ଜଳବାୟୁ ପରିବର୍ତ୍ତନ ଓ କୃଷି ଜଙ୍ଗଲ

ଇଂ. ମାୟାଧର ସ୍ବାଇଁ

 

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ମିଳିତ ଜାତିସଂଘର ‘ଆନ୍ତଃ ସରକାରୀ ଜଳବାୟୁ ପରିବର୍ତ୍ତନ ପରିଷଦ’ (ଆଇପିସିସି)ର ସଦ୍ୟତମ ରିପୋର୍ଟ ଏହିବର୍ଷ ଏପ୍ରିଲ ମାସରେ ପ୍ରକାଶ ପାଇଛି। ଏଥିରେ ଜଳବାୟୁ ପରିବର୍ତ୍ତନର ସାଂଘାତିକ ଭବିଷ୍ୟ ବାଣୀ ଅଛି। ଆମେ ଯଦି ବର୍ତ୍ତମାନ ହାରରେ ବାୟୁମଣ୍ଡଳକୁ ସବୁଜଗୃହ ଗ୍ୟାସ୍‌ ନିର୍ଗତ କରିବା, ତାହାହେଲେ ଏହି ଶତାବ୍ଦୀର ଶେଷବେଳକୁ ପୃଥିବୀର ତାପମାତ୍ରା ପ୍ରାକ୍‌-ଶିଳ୍ପ ସଭ୍ୟତାର ତାପମାତ୍ରାଠାରୁ ୩.୭ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ହେବ। ସୂଚନାଯୋଗ୍ୟ, ୨୦୧୫ ଡିସେମ୍ବରରେ ପ୍ୟାରିସ୍‌ ସମ୍ମିଳନୀରେ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖିବା ପାଇଁ ଆହ୍ବାନ ଦିଆଯାଇଥିଲା ଏବଂ ୨୦୨୧ରେ ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀରେ ଏହାର କାର୍ଯ୍ୟକାରିତାକୁ ନିଶ୍ଚିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା।
ସବୁଜଗୃହ ଗ୍ୟାସ୍‌ଗୁଡ଼ିକ ମଧ୍ୟରେ ଅଙ୍ଗାରକାମ୍ଳର ଭାଗ ହେଉଛି ସର୍ବାଧିକ। କଳକାରଖାନା, ଗାଡ଼ିମୋଟର, ବିଦ୍ୟୁତ୍‌ କେନ୍ଦ୍ର ଆଦିରେ କୋଇଲା, ପେଟ୍ରୋଲିୟମ୍‌ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଆଦି ଜୀବାଶ୍ମ ଇନ୍ଧନର ଦହନ ଯୋଗୁ ଏହା ବାୟୁମଣ୍ଡଳକୁ ନିର୍ଗତ ହେଉଛି। ଅଙ୍ଗାରକାମ୍ଳ ଅବଶୋଷଣର ଏକ ମୁଖ୍ୟ ଉତ୍ସ ହେଉଛି ଉଦ୍ଭିଦ ଜଗତ। ଉଦ୍ଭିଦ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ସୂର୍ଯ୍ୟକିରଣରୁ ଖାଦ୍ୟ ପ୍ରସ୍ତୁତ କରିଥାଏ। ଫଳରେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ପରିମାଣ ହ୍ରାସ କରିବା ପାଇଁ ଜଙ୍ଗଲର ଅବଦାନ ହେଉଛି ଅସୀମ। ମାତ୍ର କ୍ରମଶଃ ସଭ୍ୟତାର ବିକାଶ ସହିତ ତାଳ ଦେଇ ରାସ୍ତା, କଳକାରଖାନା, ଜଳବିଦ୍ୟୁତ୍‌ କେନ୍ଦ୍ର ଆଦିର ନିର୍ମାଣ ପାଇଁ ଜଙ୍ଗଲ ପରିମାଣ ହ୍ରାସ ପାଉଛି। ଏଣୁ ପୂର୍ବଭଳି ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଅଧିକ ପରିମାଣରେ ଅବଶୋଷଣ ହେଉନାହିଁ। ଏଥିପାଇଁ ଜଙ୍ଗଲ ବୃଦ୍ଧି ଆବଶ୍ୟକ, କିନ୍ତୁ ଏହାର ବିପରୀତ ଦେଖାଯାଉଛି। ବିକାଶ କାର୍ଯ୍ୟ ପାଇଁ ହେଉ କିମ୍ବା ଜଙ୍ଗଲରେ ଅଗ୍ନିକାଣ୍ଡ ପାଇଁ ହେଉ, ପ୍ରାୟ ପ୍ରତି ଦେଶରେ ଜଙ୍ଗଲ କ୍ଷୟ ହେଉଛି। ଏହାର ବିକଳ୍ପ ହେଉଛି କୃଷିଜଙ୍ଗଲ ବା ଆଗ୍ରୋଫରେଷ୍ଟ୍ରି।
କୃଷି ଜଙ୍ଗଲ ବା ବୃକ୍ଷ ଆଧାରିତ କୃଷି ହେଉଛି ଗୋଟିଏ ପ୍ରତିଷ୍ଠିତ ପ୍ରାକୃତିକ କାର୍ଯ୍ୟ, ଯାହା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ପରିମାଣ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଅନ୍ୟ ଅର୍ଥରେ ଏହା କାର୍ବନ-ନିରପେକ୍ଷ (କାର୍ବନ ନିଉଟ୍ରାଲ୍‌) ବୃଦ୍ଧିରେ ସହାୟକ ହୋଇଥାଏ। ରୋଜଗାର, ଉତ୍ପାଦନ ଓ ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ୨୦୧୪ ମସିହାରେ ଗୋଟିଏ କୃଷି ଜଙ୍ଗଲ ନୀତି ଗ୍ରହଣ କରିବାରେ ଥିଲା ପୃଥିବୀରେ ପ୍ରଥମ ଦେଶ। ପ୍ରତ୍ୟେକ କୃଷି କ୍ଷେତ୍ରରେ ହୁଡ଼ାରେ ବୃକ୍ଷରୋପଣ ପାଇଁ ୨୦୧୬ ରେ ୧୦୦୦ କୋଟି ଟଙ୍କା ବ୍ୟୟରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ୨୦୨୨-୨୩ରେ କେନ୍ଦ୍ର ସରକାରଙ୍କ ବଜେଟରେ କୃଷି ଜଙ୍ଗଲକୁ ପ୍ରୋତ୍ସାହନ ଦେବା ପାଇଁ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ।
କୃଷି ଜଙ୍ଗଲର ଅନେକ ଉପକାର ଅଛି। ଏହା ଜଙ୍ଗଲ ଅଞ୍ଚଳ ବାହାରେ ବୃକ୍ଷ ଆଚ୍ଛାଦନକୁ ବୃଦ୍ଧି କରିଥାଏ। ଏହା ପ୍ରାକୃତିକ ଜଙ୍ଗଲର ସରୋଗେଟ୍‌ ଭାବେ କାର୍ଯ୍ୟ କରି ପ୍ରାକୃତିକ ଜଙ୍ଗଲ ଉପରେ ଥିବା ଚାପକୁ କମାଇ ଦେଇଥାଏ। ଏହା କୃଷକର ରୋଜଗାରକୁ ବଢ଼ାଇଥାଏ। ପୁନଶ୍ଚ ଏହା ଦେଶର ଜାଳେଣି କାଠର ପ୍ରାୟ ଅଧା ଚାହିଦା, ଛୋଟ କାଠ (ଟିମ୍ବର) ଚାହିଦାର ପ୍ରାୟ ଦୁଇ-ତୃତୀୟାଂଶ, ପ୍ଲାଏଉଡ୍‌, ଆବଶ୍ୟକତାର ୭୦-୮୦ ପ୍ରତିଶତ, କାଗଜ ଓ ମଣ୍ଡ କଳର ୬୦ ପ୍ରତିଶତ କଞ୍ଚାମାଲ ଏବଂ ୯ରୁ ୧୧ ପ୍ରତିଶତ ସବୁଜ ଗୋଖାଦ୍ୟର ଚାହିଦା ପୂରଣ କରିଥାଏ। ଏହା ବ୍ୟତୀତ ଏଥିରୁ ଲାଖ, ଅଠା, ଝୁଣା ଓ ଔଷଧ ଗୁଣ ଥିବା ପଦାର୍ଥ ଉତ୍ପାଦିତ ହୋଇଥାଏ।
ବୃକ୍ଷ ଉତ୍ପାଦ ଓ ବୃକ୍ଷ ସେବାର ମଧ୍ୟ ଗ୍ରାମ୍ୟ ଜୀବିକାରେ ଅବଦାନ ରହିଛି। ଫଳ, ଗୋଖାଦ୍ୟ, ଇନ୍ଧନ, ସାର, ତନ୍ତୁ ଆଦି ଉପଲବ୍ଧ ହେବା ସହିତ ଏହା ପୋଷଣ ନିରାପତ୍ତା ଓ ରୋଜଗାର ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ଏବଂ ଶସ୍ୟହାନି ପାଇଁ ଏହା ବୀମା ଭଳି କାର୍ଯ୍ୟ କରିଥାଏ। ଏହା ବ୍ୟତୀତ କୃଷି ଜଙ୍ଗଲ ମୃତ୍ତିକା କ୍ଷୟ ନିୟନ୍ତ୍ରଣ, ଜଳଧାରଣ, ପୋଷଣ ପୁନଃ ଚକ୍ରଣ, କାର୍ବନ ସଞ୍ଚୟ, ଜୈବବିବିଧତା ସଂରକ୍ଷଣ ଓ ପରିଷ୍କାର ବାୟୁଦେବାରେ ସାହାଯ୍ୟ କରିଥାଏ।
ଭାରତ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ନିଜର ଅଙ୍ଗୀକାରବଦ୍ଧତାକୁ ପୂରଣ କରିବାରେ କୃଷି ଜଙ୍ଗଲ ସାହାଯ୍ୟ କରିପାରିବ। ଭାରତ ଅତିରିକ୍ତ ଜଙ୍ଗଲ ଓ ବୃକ୍ଷ ସୃଷ୍ଟି କରି ୨୦୩୦ ମସିହା ସୁଦ୍ଧା ୨.୫ରୁ ୩.୦ ବିଲିୟନ ଟନ୍‌ ଅଙ୍ଗାରକାମ୍ଳର ଅବଶୋଷଣ ପାଇଁ ପ୍ରତିଶ୍ରୁତି ଦେଇଛି। ଏହା ମଧ୍ୟ ୨୦୭୦ ସୁଦ୍ଧା ନେଟ୍‌ ଶୂନ- କାର୍ବନ ଦେଶରେ ପରିଣତ ହେବା ପାଇଁ ଘୋଷଣା କରିଛି। ନେଟ୍‌ ଶୂନ- କାର୍ବନର ଅର୍ଥ ହେଉଛି ମନୁଷ୍ୟକୃତ ସମସ୍ତ ଅଙ୍ଗାରକାମ୍ଳ ଗ୍ୟାସ ବୃକ୍ଷଜଗତ ଦ୍ୱାରା ଅବଶୋଷଣ ହୋଇପାରିବ ଏବଂ ଏହା ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବୃଦ୍ଧି ପାଇବ ନାହିଁ। ଭାରତ ମଧ୍ୟ ୨୦୩୦ ମସିହା ସୁଦ୍ଧା ୨୬ ନିୟୁତ ହେକ୍ଟର ପତିତ ଜମିର ପୁନରୁଦ୍ଧାର କରିବା ପାଇଁ ଘୋଷଣା କରିଛି। କୃଷି ଜଙ୍ଗଲ ସୃଷ୍ଟି ଦ୍ୱାରା ଭାରତର ଏହି ପ୍ରତିଶ୍ରୁତିକୁ ପୂରଣ କରାଯାଇପାରିବ।
ଅନେକ ଦିନ ଧରି କୃଷି ଓ ଜଙ୍ଗଲ ମଧ୍ୟରେ ଥିବା ଫାଙ୍କରେ କୃଷି ଜଙ୍ଗଲ ପଡ଼ିଯାଇଛି ଏବଂ ଏହାର ପ୍ରକୃତ ମାଲିକ କିଏ ଜଣାପଡୁନାହିଁ। କେତେକ ରାଜ୍ୟରେ ଏହା କୃଷି ବିଭାଗ ଅଧୀନରେ ଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ଜଙ୍ଗଲ ବିଭାଗ ଅଧୀନରେ ଅଛି। କେନ୍ଦ୍ର ସରକାରରେ ଏହା କୃଷି ମନ୍ତ୍ରଣାଳୟ ଅଧୀନରେ ଅଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ଅଧୀନରେ ଏହାର ଅଧିକ ବିକାଶ ହୋଇପାରିବ ବୋଲି କେତେକ ବିଶେଷଜ୍ଞଙ୍କର ମତ ରହିଛି।
କୃଷି ଜଙ୍ଗଲର ଅଭିବୃଦ୍ଧି ନିମିତ୍ତ କୃଷକମାନଙ୍କୁ ଆର୍ଥିକ ସହାୟତା ଓ ସହଜ ଋଣର ବ୍ୟବସ୍ଥା କରିବାକୁ ପଡ଼ିବ। ଏହାକୁ କାର୍ବନ ବ୍ୟବସାୟ (କାର୍ବନ ଟ୍ରେଡିଂ) ସହ ସଂଯୋଗ କରି ଚାଷୀମାନଙ୍କୁ ଏହାର ଫଳ ଦେବା ପାଇଁ ବ୍ୟବସ୍ଥା ହେବା ଉଚିତ। ସହଯୋଗ ସମିତି, ସ୍ବୟଂ ସହାୟକ ଗୋଷ୍ଠୀ ଓ କୃଷକ ସଂଘ ମାଧ୍ୟମରେ ଏହାର ବିକାଶ ଆବଶ୍ୟକ। ଦେଶର ଅତିକମ୍‌ରେ ଦଶ ପ୍ରତିଶତ କୃଷିଜମିରେ ଏହା କରିବାର ଲକ୍ଷ୍ୟ ରଖି କାର୍ଯ୍ୟ ଆରମ୍ଭ ହେବା ଦରକାର। ଜଳବାୟୁ ପରିବର୍ତ୍ତନ ପ୍ରତିକାରର ଏକ ମାଧ୍ୟମ ସହ ଏହାର ଅନେକ ଉପକାର ଥିବାରୁ ଏହାର ବିକାଶ କରିବା ହେଉଛି ସରକାରଙ୍କ ନୈତିକ କର୍ତ୍ତବ୍ୟ ଓ ଦାୟିତ୍ୱ।
୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri