ଲୋକଚରିତ୍ର ମୂଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ଡିସେମ୍ବରରେ ଦୁର୍ନୀତି ବିରୋଧରେ ଡାକରା ଦେଇ କହିଛନ୍ତି ଯେ, ସରପଞ୍ଚଙ୍କଠାରୁ ମୁଖ୍ୟମନ୍ତ୍ରୀ ଏବଂ ତଳ ସ୍ତରର ସରକାରୀ କର୍ମଚାରୀଙ୍କଠାରୁ ମୁଖ୍ୟ ଶାସନ ସଚିବ ସମସ୍ତେ ସମ୍ପତ୍ତି ତାଲିକା ଦେବେ। ଏସବୁ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରାଯିବ ଓ ଜନସାଧାରଣଙ୍କ ସୂଚନା ନିମନ୍ତେ ପ୍ରକାଶ କରାଯିବ। ଦୁର୍ନୀତି ନିବାରଣ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ସ୍ବାଗତଯୋଗ୍ୟ। କିନ୍ତୁ ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରି ଠିକ୍‌ ତଥ୍ୟ କେତେ ଜଣ ଦେବେ ତାହା ବଡ଼ କଥା। କାରଣ ଜଣେ ଦୁର୍ନୀତିଗ୍ରସ୍ତ ସାଧାରଣରେ ନିଜ ନାମରେ ସମ୍ପତ୍ତି କରେ ନାହିଁ। ପ୍ରୋହିବିଶନ ଅଫ୍‌ ବେନାମୀ ପ୍ରପର୍ଟି ଟ୍ରାଞ୍ଜାକ୍‌ଶନ୍‌ ଆକ୍ଟ ପ୍ରଥମେ ୧୯୮୮ରେ ହୋଇଥିଲା। ତା’ପରେ ଅନେକ ଥର ସେଥିରେ ସଂଶୋଧନ ଅଣାଯାଇଥିଲା, ଯାହାର ଶେଷ ସଂଶୋଧନ ୨୦୧୬ରେ ହେଲା। ତଥାପି ଭାରତରେ ବେନାମୀ ସମ୍ପତ୍ତି ଲାଙ୍ଗୁଡ଼ ଛୁଇଁବାରେ ସରକାରୀ କଳ ସଫଳ ହୋଇପାରି ନାହିଁ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପ କେତେଦୂର ସଫଳ ହୋଇପାରିବ ତାହା ଏବେଠାରୁ କହିବା କଷ୍ଟକର।
ସାଧାରଣତଃ ଲୋକେ କହିଥାଆନ୍ତି ନେତା ଓ ସରକାରୀ କର୍ମଚାରୀ ଦୁର୍ନୀତିଗ୍ରସ୍ତ। ସେମାନଙ୍କ ନିକଟରେ କ୍ଷମତା ଥିବାରୁ ତାହାର ଦୁରୁପଯୋଗ କରୁଛନ୍ତି। ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡ ଦିଆଯିବା ଦରକାର। ଜନସାଧାରଣଙ୍କ ଏହି ଘସରା କଥା ବାରମ୍ବାର ଶୁଣିବା ପରେ ମନରେ ପ୍ରଶ୍ନ ଆସୁଛି, ଏମାନଙ୍କୁ କିଏ ଦୁର୍ନୀତି କରିବାରେ ସହଯୋଗ କରନ୍ତି। ଜମି ବିକି ପୁଅ କିମ୍ବା ଝିଅ ପାଇଁ ଚାକିରି ଖଣ୍ଡେ କରିଦେବା ଲାଗି ଲୋକେ ନେତାଙ୍କ ପାଖରେ ପହଞ୍ଚିଯାଆନ୍ତି। ସମସ୍ତେ ଭାବନ୍ତି ସେହି କ୍ଷୁଦ୍ର ଅର୍ଥକୁ ନେଇ ନେତାଗଣ ଦୁର୍ନୀତିଗ୍ରସ୍ତ ହୁଅନ୍ତି। ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ତୃଣମୂଳ ସ୍ତରରୁ ଦୁର୍ନୀତି ଆରମ୍ଭ ହୋଇଥାଏ। ଥାନା ଇନ୍‌ଚାର୍ଜ କିମ୍ବା ବିଡିଓ ସର୍ବନିମ୍ନ ସ୍ତରରୁ ଦୁର୍ନୀତି କରି ନିଜର ଭାଗ ରଖି ଉପରପାହ୍ୟା ଅଫିସରଙ୍କୁ ଅର୍ଥ ଓ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଥାଆନ୍ତି। ଆର୍ଥିକ ଦୁର୍ନୀତିର ଏହା ହେଉଛି ପ୍ରଥମ ପାହାଚ। କିନ୍ତୁ ଏହାଠାରୁ ଅଧିକ ଶକ୍ତିଶାଳୀ ପାହାଚ ହେଉଛି ଶିଳ୍ପପତି, ଖଣି ମାଲିକ ଏବଂ ବ୍ୟବସାୟୀଙ୍କ କାମ କରାଇଦେବା ପାଇଁ ସଂଗୃହୀତ ହେଉଥିବା ବିପୁଳ ଅର୍ଥ। ବଡ଼ ଧନ ଯାଚି କାର୍ଯ୍ୟ ହାସଲ କରିବାକୁ ଇଚ୍ଛୁକ ଖଣି ମାଲିକ ବା ଶିଳ୍ପପତି କେବେହେଲେ ପ୍ରଥମେ ରାଜନେତାଙ୍କ ପାଖକୁ ଯାଆନ୍ତି ନାହିଁ। ସର୍ବନିମ୍ନ ସ୍ତରରୁ ପ୍ରସ୍ତୁତ କରାଯାଉଥିବା ସରକାରୀ ଡକ୍ୟୁମେଣ୍ଟ ବା ଫାଇଲ୍‌ ତାଙ୍କର ସୁବିଧାକୁ ଦୃଷ୍ଟିରେ ରଖି ତିଆରି କରାଯିବା ପାଇଁ ଅର୍ଥର ଝରଣା ବୋହିବାକୁ ଆରମ୍ଭ କରେ। ଅମଲାତନ୍ତ୍ରର ସହଯୋଗକୁ ହାସଲ କରିବା ହେଉଛି ବଡ଼ ବ୍ୟବସାୟୀଙ୍କ ମୂଳ ଲକ୍ଷ୍ୟ। ସେହି ଫାଇଲ ଓ କାଗଜପତ୍ର ସଚିବଙ୍କ ପାଖରେ ପହଞ୍ଚିଲା ବେଳକୁ ସମସ୍ତଙ୍କ ହାତରେ ମିଠାସିରା ଲାଗିସାରିଥାଏ। ସଚିବ ସର୍ବୋଚ୍ଚରେ ଥାଇ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ସମ୍ପୃକ୍ତ ମନ୍ତ୍ରୀଙ୍କ ଦସ୍ତଖସ୍ତ ଆଣିବାର ଦାୟିତ୍ୱ ନେଇଥାଆନ୍ତି। ଏହା କେବଳ ଗୋଟିଏ ରାଜ୍ୟର କାହାଣୀ ନୁହେଁ, ସମଗ୍ର ଦେଶରେ ଏହି ବ୍ୟବସ୍ଥା ଚାଲିଆସୁଛି। ଏହାକୁ ଭାଙ୍ଗିବା ପାଇଁ କାହାରି ଶକ୍ତି ନାହିଁ। ଫଳରେ ସଚିବ ଫାଇଲକୁ ନେଇ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚନ୍ତି। ଦେଖିବାକୁ ଗଲେ ରାଜନେତାଙ୍କ ଭାଗ ଅମଲାତନ୍ତ୍ରୀଙ୍କ ଭାଗଠାରୁ ଯଥେଷ୍ଟ କମ୍‌। ଏହିଭଳି ଅମଲାତନ୍ତ୍ରୀ ଓ ମନ୍ତ୍ରୀଙ୍କ ଭୂମିକାର ଉଦାହରଣ ଭାରତର ଟେଲିକମ୍‌ (୨ଜି) ଓ କୋଇଲା ବ୍ଲକ୍‌ ଆବଣ୍ଟନ ଘଟଣାରେ ପଦାରେ ପଡ଼ିଥିଲା। ସ୍ବାଧୀନତାଠାରୁ ଆଜି ପର୍ଯ୍ୟନ୍ତ ଏହିଭଳି ନାଟକ ସବୁଠାରେ ଚାଲିଛି। ରାଜନେତା ଆସନ୍ତି ଓ ଚାଲିଯାଆନ୍ତି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବଦଳି ଯାଆନ୍ତି; ରହିଯାଆନ୍ତି କେବଳ ଅମଲାତନ୍ତ୍ରୀ। ତେବେ ଜନସାଧାରଣ ସେହି ଅମଲାତନ୍ତ୍ରୀଙ୍କୁ ଦେଖନ୍ତି ନାହିଁ, ସେଥିପାଇଁ ସେମାନଙ୍କ ଭୂମିକା ଜାଣନ୍ତି ନାହିଁ। ଲୋକ ପ୍ରତିନିଧି ଯେହେତୁ ପାଖକୁ ଆସୁଥାଆନ୍ତି ସେହେତୁ ‘ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌’ ନୀତିରେ ସେ ଧରାପଡ଼ନ୍ତି। ଅମଲାତନ୍ତ୍ରର ସକ୍ରିୟ ସହଯୋଗ ବିନା ଭାରତରେ ଦୁର୍ନୀତି କରିବା ଅସମ୍ଭବ।
ଲୋଭ ହେଉଛି ମଣିଷର ଚରିତ୍ର। ଯେତେଦିନ ଲୋଭ ଅଛି ସେତେଦିନ ଯାଏ ଦୁର୍ନୀତି ରହିବ। ସେଭଳି ଚରିତ୍ରକୁ ମୂଳପୋଛ କରିବା ସମ୍ଭବପର ନୁହେଁ। ସାଧାରଣରେ ସବୁବେଳେ ଲାଞ୍ଚ ନେଉଥିବା ବ୍ୟକ୍ତିକୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଏ। ଦେଉଥିବା ଲୋକ ସର୍ବଦା ଖସିଯାଏ। ଯଦି କେହି ଦାତା ନ ଥିବେ, ତେବେ ନବା ଲୋକର ଭୂମିକା ରହିବ ନାହିଁ। ଦୁର୍ନୀତି ନିବାରଣ ପାଇଁ ଆନ୍ନା ହାଜାରେଙ୍କ ଲୋକପାଳ ହେଉ କିମ୍ବା କୌଣସି ଆଇନ ହେଉ, ସବୁର ମୂଳମନ୍ତ୍ର ଭାବେ ଲୋକଚରିତ୍ର ରହିଲା। ସେଥିରେ ପରିବର୍ତ୍ତନ ଆସିଲେ ପରିସ୍ଥିତିରେ ସୁଧାର ଆସିବ। ତା’ ନ ହେବା ପର୍ଯ୍ୟନ୍ତ ଦୁର୍ନୀତି ସହିତ ସାଲିସ ଚାଲିଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?