Posted inଫୁରସତ

ପରିଚ୍ଛନ୍ନ ଗାଁ ବବେଇଯୋଡା

ମୟୂରଭଞ୍ଜର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବବେଇଯୋଡ଼ା ଗାଁ , ଯାହା ଏବେ ପରିଚ୍ଛନ୍ନ ଗାଁ ଭାବେ ଅନ୍ୟ ଗାଁ ପାଇଁ ଉଦାହରଣ….

ସୌନ୍ଦର୍ଯ୍ୟର ଗନ୍ତାଘର ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲା। ଏହି ଆଦିବାସୀ ବହୁଳ ଜିଲାରେ ରହିଛି ଅନେକ ଗ୍ରାମ ଯେଉଁ ଗ୍ରାମଗୁଡିକ ନିଜ ନିଜର ପରମ୍ପରା ଓ ସୌନ୍ଦର୍ଯ୍ୟ ନିମନ୍ତେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସେହିପରି ଏକ ଗ୍ରାମ ହେଉଛି ବବେଇଯୋଡ଼ା। ଏହି ଗାଁ ମାଟି କେତେବେଳେ ପଦ୍ମଶ୍ରୀ ଭଳି ପ୍ରତିଭାକୁ ଜନ୍ମ ଦେଇଛି ତ କେତେବେଳେ ସୃଷ୍ଟିକରିଛି ସଫଳ ଚାଷୀ। ତେବେ ଏହି ଗ୍ରାମ ତା’ର ସ୍ବଚ୍ଛତା ନିମନ୍ତେ ସାରାରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଶିମିଳିପାଳ ପାଦଦେଶର ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ବିଶୋଇ ବ୍ଲକ ସ୍ଥିତ ଭାତଛତ୍ର ପଞ୍ଚାୟତରେ ଅବସ୍ଥିତ ବବେଇଯୋଡ଼ା ଗ୍ରାମ। ତେବେ, ସ୍ଥାନୀୟ ଅଞ୍ଚଳରେ ଏହି ଗ୍ରାମ ‘ବାବଜଳା ଗାଁ’ ନାମରେ ଜଣାଶୁଣା। ବିଶୋଇବ୍ଲକର ମୁଖ୍ୟ ଦପ୍ତର ବିଶୋଇଠାରୁ, ବିଶୋଇ – କେନ୍ଦୁଝରକୁ ସଂଯୋଗ କରୁଥିବା ୪୯ ନଂ ଜାତୀୟ ରାଜପଥ ଦେଇ ୧୦ କି.ମି. ଗଲାପରେ ରାଜପଥର ଡ଼ାହାଣ କଡ଼ରେ ପଡେ ବବେଇଯୋଡ଼ା ଛକ। ଛକଠାରୁ ଏହିଗ୍ରାମକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ହୋଇଛି ଏକ ପିଚୁରାସ୍ତା। ଏହି ରାସ୍ତାର ଉଭୟ କଡ଼ରେ ଥିବା ସବୁଜିମା ଧାନ କ୍ଷେତ ଦେଇ ୧ କି.ମି. ଗଲାପରେ ପଡେ ବବେଇଯୋଡ଼ା ଗ୍ରାମ।
ବିକାଶର ଦୋଛକିରେ ବବେଇଯୋଡ଼ା : ୮୦ରୁ ଊର୍ଦ୍ଧ୍ୱ ପରିବାର ବିଶିଷ୍ଟ ବବେଇଯୋଡ଼ା ଗ୍ରାମରେ ୪ ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ସମସ୍ତ ଗ୍ରାମବାସୀ ସାନ୍ତାଳୀ ସମ୍ପ୍ରଦାୟର ଥିବାବେଳେ ସମସ୍ତେ ପ୍ରାୟ ଚାଷ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରନ୍ତି। ତେବେ ଗ୍ରାମକୁ ଉତ୍ତମ ସଡ଼କ ଓ ବିଦ୍ୟୁତ ସଂଯୋଗ ହୋଇଥିଲେ ସୁଦ୍ଧା ଗ୍ରାମକୁ ପାନୀୟଜଳ ଯୋଗାଣରେ ସେପରି କିଛି ବନ୍ଦୋବସ୍ତ ହୋଇନାହିଁ। ଏହି ଗ୍ରାମରେ ୪ ଗୋଟି ନଳକୂପ ଥିବାବେଳେ ସେଥିମଧ୍ୟରୁ ଗୋଟିଏ ନଳକୂପ ଅଚଳ ହୋଇପଡିଛି। ପ୍ରଶାସନ ପକ୍ଷରୁ ଗ୍ରାମ ମଧ୍ୟରେ ଏକ ସୋଲାର ଉଠା ଜଳସେଚନ ପ୍ରକଳ୍ପ ହୋଇଥିଲେ ସୁଦ୍ଧା ଗ୍ରାମ୍ୟ ପାଇପ ଜଳଯୋଗାଣ ମିଶନରେ ବର୍ତ୍ତମାନ ସୁଦ୍ଧା ଗ୍ରାମକୁ ଜଳଯୋଗାଣ ହୋଇପାରିନାହିଁ। ଗ୍ରାମବାସୀମାନେ ଚାଷ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ ଚାଷ କାର୍ଯ୍ୟ ନିମନ୍ତେ ପ୍ରଶାସନିକ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବିହୋଇଛି।
ପରମ୍ପରା ଓ ପର୍ବପର୍ବାଣି : ଆଦିବାସୀ ପରମ୍ପରା ଅନୁଯାୟୀ ଗ୍ରାମବାସୀମାନଙ୍କର ପାରମ୍ପରିକ ରୀତିନୀତି ପର୍ବପର୍ବାଣି ମଧ୍ୟ ଭିନ୍ନଭିନ୍ନ। ପ୍ରଥମ ପର୍ବ ଅନୁଯାୟୀ ମାଘମାସର ପ୍ରଥମ ଚନ୍ଦ୍ର ଦର୍ଶନରେ ଗ୍ରାମ ପକ୍ଷରୁ ସାନ୍ତାଳୀ ନବବର୍ଷ ପାଳନ କରାଯାଏ। ସେହିପରି ଚୈତ୍ରମାସର ଚନ୍ଦ୍ର ଦର୍ଶନ ଠାରୁ ପଞ୍ଚମ ଦିନ ମଧ୍ୟରେ ଭୁଜନୀ ପର୍ବ ପାଳନ ହୋଇଥାଏ। ଗ୍ରାମର ସୀମା ବାହାରେ ପ୍ରାକୃତିକ ପରିବର୍ତ୍ତନ ସମୟର ପ୍ରଭାବକୁ ଗ୍ରାମ ଭିତରକୁ ପଶିବାକୁ ନ ଦେବା ଏହି ପୂଜାର ଉଦ୍ଦେଶ୍ୟ ଅଟେ ବୋଲି ଗ୍ରାମବାସୀମାନେ କହିଛନ୍ତି। ସେହିପରି ବୈଶାଖମାସର ଏରଃସିମ ପୂଜାହୁଏ ଯେଉଁଥିରେ ଧାନ ମୁଠିକରାଯାଏ। ଜ୍ୟେଷ୍ଠମାସରେ ରାଜାସାଲା, ଆଷାଢ଼ମାସର ଆଷାଳିୟା ପୂଜା, ଶ୍ରାବଣ ପୂର୍ଣ୍ଣିମାରେ ଗହ୍ମାପର୍ବ ଓ ଭାଦ୍ରବମାସରେ ଜାନ୍ତାଳ ପୂଜା (ଜଙ୍ଗଲ ପୂଜା) ହୁଏ। ସେହିପରି ଆଶ୍ୱିନ ମାସରେ ଦଶହରା ଦୁଇଦିନ ପୂର୍ବରୁ ଦାସାଏଁ ନାଚ (ଏକ ଆଦିବାସୀ ନୃତ୍ୟ) ହୁଏ ଏବଂ ଦୀର୍ଘ ୫ ଦିନ ଧରି ଏହି ନାଚ ଗାଁକୁଗାଁ ବୁଲି କରାଯାଏ। ଏହି ଗ୍ରାମର ସବୁଠୁ ବଡ଼ ପର୍ବ ହେଲା ସହରାୟ ପର୍ବ। ଏହି ପର୍ବ କାଳୀପୂଜା (ଦୀପାବଳି) ଠାରୁ ଆରମ୍ଭ ହୋଇ ଦୀର୍ଘ ୫ ଦିନ ଧରି ଚାଲେ। ପ୍ରଥମ ଦିନରେ ଗୋ ବନ୍ଦାଣହୁଏ। ପର୍ବର ଦ୍ୱିତୀୟ ଦିନରେ ଦାକାମାହା ପାଳନ କରାଯାଏ ଅର୍ଥାତ ଏହି ଦିନ ଗ୍ରାମର ମୁଖିଆମାନେ ଗୋରୁ ଖୁଣ୍ଟେଇଥାନ୍ତି(ଗୋରୁ ବାନ୍ଧିଥାନ୍ତି)। ଏଥିସହିତ ଗ୍ରାମବାସୀମାନଙ୍କ ଦ୍ୱାରା ପାରମ୍ପରିକ ଡ଼ାଣ୍ଠାନୃତ୍ୟ କରାଯାଏ। ସେହିପରି ତୃତୀୟ ଦିନରେ ଆଳାମାହା କରାଯାଏ। ଅର୍ଥାତ ଏହିଦିନ ସମସ୍ତ ଗ୍ରାମବାସୀ ଗୋରୁଖୁଣ୍ଟା କରନ୍ତି। ପର୍ବର ଚତୁର୍ଥ ଦିନରେ ପେଟେ ଜଲାପୁ ଯାଜଲେ ନାଚ ହୁଏ। ଏଥିରେ ଗ୍ରାମବାସୀମାନେ ଘରକୁଘର ବୁଲି ନାଚିବା ସହିତ ପ୍ରତ୍ୟେକ ଘରୁ ଚାଉଳ ଓ ପନିପରିବା ସଂଗ୍ରହ କରନ୍ତି। ଶେଷରେ ପର୍ବର ପଞ୍ଚମ ଦିନରେ ସଂଗ୍ରହ ହୋଇଥିବା ସମସ୍ତ ଚାଉଳ ଓ ପନିପରିବାକୁ ମିଶାଇ ସଳେ (ଖେଚୁଡ଼ି) କରାଯାଏ। ଯାହାକୁ ଯାଜଲେ ସଳେ କୁହାଯାଏ। ଗାଁ ଦାଣ୍ଡରେ ସମସ୍ତ ଗ୍ରାମବସୀ ଏକାଠି ବସି ଏହି ଖେଚୁଡ଼ିକୁ ସେବନ କରନ୍ତି।
ସଫଳକୃଷି ଦମ୍ପତି : ଏହି ଗ୍ରାମର ସଫଳ ଚାଷୀ କାର୍ତ୍ତିକଚନ୍ଦ୍ର ହାଁସଦା ନିଜଗ୍ରାମ ପାଇଁ ଗର୍ବ ଆଣିଦେଇଛନ୍ତି। ସ୍ବର୍ଗତ ଘାଉଳେ ହାଁସଦାଙ୍କ ପୁତ୍ରକାର୍ତ୍ତିକ ସମାଜସେବା ଓ କୃଷିକାର୍ଯ୍ୟକୁ ନିଜର ବୃତ୍ତି ଭାବରେ ଗ୍ରହଣକରି ସଫଳତା ସାଉଁଟି ପାରିଛନ୍ତି। ଗ୍ରାଜୁଏସନ୍‌ ପରେ ୨୦୦୭-୨୦୧୪ ମସିହା ପର୍ଯ୍ୟନ୍ତ କାର୍ତ୍ତିକ ଏ.ଆଇ.ଡି. ସଂସ୍ଥା ତରଫରୁ କମ୍ୟୁନିଟି ରେଡ଼ିଓର ସଙ୍ଗଠକ ଭାବରେ କାର୍ଯ୍ୟରତ ଥିଲେ। ପରବର୍ତ୍ତୀ ସମୟରେ ଚାଷକୁ ନିଜର ବୃତ୍ତି ଭାବରେ ଗ୍ରହଣକରି ୨୦୧୫ ମସିହାରୁ ନିଜର ସାଢ଼େ ୩ ଏକର ସମେତ ଗ୍ରାମରେ ଥିବା ଉଜୁଡା ଜମି ଓ ଅନ୍ୟର ୧୦ ଏକର ଜମିକୁ ଲିଜରେ ନେଇ ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ୨୦୧୭ ମସିହାଠାରୁ ଆଧୁନିକ ଜ୍ଞାନ କୌଶଳରେ କଦଳୀ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହିତ ଅପୂର୍ବ ସଫଳତା ପାଇଥିଲେ। ଏଥିରେ ସେ ୮ ଜଣ ଶ୍ରମିକଙ୍କୁ ରୋଜଗାର ଦେଇପାରିଛନ୍ତି। ତାଙ୍କର ଚାଷ କାର୍ଯ୍ୟର ସଫଳତା ପଛରେ ନିଜର ଧର୍ମପତ୍ନୀ ପାର୍ବତୀ ହେମ୍ବ୍ରମ ସହଯୋଗ କରିଥାନ୍ତି। ପାର୍ବତୀ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗରେ ପି.ଜି ପାଠ୍ୟକ୍ରମ ସମାପ୍ତ କରିଥିଲେ ସୁଦ୍ଧା ସେ କୃଷିକାର୍ଯ୍ୟରେ ନିଜ ସ୍ବାମୀ କାର୍ତ୍ତିକଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥାନ୍ତି। ଏହି ସଫଳତା ପାଇଁ କାର୍ତ୍ତିକ ୨୦୧୭ – ୧୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କୃଷି ମହୋତ୍ସବରେ କୃତୀ କୃଷକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେହିପରି ଉଦ୍ୟାନ କୃଷି ବିଭାଗର ଏଗ୍ରିକଲଚର୍‌ ଟେକ୍‌ନୋଲୋଜି ମ୍ୟାନେଜମେଣ୍ଟ ଏଜେନ୍ସି (ଆତ୍ମା), ମୟୂରଭଞ୍ଜ ପକ୍ଷରୁ ଉତ୍ତମ କୃଷି ଓ ୨୦୧୯ ମସିହାରେ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ନିମନ୍ତେ ଓଡିଶା ସରକାର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରମାଣପତ୍ର ପାଇଛନ୍ତି।
ପାତାପର୍ବ ଓ ସ୍ବଚ୍ଛତା : ଏହିଗ୍ରାମର ଅନ୍ୟ ଏକ ବିଶେଷତ୍ୱ ହେଲା ‘ପାତା’ ପର୍ବ। ଶିବରାତ୍ରି (ଜାଗର)ର ଗୋଟିଏ ଦିନ ପରେ ଏହି ପର୍ବ ଆରମ୍ଭ ହୋଇ ୩ ଦିନ ଧରି ଚାଲିଥାଏ। ପ୍ରାୟ ଗୋଟିଏ ପିଢ଼ି ପୂର୍ବରୁ ଏଠାରେ ପାତା ପର୍ବ ଆରମ୍ଭ କରାଯାଇଥିଲା। ଏହି ୩ ଦିନିଆ ଉତ୍ସବ ଆୟୋଜନ ଅବସରରେ ଗାଁର ଶତାଧିକ ଘରର ମାଟିକାନ୍ଥ କଳାର ଯାଦୁକରି ସ୍ପର୍ଶରେ ଅନନ୍ୟ ଦେଖାଯାଏ। ଆଗରୁ ସାନ୍ତାଳୀ ସମ୍ପ୍ରଦାୟରେ ଘର ରଙ୍ଗ କରିବାର ପ୍ରଥା ଥିଲା। ତେବେ ପାତାପର୍ବ ଜରିଆରେ ଏଥିରେ କିଛି ଆଧୁନିକୀକରଣ କରାଯାଇଥିଲା। ଆଦିବାସୀ ମହିଳାଙ୍କ ମଧ୍ୟରେ ରଙ୍ଗ ଦେବାର ପ୍ରତିଯୋଗିତା କରାଗଲା। ଏହି ପ୍ରତିଯୋଗିତା ମନୋଭାବ ଯୋଗୁ ମହିଳାମାନଙ୍କ ମଧ୍ୟରେ କଳାକୃତି କାରିଗରୀର ଦକ୍ଷତା ଦୁଇଗୁଣ ବଢ଼ିଥିଲା। ଫଳରେ ଆଦିବାସୀ ରମଣୀଙ୍କ ଅଙ୍ଗୁଳି ସ୍ପର୍ଶରେ ଗାଁ ହୋଇଉଠେ ଲାବଣ୍ୟମୟ। ତେବେ ‘ପାତାପର୍ବ’ର ଏକ ବିଶେଷତା ହେଲା ସ୍ବଚ୍ଛତା। ଏହି ପର୍ବ ଉପଲକ୍ଷେ ଗାଁ ଦାଣ୍ଡକୁ ପରିଷ୍କାର କରାଯିବା ସହିତ ଅଳିଆ ଆବର୍ଜନାକୁ ପକାଇବା ପାଇଁ ଦାଣ୍ଡରେ ଡ଼ଷ୍ଟବିନ ରଖାଯାଇଥାଏ। ଏହି ସ୍ବଚ୍ଛତାକୁ ଦେଖିବା ପାଇଁ ଗ୍ରାମକୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଥାଏ। ଏହି ଅବସରରେ ଗ୍ରାମର ଭଞ୍ଜ ଇପିଲ ରାନାକାବ୍‌ ମାଡ଼ୱା କ୍ଳବ ଆନୁକୂଲ୍ୟରେ ପାତା ନାଚ ଓ ସାନ୍ତାଳୀ ଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଢ଼ାବୁଲ ନୃତ୍ୟରେ ଆଦିବାସୀ ଭାଇଭଉଣୀମାନେ ନିଜର ପାରମ୍ପରିକ ପୋଷାକ ପରିଧାନ କରି ହାତକୁହାତ ଛନ୍ଦି ମାଦଳ ବାଜାର ତାଳେତାଳେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥାନ୍ତି। ଏହାକୁ ଦେଖିବା ପାଇଁ ବହୁ ଲୋକଙ୍କ ଭିଡ଼ ଜମିଥାଏ। ଏହି ଉତ୍ସବର ପରିଚାଳନା ନିମନ୍ତେ କ୍ଳବର ସଭାପତି ଚନ୍ଦନ ହାଁସଦା ସମେତ କାର୍ତ୍ତିକଚନ୍ଦ୍ର ହାଁସଦା, ସଦାନନ୍ଦ ଟୁଡୁ, ସୁନ୍ଦରମୋହନ ବେଶ୍ରା, ଭୀମସେନ କିସ୍କୁ, ଅମରସିଂ ହେମ୍ବ୍ରମ, ଉପେନ୍ଦ୍ର ହାଁସଦା, ବାରଷା ହାଁସଦା, ବୁଧରାୟ ଟୁଡୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣକରନ୍ତି। ସେହିପରି ଏହି ଗ୍ରାମରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବଳାତ୍କାର କିମ୍ବା ହତ୍ୟା ଜନିତ ଅପରାଧ ଘଟି ନଥିବା ବେଳେ ଗ୍ରାମରେ କିଛି କଳି ଝଗଡ଼ା ହେଲେ ଗ୍ରାମର ପାରମ୍ପରିକ ମୁଖିଆ ମାଝିବାବାଙ୍କ ତତ୍ତ୍ବାବଧାନରେ ସମାଧାନ ହୋଇଥାଏ। ସେହିପରି ୪୦ବର୍ଷ ପୂର୍ବରୁ ସ୍ବର୍ଗତ ଫାଗୁରାମ୍‌ ମୁର୍ମୁଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଘରକୁଘର ବୁଲି ନିଶା ନିବାରଣ ପାଇଁ ସଚେତନତା ସୃଷ୍ଟି କରୁଥିଲେ। ଏଥି ସହିତ ଗ୍ରାମ ନିକଟରେ କରାଯାଉଥିତ୍ବା ହାଟରେ ନିଶାଦ୍ରବ୍ୟ ବିକ୍ରୟକୁ ବିରୋଧ କରୁଥିଲେ। ସେହିପରି ଗ୍ରାମରେ ଭ ଇପିଲ ରାନାକାବ ମାଡ଼ୱା ଯୁବକ ସଙ୍ଘ ପକ୍ଷରୁ ବର୍ଷରେ ଥରେ ଗ୍ରାମରେ ହେଲଥ୍‌ କ୍ୟାମ୍ପ କରାଯାଏ। କେବଳ ପାତା ପର୍ବ ନୁହେଁ ବର୍ଷ ତମାମ ଏହି ଗାଁର ଲୋକେ ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତି।

-ଇଂ ଅମିତ କୁମାର ଦାସ


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?