ୍ରଯୁକ୍ତିକୁ ଠିକ୍‌ ଭାବେ ସମନ୍ବିତ କରିବା, ଏହାର ଉପଯୋଗ ଶ୍ରେଣୀ ପ୍ରକ୍ରିୟାରେ ସୁଧାର ଆଣିବା, ପେସାଦାର ଶିକ୍ଷକଙ୍କ ବିକାଶକୁ ସମର୍ଥନ ଯୋଗାଇ ଦେବା, ବଞ୍ଚତ୍ତ ବର୍ଗଙ୍କ ପାଇଁ ଶିକ୍ଷାଦାନ ଉପଲବ୍ଧତାକୁ ବଢ଼ାଇବା ଓ ଶୈକ୍ଷିକ ଯୋଜନା, ପ୍ରଶାସନ ଏବଂ ପରିଚାଳନାକୁ ପ୍ରଭାବୀ କରାଯିବ।
ମୁକ୍ତ ଏବଂ ଦୂର ଶିକ୍ଷା
ଜିଇଆରକୁ ପ୍ରୋତ୍ସାହନ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଲାଗି ଏହାର ସମ୍ପ୍ରସାରଣ କରାଯିବ। ଅନ୍‌ଲାଇନ ପାଠ୍ୟକ୍ରମ ଓ ଡିଜିଟାଲ ସଂଗ୍ରହ, ଗବେଷଣା ଲାଗି ଅର୍ଥଯୋଗାଣ, ଉନ୍ନତ ଛାତ୍ରସେବା, ଏମଓଓସି ଦ୍ୱାରା କ୍ରେଡିଟ ଆଧାରିତ ମାନ୍ୟତା ଆଦି ଭଳି ଉପାୟକୁ ଏହା ସୁନିଶ୍ଚିତ କରିବା ଲାଗି ଗ୍ରହଣ କରାଯିବ। ଏହା ଉଚ୍ଚତମ ଗୁଣବତ୍ତା ବିଶିଷ୍ଟ ଇନ-କ୍ଲାସ କାର୍ଯ୍ୟକ୍ରମ ସହ ସମତୁଲ୍ୟ।
ନ୍ୟାୟସଙ୍ଗତ ସଂସ୍ଥାଗତ ଢାଞ୍ଚା
ଉଚ୍ଚତର ଶିକ୍ଷା ସଂସ୍ଥାନଗୁଡ଼ିକୁ ଉଚ୍ଚ ଗୁଣବତାପୂର୍ଣ୍ଣ ଶିକ୍ଷାଦାନ, ଗବେଷଣା ଏବଂ ସାମଗ୍ରିକ ଭାଗିଦାରୀ ଉପଲବ୍ଧ କରାଇବା ଜରିଆରେ ବଡ଼, ସାଧନ ସମ୍ପନ୍ନ, ଗତିଶୀଳ ବହୁ ବିଷୟକ ସଂସ୍ଥାନରେ ରୂପାନ୍ତରିତ କରାଯିବ। ବିଶ୍ୱବିଦ୍ୟାଳୟଗୁଡ଼ିକର ପରିଭାଷାରେ ସଂସ୍ଥାନଗୁଡ଼ିକର ଏକ ବିସ୍ତୃତ ଶ୍ରେଣୀ ରହିବ, ଯେଉଁଥିରେ ଗବେଷଣା କୈନ୍ଦ୍ରିକ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ଶିକ୍ଷାଦାନ କୈନ୍ଦ୍ରିକ ବିଶ୍ୱବିଦ୍ୟାଳୟ ତଥା ସ୍ବୟଂଶାସିତ ଡିଗ୍ରୀ ପ୍ରଦାନ କରୁଥିବା ମହାବିଦ୍ୟାଳୟଗୁଡ଼ିକୁ ସାମିଲ କରାଯିବ। କଲେଜଗୁଡ଼ିକର ମାନ୍ୟତା ୧୫ ବର୍ଷର ପର୍ଯ୍ୟାୟବଦ୍ଧ ଢଙ୍ଗରେ ଶେଷ ହୋଇଯିବ। ମହାବିଦ୍ୟାଳୟଗୁଡ଼ିକୁ କ୍ରମିକ ସ୍ବାୟତତା ପ୍ରଦାନ ଲାଗି ରାଜ୍ୟୱାରୀ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ। ଏଥିଯୋଗୁ ପ୍ରତ୍ୟେକ ମହାବିଦ୍ୟାଳୟ ଏକ ସ୍ବୟଂଶାସିତ ଡିଗ୍ରୀ ପ୍ରଦାନକାରୀ ମହାବିଦ୍ୟାଳୟରେ ବିକଶିତ କିମ୍ବା କୌଣସି ବିଶ୍ୱବିଦ୍ୟାଳୟର ସଂଘଟକ ମହାବିଦ୍ୟାଳୟରେ ପରିଣତ ହୋଇଯିବ।

ଉଚ୍ଚଶିକ୍ଷାନୁଷ୍ଠାନରେ ସୃଷ୍ଟି ହେବ ୩.୫ କୋଟି ନୂଆ ସିଟ୍‌
ନୂତନ ଶିକ୍ଷାନୀତିରେ ଧନ୍ଦାମୂଳକ ଶିକ୍ଷା ସମେତ ଉଚ୍ଚଶିକ୍ଷାରେ ମୋଟ ନାମଲେଖା ଅନୁପାତ (ଗ୍ରୋସ୍‌ ଏନ୍‌ରୋଲମେଣ୍ଟ ରେସିଓ) ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ୨୦୧୮ରେ ଏହି ହାର ୨୬.୩ ପ୍ରତିଶତ ରହିଥିବାବେଳେ ୨୦୩୫ ସୁଦ୍ଧା ଏହାକୁ ୫୦ ପ୍ରତିଶତରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧିକ ୩.୫ କୋଟି ସିଟ୍‌ ସୃଷ୍ଟି ହେବ ବୋଲି ଏଚ୍‌ଆର୍‌ଡିର ଉଚ୍ଚଶିକ୍ଷା ସଚିବ ଅମିତ୍‌ ଖାରେ କହିଛନ୍ତି।
ଆଇଆଇଟି ପିଲା ପଢ଼ିବେ ମାନବିକତାର ପାଠ
ଏଣିକି ଆଇଆଇଟି, ଆଇଆଇଏମ୍‌ ଭଳି ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଛାତ୍ରୀଛାତ୍ରଙ୍କୁ ହୋଲିଷ୍ଟିକ୍‌ ଏଜୁକେଶନ ବା ସମଗ୍ର ଶିକ୍ଷା ପ୍ରଦାନ କରିବେ। ୨୦୪୦ ସୁଦ୍ଧା ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ନିଜ ପାଠ୍ୟକ୍ରମରେ ଶାନ୍ତି, ସୌହାର୍ଦ୍ଦ୍ୟ ଓ ମାନବିକତା ବିଷୟକୁ ଯୋଗ କରିବେ। ବିଜ୍ଞାନ ପଢୁଥିବା ପିଲାମାନେ କଳା ପଢିବେ ଓ କଳା ପଢୁଥିବା ପିଲାମାନେ ମଧ୍ୟ ବିଜ୍ଞାନ ବିଷୟରେ ଜାଣିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

ଡ. ପ୍ରସନ୍ନ ଆଚାର୍ଯ୍ୟ ଏନ୍‌ଏଲ୍‌ସି ଇଣ୍ଡିଆର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର,୧୯ା୯: ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ତାମିଲନାଡୁର ନେଭେଲିସ୍ଥିତ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର କର୍ପୋରେଟ କାର୍ଯ୍ୟାଳୟ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରାୟ…

ସୁନା ବିକି ନୂଆ ଫୋନ୍‌ କିଣୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୧୯ା୯: ଆପଲ କମ୍ପାନୀ ପ୍ରସ୍ତୁତ ନୂଆ ଆଇଫୋନ୍‌ ୧୮ ସିରିଜ୍‌ର ବିକ୍ରି ଆନୁଷ୍ଠାନିକ ଭାବେ ଶୁକ୍ରବାର ଆରମ୍ଭ ହୋଇଛି। ନିକଟରେ ଏହି ଫୋନ୍‌ର ବିକ୍ରି ଏବଂ ଫିଚର…

କଟକରେ ନନ୍ଦିନୀ ଶତପଥୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ

କଟକ,୧୯ା୯(କାର୍ତ୍ତିକ ସାହୁ): ସାମାଜିକ, ରାଜନୈତିକ ଓ ପ୍ରଶାସନିକ ଇତିହାସରେ ନନ୍ଦିନୀ ଶତପଥୀଙ୍କ ଅବଦାନ ଅତ୍ୟନ୍ତ ସ୍ବତନ୍ତ୍ର। ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସେ ଓଡ଼ିଶା ରାଜନୀତିରେ…

୧୮୬ ବର୍ଷ ପରେ ନିଜ ଦେଶକୁ ଫେରିଲା ଆଜ୍‌ଟେକ୍‌ ସାମ୍ରାଜ୍ୟର ଦୁର୍ଲଭ ପାଣ୍ଡୁଲିପି

ମେକ୍ସିକୋ ସିଟି,୧୯ା୯: ଦୀର୍ଘ ୧୮୬ ବର୍ଷ ପରେ ପୁଣିଥରେ ମେକ୍ସିକୋକୁ ଫେରିଛି ତା’ର ଐତିହାସିକ ଗୌରବ। ୧୬ଶ ଶତାବ୍ଦୀର ଦୁର୍ଲଭ ପାଣ୍ଡୁଲିପି ‘ଆଜାକ୍‌ଟିଟ୍ଲାନ କୋଡେକ୍ସ’ ପ୍ରଥମ ଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?