ଓଡ଼ିଆ ଜୀବନଚିତ୍ରର ଛିନ୍ନ ଚୌପଦୀ

ଡ. ପ୍ରଫୁଲ୍ଲ କୁମାର ସାହୁ

ଊନବିଂଶ ଶତାବ୍ଦୀର ମଧ୍ୟଭାଗ ଥିଲା ସ୍ପର୍ଦ୍ଧିତ ଓଡ଼ିଆ ଜାତି ପାଇଁ ଏକ ସନ୍ଧିଗ୍ଧ କାଳଖଣ୍ଡ। ଏକ ବିପର୍ଯ୍ୟସ୍ତ ଖଣ୍ଡିତ କଙ୍କାଳରେ ପରିଣତ ହୋଇସାରିଥିଲା ବାଣିଜ୍ୟ ସମୃଦ୍ଧ ଓଡ଼ିଶା। ସାହେବମାନଙ୍କ ହୁକୁମ୍‌ ଓ ବଙ୍ଗାଳୀମାନଙ୍କ ତାଚ୍ଛଲ୍ୟ ମଝିରେ ବନ୍ଧା ପଡ଼ିଥିଲା ସ୍ବାଭିମାନୀ ଓଡ଼ିଆ ଜାତିର ଭାଗ୍ୟ। ଠିକ୍‌ ଏତିକିବେଳେ ଦାଉ ସାଧିଲା ଦାରୁଣ ପ୍ରକୃତି। ଓଡ଼ିଆ ଜାତିର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଲା ନ’ଅଙ୍କ ଦୁର୍ଭିକ୍ଷ। ବିପର୍ଯ୍ୟସ୍ତ ହୋଇଗଲା ଓଡ଼ିଆଙ୍କ ଭାଷା, ସାହିତ୍ୟ, ସଂସ୍କୃତି, ସାମାଜିକ ଚଳଣି ଓ ରାଜନୈତିକ ଦୃଶ୍ୟପଟ। ଜାତିର ଏହି ବିପର୍ଯ୍ୟୟ ବେଳେ ପଡ଼ୋଶୀ ବଙ୍ଗାଳୀଙ୍କ ପକ୍ଷରୁ ଆରମ୍ଭ ହେଲା ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ବିଲୋପ କରିଦେବାର ହୀନ ଚକ୍ରାନ୍ତ। ସୌଭାଗ୍ୟବଶତଃ ଏହି କରୁଣ କାଳଖଣ୍ଡରେ କଡ଼ ଲେଉଟେଇଲା ମହାକାଳ। ଗୋଟାଏ କଙ୍କାଳସାର ଜାତି ଦେହରେ ପ୍ରାଣ ସଞ୍ଚାର କରିବା ପାଇଁ ଆଗେଇ ଆସିଲେ ଅନେକ ଯୋଗଜନ୍ମା ଅମୃତ ସନ୍ତାନ। ପ୍ରତିବେଶୀଙ୍କ ଭାଷା ବିଲୋପ ଚକ୍ରାନ୍ତକୁ ପ୍ରତିହତ କରିବା ପାଇଁ ଜାତିପ୍ରାଣ ମାନେ ଏକାଠି ହୋଇ ଲଢ଼ିଲେ । ସେ ବୌଦ୍ଧିକ ଲଢ଼େଇର କର୍ଣ୍ଣଧାର ଥିଲେ ବ୍ୟାସକବି ଫକୀରମୋହନ ସେନାପତି। ତାଙ୍କ ସେହି କଲମ ଚାଳନା ଫଳରେ ଓଡ଼ିଶାର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଇତିହାସର ପୃଷ୍ଠଭୂମି ଉପରେ ଠିଆହେଲା ସେନାପତି ସାହିତ୍ୟ। ଓଡ଼ିଆ ଭାଷା ଅସ୍ମିତାର ରଡ଼ନିଆଁରେ ଜଳି ଜଳି ଆମତ୍ପ୍ରକାଶ କଲା ବାସ୍ତବବାଦ୍‌ ଆଧାରିତ ପ୍ରଥମ କ୍ଲାସିକ୍‌ ଆଧୁନିକ ଓଡ଼ିଆ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’। ଶୋଷଣ କଷଣର ଏକ ଜୀବନ୍ତ ଇତିହାସ। ଓଡ଼ିଆ ଚଷାର ବିସ୍ଥାପନ କାହାଣୀ ତଥା ଗୋଟିଏ ଜାତିର ଫୁଙ୍ଗୁଳା ଫର୍ଦ୍ଦ।
ସେହି କାଳଜୟୀ କୃତିର କାହାଣୀ ଚୁମ୍ବକରେ ଏହିପରି। ବ୍ରିଟିଶ ଶାସନାଧୀନ ଉପକୂଳ ଓଡ଼ିଶାର ଗୋବିନ୍ଦପୁର ଗାଆଁର ଜମିଦାର ରାମଚନ୍ଦ୍ର ମଙ୍ଗରାଜ। ଜମିଦାରର ଲୋଲୁପ ଦୃଷ୍ଟି ପଡ଼ିଛି ସେହି ଗାଆଁର ଅପୁତ୍ରିକ ତନ୍ତୀ ଦମ୍ପତି ଭଗିଆ ଓ ସାରିଆର ଛମାଣ ଆଠଗୁଣ୍ଠ ଜମି ଓ ଦୁଧିଆଳୀ ଗାଈ (ନେତ) ଉପରେ। ଏସବୁକୁ ହଡ଼ପ କରିବା ଉଦ୍ଦେଶ୍ୟରେ ଜମିଦାର ପକ୍ଷରୁ ଆରମ୍ଭ ହୋଇଛି ଚକ୍ରାନ୍ତ। ଏଥିରେ ପୂର୍ଣ୍ଣ ସହଯୋଗ କରିଛନ୍ତି ଚାକରାଣୀ ଚମ୍ପା, ଗୋବରା ଜେନା ଓ ଅନ୍ୟମାନେ। ସାରିଆର ସରଳ ବିଶ୍ୱାସର ସୁଯୋଗ ନେଇ ମଙ୍ଗରାଜ ହାସଲ କରିଛି ଜମି ଓ ଗାଈର ମାଲିକାନା। ନିଜର ଭାତ ଥାଳି ପରି ଜମି ଛମାଣ ଆଠଗୁଣ୍ଠ ଚକ ହରାଇବା ଫଳରେ ପାଗଳ ହୋଇଯାଇଛି ଭଗିଆ। ଦୁଃଖ, ଅନୁଶୋଚନା ଓ ଅନାହାରରେ ପଡ଼ି ପଡ଼ି ମୃତ୍ୟୁବରଣ କରିଛି ତା’ର ପନତ୍ୀ ସାରିଆ । ସାରିଆର ମୃତ୍ୟୁ ପାଇଁ ମଙ୍ଗରାଜଙ୍କ ନାମରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ଏବଂ ତା’ର ବିଚାର ଚାଲିଛି କଟକ ସେସନ ଜଜ୍‌ କୋର୍ଟରେ। ଅପମୃତ୍ୟୁ ମାମଲା ପ୍ରମାଣ ହୋଇପାରିନି ସତ, କିନ୍ତୁ ଗାଈଚୋରି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗିଛି ମଙ୍ଗରାଜ । ଜେଲ୍‌ ଭିତରେ ଜଣେ ପାଗଳର (ଭଗିଆ) କାମୁଡ଼ାରେ ସଂକ୍ରମିତ ହୋଇ ସେ ମୃତ୍ୟୁବରଣ କରିଛି ଅତି ଦୟନୀୟ ଭାବରେ। ଅପରାଧ ଓ ଶାସ୍ତିର ବଳୟ ଭିତରେ ସୀମିତ ଏଇ ସରଳ କଥାବସ୍ତୁକୁ ନେଇ ଗଢ଼ି ଉଠିଛି ଓଡ଼ିଆ ସାହିତ୍ୟର ସର୍ବଶ୍ରେଷ୍ଠ ଉପନ୍ୟାସ ତଥା ଓଡ଼ିଆ ଜାତିର ମହାପାଠ ”ଛ’ ମାଣ ଆଠଗୁଣ୍ଠ“। ଓଡ଼ିଆ ଗଦ୍ୟ ସାହିତ୍ୟର ଘୋର ଦାରିଦ୍ର୍ୟ କାଳରେ ଏଭଳି ଏକ ସାମାଜିକ ଅନ୍ତର୍ଦୃଷ୍ଟିସମ୍ପନ୍ନ ଉପନ୍ୟାସ ତତ୍‌କାଳୀନ ଭାରତୀୟ ସାହିତ୍ୟ କାହିଁକି ପାଶ୍ଚାତ୍ୟ ସାହିତ୍ୟରେ ବି ବିରଳ। ଜଣେ ସମାଜ ସଂସ୍କାରକ ଭାବେ ଫକୀରମୋହନ ଥିଲେ ପ୍ରଚଣ୍ଡ ଚିନ୍ତାଶକ୍ତିର ପ୍ରବକ୍ତା। ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ବଳରେ ଉକତ୍ଳୀୟ ସମାଜ ଜୀବନର ନାଡ଼ିକୁ ସେ ଚିପିଥିଲେ ଏବଂ ସେ ଅଭିଜ୍ଞତାରୁ ଜାଣିଥିଲେ ସମାଜର ସବୁଠାରୁ ବଡ଼ ବ୍ୟାଧି ହେଉଛି ଅଶିକ୍ଷା ଓ ଅନ୍ଧବିଶ୍ୱାସ । ମା’ ନ ହେଲେ ନାରୀ ନର୍କରେ ପଡ଼େ। ଏହି ଅନ୍ଧବିଶ୍ୱାସ ଯୋଗୁ ମଙ୍ଗରାଜଙ୍କ ଚକ୍ରାନ୍ତର ଶିକାର ହୋଇ ସର୍ବସ୍ବ ହରାଇଲେ ସାରିଆ ଓ ଭଗିଆ। ଫକୀରମୋହନ ଯେତିକି ସଂସ୍କାର ପ୍ରୟାସୀ ସେତିକି ସଂସ୍କୃତି ପ୍ରବଣ। ସେଥିପାଇଁ ସେ ଖୋଲିଦେଇଛନ୍ତି ରାମଚନ୍ଦ୍ର ମଙ୍ଗରାଜର ବଂଶ ପରମ୍ପରା। ରାମଚନ୍ଦ୍ର ମଙ୍ଗରାଜ କୌଣସି ଜମିଦାର ପରିବାରର ଦାୟାଦ ନ ଥିଲା କି ତା’ର ବୁନିୟାଦି ଖାନଦାନି ନ ଥିଲା, ବରଂ ସେ ସମାଜରେ ପ୍ରବେଶ କରିଥିଲା ଏକ ଛେଉଁଣ୍ଡ ପିଲା ଭାବରେ। ଶୁଦ୍ଧି ବି ହୋଇପାରି ନ ଥିଲା ନିଜର ବାପ ମଲାପରେ। ଅଥଚ ନିଜର ଖଳ ବୁଦ୍ଧି ବଳରେ ସମାଜର ବଡପଣ୍ଡାମାନଙ୍କୁ ପରାସ୍ତ କରି ସେ ହାତେଇ ନେଇପାରିଲା ଫତେପୁର ସରଷଣ୍ଢର ଜମିଦାରୀ। ଠିକ୍‌ ଯେମିତି ବ୍ରିଟିଶମାନଙ୍କୁ ତୋଷାମଦ କରି ବଙ୍ଗାଳୀମାନେ କଲିକତାରେ ନିଲାମ ଧରି ଓଡ଼ିଶାର ସମସ୍ତ ଜମିଦାରୀ କରଗତ କରିନେଇଥିଲେ ମାଟିଗୋଡ଼ି ମୂଲ୍ୟରେ। ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସର ମୌଳିକ ବିଭବ ହେଉଛି ଆଖି ଦେଖା ମଣିଷ, ଅଙ୍ଗେନିଭା ଅନୁଭୂତି ଓ ପ୍ରାଣଛୁଆଁ ସୁଖ ଦୁଃଖ। ଯୁଗ ଯୁଗ ଧରି ସମାଜରେ ଯେଉଁମାନେ ଅଲୋଡ଼ା ହୋଇ ପଡ଼ିଥିଲେ ଫକୀରମୋହନ ସେମାନଙ୍କୁ ଏଠୁ ସେଠୁ ସାଉଁଣ୍ଟି ଉପନ୍ୟାସରେ ସ୍ଥାନ ଦେଲେ ଏବଂ ସେମାନଙ୍କୁ ଶିଖାଇଲେ କାଳାଘାତ ସହିବାର କଳା। ଲୋକପ୍ରଚଳିିତ ଭାଷାର ସ୍ଥୂଳ ପ୍ରୟୋଗ ତଥା ଚଟୁଳ ହାସ୍ୟରସ ପରିବେଷଣ ଯୋଗୁ ଫୁଟି ଉଠିଲା ଶୈଳ୍ପିକ ସୌନ୍ଦର୍ଯ୍ୟ। ଚରିତ୍ର ଚିତ୍ରଣ ଓ ଚଟୁଳ ହାସ୍ୟରସ ପରିବେଷଣ ମଧ୍ୟରେ ଫକୀରମୋହନ ପ୍ରତିଟି ଚରିତ୍ରକୁ ଯେଉଁ ନ୍ୟାୟ ଦେଇଛନ୍ତି ତାହା ଅନନ୍ୟ। ବିଶେଷ କରି କାଳଜୟୀ ମନ୍ତ୍ରରେ ଦୀକ୍ଷିତ କରିବା ପାଇଁ ସେ ଖଳ ଚରିତ୍ରଗୁଡ଼ିକ ନିଃଶ୍ୱାସ ପ୍ରଶ୍ୱାସରେ ବି ଭରି ଦେଉଛନ୍ତି ବିଷାକ୍ତ ବାଷ୍ପ। ସେଥିପାଇଁ ମଙ୍ଗରାଜ ଓ ଚମ୍ପା ଭଳି ଖଳ ଚରିତ୍ରଙ୍କ ନିଃଶ୍ୱାସର ବିଷାକ୍ତ ବାଷ୍ପରୁ ନିସ୍ତାର ପାଇନି ସାରିଆ ଭଗିଆର ନିରୀହ ସାଧୁତା। କକ୍ଷଚ୍ୟୁତ ହୋଇଛି ସାଆଁନ୍ତାଣୀ ପରି ପତିବ୍ରତା ନାରୀର ପାରିବାରିକ ସ୍ଥିତି। ଦୁଃଖରେ ମ୍ରିୟମାଣ ହୋଇ ଅନାହାର ଓ ସନ୍ନିପାତରେ ପ୍ରାଣ ହରାଇଛି ଧର୍ମପ୍ରାଣ ସାଆଁନ୍ତାଣୀ।
ଓଡ଼ିଆ ସାହିତ୍ୟର ସର୍ବପ୍ରଥମ ସାମାଜିକ ବାସ୍ତବତାର ରୂପକାର ତଥା କଥାସମ୍ରାଟ ଫକୀରମୋହନ ଗୋଟିଏ କ୍ଷୁଧା ଜର୍ଜ୍ଜରିତ ଜାତିର ଆର୍ତ୍ତନାଦକୁ ଶୁଣିଥିଲେ ଏବଂ ପ୍ରତ୍ୟକ୍ଷ କରିଥିଲେ ଉଲଙ୍ଗ ବାସ୍ତବତା। ତାଙ୍କ ସୂକ୍ଷ୍ମ ଦୃଷ୍ଟିକୁ ଏଡ଼େଇ ପାରି ନ ଥିଲା ତକତ୍ାଳୀନ ସମାଜର ଅସ୍ବଚ୍ଛ ଚିନ୍ତା ଓ ପରିବେଶ। ସେଥିପାଇଁ ତାଙ୍କ ବର୍ଣ୍ଣନାରେ ଅସୁରଦୀଘି ଅପରିଷ୍କାର। ରାତି ପାହିଲେ ପୋଖରୀ ତୁଠରେ ଆରମ୍ଭ ହୋଇଯାଏ ପରଚର୍ଚ୍ଚା, ପରନିନ୍ଦା ଓ ଚକ୍ରାନ୍ତ। ଗାଆଁରେ ନାନା ମତାନ୍ତର। ନିଜେ ଚୌକିଦାର ଚୋର। ଗାଆଁ ଜମିଦାର ଭଣ୍ଡ ଓ ପ୍ରତାରକ। ଏଠି ଶଠତା ପାଖରେ ନୈତିକତା ହାରିଯାଏ ସତ, କିନ୍ତୁ ଶେଷରେ ପାପାଚାରୀକୁ ଭୋଗିବାକୁ ପଡ଼େ କୃତକର୍ମର ଫଳ। ବ୍ୟଙ୍ଗ ବିଦ୍ରୂପାମତ୍କ ହାସ୍ୟ ସୃଷ୍ଟିରେ ଫକୀରମୋହନ ଏପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ ଅଦ୍ୱିତୀୟ ସ୍ରଷ୍ଟା ଭାବରେ ପରିଚିତ। ସତ୍ୟକୁ ମୁଖବନ୍ଧ କରି ସମାଜ ଜୀବନର ଏହି ନିଖୁଣ ଚିତ୍ର ଆଙ୍କିଥିବା ଫକୀରମୋହନଙ୍କର ବର୍ଣ୍ଣନା ଶୈଳୀ ଏତେ ଚିତ୍ତାକର୍ଷକ ଯେ ସେଥିରେ ବାରି ହୁଏନି ସତ୍ୟ ଓ କଳ୍ପନା ମଧ୍ୟରେ ଫରକ। କୁହାଯାଏ ଧୂର୍ଜଟି ଛଦ୍ମ ନାମରେ ମାସିକ ‘ଉକତ୍ଳ ସାହିତ୍ୟ’ ପତ୍ରିକାରେ ୧୮୯୭ ରୁ ୧୮୯୮ ପର୍ଯ୍ୟନ୍ତ ଛ’ମାଣ ଆଠଗୁଣ୍ଠ ଧାରାବାହିକ ଭାବରେ ପ୍ରକାଶ ଅବସରରେ ରାମଚନ୍ଦ୍ର ମଙ୍ଗରାଜଙ୍କୁ ନେଇ ଅଦାଲତ ରାୟ ଶୁଣେଇବେ ବୋଲି ଗୋଟିଏ ଅଧ୍ୟାୟରେ ପ୍ରକାଶ ପାଇବା ପରେ କାହିଁ କୁଆଡୁ ଲୋକେ ଜମା ହୋଇଯାଇଥିଲେ କଟକର କିଲିଟାରୀ ହତାରେ। କ’ଣ ନା ଆଜି ମଙ୍ଗରାଜଙ୍କ ମାମଲାର ଫଇସଲା। ଫକୀରମୋହନଙ୍କ ଉପନ୍ୟାସକୁ ଲୋକେ କଳ୍ପନା ବୋଲି ନ ଭାବି କିପରି ସତ୍ୟ ବୋଲି ଆଦରି ନେଇଥିଲେ ଏହା ହିଁ ତା’ର ଏକ ପ୍ରମାଣ।
ଛ’ମାଣ ଆଠଗୁଣ୍ଠ ଓଡ଼ିଆ ଜୀବନ ଚିତ୍ରର ଏକ ଛିନ୍ନ ଚୌପଦୀ। ନିର୍ଦ୍ଦୟ ବାସ୍ତବତାର ନିଖୁଣ ଚିତ୍ର, ଯାହା ଭିତରେ ଅଛି ସଭ୍ୟତାକୁ ଜୀବନ୍ୟାସ ଦେବାର ଅମାପ ଶକ୍ତି। ଇତିହାସରୁ ସମକାଳ ପର୍ଯ୍ୟନ୍ତ ସମ୍ପ୍ରସାରିତ ଏହି ମହାସର୍ଜ୍ଜନାର ସ୍ରୋତ ପାଇଁ କ୍ରାନ୍ତିଦ୍ରଷ୍ଟା ଫକୀରମୋହନ ବଞ୍ଚିରହିବେ କାଳ କାଳ ପାଇଁ।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ,
ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri