କରୋନା ମୃତ୍ୟୁ

ଗୌରାଙ୍ଗ ଚରଣ ପରିଡ଼ା

 

କରୋନା ମହାମାରୀରେ ମୃତ୍ୟୁସଂଖ୍ୟାକୁ ନେଇ ଏବେ ସବୁଠି ବେଶ ଚର୍ଚ୍ଚା। ଏ ସଂଖ୍ୟା ନେଇ ସରକାରୀ ହିସାବ ଠିକ୍‌ ନୁହେଁ ବୋଲି ଅନେକେ ଅଭିଯୋଗ ଆଣନ୍ତି। ଶ୍ମଶାନରେ ଶବ ସତ୍କାର ଏବଂ ନଦୀରେ ଭାସି ଯାଉଥିବା ମୃତକଙ୍କ ଦୃଶ୍ୟ ଏ ଅଭିଯୋଗର ଆଧାର ବୋଲି କୁହାଯାଉଛି। ଏ ପ୍ରଶ୍ନ ମଧ୍ୟ ଆସିଲାଣି, ଯେଉଁଠି ମଲା ମଣିଷଙ୍କ ଠିକ୍‌ ହିସାବ ଦିଆଯାଇପାରୁନି, ସେଠି ନାଗରିକଙ୍କ ପରିଚୟପତ୍ର ଲୋଡ଼ିବା କେତେବା ଦରକାର! ଅବଶ୍ୟ ଏହା ଖାଲି ଏକ ଅଭିଯୋଗର ପ୍ରଶ୍ନ ନୁହେଁ, ଏହା ବି ଏକ ଆବେଗର ପ୍ରଶ୍ନ।
ବିହାର ସରକାର ସମ୍ପ୍ରତି କରୋନା ମୃତ୍ୟୁର ଏକ ସଂଶୋଧିତ ତାଲିକା ଦେଲେଣି। ପୂର୍ବରୁ ଯେତିକି ମୃତକଙ୍କ ସଂଖ୍ୟା ଥିଲା, ଏଥିରେ ଆଉ ଚାରି ହଜାର ଅଧିକ ବଢ଼ିଛି। ଏହା ସେଠାରେ ଏକ ସ୍ବତନ୍ତ୍ର ଅଡିଟ୍‌ରୁ ଜଣାପଡ଼ିଛି। ପ୍ରକାଶଥାଉ କି, ମୃତକଙ୍କ ପୁନଃ ଗଣନା କରିବାକୁ ପାଟଣା ଉଚ୍ଚ ନ୍ୟାୟାଳୟ ବିହାର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗଙ୍ଗାନଦୀରେ ଭାସୁଥିବା ଶହ ଶହ ଶବଙ୍କ ପରିଚୟ ପାଇଁ ଏକ ଜନସ୍ବାର୍ଥ ମାମଲା କୋର୍ଟରେ ଦାଖଲ ହୋଇଥିଲା।
ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବଂ ତଜ୍ଜନିତ ମୃତ୍ୟୁ ପୃଥିବୀସାରା ବି ନଜରରେ ଅଛି। କାରଣ କରୋନା ମହାମାରୀର ପ୍ରଭାବ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମାବଦ୍ଧ ନୁହେଁ, ହୋଇ ବି ପାରିବନି। କାରଣ ଏହା ଏକ ବିଶ୍ୱ ମହାମାରୀ।
ନ୍ୟୁୟର୍କ ଟାଇମ୍ସ ଖବରକାଗଜର ଏକ ରିପୋର୍ଟରେ କୁହାଯାଇଛି, ଭାରତରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଭାରତର ସରକାରୀ ହିସାବଠାରୁ ଢେର ଅଧିକ। ସଂକ୍ରମିତଙ୍କ ସଂଖ୍ୟା ଏଠି ପ୍ରାୟ ଚାଳିଶ କୋଟି ଏବଂ ମୃତ୍ୟୁସଂଖ୍ୟା ବୟାଳିଶ ଲକ୍ଷ ହୋଇପାରେ। ରିପୋର୍ଟରେ ଏ କଥା ବି ଅଛି, ଭାରତର ଗ୍ରାମାଞ୍ଚଳରେ କରୋନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ହିସାବକୁ ନିଆ ଯାଇପାରୁନି। ଗାଁ ଲୋକ ନିଜ ଆତ୍ମୀୟଙ୍କ ଦେହାନ୍ତ କରୋନାରେ ହୋଇଛି ବୋଲି କହିବାକୁ ଭୟ ଆଉ ଲଜ୍ଜା ଅନୁଭବ କରୁଛନ୍ତି। ଭାରତରେ ପ୍ରାୟ ସାଢ଼େ ଛ’ ଲକ୍ଷ ଗଁା ଅଛି। ଦେଶର ସତୁରି ଭାଗ ଲୋକ ଗାଁରେ ରହନ୍ତି। ପୃଥିବୀର କିଛି ପ୍ରତିଷ୍ଠିତ ବିଶେଷଜ୍ଞଙ୍କ ଦ୍ୱାରା ଭାରତରେ କରୋନା ସଂକ୍ରାନ୍ତ ଏପରି ଅଧ୍ୟୟନ ହୋଇଛି ବୋଲି ନ୍ୟୁୟର୍କ ଟାଇମ୍ସ ଦାବି କରେ। କିନ୍ତୁ ଏ ଖବରକାଗଜ ରିପୋର୍ଟର କିଛି ବାସ୍ତବ ଆଧାର ଯେ ନାହିଁ, ସରକାର ଜବାବ ଦେଇ ସାରିଲେଣି।
ଏହା ସତ, ଭାରତରେ କରୋନା ମହାମାରୀ ମୃତ୍ୟୁର ତାଣ୍ଡବ ରଚିଛି। ଏଇ ମୃତ୍ୟୁ ତାଲିକାରେ ଡାକ୍ତର, ପ୍ରଫେସର, ଶିଳ୍ପୀ, ଇଞ୍ଜିନିୟର, ସମାଜସେବୀ, ଖବରଦାତା, କ୍ରୀଡ଼ାବିତ୍‌ଙ୍କ ନଁା ଅଛି। ଅଲିଗଡ଼ ମୁସ୍‌ଲିମ ବିଶ୍ୱବିଦ୍ୟାଳୟର ପ୍ରାୟ ଷାଠିଏ ଜଣ ପ୍ରଫେସରଙ୍କ କରୋନାରେ ମୃତ୍ୟୁ ହେଲାଣି ବୋଲି ଖବର ମଧ୍ୟ ଆସେ। ଏହା ଖାଲି ଏକ ନିର୍ଦ୍ଦିଷ୍ଟ ବିଶ୍ୱବିଦ୍ୟାଳୟର ଖବର ନୁହେଁ। ଭାରତର ଅନେକ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନମାନଙ୍କରେ ଏପରି ଘଟଣା ଘଟୁଛି। ସବୁଠାରୁ ବଡ଼ କଥା ହେଲା, ଅନେକ ଯୁବକଙ୍କର ଅକାଳ ମୃତ୍ୟୁ ସମାଜ ପାଇଁ ଅପୂରଣୀୟ କ୍ଷତି ଆଣିଛି।
ସମାଜରେ ଏକ ଉତ୍କୃଷ୍ଟ ମାନବସମ୍ବଳ ହଠାତ୍‌ ଗଢ଼ି ହୋଇଯାଏନି। ଏହାକୁ ଗଢ଼ି ତୋଳିବାକୁ ବର୍ଷ ବର୍ଷ ସମୟ ଲାଗିଥାଏ। କରୋନା ମହାମାରୀ ଭାରତରେ ଏକ ବୁଦ୍ଧିଜୀବୀ ଶୂନ୍ୟତା ସୃଷ୍ଟି କରି ସାରିଲାଣି। ଗାନ୍ଧିଜୀ କହନ୍ତି, ଗୋଟିଏ ଦେଶର ଗରିମା ସେ ଦେଶର ପାର୍ଥିବ ସମ୍ପତ୍ତିରୁ ଜଣାଯାଏନି, ସେ ଦେଶରେ କେତେ ଧୀଶକ୍ତି ସମ୍ପନ୍ନ ମାନବସମ୍ବଳ ଅଛି, ସେଥିରୁ ଜଣାଯାଏ।
ପ୍ରଶ୍ନ ଆସେ, ସରକାର ଜାଣି ଜାଣି କରୋନା ମୃତକଙ୍କ ସଂଖ୍ୟା ଲୁଚାଉଛନ୍ତି ନା ପ୍ରକୃତ ମୃତ୍ୟୁସଂଖ୍ୟା ଜାଣି ହେଉନାହିଁ? ଏ ପ୍ରଶ୍ନର ହୃଦ୍‌ବୋଧ ହେବା ପରି ଠିକ୍‌ ଉତ୍ତର ବାସ୍ତବରେ ମିଳେନି। ଉତ୍ତରରେ କିନ୍ତୁ ଏପରି କୁହାଯାଏ, କୋଭିଡ୍‌ ଗାଇଡ୍‌ଲାଇନ୍ସ ଅନୁସାରେ ଯେଉଁ ମୃତ୍ୟୁ ତଥ୍ୟ ଆସେ, ତାହା ପ୍ରକାଶ କରାଯାଏ। ଗ୍ରାମାଞ୍ଚଳରୁ ତଥ୍ୟ ପାଇବା କଷ୍ଟ ହେଉଛି। କାରଣ ଗ୍ରାମାଞ୍ଚଳରେ କୋଭିଡ୍‌ ପରୀକ୍ଷା କମ୍‌ ହେଉଛି। ପରିବାର ଲୋକ ସାମାଜିକ ବାସନ୍ଦ ଏବଂ ଘୃଣାକୁ ଭୟ କରି ସୂଚନା ଦେବାକୁ କୁଣ୍ଠା କରୁଛନ୍ତି। କିନ୍ତୁ ବର୍ତ୍ତମାନର ଆଧୁନିକ ଭାରତରେ ସମସ୍ତ ଶକ୍ତ ସୂଚନା ତନ୍ତ୍ର ଥିବା ସତ୍ତ୍ୱେ ଯେ ଗ୍ରାମାଞ୍ଚର ନିର୍ଭୁଲ ସୂଚନା ଆମେ ପାଇ ପାରୁନାହୁଁ, ତାହାହିଁ ବିଡ଼ମ୍ବନା।
ଭାରତରେ ମୃତକଙ୍କୁ ମର୍ଯ୍ୟାଦା ଦିଆଯାଏ। ସତ୍କାର ପୂର୍ବରୁ ଶବକୁ ଶୁଦ୍ଧ, ପବିତ୍ର କରାଯାଏ। ନୂତନ ବସ୍ତ୍ର, ଫୁଲ ଚନ୍ଦନରେ ସଜେଇ ଦିଆଯାଏ। ମୃତ୍ୟୁକୁ ନେଇ ଉତ୍ସବ ପାଳନ ହୁଏ। କିନ୍ତୁ ନଈପଠାରେ, ନଈପାଣିରେ ନିଜ ଆତ୍ମୀୟଙ୍କ ଶବକୁ ଏବେ ଏମିତି ଅମର୍ଯ୍ୟାଦା ଭାବେ ଫିଙ୍ଗାଯାଉଛି କାହିଁକି? ଏହାର କିଛି କାରଣ ଆସୁଛି। ପ୍ରଥମ କାରଣ ହେଉଛି, ଶବ ସତ୍କାର ପାଇଁ ଆବଶ୍ୟକ ଅର୍ଥ ଗାଁ ଲୋକଙ୍କ ପାଖରେ ଏବେ ନାହିଁ। କାଠ କିଣିବାକୁ ପଇସା ନାହିଁ। କାମ ଅଭାବରୁ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ବୃଦ୍ଧି ପାଇଛି। ଅନ୍ୟ ଏକ କାରଣ ହେଲା, କରୋନା ଯେ ଏକ ସାଙ୍ଘାତିକ ଅଛୁଆଁ ରୋଗ ଯାହାକୁ ଛୁଇଁଦେଲେ ଅନ୍ୟ ଜଣଙ୍କର ମୃତ୍ୟୁ ବି ହୋଇପାରେ, ଏ ଧାରଣା ଏବେ ମଧ୍ୟ ଲୋକଙ୍କ ଭିତରେ ଜମାଟ ବାନ୍ଧି ରହିଛି। ଏ ଧାରଣା ବିରୋଧରେ ଏ ପର୍ଯ୍ୟନ୍ତ ଏକ ପ୍ରଭାବୀ ସଚେତନତା ସୃଷ୍ଟି ହୋଇ ପାରିନାହିଁ। ହଜାର ହଜାର ବର୍ଷ ଧରି ଭାରତୀୟ ସାମାଜିକ ତଥା ପାରିବାରିକ ସମ୍ପର୍କରେ ଆତ୍ମୀୟତାକୁ ନେଇ ଯେଉଁ ଗର୍ବ ଥିଲା, ସେଇ ଆତ୍ମୀୟତା ଏବଂ ଗର୍ବକୁ କରୋନା ଛଡ଼େଇ ନେଇସାରିଲାଣି। ‘ମଲା ଗଲା’ର ପୁରୁଣା ଧାରଣା ଏବେ କେମିତି ନିଷ୍ଠୁରତା ଆଣିଦେଇଛି। ଶବ ପ୍ରତି ସମ୍ମାନ ପଛକୁ, ତେଣୁ ଠେଲି ହୋଇଗଲାଣି।
କରୋନାରେ ସଂକ୍ରମିତ ଏବଂ ମୃତ୍ୟୁସଂଖ୍ୟା ଯଦି ଜାଣି ଜାଣି ଗୋପନ ରଖାଯାଉଥାଏ ଏବଂ ମିଛ ଆଶା ସୃଷ୍ଟି ପାଇଁ ପ୍ରୟାସ ହେଉଥାଏ, ଏହା ସାଙ୍ଘାତିକ। ଏଥିରେ ବିପଦ ଅଛି। ଏ ବିପଦ ହେଉଛି ସାଧାରଣରେ କରୋନା ଆଚରଣ ପାଳନ କରିବାର ଗମ୍ଭୀରତାକୁ ଏହା ହ୍ରାସ କରିଦେବ ଏଇ ଯେମିତି ପ୍ରଥମ ଲହର ପରେ ଆମର ଢିଲାପଣ କରୋନାର ଦ୍ୱିତୀୟ ଲହରକୁ ଆମନ୍ତ୍ରଣ କଲା ଏବଂ ଅନ୍ୟ ବିପଦଟି ହେଉଛି ମିଛ ମୃତ୍ୟୁସଂଖ୍ୟା ଭବିଷ୍ୟତ ପାଇଁ ଉପଯୁକ୍ତ ଯୋଜନା ତିଆରି କରିବାରେ ବାଧକ ହିଁ ହେବ। ସତ୍ୟ ଏବଂ ନିର୍ଭୁଲ ତଥ୍ୟ ଆଧାରରେ ପ୍ରସ୍ତୁତ ହୋଇ ନଥିବା ଯେକୌଣସି ଯୋଜନା କେବେ ସଫଳ ହୋଇ ନଥାଏ। ପଥ ଭୁଲ ହେଲେ ଲକ୍ଷ୍ୟ ଭୁଲ ହୁଏ। ଭାରତ ର ବିଶେଷଜ୍ଞମାନେ ତେଣୁ ତଥ୍ୟ ନ ଲୁଚେଇବାକୁ ସରକାରଙ୍କୁ ପରାମର୍ଶ ଦେଇ ସାରିଲେଣି। ସୁତରାଂ ସତ୍ୟ ନ ଲୁଚୁ। ଅନ୍ତତଃ ପରିସଂଖ୍ୟାନଟିରେ ରହିବା ପାଇଁ, ସେ ଜନ୍ମ ହେଉ ବା ମୃତ୍ୟୁ ନାଗରିକର ଅଧିକାର ରହୁ।
ପୁରୀ, ମୋ: ୯୮୬୧୪୬୯୩୨୮


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri