ଜଳବାୟୁ ଓ ଯୁବଗୋଷ୍ଠୀ

ସାମ୍ପ୍ରତିକ ସମୟର ସର୍ବବୃହତ୍‌ ଆହାନକାରୀ ବୈଶ୍ୱିକ ସମସ୍ୟା ମଧ୍ୟରେ ଅନ୍ତର୍ଭୁକ୍ତ ବିଶ୍ୱତାପନ ଏବଂ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ। ଶିଳ୍ପ ବପ୍ଳବ ପରବର୍ତ୍ତୀ ସମୟରେ ଯେପରି କ୍ଷିପ୍ର ବେଗରେ ଶିଳ୍ପାୟନ ସହିତ ସାମାଜିକ ଓ ଅର୍ଥନୈତିକ ପ୍ରଗତି ଅସହନୀୟ ମାର୍ଗରେ ସାଧିତ ହେଲା ଏବଂ ଏହି ପ୍ରକ୍ରିୟାରେ ଶକ୍ତିର ବହୁଳ ବିନିଯୋଗ ଘଟିଲା, ତାହା ହିଁ ଆଜି ପରିଦୃଷ୍ଟ ହେଉଥିବା ପ୍ରମୁଖ ପରିବେଶଜନିତ ସମସ୍ୟାଗୁଡ଼ିକର ମୂଳ କାରଣ ହୋଇଛି। ଜୀବନଶୈଳୀରେ ଉନ୍ନତି ସାଧନ ଲକ୍ଷ୍ୟରେ ଅଜ୍ଞତାର ବଶବର୍ତ୍ତୀ ହୋଇ ମାନବଜାତି ଯେପରି ପ୍ରକୃତି ଓ ପରିବେଶ ଉପରେ କ୍ଷତିକାରକ ପ୍ରଭାବ ବିସ୍ତାର ଏବଂ ବର୍ଦ୍ଧିତ ଚାପ ସୃଷ୍ଟି କରିଚାଲିଛି ଏବଂ ପ୍ରାକୃତିକ ସନ୍ତୁଳନରେ ବ୍ୟାଘାତ ଘଟାଉଛି, ତାହାର ପରିଣାମ ହେଉଛି ଗମ୍ଭୀର ରୂପ ଧାରଣ କରୁଥିବା ଆଜିର ସମସ୍ତ ପରିବେଶ ସମସ୍ୟା। ଏପର୍ଯ୍ୟନ୍ତ ଶକ୍ତି ଉତ୍ପାଦନର ପ୍ରଧାନ ଉତ୍ସ ସାଜିଛି କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ ଇନ୍ଧନ। ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ, ଉତ୍ତାପ ବ୍ୟବହାର, ଶିଳ୍ପ-କାରଖାନା, ଯାନବାହନ ପରିବହନ ଏବଂ ଅନ୍ୟାନ୍ୟ ପ୍ରକ୍ରିୟାରେ ଜୀବାଶ୍ମ ଇନ୍ଧନ ସବୁର ମାତ୍ରାଧିକ ବ୍ୟବହାରରୁ ନିର୍ଗତ ବିଭିନ୍ନ ପ୍ରଦୂଷକ ପଦାର୍ଥ ପରିବେଶ ଅବକ୍ଷୟର କାରଣ ହେଉଛି। ଅଧିକନ୍ତୁ, ଏଥିରୁ ଅଙ୍ଗାରକାମ୍ଳ ପରି ସବୁଜଗୃହ ବାଷ୍ପ (ଗ୍ରୀନ୍‌ହାଉସ ଗ୍ୟାସ) ସବୁର ବାୟୁମଣ୍ଡଳକୁ ଅଧିକ ମାତ୍ରାରେ ନିର୍ଗମନ ତାପମାତ୍ରା ବୃଦ୍ଧିର କାରକ ସାଜିଛି। ଏହା ସହିତ ଜଡ଼ିତ ରହିଛି ବର୍ତ୍ତମାନ କ୍ରମଶଃ ଗମ୍ଭୀର ରୂପ ଧାରଣ କରୁଥିବା ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟା ଏବଂ ଏହାର ପ୍ରଭାବରେ ସଂଘଟିତ ହେଉଥିବା ବହୁବିଧ ପ୍ରାକୃତିକ ବିପର୍ଯ୍ୟୟ ଘଟଣା। ଏସବୁ ବିପର୍ଯ୍ୟୟର ବାରମ୍ବାରତା ଓ ତୀବ୍ରତା ସମଗ୍ର ବିଶ୍ୱରେ ପ୍ରାକୃତିକ ପରିସଂସ୍ଥାମାନଙ୍କର କ୍ଷତିସାଧନ କରୁଛି ଏବଂ ସେସବୁଥିରେ ବସବାସ କରୁଥିବା ବିବିଧ ଜାତିର ଉଦ୍ଭିଦ ଏବଂ ପ୍ରାଣୀମାନେ ବିପଦଗ୍ରସ୍ତ ହେଉଛନ୍ତି। ପରିଣାମରେ, ମାନବ-ପ୍ରବର୍ତ୍ତିତ ଏସବୁ ଘଟଣାମାନ ପୃଥିବୀ ପୃଷ୍ଠରେ ଜୀବଜଗତର ଭବିଷ୍ୟତ ତିଷ୍ଠି ରହିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ବିଶ୍ୱ ଦୃଶ୍ୟପଟ୍ଟରେ ଆଜି ମାନବଜାତି ନିମନ୍ତେ ଆତ୍ମ-ବିଶ୍ଳେଷଣର ସମୟ ଉପନୀତ ହୋଇଛି, ଯେତେବେଳେ ଆମ ମାନସିକତା ଏବଂ ବ୍ୟବହାରରେ ପରିବର୍ତ୍ତନ ଘଟିବା ଯଥେଷ୍ଟ ଅବଶ୍ୟମ୍ଭାବୀ ବୋଧ ହେଉଛି। ପରବର୍ତ୍ତୀ ପିଢ଼ିକୁ କେଉଁ ଗୁଣାତ୍ମକ ମାନର ଧରିତ୍ରୀ ହସ୍ତାନ୍ତର କରିବା ଆମ ପାଇଁ ବିଧେୟ ହେବ, ଏହାକୁ ଗମ୍ଭୀରତାର ସହ ବିଚାର ବିମର୍ଷ କରିବା ଆମ ବିଜ୍ଞତାର ପରିଚାୟକ ହେବ। ଏହି ପରିପ୍ରେକ୍ଷୀରେ, ବିଶ୍ୱ ପରିବେଶରେ ଏକ ସକାରାତ୍ମକ ପରିବର୍ତ୍ତନର ପ୍ରାରମ୍ଭ ଏବଂ ଜଳବାୟୁ ଆହ୍ବାନକୁ ପ୍ରତିହତ କରିବା କ୍ଷେତ୍ରରେ ଆଜିର ଯୁବଗୋଷ୍ଠୀ ଉଜ୍ଜ୍ୱଳ ସମ୍ଭାବନା ବହନ କରନ୍ତି। ସେମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ଏବଂ ନିଶ୍ଚିତ କରିବା ନିମନ୍ତେ ସ୍ବିଡେନର ସକ୍ରିୟ ଯୁବ ପରିବେଶକର୍ମୀ ଏବଂ 'ଭବିଷ୍ୟତ ପାଇଁ ଶୁକ୍ରବାର' ଆନ୍ଦୋଳନର ସୂତ୍ରଧର ଗ୍ରେଟା ଥନ୍‌ବର୍ଗଙ୍କ ପରି ଚିନ୍ତାଧାରାର ଯୁବବର୍ଗ ହିଁ ସମାଧାନର ପନ୍ଥା ନିରୂପଣରେ ସଫଳ, ସୁଦୃଢ଼ ନେତୃତ୍ୱ ଗ୍ରହଣ କରିପାରିବେ। ଅଧୁନା ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତର ପାଠ୍ୟକ୍ରମରେ ପରିବେଶର ବିଭିନ୍ନ ଦିଗ ଉପରେ ଜ୍ଞାନ ଆହରଣ କରୁଛନ୍ତି। ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟ ପରିବେଶ ସମସ୍ୟା ପ୍ରସଙ୍ଗରେ ପିଲାମାନଙ୍କ ମନରେ ବୟସ୍କଙ୍କ ତୁଳନାରେ ଅନେକ ଭାବନା ଜାଗ୍ରତ ହେଉଛି। କାରଣ ଏହାକୁ ନେଇ ସେମାନେ ଅଧିକ ଅନୁଭବ କରୁଛନ୍ତି। ସେମାନେ ଏବେ ଚିନ୍ତିତ, ଭୟଭୀତ, ଦୁଃଖିତ ଏବଂ କ୍ରୋଧିତ ମଧ୍ୟ। ନିଜ ପରିବେଶ ପ୍ରତି ସମ୍ବେଦନଶୀଳତାରେ ପରିପୂର୍ଣ୍ଣ ଏପରି ଅନୁଭବୀ ଯୁବପିଢ଼ି ହିଁ ହେଉଛି ଆଜିର ଆବଶ୍ୟକତା। ସମସ୍ୟାର କାରଣ, ନିରାକରଣ ଏବଂ ସମାଧାନର ସୂତ୍ର ନିରୂପଣ ଦିଗରେ ପ୍ରତିବଦ୍ଧତାର ସହ କାର୍ଯ୍ୟ ସମ୍ପାଦନ କରିବା ସେମାନଙ୍କର ଈପ୍ସିତ ଲକ୍ଷ୍ୟ ହେବା ବାଞ୍ଛନୀୟ। ପରିବେଶ ବିଜ୍ଞାନ/ଶିକ୍ଷାର ବିଦ୍ୟାର୍ଥୀମାନେ ସମସ୍ୟାକୁ ବୁଝି ନବସୃଜନର ପ୍ରବର୍ତ୍ତନରେ, ନୂତନ ଚିନ୍ତାଧାରାରେ ଉଦ୍ଭାସିତ ହୋଇ ସମଗ୍ର ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ଆନ୍ଦୋଳନରେ ସାମିଲ କରାଇବା ନିମନ୍ତେ ବ୍ରତୀ ହୁଅନ୍ତୁ। ସେମାନେ ଜଳବାୟୁ ସମ୍ବନ୍ଧୀୟ ନୂତନ ତଥ୍ୟ ଆବିଷ୍କାର କରନ୍ତୁ ଏବଂ ଆବଶ୍ୟକ ଗବେଷଣା ଜାରି ରଖନ୍ତୁ। ଜାଣନ୍ତୁ ଯେ ସକାରାତ୍ମକ କାର୍ଯ୍ୟକ୍ରମ ଗ୍ରହଣର ଯାତ୍ରାରେ ସେମାନେ ଏକା ନୁହନ୍ତି ଏବଂ ନିଶ୍ଚିତ କରନ୍ତୁ ଯେ ନୂତନ ପିଢ଼ି ପରିବେଶ ସୈନିକ ସେମାନଙ୍କ ଅଭିଯାନରେ ବହୁ ସଂଖ୍ୟାରେ ସାମିଲ ଅଛନ୍ତି। ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗର ବାସ୍ତବତା ଏବଂ ତୀବ୍ରତାକୁ ଅଣଦେଖା ନ କରି ଏହି ବିଷୟରେ ସମାଜର ସବୁ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ବାଣ୍ଟନ୍ତୁ।
ଚନ୍ଦ୍ର ବା ମଙ୍ଗଳ ଗ୍ରହକୁ ମହାକାଶ ଯାନ ଉତ୍‌କ୍ଷେପଣ କିମ୍ବା ମାନବୀୟ ଯାତ୍ରା ପୃଥିବୀବାସୀଙ୍କ ନିମନ୍ତେ ଯେତିକି ଗୁରୁତ୍ୱ ବହନ ନ କରେ, ଅଧିକ ତାତ୍ପର୍ଯ୍ୟ ରଖେ ଆମେ ଜୀବନଯାପନ କରୁଥିବା ଗ୍ରହର ପ୍ରକୃତିର ସୁରକ୍ଷା ଏବଂ ଏହାର ଗୁଣାତ୍ମକ ମାନକୁ ବଜାୟ ରଖିବା। ତ୍ରୁଟିଯୁକ୍ତ ମାନବୀୟ କାର୍ଯ୍ୟକଳାପର ପ୍ରତିଫଳନରେ ଯେତେବେଳେ ଆଜି ବିଶ୍ୱ ଜଳବାୟୁରେ ପ୍ରଭୂତ ପରିବର୍ତ୍ତନ ଘଟି ଜୀବଜଗତକୁ ବିଲୁପ୍ତି ପଥରେ ଅଗ୍ରସର କରାଉଛି, ସେତେବେଳେ ଯୁବପିଢ଼ିର ନୈତିକ କର୍ତ୍ତବ୍ୟ ହେଉଛି ବୃତ୍ତିଗତ ଜୀବନ ବାହାରେ ପ୍ରକୃତି, ପରିବେଶ ଏବଂ ସମାଜର ସମସ୍ୟାକୁ ହୃଦୟଙ୍ଗମ କରି ସମାଧାନ ନିମନ୍ତେ ନିଜର ଅଙ୍ଗୀକାରବଦ୍ଧତା ପ୍ରକାଶ କରିବା। ବିଜ୍ଞାନ ଓ ବୈଷୟିକ ଗବେଷଣା କ୍ଷେତ୍ରରେ କାର୍ଯ୍ୟରତ ଯୁବପିଢ଼ି 'ସବୁଜ ପ୍ରଯୁକ୍ତି 'ର ଉଦ୍ଭାବନ ମାଧ୍ୟମରେ ପ୍ରଦୂଷଣରେ ହ୍ରାସ ଘଟାଇ, ବିଶେଷ ରୂପେ ସବୁଜଗୃହ ବାଷ୍ପ ନିର୍ଗମନକୁ ପ୍ରତିହତ କରିବାର ମାର୍ଗ ନିର୍ଦ୍ଧାରିତ କରିପାରିବେ। ସେହିପରି ବର୍ଦ୍ଧିତ ଶକ୍ତି ଆବଶ୍ୟକତାର ପୂରଣ ନିମନ୍ତେ ସୌରଶକ୍ତି, ପବନ ଶକ୍ତି, ସମୁଦ୍ର ଢେଉ ଶକ୍ତି, ଜୈବିକ ଶକ୍ତି, ଉଦ୍‌ଜାନ ଶକ୍ତି, ନାଭିକୀୟ ଶକ୍ତି ପରି ବିବିଧ ସ୍ବଚ୍ଛ, ଅକ୍ଷୟ ଶକ୍ତି ବା ନବୀକରଣକ୍ଷମ ଶକ୍ତିର ଉତ୍ସକୁ ଅଧିକ ପ୍ରସାରିତ କରି ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ସମ୍ପୂର୍ଣ୍ଣ ସଙ୍କୁଚିତ କରିବା ହେବ ଶ୍ରେଷ୍ଠ ପନ୍ଥା। ଏଥିସହ, ପ୍ରାକୃତିକ ପରିସଂସ୍ଥା, ଜଙ୍ଗଲ, ସବୁଜିମା, ଜଳଉତ୍ସ ଏବଂ ଜୈବବିବିଧତାର ସୁରକ୍ଷା ଓ ସଂରକ୍ଷଣକୁ ପ୍ରାଥମିକତା ପ୍ରଦାନ ଯୁବଗୋଷ୍ଠୀର ଲକ୍ଷ୍ୟ ହେଉ।
ଜଳବାୟୁ ଅନିଶ୍ଚିତତା ପରିପ୍ରେକ୍ଷୀରେ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ନିମନ୍ତେ ଯୁବ କୃଷି ବୈଜ୍ଞାନିକମାନେ ବିକଳ୍ପ କୃଷି ଓ କୃଷି ପଦ୍ଧତି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଆବଶ୍ୟକ। ପ୍ରାକୃତିକ ବିପର୍ଯ୍ୟୟର ଅନୁମାନରେ ପ୍ରଭାବଶାଳୀ ପ୍ରଯୁକ୍ତିର ବିନିଯୋଗ ସହ କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରରେ ସୀମିତ ରଖିବାର ପ୍ରୟାସକୁ ଗୁରୁତ୍ୱ ପ୍ରଦାନ ଏକାନ୍ତ ଅପରିହାର୍ଯ୍ୟ। ଯୁବ ପ୍ରଶାସନିକ ଅଧିକାରୀମାନେ ଜଳବାୟୁ ଦୁଃସ୍ଥିତିରେ ପ୍ରଭାବିତ ଲୋକଙ୍କୁ ଦୃଷ୍ଟିରେ ରଖି ସହାୟକ ସରକାରୀ ନୀତି ଓ ଯୋଜନାର ପ୍ରଣୟନ ଏବଂ କାର୍ଯ୍ୟକାରୀ କରିବା ସହିତ ସେମାନଙ୍କ ପ୍ରତି ହୃଦୟରୁ ସମବେଦନା ପ୍ରଦର୍ଶନରେ ବ୍ରତୀ ହେବା ଆବଶ୍ୟକ। ଜଳବାୟୁ କ୍ଷତିଗ୍ରସ୍ତ ଓ ସ୍ଥାନାନ୍ତରିତ ହେଉଥିବା ଜନସାଧାରଣଙ୍କୁ ସହାୟତାର ହାତ ବଢ଼ାଇ ବେସରକାରୀ ଅନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ ଯୁବଗୋଷ୍ଠୀ ସେମାନଙ୍କର ନିକଟତର ହେବା ଏବଂ ମାନସିକ ସ୍ତରରେ ସେମାନଙ୍କୁ ସଶକ୍ତ କରିବା ଦିଗରେ ଚେଷ୍ଟିତ ହେବା ବିଧେୟ। ଆମ ଗ୍ରହର ସୁରକ୍ଷାକୁ ନିଶ୍ଚିତ କରିବା ଏବଂ ଏଥିନିମନ୍ତେ ଜନସାଧାରଣଙ୍କର ଯୋଗଦାନ ଓ ସରକାରୀ କଳକୁ ଅଧିକ ସକ୍ରିୟ କରିବା ଲକ୍ଷ୍ୟରେ ଯୁବଗୋଷ୍ଠୀ ଅଗ୍ରଦୂତର ଭୂମିକା ନିର୍ବାହ କରିବା ହେଉଛି ଆଜିର ଆହ୍ବାନ। ଜଳବାୟୁ ପରିବର୍ତ୍ତନ ପରି ବୈଶ୍ୱିକ ସମସ୍ୟାର ମୁକାବିଲା ନିମନ୍ତେ ସ୍ଥାନୀୟ ତୃଣମୂଳ ସ୍ତରରୁ ବିଶ୍ୱ ପର୍ଯ୍ୟନ୍ତ ଉପଯୁକ୍ତ କାର୍ଯ୍ୟପନ୍ଥାର ଅବଲମ୍ବନ ହେଲେ ଏହି ଅନନ୍ୟ ଗ୍ରହ ଆଗାମୀ ପିଢ଼ି ନିମନ୍ତେ ସୁସ୍ଥ ପରିବେଶ ବଜାୟ ରଖିବାରେ ସମର୍ଥ ହେବ।
-ଡ. ଜୟକୃଷ୍ଣ ପାଣିଗ୍ରାହୀ                                                                                          ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?