ଜଳବାୟୁ: ହାନି ଓ କ୍ଷୟକ୍ଷତି

ଜଳବାୟୁ ପରିବର୍ତ୍ତନ ସଙ୍କଟର ବିନାଶକାରୀ ପ୍ରଭାବରେ ସଂଘଟିତ ବିବିଧ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଚରମ ଘଟଣା କ୍ରମଶଃ ଅଧିକ ବିଧ୍ୱଂସକାରୀ ରୂପେ ପ୍ରକଟିତ ହେଉଛି। ଏସବୁ ଘଟଣାର ତୀବ୍ରତା ବୃଦ୍ଧି ଘଟୁଛି ଏବଂ ଭବିଷ୍ୟତରେ ପରିଣାମ ଅଧିକ ଭୟଙ୍କର ହେବାର ସମ୍ଭାବନାକୁ ଜଳବାୟୁ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି। ବିଶ୍ୱ ପାଣିପାଗ ସଂଗଠନ ବ୍ୟକ୍ତ କରିଛି ଯେ ଜଳବାୟୁ ବିଜ୍ଞାନ ସ୍ପଷ୍ଟ ରୂପେ ଇଙ୍ଗିତ କରୁଛି ଆମେ ଭୁଲ୍‌ ଦିଗରେ ଗତି କରୁଛୁ। ଏହା ସତର୍କ କରିଦେଇଛି ଯେ ଯଥେଷ୍ଟ ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମ ଗ୍ରହଣର ଅଭାବରେ ଆଗାମୀ ସମୟରେ ଜଳବାୟୁ ପରିବର୍ତ୍ତନର ଭୌତିକ ଏବଂ ସାମାଜିକ-ଅର୍ଥନୈତିକ ପ୍ରଭାବ ଅଧିକ ଭୟଙ୍କର ହେବ। ସଂଗଠନର ୨୦୨୨ର ‘ବିଜ୍ଞାନରେ ସମ୍ମିଳିତ’ ରିପୋର୍ଟରେ ଦର୍ଶାଯାଇଛି ଯେ ଜୀବାଶ୍ମ ଇନ୍ଧନର ଅତ୍ୟଧିକ ବ୍ୟବହାର ଏବଂ ଏସବୁର ଦହନରୁ ନିର୍ଗତ ରେକର୍ଡ ପରିମାଣର ସବୁଜଗୃହ ବାଷ୍ପ ସମସ୍ୟାକୁ ତୀବ୍ରତର କରୁଛି I ଅତଏବ, ପ୍ୟାରିସ ଚୁକ୍ତିନାମାର ଈପ୍ସିତ ଲକ୍ଷ୍ୟ ଉତ୍ତାପ ବୃଦ୍ଧିକୁ ଦେଢ଼(୧.୫) ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖିବା ନିମନ୍ତେ ୨୦୩୦ ସୁଦ୍ଧା ଏହି ବାଷ୍ପ ନିର୍ଗମନ ହ୍ରାସନରେ ପ୍ରତିଶ୍ରୁତିର ଅଭିଳାଷ ସାତଗୁଣ ଅଧିକ ହେବା ବାଞ୍ଛନୀୟ। ଏବେ ୟୁରୋପୀୟ ୟୁନିଅନର କୋପର୍ନିକସ ଜଳବାୟୁ ପରିବର୍ତ୍ତନ ସେବାର ବୈଜ୍ଞାନିକମାନେ ନିଶ୍ଚିତ କରିଛନ୍ତି ଯେ ବିଗତ ଏକ ଲକ୍ଷ ବର୍ଷ ମଧ୍ୟରେ ୨୦୨୩ ହେଉଛି ସର୍ବ ଉତ୍ତପ୍ତ ବର୍ଷ, ଯାହା ୨୦୧୬ ବର୍ଷର ତାପମାତ୍ରା ରେକର୍ଡକୁ ଅତିକ୍ରମ କରିଛି। ସମଭାବରେ ୨୦୨୩ରେ କୋଇଲା, ତୈଳ ଏବଂ ପ୍ରାକୃତିକ ଗ୍ୟାସ୍‌ ଦହନରୁ ବିଶ୍ୱର ଅଙ୍ଗାରକାମ୍ଳ ନିର୍ଗମନ ମଧ୍ୟ ରେକର୍ଡ ସ୍ତରକୁ ଉନ୍ନୀତ ହୋଇଛି। ଏସବୁ ଘଟଣା ଆଗାମୀ ବିଭୀଷିକାର ସୂଚକ ନୁହେଁ ତ?
ଏକ ଅନୁସନ୍ଧାନ ଦର୍ଶାଏ ଯେ ବିଗତ ଦୁଇ ଦଶନ୍ଧି ମଧ୍ୟରେ ଜଳବାୟୁ ସଙ୍କଟ କାରଣରୁ ୫୫ଟି ଦୁର୍ବଳ ଦେଶ ୫୨୫ ବିଲିୟନ ଡଲାର ସମ୍ମିଳିତ କ୍ଷତିର ସମ୍ମୁଖୀନ ହୋଇଛନ୍ତି ଏବଂ ୨୦୩୦ ସୁଦ୍ଧା ଏହି ପରିମାଣ ବାର୍ଷିକ ୫୮୦ ବିଲିୟନ ଡଲାରରେ ପହଞ୍ଚତ୍ବ ବୋଲି ଆକଳନ କରାଯାଇଛି। ଜଳବାୟୁ ସଙ୍କଟରୁ ଘଟୁଥିବା ଏସବୁ କ୍ଷତିର ଭରଣା ଉଦ୍ଦେଶ୍ୟରେ ପୋଲାଣ୍ଡର ୱାର୍ସରେ ୨୦୧୩ରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ କୋପ-୧୯ ଅବସରରେ ଯଦିଓ ‘ହାନି ଓ କ୍ଷୟକ୍ଷତି ପାଣ୍ଠି’ ସ୍ଥାପିତ ହେବାର ଘୋଷଣା ହୋଇଥିଲା, କିନ୍ତୁ ବାସ୍ତବରେ ଇଜିପ୍ଟର ଶର୍ମ ଏଲ୍‌-ଶେଖ୍ରେ ୨୦୨୨ରେ ଅନୁଷ୍ଠିତ କୋପ-୨୭ ଅବସରରେ ଏହି ପାଣ୍ଠିର ପ୍ରତିଷ୍ଠା ଏବଂ କାର୍ଯ୍ୟକ୍ଷମ ନିମନ୍ତେ ରାଷ୍ଟ୍ରମାନେ ଏକ ଐତିହାସିକ ନିଷ୍ପତ୍ତିରେ ଉପନୀତ ହୋଇଥିଲେ। ଏହି ପାଣ୍ଠିର ଗଠନ ହେଉଛି ବିଶେଷ ରୂପେ ଜଳବାୟୁ ସଙ୍କଟର ପ୍ରତିକୂଳ ପ୍ରଭାବ ଦୃଷ୍ଟିରୁ ଗମ୍ଭୀର ଭାବେ ଅସୁରକ୍ଷିତ, ଅଭାବୀ ବିକାଶଶୀଳ ଦେଶମାନଙ୍କର ବିଗତ କେତେ ଦଶନ୍ଧିର ଚାପର ପରିଣାମ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ। ହାନି ଓ କ୍ଷୟକ୍ଷତି ହେଉଛି ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ମରୁଡ଼ି, ବନ୍ୟା, ବାତ୍ୟା, ସମୁଦ୍ର ପତ୍ତନର ବୃଦ୍ଧି ଓ ଉପକୂଳ ଅବକ୍ଷୟ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟରୁ ଘଟୁଥିବା ବିଭିନ୍ନ ନକାରାତ୍ମକ ଘଟଣାର ପରିଣାମ। ଆଗାମୀ ସମୟରେ ଜଳବାୟୁ ସଙ୍କଟ କ୍ରମଶଃ ଅଧିକ ତୀବ୍ରତର ହେଲେ ଏପରି ବିପର୍ଯ୍ୟୟ ଅଧିକତର ଭୟଙ୍କର ହେବାର ସମ୍ଭାବନା ରହିଛି।
ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରଶମିତ କରିବା ଏବଂ ଏହି ସଙ୍କଟ ସହ ଖାପ ଖୁଆଇବା ନିମନ୍ତେ ଲୋକମାନଙ୍କର ଦକ୍ଷତାରେ ବୃଦ୍ଧି ଘଟାଯିବା ଜରୁରୀ। ଏଥି ନିମନ୍ତେ ଏହି ଆର୍ଥିକ ପାଣ୍ଠିର ବିନିଯୋଗ ଅତ୍ୟନ୍ତ ପ୍ରୟୋଜନୀୟ। ଅନ୍ୟ ପକ୍ଷରେ ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ରୁଷିଆ, ଇଂଲଣ୍ଡ ଓ ଅନ୍ୟ ୟୁରୋପୀୟ ରାଷ୍ଟ୍ର, ସାଉଦୀ ଆରବ, ୟୁଏଇ, କୁୱେଟ ଓ ଅନ୍ୟ ତୈଳ ଉତ୍ପାଦନକାରୀ ଦେଶ ତଥା ଅନ୍ୟାନ୍ୟ ଧନୀ ରାଷ୍ଟ୍ରମାନେ ବିଶ୍ୱ ତାପମାତ୍ରା ବୃଦ୍ଧିର ପ୍ରମୁଖ କାରକ ସବୁଜଗୃହ ବାଷ୍ପର ସର୍ବାଧିକ ନିର୍ଗମନ ନିମନ୍ତେ ଦାୟୀ। ଅତଏବ ଏହି ପାଣ୍ଠିର ସମୃଦ୍ଧି ନିମନ୍ତେ ସେମାନେ ଅକୁଣ୍ଠ ଚିତ୍ତରେ ସହାୟତା ପ୍ରଦାନ କରିବା ବିଧେୟ। କିଛି ଅର୍ଥନୀତିଜ୍ଞଙ୍କ ମତାନୁଯାୟୀ ବର୍ତ୍ତମାନ ସମୟର ଆବଶ୍ୟକତା ବହୁ ଟ୍ରିଲିୟନ ଡଲାର ହୋଇଥିବାରୁ ଆମେରିକା ପରି ବିକଶିତ ରାଷ୍ଟ୍ରମାନଙ୍କର ଏହି ପାଣ୍ଠିକୁ ମୁକ୍ତ ହସ୍ତରେ ଦାନ କରିବାର ଅନିଚ୍ଛା ମୁଖ୍ୟ ବାଧକ ରୂପେ ଉଭା ହୋଇଛି।
ହାନି ଓ କ୍ଷୟକ୍ଷତିର ବର୍ଦ୍ଧିତ ଆହ୍ବାନର ମୁକାବିଲା ନିମନ୍ତେ ଅଭିନବ ଅର୍ଥ ସଂଗ୍ରହର ଆବଶ୍ୟକତା ଥିଲାବେଳେ ନିକଟରେ ୨୦୨୩ ଡିସେମ୍ବରରେ ୟୁଏଇର ଦୁବାଇ ସହରରେ ସମାପ୍ତ ହୋଇଥିବା କୋପ-୨୮ ଅବସରରେ ଏହି ପାଣ୍ଠିକୁ ପ୍ରଦତ୍ତ ପ୍ରତିଶ୍ରୁତିର ପରିମାଣ ହେଉଛି ମାତ୍ର ୭୦୦ ନିୟୁତ ଡଲାର୍‌। ଏହା ଜଳବାୟୁ ସଙ୍କଟ ପ୍ରତିହତ ନିମନ୍ତେ ଅଭାବୀ ରାଷ୍ଟ୍ରମାନଙ୍କର ପ୍ରତିବର୍ଷ ଆବଶ୍ୟକ ହେଉଥିବା ୪୦୦ ବିଲିୟନ ଡଲାରର ମାତ୍ର ୦.୨ ପ୍ରତିଶତ। ତେବେ ଆକଳିତ ପ୍ରାରମ୍ଭିକ ପାଣ୍ଠି ୪୭୫ ନିୟୁତ ଡଲାର ନିମନ୍ତେ ସମ୍ମିଳନୀ ଅବସରରେ ଆୟୋଜକ ୟୁଏଇ ୧୦୦ ନିୟୁତ ଡଲାର, ୟୁରୋପୀୟ ସଂଘ ୨୭୫ ନିୟୁତ ଡଲାର, ଆମେରିକା ୧୭.୫ ନିୟୁତ ଡଲାର ଏବଂ ଜାପାନ ୧୦ ନିୟୁତ ଡଲାରର ପ୍ରତିଶ୍ରୁତି ବହନ କରିଥିଲେ। ଅସୁରକ୍ଷିତ ସମ୍ପ୍ରଦାୟମାନଙ୍କର ଆବଶ୍ୟକତା ପୂରଣ ଦିଗରେ ବର୍ତ୍ତମାନର ‘ସବୁଜ ଜଳବାୟୁ ପାଣ୍ଠି’ ପରି ଅର୍ଥ ଅନୁଷ୍ଠାନ ଯେତିକି ଅସମର୍ଥ ହେଉଛନ୍ତି, ସେହି ଅଭାବକୁ ପୂରଣ କରିବାରେ ହାନି ଓ କ୍ଷୟକ୍ଷତି ପାଣ୍ଠି ସମର୍ଥ ହେବ ବୋଲି ଆଶା କରାଯାଏ। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ମଧ୍ୟ ଜଳବାୟୁ ସୂଚନା ଉପଲବ୍ଧ ହେବା ନିମନ୍ତେ ତିମୋର-ଲେଷ୍ଟେ, ଆଜରବୈଜାନ, ଏଲ୍‌ ସାଲଭାଡୋର୍‌, ଘାନା, ମାଳଦ୍ୱୀପ, ସୁଦାନ ଏବଂ ପ୍ରଶାନ୍ତ ମହାସାଗରୀୟ ବିକାଶଶୀଳ ଦ୍ୱୀପଦେଶଗୁଡିକୁ ପ୍ରାରମ୍ଭିକ ସତର୍କତା ପ୍ରଣାଳୀ ଏବଂ ଦକ୍ଷତା ବୃଦ୍ଧି ପରି ଚାହିଦାନୁଯାୟୀ ବୈଷୟିକ ସହାୟତା ପ୍ରଦାନ କରୁଛି I
ଜଳବାୟୁ ପରିବର୍ତ୍ତନ ଉପରେ ଆନ୍ତଃ-ସରକାରୀ ଗୋଷ୍ଠୀ (ଆଇପିସିସି)ର ୨୦୨୨ ରିପୋର୍ଟ ‘ପ୍ରଭାବ, ଖାପ ଖୁଆଇବା ଏବଂ ଦୁର୍ବଳତା’ର ମୁଖ୍ୟ ଲେଖକ ଆଡେଲ ଥୋମାସଙ୍କ ମତରେ ହାନି ଓ କ୍ଷୟକ୍ଷତିର ନିର୍ଦ୍ଦିଷ୍ଟ ସଂଜ୍ଞା ଉପଲବ୍ଧ ନାହିଁ ଏବଂ ଏହା ବିଭିନ୍ନ ଗୋଷ୍ଠୀ ପାଇଁ ଭିନ୍ନଭିନ୍ନ ଅର୍ଥବୋଧକ ହୋଇଥାଏ। ତେବେ ଏହାକୁ ମୁଖ୍ୟତଃ ଅର୍ଥନୈତିକ କିମ୍ବା ଅଣ-ଅର୍ଥନୈତିକ ଶ୍ରେଣୀଭୁକ୍ତ କରାଯାଏ। ଜଳବାୟୁଜନିତ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ନଷ୍ଟ ହୋଇଥିବା କୃଷି ଫସଲରୁ ରାଜସ୍ବ ହାନିକୁ ଏକ ମୁଦ୍ରା ମୂଲ୍ୟ ନ୍ୟସ୍ତ କରିହେବ। କିନ୍ତୁ କେତେକ କ୍ଷେତ୍ରରେ ଏହା ମାନସିକ ଆଘାତପ୍ରାପ୍ତିର କାରଣ ହୋଇଥାଏ, ଯେପରିକି ଘୂର୍ଣ୍ଣିବାତ୍ୟାର ଗମ୍ଭୀର ପ୍ରଭାବର ଅନୁଭୂତି, ଲୋକମାନଙ୍କର ବିସ୍ଥାପନ ହେତୁ ସମ୍ପ୍ରଦାୟ ମଧ୍ୟରେ ସଂଘଟିତ ବିଭାଜନ କିମ୍ବା ସ୍ଥାନୀୟ ଜୈବବିବିଧତାର ଅବକ୍ଷୟ, ଏସବୁକୁ ଅର୍ଥନୈତିକଭିତ୍ତିରେ ମୂଲ୍ୟାୟନ କରିବା ସମ୍ଭବ ନୁହେଁ। ପରିବର୍ତ୍ତିତ ଜଳବାୟୁ ପ୍ରଭାବର ସମସ୍ତ ହାନି ଓ କ୍ଷୟକ୍ଷତିର ମୁକାବିଲା ଏକ କଷ୍ଟସାଧ୍ୟ ପ୍ରକ୍ରିୟା ହୋଇଥିବାରୁ ମାନବଜାତି ନିମନ୍ତେ ଶ୍ରେଷ୍ଠ ବିକଳ୍ପ ହେଉଛି ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାର ଏବଂ ଏଥିରୁ ଉତ୍ପନ୍ନ ସବୁଜଗୃହ ବାଷ୍ପ ନିର୍ଗମନକୁ ଯଥାସାଧ୍ୟ ନିୟନ୍ତ୍ରଣ କରିବା। ହାନି ଓ କ୍ଷୟକ୍ଷତି ଭରଣା ନିମନ୍ତେ ଅଧିକ ସମ୍ବଳର ବିନିଯୋଗ ଦ୍ୱାରା ମାନବଜାତିର ୨୦୩୦ ନିରନ୍ତର ବିକାଶ ଲକ୍ଷ୍ୟ ହାସଲକୁ ସାକାର କରିବା ସମ୍ଭବପର ହୋଇପାରିବ।

  • ଡ. ଜୟକୃଷ୍ଣ ପାଣିଗ୍ରାହୀ
    ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
    ମୋ: ୯୪୩୭୦୭୬୧୦୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?