ଭାରତବର୍ଷରେ ଦୁର୍ନୀତିର ସ୍ବରୂପ

ଡ. ସୁବାସ ଚନ୍ଦ୍ର ପାତ୍ର

ଭାରତବର୍ଷରେ ଦୁର୍ନୀତିକୁ ଏତେ ମାତ୍ରାରେ ଅର୍ଥ ବା ଅର୍ଥନୈତିକ ଅନିୟମିତତା ସହ ଯୋଡ଼ିଦିଆଯାଇଛି ଯେ ଖୁବ୍‌ କମ୍‌ ଲୋକ ତା’ର ମୂଳଉତ୍ସ ପାଖରେ ପହଞ୍ଚିପାରନ୍ତି। ବସ୍ତୁତଃ ଆମ ଦେଶର ସମସ୍ତ ପ୍ରକାର ଅର୍ଥନୈତିକ ଦୁର୍ନୀତିର ଆଧାର ରାଜନୈତିକ, କେତେକାଂଶରେ ସାମାଜିକ ମଧ୍ୟ। ଏହି ଉକ୍ତିର ଯଥାର୍ଥତା ନିକଟରେ ଘଟିଥିବା ଏକ ଘଟଣାରୁ ଜାଣିହେବ।
ପଦ୍ମପୁରରେ ଏବେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶାସକ ଓ ବିରୋଧୀ ଦଳ ଭିତରେ ଚାଲିଲା ଘମାଘୋଟ ଲଢ଼େଇ। ଏହାରି ଭିତରେ ସମ୍ବିଧାନର ମୂଳମନ୍ତ୍ର, ‘ଆଇନର ଶାସକ’ (ରୁଲ୍‌ ଅଫ୍‌ ଲ)କୁ ପାଦରେ ଦଳିଦେଇ ଏକ ବିଚିତ୍ର ଦୃଶ୍ୟ ରଚନା କରାଗଲା। ଉପନିର୍ବାଚନକୁ ଅଳ୍ପଦିନ ବାକିଥିଲା ବେଳେ ସକାଳୁ ସକାଳୁ ଛତିଶଗଡ଼ରୁ କେତେଜଣ ଆୟକର ଅଧିକାରୀ, କିଛି କେନ୍ଦ୍ରୀୟ ସୁରକ୍ଷା ବାହିନୀ ସହାୟତାରେ ପଦ୍ମପୁର ନିର୍ବାଚନମଣ୍ଡଳୀର ଜଣେ ବ୍ୟବସାୟୀଙ୍କ ଘର ଉପରେ ଚଢ଼ାଉ କଲେ। ବ୍ୟବସାୟୀ ଜଣକ କାଳେ ଶାସକ ଦଳର ସମର୍ଥକ। ସଞ୍ଜରେ ଏବଂ ତା’ ପରଦିନ ସକାଳେ ଯାହା ଘଟିଲା ତାହାହିଁ ବତେଇଦିଏ ଭାରତବର୍ଷରେ ଆଇନର ଶାସନ ଚାଲିଛି ନା ରାଜନୀତିର। ସଞ୍ଜବେଳେ ରାଜ୍ୟ ସରକାରଙ୍କ କେତେଜଣ ଜିଏସ୍‌ଟି ଅଧିକାରୀ ଏକ ଜାତୀୟ ଦଳର ସମର୍ଥକ ବୋଲାଉଥିବା ଜଣେ ବ୍ୟବସାୟୀଙ୍କ ଘର ଉପରେ ଚଢ଼ାଉକଲେ। ହିସାବ ବରାବର ହେଲା। କାଳେ ‘ଲୁକ୍କାୟିତ ନରକଙ୍କାଳ’ ସବୁ ଆଲମାରୀରୁ ଖସି ପଡ଼ିବ, ଦୁଇ ଚଢ଼ାଉକାରୀ ଦଳଙ୍କ ଚଢ଼ାଉ ବିଳମ୍ବିତ ସନ୍ଧ୍ୟା ପରେ ଶିଥିଳ ହେଲା। ଛତିଶଗଡ଼ରୁ ଆସିଥିବା ଦଳବଳ ସକାଳେ ଫେରିଗଲେ ସ୍ବଗୃହ। ଓଡ଼ିଶାର ଜିଏସ୍‌ଟି ଅଧିକାରୀମାନେ ନିଜ ହାତ ନିଜେ ବାନ୍ଧିଦେଲେ। ଏଠାରେ ପ୍ରଶ୍ନ ଉଠେ, ଯଦି ଚଢ଼ାଉ ହୋଇଥିବା ବ୍ୟବସାୟୀ ବା ସଂସ୍ଥା ପ୍ରକୃତରେ ରାଜକୋଷକୁ ଠକିଛନ୍ତି, ତେବେ ରାଜନୈତିକ ହଇଚଇ ପରେ ସେ ସବୁ ଖାନତଲାସି ବନ୍ଦ ହେଲା କାହିଁକି? ନିର୍ବାଚନର ଉତ୍ତେଜନା ପ୍ରଶମିତ ହେଲା ପରେ ପୁଣି ତାହା ଅନୁସନ୍ଧାନ କରାଗଲା ନାହିଁ କାହିଁକି, ଯଦି ପ୍ରକୃତରେ ଦେଶ ବା ରାଜ୍ୟକୁ ସେମାନେ ଲୁଣ୍ଠନ କରିବାର କିଛି ସୁରାକ ଥିଲା? ଏହିଥିରୁ ପ୍ରମାଣିତ, ଆମ ଦେଶରେ ଦୁର୍ନୀତି ରୋକିବାର ପ୍ରଚେଷ୍ଟା ମୁଖ୍ୟତଃ ଛଳନା ଉପରେ, ରାଜନୈତିକ ସ୍ବାର୍ଥସାଧନ ଉପରେ ପର୍ଯ୍ୟବସିତ।
ଆମ ଦେଶରେ ଦୁର୍ନୀତି ରୋକିବାର ମାନଚିତ୍ରଟି ଭାରି ବିଚିତ୍ର। ଗୋଟିଏ ପଟେ ବଡ଼ବଡ଼ିଆ ଦୁର୍ନୀତିଗ୍ରସ୍ତ କର୍ମଚାରୀ, ବ୍ୟକ୍ତି, ଅନୁଷ୍ଠାନ ଉପରେ ଚଢ଼ାଉ କରାଯାଏ, ସେମାନଙ୍କୁ ଗିରଫ କରାଯାଏ। କିନ୍ତୁ ଅଭିଯୋଗ ଫର୍ଦ୍ଦ ଭିତରେ ଯଥେଷ୍ଟ ଗଳାବାଟ ରଖି ଦିଆଯାଏ ଯାହା ଫଳରେ ତଥାକଥିତ ଅଭିଯୁକ୍ତ ହସିହସି ଦୋଷମୁକ୍ତ ହୁଅନ୍ତି। ଅନ୍ୟପଟେ ନିରୀହ ବ୍ୟକ୍ତିବିଶେଷକୁ ଦୁର୍ନୀତି ଅଭିଯୋଗରେ ଗିରଫ କରି ତା’ର ଜୀବନକୁ ତଳିତଳାନ୍ତ କରି ଦିଆଯାଏ। ଉଦାହରଣ ସ୍ବରୂପ ଭାରତୀୟ ମହାକାଶ ଗବେଷଣା ପରିଷଦର ବୈଜ୍ଞାନିକ ନାମ୍ବି ନାରାୟଣ। ବିନା ଦୋଷରେ ତାଙ୍କୁ ଗୋଇନ୍ଦାଗିରି ଅଭିଯୋଗରେ ଗୁଜରାଟ ଓ କେରଳ ପୋଲିସ ଗିରଫ କରି ବର୍ଷବର୍ଷ ଜେଲରେ ରଖିଲେ। ସିବିିଆଇ ଅନୁସନ୍ଧାନରୁ ଜଣାପଡ଼ିଲା ଏହା ଏକ ଷଡ଼ଯନ୍ତ୍ର। ସୁପ୍ରିମକୋର୍ଟ କେରଳ ପୋଲିସ ଡ. ନାରାୟଣଙ୍କୁ ଅଯଥାରେ ମାନସିକ ନିର୍ଯାତନା ଦେଇଥିବାରୁ କେରଳ ସରକାରଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଡ. ନାରାୟଣଙ୍କୁ ଦେବାକୁ କହିଛନ୍ତି। ଷଡ଼ଯନ୍ତ୍ରକାରୀଙ୍କ ଯୁଦ୍ଧ ତଥାପି ଚାଲୁ ରହିଛି। ଆହୁରି ବିଚିତ୍ର ଲାଗେ ସମାଜର ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗ ନେଇ ସଂଗ୍ରାମ କରୁଥିବା ବ୍ୟକ୍ତିଙ୍କୁ ସରକାର ଯେତେବେଳେ ଦେଶଦ୍ରୋହୀ ହିସାବରେ ଚିତ୍ରିତ କରି ତାଙ୍କ ଜାମିନକୁ ବିରୋଧ କରନ୍ତି ଏବଂ ଜେଲ ପଠାଇବାକୁ ଯୁକ୍ତି ବାଢ଼ନ୍ତି ଏହି କଥା କହି ଯେ, ସେମାନେ ଦେଶର ଶତ୍ରୁ, ସେମାନେ ଦେଶକୁ ଧ୍ୱଂସ କରିଦେବେ। ସାମାଜିକ କର୍ମୀ ଗୌତମ ନଭଲଖାଙ୍କ ପ୍ରସଙ୍ଗରେ ସଲିସିଟର ଜେନେରାଲ ଏହି ପ୍ରକାର ଯୁକ୍ତି କରୁଥିଲା ବେଳେ ସୁପ୍ରିମ କୋର୍ଟ କହିଥିଲେ, ‘ସାମାଜିକ କର୍ମୀମାନେ ଦେଶକୁ ଧ୍ୱଂସ କରିବେନି। ଦୁର୍ନୀତିଗ୍ରସ୍ତ ନେତା, କର୍ମଚାରୀ ଓ ବ୍ୟକ୍ତି ହିଁ ଦେଶକୁ ଧ୍ୱଂସ କରୁଛନ୍ତି ରାତିଦିନ। ପ୍ରସଙ୍ଗକ୍ରମେ ଏକ ରାଜନୈତିକ ଦଳର ବିଧାୟକ କିଣାବିକା ପ୍ରସଙ୍ଗ ସୁପ୍ରିମକୋର୍ଟ ଉଠାଇଥିଲେ।’
ଭାରତବର୍ଷରେ ଯାବତୀୟ ଆର୍ଥିକ ଲୁଣ୍ଠନର ମୂଳ ରାଜନୈତିକ ଉତ୍ସ ହେଉଛି ନିର୍ବାଚନ ସମ୍ବନ୍ଧୀୟ ଆଇନକୁ ସ୍ବଚ୍ଛ ତଥା ପାରଦର୍ଶୀ ନ କରେଇବା। ପ୍ରଚଳିତ ନିର୍ବାଚନୀ ଆଇନର ଆମୂଳଚୂଳ ପରିବର୍ତ୍ତନକରି କିପରି ସାଧୁ, ସଚ୍ଚୋଟ, ବିଜ୍ଞ ବ୍ୟକ୍ତିମାନେ ବିଧାୟକ ବା ସାଂସଦ ହେବେ ସେ ପ୍ରଚେଷ୍ଟା କୌଣସି ଦଳ କରନ୍ତି ନାହିଁ। ବ୍ୟୟସାପେକ୍ଷ ନିର୍ବାଚନୀ ପ୍ରକ୍ରିୟାରେ ଥରେ ଜିତି ଆସିଲା ପରେ ଆରମ୍ଭ ହୁଏ ଅସୁଲି ପ୍ରକ୍ରିୟା ଯେଉଁଥିରେ ସରକାରୀ କର୍ମଚାରୀ, ବ୍ୟବସାୟୀ, ଶିଳ୍ପପତି ସମସ୍ତେ ସାମିଲ ହୋଇଯାଆନ୍ତି। କଠୋର ଆଇନ ନ ଥାଇ ମଧ୍ୟ ପ୍ରଚଳିତ ଆଇନର ସମ୍ପ୍ରସାରିତ ବ୍ୟାଖ୍ୟା କରି ଟି.ଏନ୍‌. ଶେଷାନ ଯେପରି ଦେଶର ନିର୍ବାଚନ ପରିଚାଳନା କରିଥିଲେ, ସେ ସମ୍ଭାବନା ଏବେ ନାହିଁ। ଏବେ ସବୁ ଗୁରୁତ୍ୱପୂର୍ଣ୍ଣ ଜାଗାରେ ସରକାରଙ୍କ ‘ନିଜଲୋକ’। ସେମାନେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତରେ କିପରି ନିରପେକ୍ଷ ହେବେ? ସରକାରଙ୍କ ଅନୁଗ୍ରହରେ ଯେଉଁ ଅଧିକାରୀ ନିର୍ବାଚନ କମିଶନର ହୋଇଛନ୍ତି, ସେମାନେ ଅନୁଗ୍ରହକାରୀଙ୍କ ପାଖରେ ସେମାନଙ୍କର ଆନୁଗତ୍ୟ ରଖିବେ, ଦେଶ ପାଖରେ ନୁହେଁ। ସେହି ପ୍ରକାର ଆଶଙ୍କା ଅରୁଣ ଗୋଏଲଙ୍କ କ୍ଷେତ୍ରରେ ଦେଖା ଦେଇଛି ଯିଏ ୨୦୨୨ ନଭେମ୍ବର ୧୮ରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ପାଇଁ ଦରଖାସ୍ତ କଲେ। ସେହିଦିନ ତାହା ଗୃହୀତ ହେଲା। ୧୯ତାରିଖରେ ତାଙ୍କୁ ନିର୍ବାଚନ କମିଶନର ନିଯୁକ୍ତି ଦିଆଗଲା। ୨୦ରେ ସେ ପଦବୀରେ ଯୋଗଦେଲେ। ଅତି ତରତରରେ, ଗୋପନରେ ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପନ୍ନ ହୋଇଥିବାରୁ ଏହା ଏବେ ସୁପ୍ରିମକୋର୍ଟରେ ତର୍ଜମାଧୀନ।
ନିର୍ବାଚନ କମିଶନଙ୍କ ସ୍ବଚ୍ଛତା ଓ ନିରପେକ୍ଷତା ଉପରେ ଖାଲି ଭାରତୀୟ ଗଣତନ୍ତ୍ର ଯେ ନିର୍ଭର କରୁଛି ତାହା ନୁହେଁ, ଜନଜୀବନର ସ୍ବଚ୍ଛତା, ରାଜନୈତିକ ଦୁର୍ନୀତିର କମିବା / ବଢ଼ିବା, ଯାହାର ସମ୍ପ୍ରସାରଣ ହେଉଛି ଆର୍ଥିକ ଦୁର୍ନୀତି ଉପରେ ନିର୍ଭର କରୁଛି। ତେବେ ପରିସ୍ଥିତି ଆହୁରି ଦୁର୍ନୀତି ଅନୁକୂଳ ହୋଇଯାଇଛି ୨୦୧୭-୧୮ର ନିର୍ବାଚନୀ ବଣ୍ଡ ପ୍ରଚଳନ ପରେ। ବିଚିତ୍ର ଏ ଦେଶ। ଗୋଟିଏ ପଟେ ସୂଚନା ପ୍ରଦାନ ପାଇଁ ସୂଚନା ଅଧିକାର ଆଇନ (୨୦୦୫), ଅନ୍ୟପଟେ ନିର୍ବାଚନୀ ବଣ୍ଡ ସମ୍ବନ୍ଧୀୟ ସୂଚନା ନ ଦେବାର ବୈଧାନିକ ବ୍ୟବସ୍ଥା (ବିଶେଷତଃ ଦାତାର)! ଯୁଗେ ଯୁଗେ ଗୋପନୀୟତା ଦୁର୍ନୀତିର ଜନନୀ, ଯାହା ବଣ୍ଡ ମାଧ୍ୟମରେ ସଂଗୃହୀତ ନିର୍ବାଚନୀ ଚାନ୍ଦାର ବର୍ତ୍ତମାନ ସ୍ଥିତି।
ଯେତେ ପର୍ଯ୍ୟନ୍ତ ଦେଶରେ ରାଜନୈତିକ ସ୍ବଚ୍ଛତା ପ୍ରତିଷ୍ଠିତ ହୋଇନାହିିଁ, ଯେତେ ପର୍ଯ୍ୟନ୍ତ ଦୁର୍ନୀତି ପ୍ରତି ସାମାଜିକ ସହନଶୀଳତା ତିଷ୍ଠି ରହିଛି, ଯେତେ ପର୍ଯ୍ୟନ୍ତ ନିର୍ବାଚନୀ ପ୍ରକ୍ରିୟା ପ୍ରକୃତ ରାଜନୈତିକ ସମତା ପ୍ରଦାନ କରିବାରେ ବିଫଳ, ସେତେ ପର୍ଯ୍ୟନ୍ତ କାଁ ଭାଁ ଆୟକର ଚଢ଼ାଉ, ଇଡି ଚଢ଼ାଉ, ଭିଜିଲାନ୍ସ ଚଢ଼ାଉ ଏକ ପ୍ରସାଧନୀ କାର୍ଯ୍ୟ ହୋଇ ରହିଥିବ।
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ୍‌, ବାଲେଶ୍ୱର,
ମୋ: ୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?