ଲୋକଚରିତ୍ର ମୂଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ଡିସେମ୍ବରରେ ଦୁର୍ନୀତି ବିରୋଧରେ ଡାକରା ଦେଇ କହିଛନ୍ତି ଯେ, ସରପଞ୍ଚଙ୍କଠାରୁ ମୁଖ୍ୟମନ୍ତ୍ରୀ ଏବଂ ତଳ ସ୍ତରର ସରକାରୀ କର୍ମଚାରୀଙ୍କଠାରୁ ମୁଖ୍ୟ ଶାସନ ସଚିବ ସମସ୍ତେ ସମ୍ପତ୍ତି ତାଲିକା ଦେବେ। ଏସବୁ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରାଯିବ ଓ ଜନସାଧାରଣଙ୍କ ସୂଚନା ନିମନ୍ତେ ପ୍ରକାଶ କରାଯିବ। ଦୁର୍ନୀତି ନିବାରଣ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ସ୍ବାଗତଯୋଗ୍ୟ। କିନ୍ତୁ ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରି ଠିକ୍‌ ତଥ୍ୟ କେତେ ଜଣ ଦେବେ ତାହା ବଡ଼ କଥା। କାରଣ ଜଣେ ଦୁର୍ନୀତିଗ୍ରସ୍ତ ସାଧାରଣରେ ନିଜ ନାମରେ ସମ୍ପତ୍ତି କରେ ନାହିଁ। ପ୍ରୋହିବିଶନ ଅଫ୍‌ ବେନାମୀ ପ୍ରପର୍ଟି ଟ୍ରାଞ୍ଜାକ୍‌ଶନ୍‌ ଆକ୍ଟ ପ୍ରଥମେ ୧୯୮୮ରେ ହୋଇଥିଲା। ତା’ପରେ ଅନେକ ଥର ସେଥିରେ ସଂଶୋଧନ ଅଣାଯାଇଥିଲା, ଯାହାର ଶେଷ ସଂଶୋଧନ ୨୦୧୬ରେ ହେଲା। ତଥାପି ଭାରତରେ ବେନାମୀ ସମ୍ପତ୍ତି ଲାଙ୍ଗୁଡ଼ ଛୁଇଁବାରେ ସରକାରୀ କଳ ସଫଳ ହୋଇପାରି ନାହିଁ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପ କେତେଦୂର ସଫଳ ହୋଇପାରିବ ତାହା ଏବେଠାରୁ କହିବା କଷ୍ଟକର।
ସାଧାରଣତଃ ଲୋକେ କହିଥାଆନ୍ତି ନେତା ଓ ସରକାରୀ କର୍ମଚାରୀ ଦୁର୍ନୀତିଗ୍ରସ୍ତ। ସେମାନଙ୍କ ନିକଟରେ କ୍ଷମତା ଥିବାରୁ ତାହାର ଦୁରୁପଯୋଗ କରୁଛନ୍ତି। ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡ ଦିଆଯିବା ଦରକାର। ଜନସାଧାରଣଙ୍କ ଏହି ଘସରା କଥା ବାରମ୍ବାର ଶୁଣିବା ପରେ ମନରେ ପ୍ରଶ୍ନ ଆସୁଛି, ଏମାନଙ୍କୁ କିଏ ଦୁର୍ନୀତି କରିବାରେ ସହଯୋଗ କରନ୍ତି। ଜମି ବିକି ପୁଅ କିମ୍ବା ଝିଅ ପାଇଁ ଚାକିରି ଖଣ୍ଡେ କରିଦେବା ଲାଗି ଲୋକେ ନେତାଙ୍କ ପାଖରେ ପହଞ୍ଚିଯାଆନ୍ତି। ସମସ୍ତେ ଭାବନ୍ତି ସେହି କ୍ଷୁଦ୍ର ଅର୍ଥକୁ ନେଇ ନେତାଗଣ ଦୁର୍ନୀତିଗ୍ରସ୍ତ ହୁଅନ୍ତି। ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ତୃଣମୂଳ ସ୍ତରରୁ ଦୁର୍ନୀତି ଆରମ୍ଭ ହୋଇଥାଏ। ଥାନା ଇନ୍‌ଚାର୍ଜ କିମ୍ବା ବିଡିଓ ସର୍ବନିମ୍ନ ସ୍ତରରୁ ଦୁର୍ନୀତି କରି ନିଜର ଭାଗ ରଖି ଉପରପାହ୍ୟା ଅଫିସରଙ୍କୁ ଅର୍ଥ ଓ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଥାଆନ୍ତି। ଆର୍ଥିକ ଦୁର୍ନୀତିର ଏହା ହେଉଛି ପ୍ରଥମ ପାହାଚ। କିନ୍ତୁ ଏହାଠାରୁ ଅଧିକ ଶକ୍ତିଶାଳୀ ପାହାଚ ହେଉଛି ଶିଳ୍ପପତି, ଖଣି ମାଲିକ ଏବଂ ବ୍ୟବସାୟୀଙ୍କ କାମ କରାଇଦେବା ପାଇଁ ସଂଗୃହୀତ ହେଉଥିବା ବିପୁଳ ଅର୍ଥ। ବଡ଼ ଧନ ଯାଚି କାର୍ଯ୍ୟ ହାସଲ କରିବାକୁ ଇଚ୍ଛୁକ ଖଣି ମାଲିକ ବା ଶିଳ୍ପପତି କେବେହେଲେ ପ୍ରଥମେ ରାଜନେତାଙ୍କ ପାଖକୁ ଯାଆନ୍ତି ନାହିଁ। ସର୍ବନିମ୍ନ ସ୍ତରରୁ ପ୍ରସ୍ତୁତ କରାଯାଉଥିବା ସରକାରୀ ଡକ୍ୟୁମେଣ୍ଟ ବା ଫାଇଲ୍‌ ତାଙ୍କର ସୁବିଧାକୁ ଦୃଷ୍ଟିରେ ରଖି ତିଆରି କରାଯିବା ପାଇଁ ଅର୍ଥର ଝରଣା ବୋହିବାକୁ ଆରମ୍ଭ କରେ। ଅମଲାତନ୍ତ୍ରର ସହଯୋଗକୁ ହାସଲ କରିବା ହେଉଛି ବଡ଼ ବ୍ୟବସାୟୀଙ୍କ ମୂଳ ଲକ୍ଷ୍ୟ। ସେହି ଫାଇଲ ଓ କାଗଜପତ୍ର ସଚିବଙ୍କ ପାଖରେ ପହଞ୍ଚିଲା ବେଳକୁ ସମସ୍ତଙ୍କ ହାତରେ ମିଠାସିରା ଲାଗିସାରିଥାଏ। ସଚିବ ସର୍ବୋଚ୍ଚରେ ଥାଇ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ସମ୍ପୃକ୍ତ ମନ୍ତ୍ରୀଙ୍କ ଦସ୍ତଖସ୍ତ ଆଣିବାର ଦାୟିତ୍ୱ ନେଇଥାଆନ୍ତି। ଏହା କେବଳ ଗୋଟିଏ ରାଜ୍ୟର କାହାଣୀ ନୁହେଁ, ସମଗ୍ର ଦେଶରେ ଏହି ବ୍ୟବସ୍ଥା ଚାଲିଆସୁଛି। ଏହାକୁ ଭାଙ୍ଗିବା ପାଇଁ କାହାରି ଶକ୍ତି ନାହିଁ। ଫଳରେ ସଚିବ ଫାଇଲକୁ ନେଇ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚନ୍ତି। ଦେଖିବାକୁ ଗଲେ ରାଜନେତାଙ୍କ ଭାଗ ଅମଲାତନ୍ତ୍ରୀଙ୍କ ଭାଗଠାରୁ ଯଥେଷ୍ଟ କମ୍‌। ଏହିଭଳି ଅମଲାତନ୍ତ୍ରୀ ଓ ମନ୍ତ୍ରୀଙ୍କ ଭୂମିକାର ଉଦାହରଣ ଭାରତର ଟେଲିକମ୍‌ (୨ଜି) ଓ କୋଇଲା ବ୍ଲକ୍‌ ଆବଣ୍ଟନ ଘଟଣାରେ ପଦାରେ ପଡ଼ିଥିଲା। ସ୍ବାଧୀନତାଠାରୁ ଆଜି ପର୍ଯ୍ୟନ୍ତ ଏହିଭଳି ନାଟକ ସବୁଠାରେ ଚାଲିଛି। ରାଜନେତା ଆସନ୍ତି ଓ ଚାଲିଯାଆନ୍ତି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବଦଳି ଯାଆନ୍ତି; ରହିଯାଆନ୍ତି କେବଳ ଅମଲାତନ୍ତ୍ରୀ। ତେବେ ଜନସାଧାରଣ ସେହି ଅମଲାତନ୍ତ୍ରୀଙ୍କୁ ଦେଖନ୍ତି ନାହିଁ, ସେଥିପାଇଁ ସେମାନଙ୍କ ଭୂମିକା ଜାଣନ୍ତି ନାହିଁ। ଲୋକ ପ୍ରତିନିଧି ଯେହେତୁ ପାଖକୁ ଆସୁଥାଆନ୍ତି ସେହେତୁ ‘ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌’ ନୀତିରେ ସେ ଧରାପଡ଼ନ୍ତି। ଅମଲାତନ୍ତ୍ରର ସକ୍ରିୟ ସହଯୋଗ ବିନା ଭାରତରେ ଦୁର୍ନୀତି କରିବା ଅସମ୍ଭବ।
ଲୋଭ ହେଉଛି ମଣିଷର ଚରିତ୍ର। ଯେତେଦିନ ଲୋଭ ଅଛି ସେତେଦିନ ଯାଏ ଦୁର୍ନୀତି ରହିବ। ସେଭଳି ଚରିତ୍ରକୁ ମୂଳପୋଛ କରିବା ସମ୍ଭବପର ନୁହେଁ। ସାଧାରଣରେ ସବୁବେଳେ ଲାଞ୍ଚ ନେଉଥିବା ବ୍ୟକ୍ତିକୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଏ। ଦେଉଥିବା ଲୋକ ସର୍ବଦା ଖସିଯାଏ। ଯଦି କେହି ଦାତା ନ ଥିବେ, ତେବେ ନବା ଲୋକର ଭୂମିକା ରହିବ ନାହିଁ। ଦୁର୍ନୀତି ନିବାରଣ ପାଇଁ ଆନ୍ନା ହାଜାରେଙ୍କ ଲୋକପାଳ ହେଉ କିମ୍ବା କୌଣସି ଆଇନ ହେଉ, ସବୁର ମୂଳମନ୍ତ୍ର ଭାବେ ଲୋକଚରିତ୍ର ରହିଲା। ସେଥିରେ ପରିବର୍ତ୍ତନ ଆସିଲେ ପରିସ୍ଥିତିରେ ସୁଧାର ଆସିବ। ତା’ ନ ହେବା ପର୍ଯ୍ୟନ୍ତ ଦୁର୍ନୀତି ସହିତ ସାଲିସ ଚାଲିଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri