ମାଟି ଓ ମେଘର ମହାମିଳନ

ବିମଳ ପ୍ରସନ୍ନ ଦାସ

ଓଡ଼ିଶାର ରଜପର୍ବ ତା’ର ନିଜସ୍ବ ସଂସ୍କୃତି ଓ ପରମ୍ପରାର ଅଲିଭା ଆଲେଖ୍ୟ। ମାଟି ଆଉ ମେଘର ହୁଏ ମହାମିଳନ। ଓଡ଼ିଶାର ଉପକୂଳବର୍ତ୍ତୀ ଗାଁ ଗହଳିରେ ମୁଖରିତ ହୁଏ କିଶୋରୀମାନଙ୍କର ମନମତାଣିଆ ସଙ୍ଗୀତର ଝଙ୍କାର।
”ବନସ୍ତେ ଡାକିଲା ରଜ – ବରଷକେ ଥରେ ଆସିଛି ରଜ ଲୋ ଘେନି ନୂଆ ସଜବାଜ।“ x x x ”ଯାରେ ରଜଦୋଳି ଉଡ଼ି ଯା – ମାଟି ମୋର ମରମ କଥା ମେଘ ଲୋକେ କହି ଆ। “ ଏହି ପରିପ୍ରେକ୍ଷୀରେ ସ୍ବତଃ ମନେ ପଡ଼ିଯାଏ ମହାକବି କାଳିଦାସଙ୍କ ବର୍ଣ୍ଣିତ କାଳଜୟୀ କୃତି ‘ମେଘଦୂତମ୍‌’ – ଯେଉଁଥିରେ ନାୟକ ତା’ର ମରମ କଥା ନାୟିକା ନିକଟକୁ ମେଘ ମାଧ୍ୟମରେ ପ୍ରେରଣା କରିଛି। ଜ୍ୟେଷ୍ଠ ଶେଷ, ଆଷାଢ଼ର ଆରମ୍ଭ ଭୂମି ସହ ଭୂମାର, ଧରିତ୍ରୀ ସହ ଆକାଶର ମିଳନ ବେଳା – ତୃଷାର୍ତ୍ତ ଧରିତ୍ରୀ ଆଷାଢ଼ର ଆଶ୍ଳେଷ ପାଇଁ ଚାହିଁ ରହିଥାଏ। ନିଜକୁ ପୁଷ୍ପବତୀ କରିବାର ଦୁର୍ବାର ଆକାଙ୍‌କ୍ଷା। ଏ ସମୟରେ ନାରୀ ଓ ମାଟି ଉଭୟ ସମାନ। ଉଭୟ ଈଶ୍ୱରଙ୍କ ଅନୁପମ ସୃଷ୍ଟି। ନାରୀ ପ୍ରେମ, ତ୍ୟାଗ, ତିତିକ୍ଷା, ଶ୍ରଦ୍ଧା, ସମ୍ବେଦନା ଏବଂ ସହାନୁଭୂତି ଦେଇ ତା’ର ଉତ୍ତରାଧିକାରୀକୁ ପୃଥିବୀକୁ ଆଣେ, ଲାଳନ ପାଳନ କରେ। ପ୍ରକୃତି ମଧ୍ୟ ଠିକ୍‌ ଅନୁରୂପ। ତା’ ଗର୍ଭରେ ବୀଜ ଅଙ୍କୁରିତ ହୁଏ, ପତ୍ର, ଫୁଲ, ଫଳ ଧରେ। ସକଳଙ୍କ ପାଇଁ ବଞ୍ଚିବାର ମାଧ୍ୟମ ପାଲଟିଯାଏ। ବିରକ୍ତି ଓ ବିରାମ ନାହିଁ। ପ୍ରତିବାଦର ପ୍ରଶ୍ନ ଅବାନ୍ତର। କେତେ ପ୍ରୀତିପଦ, ସୁନ୍ଦର ଓ ଆହ୍ଲାଦିନୀ ସିଏ। ମଣିଷ ମାଟିର ସେବା କରେ। ପ୍ରଣାମ କରେ ତାକୁ।
ରଜ ଆମ ରାଜ୍ୟରେ ଏକ କୃଷି ପ୍ରଧାନ ପର୍ବ ମଧ୍ୟ। ତେଣୁ କୃଷକ ମାଟିକୁ ରଜ ୩ଦିନ ଆରାଧନା କରେ। ଅନ୍ୟ ଅର୍ଥରେ କହିଲେ, ନାରୀ ପରି ମାଟି ରଜ ୩ଦିନ ଋତୁମତି ହୁଏ। ତାକୁ ଛୁଇଁବା ମନା। ସେ ନିଜକୁ ପ୍ରସ୍ତୁତ କରିନିଏ ନିର୍ଦ୍ଦିଷ୍ଟ ଭାବରେ ପୃଥିବୀର କଲ୍ୟାଣ ଲାଗି। କାରଣ ଏକ ସୁଖ, ସମୃଦ୍ଧି ଭବିଷ୍ୟତକୁ ଜନ୍ମଦେବା ତା’ର ଲକ୍ଷ୍ୟ। ଏହି ତ୍ରିଦିବସୀୟ ପର୍ବର ଶେଷ ଦିନଟି ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ଏହାକୁ ‘ଧରିତ୍ରୀ ସ୍ନାନ’ କୁହାଯାଏ। ଏହି ୩ ଦିନ ଲଙ୍ଗଳ ଲୁହା, ଶିଳପୁଆ, କୃଷିର ଅନ୍ୟ ସକଳ ଉପକରଣ ଓ ଉପଯୋଗୀ ଉପାଦାନକୁ ଧୋଇ ପୂଜା କରିବାର ବିଧି ରହିଛି। ହଳଦୀପାଣିରେ ଏ ସବୁକୁ ସ୍ନାନକରାଇ ନୂତନ ବସ୍ତ୍ର ପିନ୍ଧାଇ ଦିଆଯାଏ। ଚନ୍ଦନ, ସିନ୍ଦୂର ଓ କଜଳରେ ମଣ୍ଡି ଦିଆଯାଏ। ପୂଜା ଶେଷରେ ପ୍ରଣାମ କରି ମା ‘ଧରିତ୍ରୀର’ ଆଶିଷ ଭିକ୍ଷା କରାଯାଏ।
ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ରଜ ଏକ ବହୁ ଆକାଙ୍‌୍‌କ୍ଷିତ ପର୍ବ। କୃଷକ ସମେତ ସ୍ଥାନୀୟ ଲୋକେ ଆନନ୍ଦରେ ଅପେକ୍ଷା କରିଥାନ୍ତି ଏହି ଗଣପର୍ବକୁ। ଝିଅମାନେ ନୂଆ ବେଶଭୂଷାରେ ମଣ୍ଡିତ ହୋଇଯାନ୍ତି। ଆପାଦମସ୍ତକ ବିଭିନ୍ନ ରଙ୍ଗର ସମାହାର। ପାଦରେ ଅଳତା, ମଥାରେ ଟିପି ଟିପି ଚନ୍ଦନ ଓ ଆଖିରେ ଆକର୍ଷଣୀୟ କଜଳ। ସେମାନଙ୍କ କଣ୍ଠରୁ ଝରି ଆସେ ନିଜ ଭାଇ ନିମନ୍ତେ ଶୁଭ କାମନାର ମନମତାଣିଆ ରଜଦୋଳି ଗୀତ ଯଥା : ”ରଜ ଦୋଳି କଟମଟ – ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, ଦିଶୁଥାଏ ଝଟଝଟ।“ ତା’ ସହିତ ଆହୁରି ଥଟ୍ଟାମଜା ଓ ହସ କୌତୂକର ମନଛୁଆଁ ଆଳାପ। ସେଇମାନଙ୍କ କଣ୍ଠରୁ ପୁଣି ଝରିଯାଏ ଝିଅ ଜୀବନର ନିରାଟ ବାସ୍ତବତାର ଚିତ୍ର। ଝିଅ ଜନମ ପର ଘରକୁ – ”ଘର ଉପରେ ଘର – ଘରେ ଥିଲାବେଳେ ଘରର ଝିଅ ଲୋ – ଏରୁଣ୍ଡି ଡେଇଁଲେ ପର“। ଅର୍ଥାତ୍‌ ଏହି ରଜଦୋଳି ଗୀତ ମାଧ୍ୟମରେ ଫୁଟିଉଠେ ଝିଅବୋହୂମାନଙ୍କର ହସ, କାନ୍ଦ ଓ ସୁଖ-ଦୁଃଖର ଦୈନନ୍ଦିନ ଜୀବନର ଚିତ୍ର।
ଓଡ଼ିଶାରେ ରଜଦୋଳି ମୁଖତଃ ୨ପ୍ରକାରର। ଗୋଟିଏ ରଜଦୋଳି ଗୀତ ଓ ଅନ୍ୟଟି କେଳୁଣୀର ଦୋଳି ଗୀତ। ଗାଁ ଗହଳିରେ କେଳୁଣୀମାନେ ବାଉଁଶ ଦୋଳିରେ ବସି ଗୀତ ବୋଲନ୍ତି। ସେମାନେ ଗୀତ ମାଧ୍ୟମରେ ଶ୍ରୀଜଗନ୍ନାଥ ଓ ରଥଯାତ୍ରାର ବର୍ଣ୍ଣନା କରିବାର ପରମ୍ପରା ରହିଛି।
କେବଳ ଓଡ଼ିଶାରେ ନୁହେଁ, ପୃଥିବୀର ବହୁ ସ୍ଥାନରେ ବର୍ଷାଋତୁର ଆରମ୍ଭରେ ଭୂମିପୂଜାର ପରମ୍ପରା ରହିଛି। ମାତ୍ର ଓଡ଼ିଶାର ରଜପର୍ବ ତା’ର ନିଜସ୍ବ ସଂସ୍କୃତି। ଅନ୍ୟ କୌଣସି ସ୍ଥାନରେ ଏପରି ୩ଦିନ ରଜପର୍ବ ପାଳିତ ହେବାର ଦୃଷ୍ଟାନ୍ତ ପ୍ରାୟ ଦେଖାଯାଏ ନାହିଁ।
ସଜବାଜଠାରୁ ଆରମ୍ଭକରି ରଜ ୪ଦିନ ଯାକ ଘରେ ବହୁ ପ୍ରକାର ପିଠାପଣା – ଯଥା ପୋଡ଼ପିଠା, ଚକୁଳି, ଏଣ୍ଡୁରି, ମଣ୍ଡା, ଆରିଶା, କାକରା ଇତ୍ୟାଦିରେ ପରିବେଶ ମହକି ଯାଏ। କିଶୋରୀମାନେ ଘରକୁ ଘର ବୁଲି ସାଇ ପଡ଼ିଶାରେ ପିଠା ବାଣ୍ଟନ୍ତି। ଆଜି ଆଧୁନିକ ସଭ୍ୟତାରେ ରଜପର୍ବର ମୌଳିକତା ହଜିଗଲାଣି। କେବଳ ବିଧିବିଧାନରେ ସୀମିତ।
ମୋ : ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri