ଜଳବାୟୁ ନ୍ୟାୟ

ସାମାଜିକ ନ୍ୟାୟ ପରି ପରିବେଶ ନ୍ୟାୟ, ପରିବେଶ ଉପରେ ବିଶ୍ୱର ସମସ୍ତ ଜନତାଙ୍କ ସମାନ ଅଧିକାର ତଥା ଏବର ପିଢ଼ି ସହିତ ଆଗାମୀ ପିଢ଼ିର ଜନତାଙ୍କ ସମାନ ଅଧିକାର ଉପରେ ଆଧାରିତ ଏକ ଗଣତାନ୍ତ୍ରିକ ବିଚାର। ଆନ୍ତଃରାଜ୍ୟ ନଦୀରୁ ଉପରମୁଣ୍ଡ ରାଜ୍ୟ ଅଧିକ ପାଣି ନେଇଯିବା ପରିବେଶ ନ୍ୟାୟର ଉଲ୍ଲଂଘନ। ସେହିପରି କଳକାରଖାନାଗୁଡ଼ିକ କୃଷକଙ୍କୁ କମ୍‌ ପାଣିଦେଇ ନିଜେ ନଦୀରୁ ଅଧିକ ପାଣି ନେଇଯିବା ପରିବେଶ ନ୍ୟାୟ ବିରୋଧୀ। ମୋଟାମୋଟି ଭାବେ ପରିବେଶ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ପରିବେଶ କ୍ଷତିରୁ ଲାଭବାନ ଗୋଷ୍ଠୀ, ସ୍ବତନ୍ତ୍ର ଆର୍ଥିକ ଓ ବିକାଶ ଯୋଜନା ପ୍ରଦାନ କରିବା, ପରିବେଶ ନ୍ୟାୟଜନିତ କାର୍ଯ୍ୟକ୍ରମର ଏକ ପ୍ରମୁଖ ଅଂଶ।
ଜଳବାୟୁ ନ୍ୟାୟ ପରିବେଶ ନ୍ୟାୟର ଏକ ପ୍ରମୁଖ ଅଙ୍ଗରୂପେ ଆଜି ବିବେଚିତ ହେଉଛି। ଜଳବାୟୁ ବିଶେଷଜ୍ଞଙ୍କ ମତରେ ଗତ ପ୍ରାୟ ୨୦୦ ବର୍ଷରେ ବିଶ୍ୱର ଶିଳ୍ପାୟନ କାଳଖଣ୍ଡରେ ବିଶ୍ୱର ତାପମାତ୍ରା ୧ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇଛି। ଯଦି ବିଶ୍ୱର ତାପମାତ୍ରା ଏହିପରି ବୃଦ୍ଧିପାଏ ତେବେ ୨୦୫୦ବେଳକୁ ଏହା ୧.୫ ଡିଗ୍ରୀ ସେଲ୍‌ସିୟସ ଓ ୨୧୦୦ ବେଳକୁ ଏହା ୩ ଡିଗ୍ରୀ ସେଲ୍‌ସିୟସକୁ ବୃଦ୍ଧି ପାଇବ। ଗତ ୧୦,୦୦୦ ବର୍ଷ ମଧ୍ୟରେ ବିଶ୍ୱର ତାପମାତ୍ରା ଏହିପରି ବୃଦ୍ଧି ପାଇ ନ ଥିଲା। ତାପମାତ୍ରା ବୃଦ୍ଧିର କାରଣ ମଣିଷ ସମାଜରୁ ନିର୍ଗତ ‘ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌’। ବିକାଶଶୀଳ ଦେଶ ଭାରତ ଆଦିଙ୍କ ମୁଣ୍ଡପିଛା ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ବିକଶିତ ଦେଶମାନଙ୍କର ମୁଣ୍ଡପିଛା ନିର୍ଗମନ ହାରଠାରୁ ବହୁତ କମ୍‌। ଏହି ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ଗୁଡ଼ିକ ପୃଥିବୀ ଉପରେ ଏକ ଚାଦର ଭଳି ଢାଙ୍କି ହୋଇ ରହିବାରୁ ସୂର୍ଯ୍ୟର ଉତ୍ତାପ ପୃଥିବୀ ପୃଷ୍ଠରେ ପଡ଼ିରହି ବିଶ୍ୱର ଉତ୍ତାପ ବୃଦ୍ଧି କରିଥାଏ। ସମାଧାନର ବାଟହେଲା ଗ୍ରୀନ୍‌ହାଉସ୍‌ ଗ୍ୟାସର ନିର୍ଗମନକୁ କ୍ରମାଗତ ଭାବେ ହ୍ରାସ କରିବା, ପରିବେଶର ସୁସ୍ଥତା ବୃଦ୍ଧି କରିବା ଏବଂ ଲୋକଙ୍କୁ ଜଳବାୟୁ ବିପର୍ଯ୍ୟୟ ନିରୋଧୀ କରିବା। ଉଭୟେ ଧନୀ ଓ ବିକାଶଶୀଳ ରାଷ୍ଟ୍ରମାନେ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ସହିତ ଜଳବାୟୁ ନ୍ୟାୟ ନୀତି ଯୋଗୁ ଧନୀ ରାଷ୍ଟ୍ରମାନେ ବିକାଶଶୀଳ ଓ କମ୍‌ ବିକଶିତ ଦେଶମାନଙ୍କୁ ବିକଳ୍ପ ଆର୍ଥିକ ଓ ଶିଳ୍ପାୟାନ ଜନିତ ସହାୟତା ପ୍ରଦନା ନ କଲେ ସେମାନେ ଜଳବାୟୁ ଅନୁକୂଳ ଆର୍ଥିକ ବ୍ୟବସ୍ଥାକୁ ଯିବେ କିପରି?
ଆନ୍ତର୍ଜାତିକ ସ୍ତରରେ ବିଶ୍ୱ ଉତ୍ତାପ ବୃଦ୍ଧିକୁ ଏକ ଜଳବାୟୁ ଇମରଜେନ୍ସି ବା ଜରୁରିକାଳୀନ ସମସ୍ୟା ରୂପେ ବିଚାର କରି ମିଳିତ ଜାତିସଂଘ ବିଭିନ୍ନ ପଦକ୍ଷେପ ନେଉଛି। ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ଖସଡାରେ, ୧୩ ନମ୍ବର ଲକ୍ଷ୍ୟରୂପେ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ପଦକ୍ଷେପ ନେବାକୁ ଜାତିସଂଘ ଦେଶମାନଙ୍କୁ ପରାମର୍ଶ ଦେଇଛି, ଯାହାକୁ ଦେଶମାନେ ନିଜ ନିଜ ସ୍ତରରେ ବିଚାରକୁ ନେଇ ଜାତୀୟ ଓ ପ୍ରାନ୍ତୀୟ କାର୍ଯ୍ୟକ୍ରମମାନ ପ୍ରଣୟନ କରୁଛନ୍ତି। ୨୦୧୫ରେ ମିଳିତ ଜାତିସଂଘ ୟୁଏନ୍‌ଏଫ୍‌ସିସିସି(ୟୁନାଇଟେଡ୍‌ ନେଶନ୍‌ସ କ୍ଲାଇମେଟ ଚେଞ୍ଜ ଫ୍ରେମ୍‌ୱାର୍କ କନ୍‌ଭେନଶନ୍‌) ବା ମିଳିତ ଜାତିସଂଘ ଜଳବାୟ ପରିବର୍ତ୍ତନ ଢାଞ୍ଚାଗତ ନିୟମ, ପ୍ୟାରିସ୍‌ଠାରେ ୧୯୬ ଦେଶଙ୍କ ଦ୍ୱାରା ସ୍ବାକ୍ଷରିତ କରାଇଲା, ଯାହା ନଭେମ୍ବର ୨୦୧୬ରୁ କାର୍ଯ୍ୟକାରୀ ହେଲା। ଏହାକୁ ପ୍ୟାରିସ୍‌ ଚୁକ୍ତିନାମା ମଧ୍ୟ କୁହାଯାଏ। ଏହା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ପ୍ରଥମ ଆନ୍ତର୍ଜାତିକ ଆଇନଗତ ଚୁକ୍ତି। ଏହାକୁ ପ୍ରତିବର୍ଷ ତଦାରଖ କରୁଛି ଜାତିସଂଘର ସିଓପି(କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌) କମିଟି। ସିଓପିର ପ୍ରଥମ ବୈଠକ ୧୯୭୯ରେ ବସିଥିବାବେଳେ ୨୮ତମ ବୈଠକ ନଭେମ୍ବର ୩୦ରୁ ୧୨ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଦୁବାଇରେ ଅନୁଷ୍ଠିତ ହେଉଛି। ଏହି ବୈଠକରେ ଦେଶମାନେ କେତେଦୂର ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ କାର୍ଯ୍ୟ କରୁଛନ୍ତି ଓ କ’ଣ କ’ଣ ଅସୁବିଧା ରହିଛି ତାହା ଉପରେ ଆଲୋଚନା ହେବା ସହିତ ଜଳବାୟୁ ନ୍ୟାୟଜନିତ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହେବ। ମିଳିତ ଜାତିସଂଘ ଏବେ ‘ନେଟ୍‌ ଜିରୋ’ ବା ଶୂନ୍ୟ ଗ୍ରୀନ୍‌ହାଉସ ଗ୍ୟାସ୍‌ ନିର୍ଗମନ ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ବିଶ୍ୱର ତାପମାତ୍ରା ବୃଦ୍ଧି ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରଖିବାକୁ ହେଲେ ୨୦୩୦ ସୁଦ୍ଧା ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌କୁ ୪୫% ହ୍ରାସ ଏବଂ ୨୦୫୦ ସୁଦ୍ଧା ଶୂନ୍ୟସ୍ତରକୁ ଆଣିବାକୁ ହେବ। କିନ୍ତୁ ଏହି ଲକ୍ଷ୍ୟ ହାସଲ ହେବା ଏବେ ବି କଷ୍ଟକର ମନେହେଉଛି। ବିକାଶଶୀଳ ଓ କମ୍‌ ବିକଶିତ ରାଷ୍ଟ୍ରମାନେ ବିକଶିତ ରାଷ୍ଟ୍ରମାନଙ୍କଠାରୁ ଜଳବାୟୁ ନ୍ୟାୟ କ୍ଷେତ୍ରରେ ଆର୍ଥିକ, ବୈଷୟିକ ଓ ବାଣିଜି୍ୟକ ସହାୟତା ମାଗୁଛନ୍ତି, ଯାହାକୁ ଧନୀ ରାଷ୍ଟ୍ରମାନେ କର୍ଣ୍ଣପାତ କରୁନାହାନ୍ତି।
ଭାରତ ସରକାର ଆନ୍ତର୍ଜାତିକ ଚୁକ୍ତିରେ ସ୍ବାକ୍ଷର କରିଥିବାରୁ ଜଳବାୟ ପରିବର୍ତ୍ତନ ସଂକ୍ରାନ୍ତୀୟ ଜାତୀୟ ପଦକ୍ଷେପ ଖସଡ଼ା (ନ୍ୟାଶନାଲ ଆକ୍‌ଶନ ପ୍ଲାନ୍‌ ଫର୍‌ କ୍ଲାଇମେଟ୍‌ ଚେଞ୍ଜ) ପ୍ରସ୍ତୁତ କରି ରୂପାୟନ କରୁଛନ୍ତିି। ଏଥିରେ ଜାତୀୟ ସୌର ମିଶନ, ହିମାଳୟ ପରିବେଶ ନିରନ୍ତର ବିକାଶ ମିଶନ, ସବୁଜ ଭାରତ ମିଶନ, ଶକ୍ତି ମିଶନ, ନିରନ୍ତର କୃଷି ମିଶନ ଆଦି ଅନ୍ତର୍ଭୁକ୍ତ। ଭାରତ ସରକାର ବିକଳ୍ପ ଶକ୍ତି ଉପରେ କାର୍ଯ୍ୟ କରୁଛନ୍ତି। ତେବେ କୋଇଲା ଓ ଗ୍ୟାସ୍‌ ଆଦି ହାଇଡ୍ରୋକାର୍ବନ୍‌ ଶକ୍ତି ଉପରେ ଦେଶ ବିକାଶର ନିର୍ଭରଶୀଳତାରୁ ସରକାର ହଠାତ୍‌ ବାହାରିପାରୁନାହାନ୍ତି, ଯାହାଫଳରେ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ଉଲ୍ଲେଖନୀୟ ଭାବେ ହ୍ରାସ ପାଉନାହିଁ। କେନ୍ଦ୍ରଭଳି ରାଜ୍ୟ ସରକାରମାନେ ମଧ୍ୟ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ‘ରାଜ୍ୟ ପଦକ୍ଷେପ ଖସଡ଼ା’ ପ୍ରସ୍ତୁତ କରିଛନ୍ତି। ଓଡ଼ିଶା ସରକାର ୨୦୧୮-୨୩ ଜଳବାୟୁ ପଦକ୍ଷେପ ଖସଡ଼ା ପ୍ରଚଳନ କରିଛନ୍ତି। ଯେଉଁଥିରେ ୧୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ମଧ୍ୟ ଜଳବାୟୁ ବଜେଟ ଉପସ୍ଥାପନ କରୁଛି। ତେବେ ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ର ୨୦୧୯ ବର୍ଷର ସମୀକ୍ଷାରେ ଜଳବାୟୁ ପରିବର୍ତ୍ତନ ପାଇଁ କାର୍ଯ୍ୟ କରିବା କ୍ଷେତ୍ରରେ ଓଡ଼ିଶା ଶୀର୍ଷରୁ ତୃତୀୟ ସ୍ଥାନରେ ଅଛି। ଓଡ଼ିଶା ସରକାରଙ୍କ ପାଇଁ ଆହ୍ବାନ ହେଲା କିପରି ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧିତ ଆଗାମୀ ‘ବିପର୍ଯ୍ୟୟ‘ ଲାଗି ପ୍ରସ୍ତୁତି କରିବେ ଓ କିପରି ଖଣିଖାଦାନ ତଥା ତାପଜ ବିଦ୍ୟୁତ୍‌ କେନ୍ଦ୍ର ସ୍ଥାପନ ଯୋଗୁ କ୍ଷତିଗ୍ରସ୍ତ ଲୋକଙ୍କୁ ଜଳବାୟୁ ନ୍ୟାୟ ପ୍ରଦାନ କରିବେ।
ବିଶ୍ୱର ଜଳବାୟୁ ନ୍ୟାୟକୁ ଲାଗୁ କରିବାରେ ପ୍ରତିବନ୍ଧକ ସାଜୁଛନ୍ତି ହାଇଡ୍ରୋକାର୍ବନ ଶକ୍ତି କମ୍ପାନୀ, ତେଲ ଓ କୋଇଲା ଖଣି ମାଲିକ, ଗାଡ଼ି ନିର୍ମାଣ କମ୍ପାନୀ, କୃଷି ବ୍ୟବସାୟୀ, ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଲାଭରେ ଥିବା କର୍ପୋରେଟ୍‌। ଲୋକେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିବା ଆରମ୍ଭ ହେଲାଣି ବୋଲି ଜାଣିପାରୁନାହାନ୍ତି। ଜଳବାୟୁ ନ୍ୟାୟ କ୍ଷେତ୍ରରେ ଗଣମାଧ୍ୟମର ମଧ୍ୟ ପ୍ରମୁଖ ଭୂମିକା ରହିଛି।

– ଲଳିତ ମୋହନ ମିଶ୍ର
ମୋ-୭୦୦୮୨୩୩୭୨୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri