ପରୀକ୍ଷା ପୂର୍ବରୁ ଆତ୍ମବିଶ୍ୱାସ

ଷ୍ଟନ ୟୁନିଭରସିଟିର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି କଲେଜ ଛାତ୍ରଙ୍କ ମଧ୍ୟରେ ଉଦାସୀନତା, ଦୁଶ୍ଚିନ୍ତା ଓ ନକାରାତ୍ମକ ଚିନ୍ତାଧାରା ବୃଦ୍ଧି ପାଇ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।
୩୩ ହଜାର କଲେଜ ଛାତ୍ରୀଛାତ୍ରଙ୍କୁ ନେଇ ହୋଇଥିବା ଏହି ଅଧ୍ୟୟନରେ ଯେଉଁସବୁ କାରଣ ଯୁବପିଢ଼ିକୁ ଭାରାକ୍ରାନ୍ତ ଓ ଚିନ୍ତିତ କରୁଛି ତାହା ହେଲା ପରୀକ୍ଷା ଚିନ୍ତା, କୋଭିଡ୍‌-୧୯ ମହାମାରୀ, ରାଜନୈତିକ ଅସ୍ଥିରତା, ବ୍ୟବସ୍ଥିତ ଜାତିଭେଦ ଏବଂ ଅସମାନତା ବୃଦ୍ଧି ପାଇବାରେ ଲାଗିଛି ବୋଲି ଜଣାପଡ଼ିଛି। ଛୋଟ ଛୋଟ ସମସ୍ୟାକୁ ସାମ୍ନା କରିପାରିବାର ଅକ୍ଷମତା ଏବଂ ସେଥିରୁ ମୁକ୍ତି ପାଇଁ ନିଶା ଓ ଦରକାର ପଡ଼ିଲେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାରେ ଆଜିର ଯୁବପିଢ଼ି ଭ୍ରୂକ୍ଷେପ କରୁନି ।
ଗୋଟିଏ ଭୁଲ୍‌ କିମ୍ବା ଗୋଟିଏ ଅସଫଳତାରେ ଜୀବନର ସବୁକିଛି ସରି ଯାଏନି, ଯେତେବେଳେ ଓ ଯୋଉଠୁ ଛିଡା ହେଇ ନିଷ୍ପତ୍ତି କଲେ ସେଇଠୁ ନୂଆ ଜୀବନ ଆରମ୍ଭ ହୁଏ। ଉଲ୍ଲେଖଯୋଗ୍ୟ ଯେ, ଯୋଉ ପିଲାଟି ନିଜର ଅସଫଳତା ପାଇଁ ବ୍ୟଗ୍ର ହୋଇପଡ଼େ ଓ ନିଜକୁ କୌଣସି କାମ ପାଇଁ ଯୋଗ୍ୟ ନୁହେଁ ବୋଲି ଭାବିନିଏ ସେ ବୁଝିପାରେନି ନକାରାତ୍ମକ ଚିନ୍ତା କରିବା ତାକୁ ଜୀବନର କେତେ ବଡ଼ ଭୁଲ୍‌ କରିବାକୁ ଆଗେଇ ନିଏ। ଖବରକାଗଜ ପୃଷ୍ଠାରେ ଛାତ୍ର ଆତ୍ମହତ୍ୟା ବିଷୟରେ ଶୁଣିଲେ ଆମେ ତାକୁ ପରୀକ୍ଷାରେ ବିଫଳ ହେବାର କାରଣ ବୋଲି ଅନୁମାନ କରୁ। ଏକଥା ସତ ଯେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନେ ପ୍ରାୟତଃ ଚାପ ଅନୁଭବ କରନ୍ତି। ଯଦିଓ ଏକ ନିର୍ଦ୍ଦିିଷ୍ଟ ପରିମାଣର ଚାପ ଲାଭଦାୟକ ହୋଇପାରେ, ଅତ୍ୟଧିକ ପରୀକ୍ଷା ଚାପ ଛାତ୍ରକୁ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିପାରେ।
ପରୀକ୍ଷା ଚାପର କାରଣ ଜାଣିଲେ ଛାତ୍ରମାନଙ୍କୁ ସେମାନଙ୍କର ଭାବନାକୁ ବୁଝିବାରେ ଏବଂ ସେମାନଙ୍କର ଚିନ୍ତା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ ଅନୁଯାୟୀ ୨୦୧୫ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ ଆମ ଦେଶରେ ୩୯,୭୭୫ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ୨୦୧୨ର ଲାନସେଟ ରିପୋର୍ଟ ଅନୁଯାୟୀ, ଭାରତରେ ୧୫ ରୁ ୨୯ ବର୍ଷ ବୟସର ଯୁବକମାନଙ୍କ ଆତ୍ମହତ୍ୟା ହାର ବିଶ୍ୱରେ ସର୍ବାଧିକ, ଯାହା ଅତ୍ୟନ୍ତ ଚିନ୍ତାଜନକ। ସବୁ ମାତାପିତା ସେମାନଙ୍କ ପିଲାମାନଙ୍କଠାରୁ ବହୁତ ଆଶା କରନ୍ତି ଏବଂ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାକୁ ସେମାନଙ୍କ ଉପରେ ଚାପ ପ୍ରୟୋଗ କରନ୍ତି। ଫଳରେ ପିଲା ପରୀକ୍ଷାରେ କୃତକାର୍ଯ୍ୟ ନ ହେଲେ ଭବିଷ୍ୟତ ଅନ୍ଧକାରମୟ ବୋଲି ଧରିନିଏ। ଏ ବିଷୟରେ ଏକ ରୋଚକ ତଥ୍ୟ ଉପସ୍ଥାପନ କରାଯାଇପାରେ। ଏଇ କଥାଟି ଗପ ନୁହେଁ କି କାହାଣୀ ନୁହଁ। କଥାଟି ଊନବିଂଶ ଶତାବ୍ଦୀର। ଜଣେ ପିଲାକୁ ସ୍କୁଲ ଛୁଟିବେଳେ ପ୍ରଧାନଶିକ୍ଷକ ଏକ ବନ୍ଦ ଲଫାପାରେ ଚିଠିଟିଏ ଧରେଇ ଦେଇ କହିଲେ ମା’କୁ ଦେବୁ। ପିଲାଟିର ବାପା ନ ଥା’ନ୍ତି। ସାର୍‌ଙ୍କ କହିବା ଅନୁଯାୟୀ ପିଲାଟି ଆସୁ ଆସୁ ଚିଠିଟି ମା’ହାତକୁ ବଢ଼େଇ ଦେଲା। ଛିଠିରେ ଉଲ୍ଲେଖ ଥିଲା…
”ମାନନୀୟା ଅଭିଭାବିକା,
ଆପଣଙ୍କ ପୁଅ ଗୋଟେ ଗଜ ମୂର୍ଖ। ତା’ପାଖରେ ଏକ ସାଧାରଣ ପିଲାର ଜ୍ଞାନ ନାହିଁ। ସେ ପାଠ ପଢ଼ିବା ପାଇଁ ଅଯୋଗ୍ୟ। ମୁଁ ଦୁଃଖର ସହିତ କହିବାକୁ ଚାହୁଁଛି ଯେ ତୁମ ପୁଅକୁ ଆମ ସ୍କୁଲରେ ଆଉ ରଖି ହେବ ନାହିଁ। ତାକୁ ଅନ୍ୟତ୍ର କୋଉ ଏକ ସ୍କୁଲକୁ ସ୍ଥାନାନ୍ତର କରିଦିଅନ୍ତୁ, ଯୋଉଠି ଏଭଳି ପିଲାଙ୍କ ପ୍ରତି ଅତିରିକ୍ତ ଧ୍ୟାନ ରଖାଯାଏ। ଏହା ତା’ଭବିଷ୍ୟତ ପାଇଁ ଭଲ।“ ଚିଠି ପଢ଼ିସାରି ପିଲାଟିର ମା’ମନ ଦୁଃଖ କଲେ। ପିଲାଟି ପ୍ରଶ୍ନ କଲା, ମା’ ଚିଠିରେ କ’ଣ ଲେଖା ଅଛି? ଆଖିର ଲୁହକୁ ତରବର କରି ପୋଛି ଦେଇ ମା’ ପୁଅକୁ ଆଦରରେ ଜାବୁଡ଼ି ଧରିଲେ। ତା’ ମୁଣ୍ଡକୁ ଆଉଁସି କହିଲେ, ”ତୁ ସମସ୍ତଙ୍କଠୁ ଅଲଗା। ତୋଠି କିଛି ବିଶେଷ ଗୁଣ ଅଛି, ଯାହା ବିଷୟରେ ପ୍ରଧାନଶିକ୍ଷକ ମୋତେ ଲେଖିଛନ୍ତି। ମୁଁ ଏହା ଜାଣି ବହୁତ ଖୁସି। ତୋର କୌଣସି ସାଙ୍ଗ ତୋ ଭଳି ମେଧାବୀ ଓ ଚାଲାକ ନୁହନ୍ତି। ତେଣୁ ତୁମ ସ୍କୁଲ ପ୍ରଶାସନ ତୋତେ ସବୁ ପିଲାଙ୍କ ସହ ଏକାଠି ପଢ଼େଇ ପାରୁନି। ପ୍ରଧାନଶିକ୍ଷକ ଚାହୁଁଛନ୍ତି ତୋର ଆଡ୍‌ମିଶନ ଆଉ ଏକ ଭଲ ସ୍କୁଲରେ କରିବାକୁ। ଯୋଉଠି ତୋ ଭଳି ଅତି ଗୁଣୀ ଓ ମେଧାବୀ ପିଲା ପଢୁଛନ୍ତି।“ ପିଲାଟି ଆଶ୍ୱସ୍ତ ଅନୁଭବ କଲା। ସେଇଦିନୁ କୌଣସି ସ୍କୁଲକୁ ନ ଯାଇ ନିଜ ମାତାଙ୍କ ପାଖରେ ପଢ଼ିଲା I ସେଇ ପିଲାଟି ବଡ଼ ହୋଇ ବିଖ୍ୟାତ ବୈଜ୍ଞାନିକ ଥୋମାସ ଆଲଭା ଏଡିସନ ଭାବରେ ସୁଖ୍ୟାତି ଅର୍ଜନ କଲେ। ବିଶ୍ୱର ସବୁଠୁ ବିଦ୍ୱାନ ଓ ବୁଦ୍ଧିମାନ ବୈଜ୍ଞାନିକ ଭାବରେ ପରିଚିତ ହେଲେ। ଗ୍ରାମଫୋନ, ବିଦ୍ୟୁତ୍‌ ବଲ୍‌ବ ଇତ୍ୟାଦି ଅନେକ ଜିନିଷ ଉଦ୍ଭାବନ କଲେ। କଥା ଏତିକିରେ ସରିନି। ଆଉ ଗୋଟେ ରୋଚକ କଥା ହେଲା ଦିନେ ଥୋମାସ ଏଡିସନ ତାଙ୍କ ମାଆଙ୍କର ପୁରୁଣା ଟ୍ରଙ୍କ ବାକ୍‌ସକୁ ଖୋଲିଲା ବେଳକୁ ଏକ ଚିଠି ପାଇଲେ। ସେଇ ଚିଠି ଯାହାକୁ ପିଲାଦିନେ ପ୍ରଧାନଶିକ୍ଷକ ତାଙ୍କ ମାଆକୁ ଦେଇଥିଲେ। ଚିଠି ପଢ଼ିଲା ବେଳକୁ ତାଙ୍କ ଆଖିରୁ ଲୁହ ବୋହି ଗଲା। ସେ ନିଜେ ନିଜକୁ ବିଶ୍ୱାସ କରିପାରିଲେନି। ସେ ତାଙ୍କ ମାଆଙ୍କ ସାହସ ଓ ଧୈର୍ଯ୍ୟ ଆଗରେ ନତମସ୍ତକ ହେଲେ। କାନ୍ଥରେ ଟଙ୍ଗା ଯାଇଥିବା ମାଆଙ୍କ ଫଟୋକୁ ଅନେଇଲେ। ମାଆ ତାଙ୍କ ଜୀବନକୁ କେମିତି ପରିବର୍ତ୍ତନ କରିଦେଲେ ସେ ଆଜି ଅନୁଭବ କରିପାରୁଥିଲେ। ସ୍କୁଲର ସବୁଠୁ ଗଧ ପିଲାକୁ ସେ ବିଶ୍ୱର ସବୁଠୁ ବୁଦ୍ଧିମାନ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ କରିଦେଲେ। ତେଣୁ ଭଲ ନମ୍ବର ନ ରହିବା ବା ଅନ୍ୟମାନଙ୍କ ଭଳି ଭଲ କରି ନ ପାରିଲେ ମଧ୍ୟ ଜଣେ ଭଲ ମଣିଷଟିଏ ହୋଇପାରିବ।
ପରୀକ୍ଷାରେ ଭଲ ନମ୍ବର ଆଣିପାରିଲେ ବହୁତ ଭଲ। ମାତ୍ର ଯଦି ଚେଷ୍ଟା କରିବା ସତ୍ତ୍ୱେ କମ୍‌ ନମ୍ବର ଆସିଲା ଦୁଃଖୀ ହେବା ଅନୁଚିତ। ଉଲ୍ଲେଖଯୋଗ୍ୟ, ଇତିହାସର ଅନେକ ମହାପୁରୁଷ ପିଲାଦିନେ ମେଧାବୀ ଛାତ୍ର ନ ଥିଲେ। ଉଦାହରଣ ସ୍ବରୂପ ଆଇନ୍‌ଷ୍ଟାଇନ, ବେଞ୍ଜାମିନ ଫ୍ରାଙ୍କ୍‌ଲିନ, ଷ୍ଟିଭ୍‌ ଜବ, ବିଲ୍‌ ଗେଟ୍‌ସ, ବାଲଟ୍‌ ଡିଜନି, ମାର୍କ ଜୁକର୍‌ବର୍ଗ ଓ ସଚିନ୍‌ ତେନ୍ଦୁଲକର ପ୍ରମୁଖ ମହାନ୍‌ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ କେହିଜଣେ ଭଲ ଛାତ୍ର ନ ଥିଲେ। ତେଣୁ ଆତ୍ମବିଶ୍ୱାସ ହରେଇ ନିଜର ଦୁର୍ବଳତା କୋଉଠି ଖୋଜି କରି ତା’ର ନିରାକରଣ କରିବା ଆବଶ୍ୟକ। ତେଣୁ ପରୀକ୍ଷା ପୂର୍ବରୁ ପିଲାର ଆତ୍ମବିଶ୍ୱାସ ବୃଦ୍ଧି କରେଇବା ଉଭୟ ମାତାପିତା ଓ ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ।

– ଡ. ନରେନ୍ଦ୍ର ସେଠୀ
ପୂର୍ବ ସିଂହଭୂମି, ଯାଦୁଗୁଡା, ଝାରଖଣ୍ଡ, ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?