ବହୁଭାଷୀୟ ଶ୍ରେଣୀ ବ୍ୟବସ୍ଥାର ବିଚାର

ଲୋକନାଥ ପଣ୍ଡା

 

ନିକଟରେ ମୟୂରଭଞ୍ଜ ଜିଲାର ଯଶୀପୁର ଅଞ୍ଚଳର କେତୋଟି ଆଦିବାସୀ ଗାଁର ଗ୍ରାମବାସୀ ଓ ଶିଶୁଙ୍କ ସହ ବୁଲିବାର ସୁଯୋଗ ମିଳିଥିଲା। ଆଦିବାସୀ ବହୁଳ ଦୁର୍‌ଦୁରା ଗ୍ରାମରେ ମାଙ୍ଗଡ଼ିଆ, ଖଡ଼ିଆ, ସାନ୍ତାଳ, ହୋ ଜନଜାତିର ପରିବାର ବସବାସ କରୁଛନ୍ତି। ସେମାନଙ୍କ ଭାଷାରେ ସାମଞ୍ଜସ୍ୟ ରହିଥିଲେ ମଧ୍ୟ ପ୍ରତ୍ୟେକ ଜନଜାତିର ଭାଷା ସ୍ବତନ୍ତ୍ର। ଭାଷାର ପ୍ରୟୋଗକୁ ନେଇ ପ୍ରାଥମିକ ଓ ପ୍ରାକ୍‌-ପ୍ରାଥମିକ ସ୍ତରରେ ସ୍କୁଲର ଶିକ୍ଷକ, ଗୋଷ୍ଠୀ ଶିକ୍ଷା କେନ୍ଦ୍ରର ସ୍ବେଚ୍ଛାସେବୀ, ମାଆମାନଙ୍କ ସହିତ ଆଲୋଚନା କରୁଥିଲି। ଏହି ସମୟରେ ଗୋଷ୍ଠୀ ଶିକ୍ଷା କେନ୍ଦ୍ରରେ, ବିଦ୍ୟାଳୟରେ କିପରି ବିଭିନ୍ନ ଭାଷାଭାଷୀର ଶିଶୁ ଶିକ୍ଷାଲାଭ କରୁଛନ୍ତି, ତାହାକୁ ଅନୁଧ୍ୟାନ କରୁଥିଲି। ଦେଖୁଥିଲି, ଏକାଠି ସାନ୍ତାଳ,କୋହ୍ଲ/ହୋ, ମାଙ୍ଗିଡ଼ିଆ, ଖଡ଼ିଆ ଶିଶୁ ଶିକ୍ଷାଲାଭ କରୁଛନ୍ତି। ସମସ୍ତଙ୍କ ଭାଷାରେ ପ୍ରଭେଦ ରହିଛି। ସମସ୍ତଙ୍କ ଭାଷା ମଧ୍ୟରେ ସମନ୍ବୟ ରହିଛି ଏବଂ ପରସ୍ପର ଭାଷାର ବିକାଶରେ ସାହାଯ୍ୟ କରୁଛନ୍ତି। ଗଜପତି ଜିଲାର ଆଦିବାସୀ ବହୁଳ ଅଞ୍ଚଳରେ, ରାୟଗଡ଼ା ଜିଲାର କେତେକ ଅଞ୍ଚଳରେ ମଧ୍ୟ ଏହିଭଳି ବହୁଭାଷୀ ଶିଶୁ ଏକାଠି ପଢ଼ିବା ଦେଖିଛି, ଯଥା ସେଠାରେ ସଉରା, କନ୍ଧ, ତେଲୁଗୁ, ଓଡ଼ିଆ ଏହିପରି ଚାରି ପାଞ୍ଚ ପ୍ରକାର ଶିଶୁ ଏକାଠି ଶିକ୍ଷାଲାଭ କରିବାର ନଜିର ରହିଛି। ସମସ୍ତେ ବୋଧହୁଏ ଓଡ଼ିଆକୁ ବାଧ୍ୟ ହୋଇ ଆପଣାଇଛନ୍ତି। ଓଡ଼ିଶାରେ ଏହିଭଳି ଅନେକ ଅଞ୍ଚଳ ରହିଛି, ଯେଉଁଠି ଚାରି ପାଞ୍ଚ ପ୍ରକାର ଭାଷାଭାଷୀ ଶିଶୁ ଏକାଠି ଶିକ୍ଷାଲାଭ କରୁଛନ୍ତି। ସେହିଭଳି ସ୍ଥିତିରେ ଭାଷାଗତ ବିବିଧତାରେ ସମତା ଆଣିବା, ଏହାକୁ ଏକ ସମ୍ବଳ ଓ ସୁଯୋଗ ବୋଲି ଭାବିବା ଏବଂ ଏକ ଆହ୍ବାନ ଭାବରେ ଗ୍ରହଣ କରି ନିଆଯିବ, ତାହାକୁ ହୃଦୟଙ୍ଗମ କରିବାର ଆବଶ୍ୟକତା ସମ୍ପର୍କରେ ମନରେ ଭାବନା ଆସୁଥିଲା। ସହରାଞ୍ଚଳରେ ବହୁଭାଷୀ ହେବାର ସୁଯୋଗ ରହିଛି, କିନ୍ତୁ ତାହା ମଧ୍ୟ ସୀମିତ। ଓଡ଼ିଶାର ଆଦିବାସୀ ଅଞ୍ଚଳ ପରିପ୍ରେକ୍ଷୀରେ ଯଦି ଆମେ ଆଲୋଚନା କରିବା, ତେବେ ଅନେକ ଅଞ୍ଚଳରେ ଏହିଭଳି ସ୍ଥିତି ଓ ସମ୍ଭାବନା ରହିଛି। ଦାୟିତ୍ୱ ହେଉଛି, ପିଲାମାନଙ୍କର ଭାଷାକୁ ନେଇ ତାଙ୍କର ମାତୃଭାଷା ମାଧ୍ୟମରେ ସମ୍ଭାବନାକୁ ଜାଗ୍ରତ କରିବା ଏବଂ ଏହାକୁ ବିକଶିତ କରିବା।
ସବୁଠାରୁ ବଡ଼କଥା ହେଲା ଯିଏ ଅଧିକ ଭାଷା ଶିଖିଛି, ସିଏ ନିଶ୍ଚୟ ଆଗରେ ରହେ। ମାତୃଭାଷା ଆଧାରିତ ବହୁଭାଷୀ ଶିକ୍ଷା ଦ୍ୱାରା ଶିଶୁଟିର ଶିଖିବାର ପ୍ରକ୍ରିୟା କ୍ଷିପ୍ର ହୋଇଥାଏ ବୋଲି ଅନେକ ଅଧ୍ୟୟନରୁ ଜଣାପଡ଼ିଛିି। ଅନେକ ସମୟରେ କୁହାଯାଇଛି ଯେ, ଶିଶୁଟି ଯଦି ପ୍ରାରମ୍ଭିକ ସମୟରେ ଅନେକ ଭାଷା ସହିତ ସମ୍ପର୍କରେ ଆସେ, ତେବେ ତାହାର ଭାଷା ଶିଖିବାର ପ୍ରକ୍ରିୟାରେ ସମ୍ଭାବନା ଓ ସୁଯୋଗଗୁଡ଼ିକ ବେଶି ବଢ଼ିଯାଇଥାଏ। ବହୁଭାଷୀ ଶ୍ରେଣୀୟ ପ୍ରାକ୍‌-ପ୍ରାଥମିକ ଶିକ୍ଷା ଅବା ପ୍ରାଥମିକ ଶିକ୍ଷାକୁ ଯଦି ଆମେ ଆଲୋଚନା କରିବା, ଓଡ଼ିଶା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଏହିଭଳି ବହୁଭାଷୀ ହେବାର ସୁଯୋଗ ଅନେକ କ୍ଷେତ୍ରରେ ଦେଖାଦେଇଥାଏ। ଅନେକ ଭାଷାର ସମ୍ବଳ ହେଉ, କଥିତ ଭାଷାର ସମ୍ବଳ ହେଉ, ପ୍ରାକୃତିକ ସମ୍ବଳ ହେଉ, ଏହାକୁ ଜାଗ୍ରତ କରିବା; ସେମାନଙ୍କ ଭାଷାକୁ ନେଇ ଆତ୍ମସମ୍ମାନ ବିକାଶ କରିବା ଓ ଆତ୍ମବିଶ୍ୱାସ ଜାଗ୍ରତ କରିବା ହେଉଛି ସବୁଠାରୁ ବଡ଼ କଥା। ଶିଶୁଟି ନିଶ୍ଚିତ ଭାବରେ ଜନ୍ମ ହେବା ପୂର୍ବରୁ ହିଁ ଭାଷାକୁ ନେଇ ଜନ୍ମ ହେଉଛି। ତା’ର ମା’, ପରିବାର, ପରିବେଶ, ପ୍ରକୃତିକୁ ନେଇ ତା’ ଭିତରେ ଭାଷାର ବିକାଶ ହେଉଛି। ଅଙ୍ଗନଓ୍ବାଡି କେନ୍ଦ୍ର ହେଉ ବା ପ୍ରାଥମିକ ବିଦ୍ୟାଳୟ ଗଲା ପରେ ତାହାର ଭାଷାର ବ୍ୟାପ୍ତ ଆପେ ଆପେ ବଢ଼ିଥାଏ।
ମାତୃଭାଷା ହେଉ, ବହୁଭାଷୀକତାକୁ ନେଇ ଆଞ୍ଚଳିକ ସ୍ତରରେ ଏ ପର୍ଯ୍ୟନ୍ତ ଅନେକ ଦ୍ୱନ୍ଦ୍ୱ ରହିଛି। ସହରାଞ୍ଚଳରେ ଓଡ଼ିଆ, ହିନ୍ଦୀ ଏବଂ ଇଂଲିଶକୁ ଗୁରୁତ୍ୱ ଦେବା ବେଳେ ଗାଁ ଗହଳି ସ୍ତରରେ ମଧ୍ୟ ଏହାକୁ ନକଲ କରାଯାଉଛି। ଫଳରେ ଆଞ୍ଚଳିକ ଭାଷାଗୁଡ଼ିକ ଗୋଡ଼ାଣିଆ ହୋଇ ତାହାର ଅସ୍ତିତ୍ୱ ହରାଉଛି ଏବଂ ଆସ୍ତେ ଆସ୍ତେ ଆଞ୍ଚଳିକ ଭାଷା, ସଂସ୍କୃତି ଆଦି ନଷ୍ଟ ହେବାରେ ଲାଗିଛି। ସମୟ ଆସିଛି, ବିବିଧତାକୁ ସମ୍ମାନ ଦେବା, ଆଞ୍ଚଳିକ, ତୃଣମୂଳ ସ୍ତରରେ ଥିବା ସଂଖ୍ୟାଲଘୁ ଭାଷାକୁ ନେଇ ଅଧିକ ଯତ୍ନଶୀଳ ଓ କ୍ରିୟାଶୀଳ କରିବା। ଗାଁ ସ୍ତରର ଭାଷାକୁ ସମ୍ମାନର ସହ ଦୃଷ୍ଟି ଦେବାକୁ ପଡ଼ିବ। ଗ୍ରାମବାସୀଙ୍କ ମଧ୍ୟରେ ନିଜର ଭାଷା, ସଂସ୍କୃତିକୁ ନେଇ ପୁନର୍ଜାଗରଣ ହେବା ଦରକାର। ଜଣେ ଆଦିବାସୀ ଯେପରି ନିଜର ଭାଷାକୁ ନେଇ ହୀନମନ୍ୟତା ଶିକାର ନ ହେବ, ସେହିଭଳି କାର୍ଯ୍ୟକଳାପ ବନ୍ଦ ହେବା ଦରକାର। ଆଦିବାସୀମାନଙ୍କ ଭାଷା ମଧ୍ୟରେ ନିଜର ସଂସ୍କୃତି, ସ୍ବାବଲମ୍ବନ, ଆତ୍ମସ୍ବାଭିମାନକୁ ନେଇ ସେମାନଙ୍କ ମଧ୍ୟରେ ବୀଜ ଅଙ୍କୁରିତ ହେବା ଦରକାର।
ଓଡ଼ିଶା କ୍ଷେତ୍ରରେ ନେଇଥିବା ପଦକ୍ଷେପ ସମ୍ପର୍କରେ ଯଦି ଆମେ ଆଲୋଚନା କରିବା, ଆଦିବାସୀ ଅଞ୍ଚଳରେ ମାତୃଭାଷା ଆଧାରିତ ଶିକ୍ଷାଦାନ ନିମନ୍ତେ ସରକାରଙ୍କ ତରଫରୁ ଭାଷା ନୀତି ହୋଇଛି। ଜନଜାତି ବହୁଳ ଅଞ୍ଚଳରେ ଶିକ୍ଷାଦାନ ପାଇଁ ଆଞ୍ଚଳିକ ଭାଷାରେ ଶିକ୍ଷଣ ସାମଗ୍ରୀ, ଅଙ୍ଗନଓ୍ବାଡି ନିମନ୍ତେ ନୂଆ ଅରୁଣିମା ହୋଇଛି। କିନ୍ତୁ ଏହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ଦରକାର। ଏଥିସହିତ ଗ୍ରାମୀଣ ଅଞ୍ଚଳରେ କଥିତ ଭାଷାରେ ଅନେକ ଭାଷା ସମ୍ବନ୍ଧୀୟ ସମ୍ବଳ ରହିଛି, ତାହାକୁ ଶିକ୍ଷାଦାନରେ ବ୍ୟବହାର ହେବା ଉଚିତ। ଶିକ୍ଷକ ହୁଅନ୍ତୁ କିମ୍ବା ଶିକ୍ଷା କାର୍ଯ୍ୟକ୍ରମରେ ସଂପୃକ୍ତ ବ୍ୟକ୍ତିବିଶେଷ ମଧ୍ୟରେ ବହୁଭାଷୀ ଶିକ୍ଷାକୁ ଏକ ସୁଯୋଗ ଓ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିବା ଆବଶ୍ୟକ। ଶ୍ରେଣୀଗୃହରେ ବହୁଭାଷାଭାଷୀ ଶିଶୁ ଯେପରି ନିଜ ନିଜ ଭାଷାରେ ଶିକ୍ଷା ପାଇବାର ସୁଯୋଗ ପାଇବେ, ସେଥିପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହେବା ଦରକାର। ଏଥିରେ ଶିକ୍ଷକଙ୍କୁ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଣ୍ଣୟ କରିବାକୁ ପଡ଼ିବ।
ବହୁଭାଷୀକତା ତଥା ପ୍ରାଥମିକ ସ୍ତରରେ ବହୁଭାଷୀ ଶ୍ରେଣୀୟ ବ୍ୟବସ୍ଥା ସମ୍ପର୍କରେ ଅଧିକ ଅଧ୍ୟୟନ ହେବା ସହିତ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ପ୍ରୟୋଗ ହେବାର ଆବଶ୍ୟକତା ରହିଛି। ଏହାକୁ ନେଇ କେତୋଟି ହାତଗଣତି ଅନୁଷ୍ଠାନ, ବ୍ୟକ୍ତିବିଶେଷ ଏହାକୁ ଅଧ୍ୟୟନ କରି ପ୍ରୟୋଗ କରୁଛନ୍ତି କିମ୍ବା ଏହାର ପ୍ରୟୋଗକୁ ଉତ୍ସାହିତ କରୁଛନ୍ତି, କିନ୍ତୁ ଏହାକୁ ନେଇ ଅଧିକ ଆଲୋଚନା, ପ୍ରୟୋଗ ହେବା ଦରକାର। ବହୁଭାଷୀକତାକୁ ଯଦି ଅଙ୍ଗନଓ୍ବାଡି କେନ୍ଦ୍ରରୁ ହେଉ କିମ୍ବା ପ୍ରାଥମିକ ବିଦ୍ୟାଳୟ ସ୍ତରରେ ପରୀକ୍ଷାମୂଳକ ଭାବରେ କେତୋଟି ବିଦ୍ୟାଳୟରେ ଗୁରୁତ୍ୱ ଦିଆଯିବ, ତେବେ ଏହାର ପ୍ରଭାବ ନିଶ୍ଚିତ ଭାବରେ ପଡ଼ିବ। ଭାଷାବିତ୍‌, ଯେଉଁମାନେ ଭାଷା, ସଂସ୍କୃତି, ବହୁଭାଷୀ ଶିକ୍ଷାଦାନରେ ବିଶ୍ୱାସ ରହିଛି ଏବଂ ସମାଜରେ ଅଙ୍ଗୀକାରବଦ୍ଧତା ରହିଛି, ସେମାନଙ୍କୁ ଏଥିରେ ସାମିଲ କରିବା ଦରକାର। ଶିକ୍ଷକ ସମାଜ ହେଉ, ଛାତ୍ର ସମାଜ ହେଉ କିମ୍ବା ଗୋଷ୍ଠୀଙ୍କ ମଧ୍ୟରେ ଭାଷା, ସଂସ୍କୃତିକୁ ନେଇ ଆତ୍ମସମ୍ମାନ ଜାଗ୍ରତ କରିବା ସହିତ ଶ୍ରେଣୀଗୃହରେ ବହୁଭାଷୀକତାକୁ ସ୍ବତନ୍ତ୍ର ଓ ଗୁରୁତ୍ୱର ସହିତ ଦୃଷ୍ଟି ଦେବାକୁ ପଡ଼ିବ।
ରାଣୀଗୁଡ଼ା, ରାୟଗଡ଼ା,
ମୋ:୯୪୩୮୦୮ ୧୪୩୦


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri