ମାଟି ଓ ମେଘର ମହାମିଳନ

ବିମଳ ପ୍ରସନ୍ନ ଦାସ

ଓଡ଼ିଶାର ରଜପର୍ବ ତା’ର ନିଜସ୍ବ ସଂସ୍କୃତି ଓ ପରମ୍ପରାର ଅଲିଭା ଆଲେଖ୍ୟ। ମାଟି ଆଉ ମେଘର ହୁଏ ମହାମିଳନ। ଓଡ଼ିଶାର ଉପକୂଳବର୍ତ୍ତୀ ଗାଁ ଗହଳିରେ ମୁଖରିତ ହୁଏ କିଶୋରୀମାନଙ୍କର ମନମତାଣିଆ ସଙ୍ଗୀତର ଝଙ୍କାର।
”ବନସ୍ତେ ଡାକିଲା ରଜ – ବରଷକେ ଥରେ ଆସିଛି ରଜ ଲୋ ଘେନି ନୂଆ ସଜବାଜ।“ x x x ”ଯାରେ ରଜଦୋଳି ଉଡ଼ି ଯା – ମାଟି ମୋର ମରମ କଥା ମେଘ ଲୋକେ କହି ଆ। “ ଏହି ପରିପ୍ରେକ୍ଷୀରେ ସ୍ବତଃ ମନେ ପଡ଼ିଯାଏ ମହାକବି କାଳିଦାସଙ୍କ ବର୍ଣ୍ଣିତ କାଳଜୟୀ କୃତି ‘ମେଘଦୂତମ୍‌’ – ଯେଉଁଥିରେ ନାୟକ ତା’ର ମରମ କଥା ନାୟିକା ନିକଟକୁ ମେଘ ମାଧ୍ୟମରେ ପ୍ରେରଣା କରିଛି। ଜ୍ୟେଷ୍ଠ ଶେଷ, ଆଷାଢ଼ର ଆରମ୍ଭ ଭୂମି ସହ ଭୂମାର, ଧରିତ୍ରୀ ସହ ଆକାଶର ମିଳନ ବେଳା – ତୃଷାର୍ତ୍ତ ଧରିତ୍ରୀ ଆଷାଢ଼ର ଆଶ୍ଳେଷ ପାଇଁ ଚାହିଁ ରହିଥାଏ। ନିଜକୁ ପୁଷ୍ପବତୀ କରିବାର ଦୁର୍ବାର ଆକାଙ୍‌କ୍ଷା। ଏ ସମୟରେ ନାରୀ ଓ ମାଟି ଉଭୟ ସମାନ। ଉଭୟ ଈଶ୍ୱରଙ୍କ ଅନୁପମ ସୃଷ୍ଟି। ନାରୀ ପ୍ରେମ, ତ୍ୟାଗ, ତିତିକ୍ଷା, ଶ୍ରଦ୍ଧା, ସମ୍ବେଦନା ଏବଂ ସହାନୁଭୂତି ଦେଇ ତା’ର ଉତ୍ତରାଧିକାରୀକୁ ପୃଥିବୀକୁ ଆଣେ, ଲାଳନ ପାଳନ କରେ। ପ୍ରକୃତି ମଧ୍ୟ ଠିକ୍‌ ଅନୁରୂପ। ତା’ ଗର୍ଭରେ ବୀଜ ଅଙ୍କୁରିତ ହୁଏ, ପତ୍ର, ଫୁଲ, ଫଳ ଧରେ। ସକଳଙ୍କ ପାଇଁ ବଞ୍ଚିବାର ମାଧ୍ୟମ ପାଲଟିଯାଏ। ବିରକ୍ତି ଓ ବିରାମ ନାହିଁ। ପ୍ରତିବାଦର ପ୍ରଶ୍ନ ଅବାନ୍ତର। କେତେ ପ୍ରୀତିପଦ, ସୁନ୍ଦର ଓ ଆହ୍ଲାଦିନୀ ସିଏ। ମଣିଷ ମାଟିର ସେବା କରେ। ପ୍ରଣାମ କରେ ତାକୁ।
ରଜ ଆମ ରାଜ୍ୟରେ ଏକ କୃଷି ପ୍ରଧାନ ପର୍ବ ମଧ୍ୟ। ତେଣୁ କୃଷକ ମାଟିକୁ ରଜ ୩ଦିନ ଆରାଧନା କରେ। ଅନ୍ୟ ଅର୍ଥରେ କହିଲେ, ନାରୀ ପରି ମାଟି ରଜ ୩ଦିନ ଋତୁମତି ହୁଏ। ତାକୁ ଛୁଇଁବା ମନା। ସେ ନିଜକୁ ପ୍ରସ୍ତୁତ କରିନିଏ ନିର୍ଦ୍ଦିଷ୍ଟ ଭାବରେ ପୃଥିବୀର କଲ୍ୟାଣ ଲାଗି। କାରଣ ଏକ ସୁଖ, ସମୃଦ୍ଧି ଭବିଷ୍ୟତକୁ ଜନ୍ମଦେବା ତା’ର ଲକ୍ଷ୍ୟ। ଏହି ତ୍ରିଦିବସୀୟ ପର୍ବର ଶେଷ ଦିନଟି ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ଏହାକୁ ‘ଧରିତ୍ରୀ ସ୍ନାନ’ କୁହାଯାଏ। ଏହି ୩ ଦିନ ଲଙ୍ଗଳ ଲୁହା, ଶିଳପୁଆ, କୃଷିର ଅନ୍ୟ ସକଳ ଉପକରଣ ଓ ଉପଯୋଗୀ ଉପାଦାନକୁ ଧୋଇ ପୂଜା କରିବାର ବିଧି ରହିଛି। ହଳଦୀପାଣିରେ ଏ ସବୁକୁ ସ୍ନାନକରାଇ ନୂତନ ବସ୍ତ୍ର ପିନ୍ଧାଇ ଦିଆଯାଏ। ଚନ୍ଦନ, ସିନ୍ଦୂର ଓ କଜଳରେ ମଣ୍ଡି ଦିଆଯାଏ। ପୂଜା ଶେଷରେ ପ୍ରଣାମ କରି ମା ‘ଧରିତ୍ରୀର’ ଆଶିଷ ଭିକ୍ଷା କରାଯାଏ।
ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ରଜ ଏକ ବହୁ ଆକାଙ୍‌୍‌କ୍ଷିତ ପର୍ବ। କୃଷକ ସମେତ ସ୍ଥାନୀୟ ଲୋକେ ଆନନ୍ଦରେ ଅପେକ୍ଷା କରିଥାନ୍ତି ଏହି ଗଣପର୍ବକୁ। ଝିଅମାନେ ନୂଆ ବେଶଭୂଷାରେ ମଣ୍ଡିତ ହୋଇଯାନ୍ତି। ଆପାଦମସ୍ତକ ବିଭିନ୍ନ ରଙ୍ଗର ସମାହାର। ପାଦରେ ଅଳତା, ମଥାରେ ଟିପି ଟିପି ଚନ୍ଦନ ଓ ଆଖିରେ ଆକର୍ଷଣୀୟ କଜଳ। ସେମାନଙ୍କ କଣ୍ଠରୁ ଝରି ଆସେ ନିଜ ଭାଇ ନିମନ୍ତେ ଶୁଭ କାମନାର ମନମତାଣିଆ ରଜଦୋଳି ଗୀତ ଯଥା : ”ରଜ ଦୋଳି କଟମଟ – ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, ଦିଶୁଥାଏ ଝଟଝଟ।“ ତା’ ସହିତ ଆହୁରି ଥଟ୍ଟାମଜା ଓ ହସ କୌତୂକର ମନଛୁଆଁ ଆଳାପ। ସେଇମାନଙ୍କ କଣ୍ଠରୁ ପୁଣି ଝରିଯାଏ ଝିଅ ଜୀବନର ନିରାଟ ବାସ୍ତବତାର ଚିତ୍ର। ଝିଅ ଜନମ ପର ଘରକୁ – ”ଘର ଉପରେ ଘର – ଘରେ ଥିଲାବେଳେ ଘରର ଝିଅ ଲୋ – ଏରୁଣ୍ଡି ଡେଇଁଲେ ପର“। ଅର୍ଥାତ୍‌ ଏହି ରଜଦୋଳି ଗୀତ ମାଧ୍ୟମରେ ଫୁଟିଉଠେ ଝିଅବୋହୂମାନଙ୍କର ହସ, କାନ୍ଦ ଓ ସୁଖ-ଦୁଃଖର ଦୈନନ୍ଦିନ ଜୀବନର ଚିତ୍ର।
ଓଡ଼ିଶାରେ ରଜଦୋଳି ମୁଖତଃ ୨ପ୍ରକାରର। ଗୋଟିଏ ରଜଦୋଳି ଗୀତ ଓ ଅନ୍ୟଟି କେଳୁଣୀର ଦୋଳି ଗୀତ। ଗାଁ ଗହଳିରେ କେଳୁଣୀମାନେ ବାଉଁଶ ଦୋଳିରେ ବସି ଗୀତ ବୋଲନ୍ତି। ସେମାନେ ଗୀତ ମାଧ୍ୟମରେ ଶ୍ରୀଜଗନ୍ନାଥ ଓ ରଥଯାତ୍ରାର ବର୍ଣ୍ଣନା କରିବାର ପରମ୍ପରା ରହିଛି।
କେବଳ ଓଡ଼ିଶାରେ ନୁହେଁ, ପୃଥିବୀର ବହୁ ସ୍ଥାନରେ ବର୍ଷାଋତୁର ଆରମ୍ଭରେ ଭୂମିପୂଜାର ପରମ୍ପରା ରହିଛି। ମାତ୍ର ଓଡ଼ିଶାର ରଜପର୍ବ ତା’ର ନିଜସ୍ବ ସଂସ୍କୃତି। ଅନ୍ୟ କୌଣସି ସ୍ଥାନରେ ଏପରି ୩ଦିନ ରଜପର୍ବ ପାଳିତ ହେବାର ଦୃଷ୍ଟାନ୍ତ ପ୍ରାୟ ଦେଖାଯାଏ ନାହିଁ।
ସଜବାଜଠାରୁ ଆରମ୍ଭକରି ରଜ ୪ଦିନ ଯାକ ଘରେ ବହୁ ପ୍ରକାର ପିଠାପଣା – ଯଥା ପୋଡ଼ପିଠା, ଚକୁଳି, ଏଣ୍ଡୁରି, ମଣ୍ଡା, ଆରିଶା, କାକରା ଇତ୍ୟାଦିରେ ପରିବେଶ ମହକି ଯାଏ। କିଶୋରୀମାନେ ଘରକୁ ଘର ବୁଲି ସାଇ ପଡ଼ିଶାରେ ପିଠା ବାଣ୍ଟନ୍ତି। ଆଜି ଆଧୁନିକ ସଭ୍ୟତାରେ ରଜପର୍ବର ମୌଳିକତା ହଜିଗଲାଣି। କେବଳ ବିଧିବିଧାନରେ ସୀମିତ।
ମୋ : ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri