କଟକ,୧୯ା୯(କାର୍ତ୍ତିକ ସାହୁ): ସାମାଜିକ, ରାଜନୈତିକ ଓ ପ୍ରଶାସନିକ ଇତିହାସରେ ନନ୍ଦିନୀ ଶତପଥୀଙ୍କ ଅବଦାନ ଅତ୍ୟନ୍ତ ସ୍ବତନ୍ତ୍ର। ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସେ ଓଡ଼ିଶା ରାଜନୀତିରେ ମହିଳା ନେତୃତ୍ୱର ଏକ ନୂଆ ଅଧ୍ୟାୟ ଶୁଭାରମ୍ଭ କରିଥିଲେ। ଜାତୀୟ ରାଜନୀତିରେ ମଧ୍ୟ ତାଙ୍କର ସ୍ବତନ୍ତ୍ର ପ୍ରଭାବ ରହିଥିଲା। ତାଙ୍କର
ଦୃଢ଼ ନେତୃତ୍ୱ, ର୍ନିିୀକ ଚିନ୍ତାଧାରା ଓ ଜନସାଧାରଣଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କ ତାଙ୍କୁ ଓଡ଼ିଶା ସାର୍ବଜନୀନ ଜୀବନରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲା। କଟକ ମହାନଗର ନିଗମ ପକ୍ଷରୁ ୯ ନଂ. ଓ୍ବାର୍ଡ ଅନ୍ତର୍ଗତ ଦୟାଶ୍ରମ ପାର୍କ ପରିସରରେ ସ୍ଥାପିତ ଓଡ଼ିଶାର ପୂର୍ବତନ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି।
ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ ଯୋଗଦେଇ ନନ୍ଦିନୀ ଶତପଥୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିର ଉନ୍ମୋଚନ କରି କହିଲେ, ନନ୍ଦିନୀ ଦେବୀ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଭକ୍ତ ଥିଲେ। ତାଙ୍କ ସ୍ବାମୀ ଦେବେନ୍ଦ୍ର ବାବୁଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ। ମାନବ ସେବା, ଦରିଦ୍ର ଲୋକଙ୍କୁ ଉପରକୁ ଆଣିବା ତାଙ୍କର ଭାବଧାରା ଥିଲା। ମାତ୍ର ୮ ବର୍ଷ ବୟସରେ ବ୍ରିଟିଶ ସରକାରଙ୍କ ୟୁନିୟନ ଜ୍ୟାକ ପତାକାକୁ ଟାଣି ବାହାର କରିଦେବା ତାଙ୍କ ନିର୍ଭୀକତାର ନିଦର୍ଶନ। କଟକ ରାଜନୀତିରୁ ସେ ଭାରତ ରାଜନୀତିକୁ ଯାଇଛନ୍ତି। ତାଙ୍କର ନୀତି, ଆଦର୍ଶ ସମସ୍ତଙ୍କ ଧ୍ୟେୟ ହେବା ଉଚିତ୍। ସ୍ବତନ୍ତ୍ର ଅତିଥି ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ କହିଲେ, ନନ୍ଦିନୀ ଦେବୀ ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣାଦାୟୀ। କଟକର ସ୍ବରାଜ ଆଶ୍ରମରୁ ସେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ରାଜନୀତିରେ ତ୍ୟାଗ, ସଂଘର୍ଷ ଓ ଭଲ ପାଇବା ଦରକାର, ଯାହା ତାଙ୍କଠାରୁ ଶିଖିବାକୁ ମିଳେ। ସମ୍ମାନିତ ଅତିଥି ବିଧାୟିକା ଇଂ. ସୋଫିଆ ଫିର୍ଦ୍ଦୋସ କହିଲେ, ନନ୍ଦିନୀ ଦେବୀ ନିଜ ନୀତି, ନିୟମକୁ ଦୃଢ଼ ଭାବେ ପାଳନ କରୁଥିଲେ। ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଜରୁରୀକାଳିନ ପରିସ୍ଥିତିର ମୁକାବିଲା କରିପାରିଥିଲେ। ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା କହିଲେ, ଅଗ୍ନିକନ୍ୟା ଭାବେ ଜୀବନ ଆରମ୍ଭ କରିଥିଲେ ନନ୍ଦିନୀ ଦେବୀ। ସାମ୍ୟବାଦୀ ଆନ୍ଦୋଳନରେ ତାଙ୍କ ଜୀବନଧାରା ଆରମ୍ଭ ହୋଇଛି। ଭାଜପା ନେତ୍ରୀ ସ୍ମୃତି ପଟ୍ଟନାୟକ କହିଲେ, ନନ୍ଦିନୀ ଦେବୀ ମହିଳାଙ୍କ ପାଇଁ ଆଧୁନିକତାର ରାଜନୀତି ଆଣିଥିଲେ। ନିର୍ଭୀକତାର ଚରମସୀମାରେ ସେ ଥିଲେ। ଛାତ୍ର ଜୀବନରୁ ତାଙ୍କଠାରେ ରାଜନୀତିର ଜାଗରଣ ହୋଇଥିଲା। କଟକ ମହାନଗର ନିଗମର ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
କଟକ ମହାନଗର ନିଗମ କମିଶନର କିରନଦୀପ କୌର ସାହୋତା, ଡେପୁଟି ମେୟର ଦମୟନ୍ତୀ ମାଝୀ, ସାଂସ୍କୃତିକ ଚିତ୍ତ ବିନୋଦନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ମୋନାଲିସା ଦାସ, ଲାଇସେନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଏ. ଶ୍ରୀଦେବୀ, ଜନଶୁଣାଣି ଓ ସାମାଜିକ ନ୍ୟାୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ପ୍ରଳୟା ବେଉରା, ପ୍ଲାନିଂ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରଦୀପ ରାଉତ, ସ୍ଥାନୀୟ କର୍ପୋରେଟର ବିକାଶ ବେହେରାଙ୍କ ସମେତ ଅନ୍ୟ କର୍ପୋରେଟର, ଡ. ସତ୍ୟ ରାୟ, ସାମାଜିକ କର୍ମୀ ଶୈଳ ଦାସ, ଆଇନଜୀବୀ ଅମରେନ୍ଦୁ ମହାନ୍ତି, ସାମାଜିକ କର୍ମୀ ପ୍ରଫୁଲ୍ଲ ସିଂ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ନନ୍ଦିନୀ ଶତପଥୀଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ପ୍ରତିମୂର୍ତ୍ତିକୁ ନିର୍ମାଣ କରିଥିବା ଶିଳ୍ପୀ ଲକ୍ଷ୍ମୀଧର ରଣା ଓ ଭାସ୍କର୍ଯ୍ୟ ଶିଳ୍ପୀ ରବିନାରାୟଣ ରଥଙ୍କୁ ସମ୍ମାନିତ କରାଯାଇଥିଲା।

