ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି ଭାରତୀୟମାନେ ଅନ୍ୟ ଯେକୌଣସି ରାଷ୍ଟ୍ର ତୁଳନାରେ ଅଧିକ କଷ୍ଟ ଭୋଗିସାରିଲେଣି ଏବଂ ଭୋଗୁଛନ୍ତି ମଧ୍ୟ। ଉପସାଗରୀୟ ଅଞ୍ଚଳରେ ପ୍ରାୟ ଏକ କୋଟି ଭାରତୀୟ ଅଛନ୍ତି, ଯାହା ଛଅଟି ଗଲ୍ଫ କୋଅପରେଶନ କାଉନ୍ସିଲ( ଜିସିସି) ଦେଶ ମଧ୍ୟରୁ ପାଞ୍ଚଟି ଦେଶର ମୋଟ ଜନସଂଖ୍ୟାଠାରୁ ଅଧିକ। ହିଂସା ଯୋଗୁ ଏହି ଭାରତୀୟଙ୍କ ଜୀବନ ଏବଂ ଜୀବିକା ଏବେ ବିପଦରେ । ଅନିଶ୍ଚିତତା ସେମାନଙ୍କୁ ସମସ୍ୟାରେ ପକାଇଛି ଏବଂ ବିଶେଷକରି ଭଲରେ ଜୀବନଯାପନ କରୁ ନ ଥିବା ଲୋକଙ୍କ ପାଇଁ ଜିଇବା କଷ୍ଟକର ହୋଇଯାଇଛି। ଏହି ସଂଖ୍ୟାଗରିଷ୍ଠମାନେ ହେଉଛନ୍ତି ଉପସାଗରୀୟ ଅଞ୍ଚଳରେ ସେବା କିମ୍ୱା ଶିଳ୍ପ କ୍ଷେତ୍ରରେ କାର୍ଯ୍ୟକରୁଥିବା ପ୍ରବାସୀ ଭାରତୀୟ ଶ୍ରମିକ ଶ୍ରେଣୀର ଲୋକେ। ଏହି କ୍ଷେତ୍ରରେ ଅନେକ ଲକ୍ଷ ଭାରତୀୟଙ୍କ ସକ୍ରିୟ ଯୋଗଦାନ ଥିବାରୁ ଯୁଦ୍ଧ ପରେ ଜିସିସି ରାଷ୍ଟ୍ରଗୁଡ଼ିକର ଭବିଷ୍ୟତ ଏବଂ ଅର୍ଥନୀତି ପ୍ରଭାବିତ ହୋଇପାରେ। ଯେଉଁ ରାଷ୍ଟ୍ରରୁ ଆମେ ଇନ୍ଧନ ଏବଂ ଗ୍ୟାସ ଆଣୁଛୁ ସେମାନଙ୍କ ତୁଳନାରେ ବି ଭାରତ ଅଧିକ ଅକଳରେ ପଡ଼ିଛି ଏବଂ କଷ୍ଟ ପାଉଛି। ଏଥିପାଇଁ ଏହି ପ୍ରଶ୍ନ ପଚାରିବା ଜରୁରୀ- ଯୁଦ୍ଧରତ ରାଷ୍ଟ୍ର ଆମେରିକା ଏବଂ ଇସ୍ରାଏଲର କାର୍ଯ୍ୟକଳାପକୁ ପ୍ରଭାବିତ କରିବାରେ କିମ୍ୱା ପ୍ରଭାବିତ କରିବାକୁ ଚେଷ୍ଟା କରିବାରେ ଆମେ ଅସମର୍ଥ କାହିଁକି? ଆମ ସରକାର କେବଳ କହିଛନ୍ତି, ଶିପିଂ ପୁନର୍ୱାର ଆରମ୍ଭ କରିବାକୁ ଅନୁମତି ଦିଆଯାଉ। ଏଭଳି କହିବା ବ୍ୟତୀତ ସରକାର ଅନ୍ୟ ସମସ୍ୟା ସହିତ ଜଡିତ ହୋଇନାହାନ୍ତି। କାହିଁକି ଜାହାଜଗୁଡ଼ିକ ଅଟକି ରହିଛନ୍ତିି? ଆମେ ସେ ବିଷୟରେ କୌଣସି ଟିପ୍ପଣୀ ଦେଉନାହୁଁ। ଏହାକୁ ପୁନର୍ୱାର କିପରି ଆରମ୍ଭ କରାଯିବ? ଏ ବିଷୟରେ ଆମକୁ ଜଣାନାହିଁ। କେବଳ ଆବେଦନ କିମ୍ୱା ଦାବି କିମ୍ୱା ଅନୁରୋଧ କରୁଛୁ ଯେ, ଶିପିଂ ଆରମ୍ଭ କରିବାକୁ ଅନୁମତି ଦିଆଯାଉ। ଉଲ୍ଲେଖନୀୟ ଯେ, ଭାରତ ତ୍ରୁଟିପୂର୍ଣ୍ଣ ଭାବରେ ୟୁରୋପର ଉପନିବେଶବାଦୀ ରାଷ୍ଟ୍ରଗୁଡ଼ିକର ଦୃଷ୍ଟିକୋଣକୁ ସମର୍ଥନ କରିଚାଲିଛି, ଯେଉଁମାନେ ଯୁଦ୍ଧରେ ଜଡ଼ିତ ହେବାକୁ ଚାହାନ୍ତି ନାହିଁ। ସେମାନେ କେବଳ ଚାହାନ୍ତି ସେମାନଙ୍କ ସାମଗ୍ରୀ ସୁରୁଖୁରୁରେ ଆସିଯାଉ। ଆସନ୍ତୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଚେଷ୍ଟା କରିବା। ଏହା ମଧ୍ୟ ସମ୍ଭବ । ଏସବୁ ପଛରେ ସମ୍ଭବତଃ କୌଣସି ଗୋଟିଏ କାରଣ ନାହିଁ ବରଂ ଏପରି କେତୋଟିି କାରଣ ରହିଛି, ଯାହା ପଦକ୍ଷେପ ନେବା ଅପେକ୍ଷା ଆମକୁ ନୀରବ ରହିବାକୁ ପ୍ରେରିତ କରିଛି। ଆସନ୍ତୁ ସେଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଆଲୋଚନା କରିବା।
ଭାରତୀୟ ବୈଦେଶିକ ନୀତିରେ ଏକ ଅସଙ୍ଗତି ଅଛି ଏବଂ ଏହାର ଚେର ଜାତୀୟ ସୁରକ୍ଷା ଯାଏ ଲମ୍ୱିଛି। ଉଦାହରଣ ସ୍ୱରୂପ, ଚାଇନା ଭାରତର ବନ୍ଧୁ କିମ୍ୱା ଶତ୍ରୁ; ତାହା ସହ ବାଣିଜ୍ୟ କରାଯିବା ଉଚିତ ନା ବିଚ୍ଛିନ୍ନ ହେବା ଦରକାର, ସେ ସମ୍ପର୍କରେ ଆମେ ସ୍ପଷ୍ଟ ନୋହଁୁ। ନୀତି ତଥା ବିଶ୍ୱାସ ଅଭାବରୁ ହିଁ ସମନ୍ୱୟ ରହେ ନାହିଁ। ଆମର ଅଧିକାଂଶ ବୈଦେଶିକ ନୀତି ଭାରତୀୟଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଏବେ ଏହି ଯୁଦ୍ଧ ସ୍ଥିତିରେ ସେପରି ହୋଇଛି। ଏହା ସ୍ପଷ୍ଟ ଯେ, ବିଶ୍ୱନେତା ହେବାର ଦାବି ଫମ୍ପା ଥିଲା, ଆମେ ଲଜ୍ଜିତ ହୋଇ ଦୂରେଇ ରହିଗଲୁ। ଜାତୀୟ ସ୍ୱାର୍ଥର ଧାରଣାକୁ ପରିତ୍ୟାଗ କରି ଆମେ ବ୍ୟକ୍ତିଗତ ସ୍ୱାର୍ଥ ସହିତ ଜଡ଼ିତ ବ୍ୟକ୍ତିଗତ କୂଟନୀତିକୁ ଆଦରି ନେଇଛୁ ଏବଂ ଧରି ନେଉଛୁ ଘନିଷ୍ଠତା ହେଉଛି ବୈଦେଶିକ ନୀତି ପାଇଁ ଏକ ଦୃଢ଼ ଭିତ୍ତିଭୂମି। ଗଭୀର ବନ୍ଧୁତ୍ୱ ରଖିବା ପ୍ରୟାସରେ (ଟ୍ରମ୍ପଙ୍କ ଦ୍ୱାରା) ଆମକୁ ବିଶ୍ୱାସଘାତ କରାଯାଇଛି କିମ୍ୱା ବିପରୀତ ପକ୍ଷ (ନେତନ୍ୟାହୁ)ଙ୍କ ଦ୍ୱାରା ଆମକୁ ବ୍ୟବହାର କରାଯାଇଛି। ଦ୍ୱନ୍ଦ୍ୱ ହେଉଛି, ଆମର ବନ୍ଧୁମାନେ ଭାରତୀୟଙ୍କୁ ଦୁଃଖ ଦେଲେ ମଧ୍ୟ ସେମାନଙ୍କୁ ଯୁଦ୍ଧ ବନ୍ଦ କରିବାକୁ କହିବାର କ୍ଷମତା ଆମ ପାଖରେ ନାହିଁ ବୋଲି ଆମେ ମନେକରୁଛୁ।
ଆଉ ଏକ କାରଣ ହେଉଛି ଯେ ଅନ୍ୟମାନଙ୍କ କୂଟନୈତିକ ପ୍ରୟାସ ଆମକୁ ଚିନ୍ତିତ କରିଛି। ଆମେ ଯେଉଁମାନଙ୍କୁ ଘୃଣା କରୁ ସେମାନଙ୍କ ପ୍ରୟାସରେ ଯୁଦ୍ଧ ଶେଷ ହେବାକୁ ଯାଉଛି। ହେଲେ ଆମେ ତାହା ନ କରି ଭାରତୀୟମାନେ କଷ୍ଟ ପାଆନ୍ତୁ ବୋଲି ପସନ୍ଦ କରୁଛୁ, ଯାହା ଅଯୌକ୍ତିକ । ଏହା ସେହି ଲୋକମାନଙ୍କର କାର୍ଯ୍ୟ, ଯେଉଁମାନେ ନେତୃତ୍ୱରେ ରହି ‘ବିଶ୍ୱ ଏକ ପରିବାର’ ବୋଲି ଆମକୁ ଉଚ୍ଚସ୍ୱରରେ କହୁଛନ୍ତି। ଅନ୍ୟ ଏକ କାରଣ ଅଛି ଏବଂ ଏହାକୁ ଲୋକକଥା-ମୁଲ୍ଲେ କି ଦୌଡ଼ ମସଜିଦ୍ ତକ୍- ସହିତ ବର୍ଣ୍ଣନା କରାଯାଇପାରେ। ଇଣ୍ଟରନେଟ ଏହି କଥାକୁ ବ୍ୟାଖ୍ୟା କରେ ଯେ,”ଯେଉଁ ବ୍ୟକ୍ତି କେବଳ ନିଜର ଜ୍ଞାନ, ସମ୍ୱଳ କିମ୍ୱା ଆଗ୍ରହ ଭିତରେ ସୀମିତ ରହନ୍ତି“ । ନୂତନ ଭାରତ ଏକ ଉଗ୍ର ଆଭ୍ୟନ୍ତରୀଣ ଜାତୀୟତାବାଦ ସହ ଜଡ଼ିତ। ଯଦି ଏ କ୍ଷେତ୍ରରେ ଆପଣ ନୂଆ କରି ଜାଣିବାକୁ ଚାହଁୁଛନ୍ତି, ତେବେ ଖବରକାଗଜ ଖୋଲନ୍ତୁ ଏବଂ ଟେଲିଭିଜନ ଚାଲୁ କରନ୍ତୁ ଜାଣିବେ ଏହା ଆମର ମୂଳମନ୍ତ୍ର ଏବଂ କୋରସ୍ ପାଲଟିଯାଇଛି। ମନେକରୁଛୁ, ଅତୀତ ପାଇଁ ସଂଖ୍ୟାଲଘୁମାନେ ଦାୟୀ, ଉଦାରବାଦୀମାନେ ଆମର ଗୌରବମୟ ଭବିଷ୍ୟତର ଏବର ପଥ ଅବରୋଧକ। ଆଗକୁ ବଢ଼ିବା ପୂର୍ୱରୁ ସେସବୁକୁ ପ୍ରଥମେ ସମାଧାନ କରିବା ଜରୁରୀ। ଏହା ଆମର ପ୍ରାଥମିକ ଦାୟିତ୍ୱ ହେବା ଦରକାର ଏବଂ ଏହାକୁ ଜାରି ରଖିବା ଉଚିତ। ଯେତେବେଳେ ରାଷ୍ଟ୍ର ବିଷୟରେ ଏହି ପ୍ରକାରର ସ୍ପଷ୍ଟତା ରହିବ, ବାହ୍ୟ ଜଗତ ପ୍ରତି ଧ୍ୟାନ ରହିବ ନାହିଁ। ଏବଂ ଯଦି ଆମେ ଏହାକୁ ଅଣଦେଖା କରୁ, ତେବେ ଆଶା ରଖିବା ଯେ ଏହା ଆପେ ଆପେ ଠିକ୍ ହୋଇଯିବ, ଯାହା ଏବେ ଏପରି ହେଉଛି। ଶୁକ୍ରବାର ଦିନ ଏକ ସାମ୍ୱାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ରଙ୍କୁ ପଚରାଯାଇଥିଲା, ”ଟ୍ରମ୍ପ ଅସୀମ ମୁନିରଙ୍କୁ ପ୍ରଶଂସା କରୁଛନ୍ତି ଏବଂ ପାକିସ୍ତାନ ଯାତ୍ରା କରିପାରନ୍ତି। ଭାରତ ପାକିସ୍ତାନର ଅସ୍ତ୍ରବିରତି ଭୂମିକାକୁ କିପରି ଦେଖେ? ଯଦି ଟ୍ରମ୍ପ ଗୋଟିଏ ଯାତ୍ରାରେ ଭାରତ ଏବଂ ପାକିସ୍ତାନକୁ ଆସନ୍ତି ତେବେ ଭାରତ କ’ଣ ଏଥିରେ ରାଜି ହେବ?“ ମୁଖପାତ୍ର ଉତ୍ତର ଦେଲେ, ” ଏହା ଉପରେ ମୋର ଏକ ସରଳ ଉତ୍ତର ଅଛି। ଭାରତ ପଶ୍ଚିମ ଏସିଆରେ ଘଟୁଥିବା ଘଟଣାକ୍ରମ ଉପରେ ନିକଟରୁ ନଜର ରଖିଛି।” କିନ୍ତୁ ତାହା ଉପଯୁକ୍ତ ଏବଂ ସ୍ପଷ୍ଟ ଭାବେ ପାଳନ କରାଯାଉନାହିଁ।
Email:aakar.patel@gmail.com

