ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଲ୍ଲୀ ସାମନ୍ତରାପୁର ଗ୍ରାମରେ ୫ ହଜାର ଋଣ ଟଙ୍କା ପରିଶୋଧକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଛି।ଏହି ଆକ୍ରମଣ ପ୍ରତି ଆକ୍ରମଣରେ ଗ୍ରାମର ମହେଶ୍ବର ଗୌଡ଼ ଏବଂ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀର ବୁଡୁ ଗୌଡ଼ଙ୍କ ସମେତ ଅନ୍ୟ ୩ ଜଣ ଆହାତ ହୋଇଛନ୍ତି। ମହେଶ୍ୱରଙ୍କ ଠାରୁ ଗତ ପ୍ରାୟ ୧ ବର୍ଷ ପୂର୍ବେ ବୁଡୁ ୫ ହଜାର ଟଙ୍କା ଧାର ନେଇଥିଲେ। ବାରମ୍ବାର ମାଗିବା ସତ୍ତ୍ବେ ବୁଡୁ ଟଙ୍କା ଫେରାଇନଥିଲେ।ଏହି ଘଟଣାକୁ ନେଇ ରବିବାର ରାତି ପ୍ରାୟ ୮ ଟାରେ ବୁଡୁ ଏବଂ ତାଙ୍କ ସମ୍ପର୍କୀୟମାନେ ମହେଶ୍ୱରଙ୍କୁ ଆକ୍ରମଣ କରିଥଲେ । ଖବର ପ୍ରଚାରିତ ହେବାପରେ ମହେଶ୍ୱରଙ୍କ ସମ୍ପର୍କୀୟମାନେ ତାଙ୍କ ଘର ନିକଟରେ ଏକତ୍ରିତ ହୋଇଥିଲେ। ରାତି ପ୍ରାୟ ୯ ଟାରେ ସେମାନେ ସଂଘବଦ୍ଧ ହୋଇ ବୁଡୁ ଏବଂ ତାଙ୍କ ସମ୍ପର୍କୀୟମାନଙ୍କ ଉପରେ ପ୍ରତି ଆକ୍ରମଣ କରିଥିଲେ। ଗାଁ ରାସ୍ତାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଏଥିରେ ଉଭୟ ପକ୍ଷର ୫ ଆହାତ ହୋଇଥିଲେ। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୧୨୨/୨୬ ଏବଂ ୧୨୩/୨୬ ଅନୁଯାୟୀ ପୃଥକ ମକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଏଏସଆଇ ସୁଧୀର ନାୟକଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

