Posted inଫୁରସତ

ସେଲିବ୍ରିଟିଙ୍କ ଫ୍ୟାନ୍‌: କିଏ କିଣିଲେ ଜହ୍ନରେ ଜମି ତ କିଏ ଆଣିଥିଲେ ବିବାହ ପ୍ରସ୍ତାବ

ଫ୍ୟାନ୍‌ ସିଏ, ଯେ ନିଜ ପ୍ରିୟ ତାରକାଙ୍କ ଖୁସିରେ ଖୁସି ହୁଅନ୍ତି, ତାଙ୍କ ଦୁଃଖରେ ଦୁଃଖୀ ହୁଅନ୍ତି । ତାଙ୍କୁ ଭଲ ପାଆନ୍ତି ଜୀବନଠୁ ବେଶି । ବେଳେ ବେଳେ ନିଜ ପ୍ରିୟର ତାରକାଙ୍କୁ ଟିକେ ପାଖରେ ପାଇବା, ତାଙ୍କର ଟିକେ ଝଲକ ଦେଖିବା ପାଇଁ କରି ବସନ୍ତି କେତେ ଯେ ପାଗଳାମି । ଆଉ ଏଇ ପାଗଳାମି ଓ ଭଲ ପାଇବା ହିଁ ସେଲିବ୍ରିଟିଙ୍କୁ ପହଞ୍ଚାଏ ସଫଳତାର ଶୀର୍ଷରେ। ଯାହାର ଯେତେ ଫ୍ୟାନ୍‌ ସେ ସେତେ ପ୍ରସିଦ୍ଧ । ତାଙ୍କ ଭଲ ପାଇବା ଓ ପାଗଳାମି ହିଁ ସେଲିବ୍ରିଟିଙ୍କ ଜୀବନର ପୁଞ୍ଜି । କହିବାକୁଗଲେ ଫ୍ୟାନ୍‌ ଓ ସେଲିବ୍ରିଟି ଦୁହେଁ ଓତପ୍ରୋତ ଭାବେ ଜଡ଼ିତ । ସେଲିବ୍ରିଟି ଶରୀର ହେଲେ ଫ୍ୟାନ୍‌ ତାଙ୍କ ପ୍ରାଣ। ପ୍ରାଣ ଛାଡ଼ି ଚାଲିଗଲେ ଶରୀରର ଯେମିତି କିଛି ମାନେ ରହେନା, ସେହିଭଳି ବିନା ଫ୍ୟାନ୍‌ରେ ସେଲିବ୍ରିଟିଙ୍କର ବି ଅସ୍ତିତ୍ୱ ରହେନା । ସେଲିବ୍ରିଟି ଓ ଫ୍ୟାନ୍‌ଙ୍କ ମଧ୍ୟରେ ଥିବା ଏଇ ନିଆରା ସମ୍ପର୍କକୁ ନେଇ ଏଥରର ପ୍ରଚ୍ଛଦ…

ଶାର୍ଟ ଚିରି ଦେଇଥିଲେ, ବିବାହ ପାଇଁ ପ୍ରସ୍ତାବ ନେଇ ଆସିଥିଲେ ଫ୍ୟାନ୍‌:- ଉତ୍ତମ ମହାନ୍ତି
ଇଏ ହେଉଛି ସେତେବେଳର କଥା ଯେବେ ମୁଁ ମୋର ପ୍ରଥମ ଫିଲ୍ମ ଅଭିମାନ କରିଥାଏ। ଏହି ଫିଲ୍ମ କରିବା ପରେ ମୁଁ ଦୁଇବର୍ଷ ଲୁଧିଆନା ଚାଲି ଯାଇଥିଲି ପଢ଼ିବାକୁ। ତେଣୁ ମୁଁ ମୋ ଫ୍ୟାନ୍‌ଙ୍କ ସଂସ୍ପର୍ଶରେ ବିଶେଷଭାବେ ଆସି ପାରି ନ ଥିଲି। ସେମାନେ ମୋତେ କେତେ ଭଲ ପାଆନ୍ତି ତାହା ବି ଜାଣିପାରି ନ ଥିଲି। ହେଲେ ଭଉଣୀ ଥିଲା ଗଁାରେ। ଫ୍ୟାନ୍‌ମାନେ ଅନେକ ଭଲ ପାଇବାଭରା ଚିଠି ଘର ଠିକଣାରେ ପଠାଉଥିଲେ। ଯେହେତୁ ମୁଁ ନ ଥିଲି ଭଉଣୀ ହିଁ ସେ ସମସ୍ତ ଚିଠିର ଉତ୍ତର ଦେଉଥିଲା। ଦୁଇବର୍ଷ ପରେ ମୁଁ ଓଡ଼ିଶା ଫେରିଥିଲି। ଥରେ ମୁଁ ମୋ ସାଙ୍ଗ ବାହାଘରରେ ଯୋଗ ଦେବାକୁ ବାସୁଦେବପୁର ଯାଇଥାଏ। ବାହାଘରରେ ପିନ୍ଧିବା ପାଇଁ ମୁଁ ଗୋଟେ ଭଲ ଟି-ଶାର୍ଟ କିଣିଥାଏ। ତାକୁ ପିନ୍ଧି ବରଯାତ୍ରୀରେ ଯାଉଥିଲି। କିଛି ସମୟପରେ ବରଯାତ୍ରୀ ଏକ ଲେଡିଜ୍‌ ହଷ୍ଟେଲ ଦେଇଗଲା। ସେତେବେଳେ ହଷ୍ଟେଲରୁ ବାହାରି ଆସି ଝିଅମାନେ ବରଯାତ୍ରୀଙ୍କୁ ଦେଖିବାବେଳେ ମୋତେ ଦେଖି ଚିହ୍ନି ଯାଇଥିଲେ। ଆଉ ସମୁଦ୍ରର ଲହଡ଼ି ପରି ମାଡ଼ି ଆସିଥିଲେ ମୋ ଆଡ଼କୁ। ମୋତେ ଘେରିଗଲେ। ଟଣା ଓଟରା ଆରମ୍ଭ କରିଦେଲେ। ଏମିତି ଟଣା ଓଟରାରେ ମୋ ନୂଆ ଟି-ଶାର୍ଟଟି ସମ୍ପୂର୍ଣ୍ଣଭାବେ ଚିରିଗଲା। ଶେଷରେ ମୁଁ ଆଉ ଜଣଙ୍କୁ ମାଗି ଶାର୍ଟ ପିନ୍ଧିଲି। ହେଲେ ମୋ ଫ୍ୟାନ୍‌ମାନେ କେତେ ଭଲ ପାଆନ୍ତି ସେଦିନ ମୁଁ ଜାଣିପାରିଥିଲି। ବରଯାତ୍ରୀ ପହଞ୍ଚତ୍ଥିଲା ୫ଟାରେ। ମୁଁ ସିଗାରେଟ୍‌ କିଣିବାକୁ ପାଖ ଦୋକାନକୁ ଗଲି। ସିଗାରେଟ୍‌ ମାଗିଲି। ହେଲେ ସେ ମୋତେ ମନା କରିଦେଲେ। କହିଲେ ଦୋକାନ ବନ୍ଦ ହେଲାଣି। ମୁଁ କହିଲି ଏତେ ଜଲ୍‌ଦି। ସେ କହିଲେ ହଁ। ଆଜି ଏଇ ବାହାଘରରେ ଜଣେ ବଡ଼ ଗେଷ୍ଟ ଆସିଛନ୍ତି। ତାଙ୍କୁ ଦେଖା କରିବାକୁ ଯିବି। ମୁଁ ପଚାରିଲି କିଏ ଆସିଛନ୍ତି। ସେ କହିଲେ- ଉତ୍ତମ ମହାନ୍ତି। ମୁଁ ତା’ ସାମ୍‌ନାରେ ଥାଇ ବି ସେ ମୋତେ ଜାଣି ପାରିଲା ନାହିଁ। ଯେଉଁଥିପାଇଁ ମୋତେ ଭାରି ହସ ଲାଗୁଥିଲା। ସେହିଭଳି ବ୍ରହ୍ମପୁର ସିନେମା ହଲ୍‌ରେ ‘ସୁନାଚଢ଼େଇ’ ରିଲିଜ ହେବାବେଳେ ମୁଁ ଯାଇଥାଏ ହଲ୍‌କୁ ସିନେମା ଦେଖିବାକୁ। ସେଠି ଯେତେବେଳେ ମୋତେ ଲୋକ ଦେଖିଦେଲେ, ଘେରିଯାଇ ପୂର୍ବଥର ପରି ଟଣାଓଟରା କରିବା ଆରମ୍ଭ କରିଦେଲେ। ଆଉ ଏଥର ବି ମୋ ଫ୍ୟାନ୍‌ ମୋ ଶାର୍ଟ ପୁଣିଥରେ ଚିରିଦେଲେ। ଖାଲି ଶାର୍ଟ ଚିରିବାରେ କଥା ସରିନି। ସୁନାବେଡ଼ାରୁ ଥରେ ଏକ ଝିଅ ବାରିପଦା ଚାଲି ଆସିଲେ। ସେ ପୁଣି ତା’ ବାପାଙ୍କ ସହ। ଅଭିମାନ ଚଳଚ୍ଚିତ୍ର ପ୍ରଡ୍ୟୁସର୍‌ଙ୍କ ଲଜ୍‌ରେ ରହିଥିଲେ। ସେମାନେ ତାଙ୍କୁ ମୋ ଠିକଣା ପଚାରିଥିଲେ। ମୋତେ ଖୋଜି ଖୋଜି ତାଙ୍କ ବାପା ଆମ ଘରକୁ ଚାଲିଆସିଥିଲେ। ଆଉ ତାଙ୍କ ଝିଅର ବିବାହ ପ୍ରସ୍ତାବ ମୋତେ ଦେଇଥିଲେ। କହିଲେ ମୋ ଝିଅ ଆପଣଙ୍କୁ ବହୁତ ଭଲ ପାଏ। ବାହା ହେବାକୁ ଚାହେଁ। ହେଲେ ମୁଁ କହିଥିଲି ଆପଣଙ୍କ ଝିଅ ମୋତେ ପସନ୍ଦ କରୁଛନ୍ତି। ହେଲେ ମୁଁ ତ ପସନ୍ଦ କରୁନି। କେମିତି ବାହା ହେବି। ସେଦିନ ତାଙ୍କୁ ବୁଝେଇକି ଛାଡ଼ିଦେଇଥିଲି। ଏମିତି ଅନେକ ଘଟଣା ମୋ ସହ ଘଟିଛି। ଏବେ ସେଗୁଡ଼ିକ ମନେପଡ଼ିଲେ ଭାରି ଭଲ ଲାଗେ।

ସ୍କୁଟିରେ ଯାଇ ଫ୍ୟାନ୍‌ଙ୍କୁ ଦେଖା କରିଥିଲି
– ସୂର୍ଯ୍ୟମୟୀ ମହାପାତ୍ର
୨୦୨୦ ମସିହାର କଥା। ମି. ମଜନୁର ଶୁଟିଂ ସେଟ୍‌ରେ ମୁଁ ଥାଏ। ହେଲେ ଶୁଟିଂ ଆରମ୍ଭ ହୋଇ ନ ଥାଏ। ସେଥିପାଇଁ ବସି ଇନ୍‌ଷ୍ଟାଗ୍ରାମ୍‌ରେ ମୋ ଫ୍ୟାନ୍‌ମାନଙ୍କୁ ରିପ୍ଲାଏ ଦେଉଥାଏ। ଟିକେ ଫୁର୍‌ସତ୍‌ ମିଳିଲେ ମୁଁ ସବୁବେଳେ ସୋସିଆଲ ଆକାଉଣ୍ଟରେ ଅତିକମ୍‌ରେ ୨୦ଜଣ ଫ୍ୟାନ୍‌ଙ୍କୁ ରିପ୍ଲାଏ ଦିଏ। ବେଳେବେଳେ ଚେଷ୍ଟା କରେ ସମସ୍ତଙ୍କୁ ରିପ୍ଲାଏ ଦେବାକୁ। କାରଣ ସେମାନଙ୍କ ଭଲ ପାଇବା ଓ ପ୍ରେରଣା ହିଁ ଆମକୁ ଆଗକୁ ବଢ଼ାଇଥାଏ। ସେଦିନ ମୁଁ ପ୍ରଥମ କରି ସୀମା ନାମ୍ନୀ ଜଣେ ଫ୍ୟାନ୍‌ଙ୍କୁ ରିପ୍ଲାଏ ଦେଇଥିଲି। ସେ ଓଡ଼ିଶାର କିନ୍ତୁ ରୁହନ୍ତି ଦିଲ୍ଲୀରେ। ସୀମା ଏତେ ଖୁସି ହୋଇଯାଇଥିଲେ ଯେ, ନିଜ ଆକାଉଣ୍ଟର ନାଁ ବଦଳାଇ ସୂର୍ଯ୍ୟମୟୀ ହର୍‌ ଫ୍ୟାନ୍‌ସାଇଟ ରଖିଦେଲେ। ମୋର ଫଟୋ, ଫିଲ୍ମର ପୋଷ୍ଟର, ଏମିତିକି ମୋ ଷ୍ଟୋରିର ସ୍କ୍ରିନ୍‌ଶଟ୍‌ ନେଇ ତାକୁ ପୋଷ୍ଟ କଲେ। ସେତେବେଳେ ମୁଁ ଏତେଟା ପରିଚିତ ମୁହଁ ନ ଥିଲି। ତଥାପି ତାଙ୍କ ଭଲ ପାଇବା ଦେଖି ମୋତେ ବହୁତ ଖୁସି ଲାଗିଥିଲା। ୨ ବର୍ଷ ଆମେ ଏମିତି ସୋସିଆଲ ଆକାଉଣ୍ଟରେ ଚାଟ୍‌ କରି କଥା ହେଉଥିଲୁ। ମୋ ବର୍ଥ ଡେ ହେଉକି ନ୍ୟୁ ଇୟର୍‌ ଅବା କିଛି ଖାସ୍‌ ଅବସରରେ ସେ ନିଜେ ହାତରେ ତିଆରି କରିଥିବା ପେଣ୍ଟିଂ, ଜୁଏଲେରି ଦିଲ୍ଲୀରୁ ପଠାଉଥିଲେ। ମୁଁ ଏସବୁ ମନା କଲେ ବି ସେ ଯେମିତି ହେଉ କିଛି ନା କିଛି ଗିଫ୍ଟ ମୋ ପାଇଁ ପଠାନ୍ତି। ଆଉ ଯେବେ ମୁଁ ଅନ୍ୟ କୌଣସି ଫ୍ୟାନ୍‌ଙ୍କ ସହ ଫଟୋ ଉଠାଇ ମୋ ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରେ ସେ କହୁଥିଲେ, ‘ଆମର କେବେ ଦେଖା ହେବ?’ ତେବେ ସେଇଦିନଟି ଏଇ ମାସେ ପୂର୍ବେ ଆସିଥିଲା। ସୀମା ଓ ତାଙ୍କ ପରିବାର ଦିଲ୍ଲୀରୁ ଗଁାକୁ ଆସୁଥାନ୍ତି। ସେ ମୋତେ କହିଲେ ଟିକେ ଦେଖା କରିବା। ସୀମା ମୋତେ ତାଙ୍କ ବଡ଼ ଭଉଣୀ ପରି ସ୍ନେହ କରନ୍ତି। ତାଙ୍କ ମନ ଭାଙ୍ଗିବାର ସାହସ ମୋର ନ ଥିଲା। ସୀମା ଆସିବା ଦିନ ସୌଭାଗ୍ୟକୁ ମୋର ଶୁଟିଂ ନ ଥିଲା। ମୁଁ ଫ୍ରି ଥିଲି। ତେଣୁ ନିଷ୍ପତ୍ତି ନେଲି ଯେମିତି ବି ହେଉ ଦେଖା କରିବି। ହେଲେ ସେଦିନ ଘରେ କାର୍‌ ନ ଥିଲା। ଭାଇ ନେଇ ପଳେଇଥିଲା। ଯିବି କେମିତି ଭାବି ପାରୁ ନ ଥାଏ। ଘରେ ଥିଲା ଖାଲି ସ୍କୁଟି। ସେଇ ସ୍କୁଟି ଧରି ମୁଁ ଚାଲିଲି ବାଦାମବାଡ଼ି। ସେଇଠି ସେ ତାଙ୍କ ପରିବାର ସହ ଅପେକ୍ଷା କରିଥିଲେ। ମୋତେ ସ୍କୁଟିରେ ଦେଖି ପ୍ରଥମେ ଚିହ୍ନିପାରି ନ ଥିଲେ। କାରଣ ହେଲମେଟ୍‌ ପିନ୍ଧିବା ସହ ମୁହଁରେ ମୁଁ ସ୍କାର୍ଫ ଗୁଡ଼ାଇଥାଏ। ହେଲେ ଯେବେ ସେ ମୋତେ ଜାଣିପାରିଲେ ଖୁସିରେ କାନ୍ଦି ପକାଇଲେ। ମୁଁ ତାଙ୍କୁ ହଗ୍‌ କଲି। ଆଉ ସୀମାଙ୍କୁ ଘରକୁ ନେଇକି ଆସିଲି। ସେ ନିଜ ହାତରେ ମୋର ଏକ ପୋର୍ଟ୍ରେଟ୍‌ ତିଆରି କରି ଆଣିଥିଲେ। ତାକୁ ଦେଖି ମୋ ଖୁସିର ସୀମା ନ ଥିଲା। ୨-୩ ଘଣ୍ଟା ଆମେ ଏକାଠି ସମୟ ବିତାଇଲୁ। ମିଶିକି ଖାଇଲୁ। ନିଃସ୍ବାର୍ଥ ଭଲ ପାଇବା ବହୁତ କମ୍‌ ଲୋକଙ୍କ ଭାଗ୍ୟରେ ଥାଏ। ଆଉ ସେହିଭଳି ଭଲ ପାଇବା ମୋତେ ମିଳିଥିବାରୁ ବହୁତ ଖୁସି ଲାଗେ। ସେ ମୋର ଫ୍ୟାନ୍‌ ନୁହନ୍ତି ବରଂ ପରିବାରର ସଦସ୍ୟ। ଭଲ ପାଇବା ବଦଳରେ ଭଲ ପାଇବା ଦେବାକୁ ମୁଁ ସବୁବେଳେ ଚେଷ୍ଟା କରେ। ମୋ ମତରେ ନିଜକୁ ବଡ଼ ସେଲିବ୍ରିଟି ଭାବି ଇଗୋ ଦେଖେଇବାର କିଛି ମାନେ ନାହିଁ।

ମୋ ନଁାର ଟାଟୁ ହାତରେ କରିଛନ୍ତି ଜଣେ ଫ୍ୟାନ୍‌: ଦୀପକ
କେଉଁଠି ଯାଇଥିବାବେଳେ ଯଦି କୌଣସି ଫ୍ୟାନ୍‌ ଦେଖା ହୋଇଯାଆନ୍ତି ବହୁତ ଖୁସି ଲାଗେ। ସେମାନଙ୍କ ଭଲ ପାଇବା ମୋତେ ପ୍ରେରଣା ଦିଏ। ମୋର ଜଣେ ସ୍ପେଶାଲ ଫ୍ୟାନ୍‌ ଅଛନ୍ତି ଯେକି, ତାଙ୍କ ସୋସିଆଲ ଆକାଉଣ୍ଟରେ ନିଜ ଫଟୋ ଅପେକ୍ଷା ମୋ ଫଟୋ, ମୋ ଫିଲ୍ମର ଫଟୋ ଏମିତିକି ମୋ ଫ୍ୟାମିଲିର ଫଟୋ ବେଶି ଅପଲୋଡ୍‌ କରନ୍ତି। ନିଜ ଷ୍ଟୋରିରେ ବି ରଖନ୍ତି। ତାଙ୍କ ସହ ମୋର ଫୋନ୍‌ରେ ଯୋଗାଯୋଗ ରହିଛି। ତା’ଛଡ଼ା ଜଣେ ଫିମେଲ ଫ୍ୟାନ୍‌ ତ ନିଜ ହାତରେ ମୋ ନାଁର ଟାଟୁ କରିଥିଲେ, ଯାହାକୁ ଦେଖି ଖୁସି ଲାଗିଥିଲା। ଆଉ ଏକ ଘଟଣା, ଥରେ ମୁଁ ରାଉରକେଲା ଏକ ପ୍ରୋଗ୍ରାମକୁ ଯାଇଥାଏ, ସେଠି ଫ୍ୟାନ୍‌ମାନେ ଖୁସିରେ ମୋତେ କାନ୍ଧରେ ବସେଇ ଟେକି ଟେକି ନେଇ ଯାଇଥିଲେ। ଏମିତି ଭଲ ପାଇବା ପାଇଲେ ଏକ ଅଲଗା ପ୍ରକାରର ଖୁସି ମିଳେ।

ସବୁ ଫ୍ୟାନ୍‌ ମୋ ପାଇଁ ଖାସ୍‌: ଏଲିନା ସାମନ୍ତରାୟ
ଫ୍ୟାନ୍‌ଙ୍କ ପାଇଁ ଆମେ ଆଜି ଏଇଠି ପହଞ୍ଚତ୍ଛୁ। ତାଙ୍କ ଭଲ ପାଇବା ଅଛି ତ ଆମର ସ୍ଥିତି ଅଛି। ତେଣୁ ସବୁ ଫ୍ୟାନ୍‌ ମୋ ପାଇଁ ଖାସ୍‌। କିଛି ଫ୍ୟାନ୍‌ ତ ଏତେ ଭଲ ପାଇଛନ୍ତି ଯେ, ନିଜ ଦେହରେ ମୋ ନାଁର ଟାଟୁ କରାଇଛନ୍ତି। ଆଉ କିଏ ହାତ କାଟିଛନ୍ତି। କିଛି ଫ୍ୟାନ୍‌ ମୋ ପାଇଁ ବହୁତ ପୋଜେସିଭ୍‌ ବି ହୋଇଛନ୍ତି। କହିବାକୁ ଗଲେ ମୋ ଫ୍ୟାନ୍‌ ମୋର ବହୁତ ଭଲ ସାଙ୍ଗ। ମୁଁ ତାଙ୍କ ସହ ଦେଖା କରେ। ଫଟୋ ଉଠାଏ। ସବୁ ଫ୍ୟାନ୍‌ ମୋ ପାଇଁ ସ୍ପେଶାଲ। ସେଥିପାଇଁ ସେମାନଙ୍କ ମନରେ ମୁଁ କେବେ ବି ଆଘାତ ଦେବାକୁ ଚାହେଁନା।

ସଚିନଙ୍କ ବଡ଼ ଫ୍ୟାନ୍‌ ସୁଧୀର: ଯେଉଁଠି ଥାଏ ଭାରତୀୟ କ୍ରିକେଟ୍‌ ଟିମ୍‌ର ମ୍ୟାଚ୍‌ ସେଇ ଷ୍ଟାଡିୟମ୍‌ରେ ଜଣେ ପତଳା ମଧ୍ୟମ ଉଚ୍ଚତାର ବ୍ୟକ୍ତି ସବୁବେଳେ ହାଜର ହୋଇଯାନ୍ତି। ଦେହକୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗାଇ, ହାତରେ ତ୍ରିରଙ୍ଗା ପତାକାକୁ ହଲାଇ, ଶଙ୍ଖ ଫୁଙ୍କି ଟିମ୍‌ ଇଣ୍ଡିଆକୁ ଚିୟର୍‌ ଅପ୍‌ କରନ୍ତି। ତାଙ୍କ ଛାତିରେ ତ ସବୁବେଳେ ଲେଖାଥାଏ ସଚିନଙ୍କ ନାମ। କେଶକୁ ବି ଭାରତ ମାନଚିତ୍ର ଭଳି କଟ୍‌ କରି ତ୍ରିରଙ୍ଗା ରଙ୍ଗରେ ରଙ୍ଗାଇଥାନ୍ତି। ଏହି ବ୍ୟକ୍ତି ଜଣକ ବେଶ୍‌ ପରିଚିତ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକର୍‌ଙ୍କ ଫ୍ୟାନ୍‌ଭାବେ। ସେ ଟିମ୍‌ ଇଣ୍ଡିଆର ବି ବଡ଼ ଫ୍ୟାନ୍‌। ଘର ତାଙ୍କର ବିହାରର ମୁଜାଫରପୁରରେ। ନାଁ ସୁଧୀର କୁମାର ଚୌଧୁରୀ। ସେ ସୁଧୀର କୁମାର ଗୌତମ ନାମରେ ବି ବେଶ୍‌ ପରିଚିତ। କେବେ ସାଇକେଲ ଚଳାଇ ତ କେବେ ବିନା ଟିକଟରେ ଟ୍ରେନ୍‌ରେ ଯାଇ ପହଞ୍ଚତ୍ ଯାଆନ୍ତି ମ୍ୟାଚ୍‌ ହେଉଥିବା ଷ୍ଟାଡିୟମ୍‌ରେ। ବାଂଲାଦେଶ, ପାକିସ୍ତାନକୁ ସେ ସାଇକେଲ ଚଲାଇ ପହଞ୍ଚତ୍ ଯାଇଥିଲେ। ସୁଧୀର ନିଜ ଶରୀରକୁ ମ୍ୟାଚ୍‌ ପୂର୍ବଦିନ ରଙ୍ଗାଇଥାନ୍ତି। ଆଉ ଏଇ ରଙ୍ଗ ଯେମିତି ବଜାୟ ରହିବ, ସେଥିପାଇଁ ସେ ରାତିରେ ଶୁଅନ୍ତି ନାହିଁ। ଆଉ ମ୍ୟାଚ୍‌ଦିନ ଷ୍ଟାଡିୟମ୍‌ରେ ନିଆରା ଢଙ୍ଗରେ ଖେଳାଳିଙ୍କୁ ଚିୟର୍‌ ଅପ୍‌ କରନ୍ତି। ସେ ସଚିନ ଓ ଟିମ୍‌ ଇଣ୍ଡିଆ ପାଇଁ ଏତେ ପାଗଳ ଯେ ନିଜ ବାହାଘର ବି ସ୍ଥଗିତ ରଖିଥିଲେ। ତାଙ୍କର ଏଭଳି ପାଗଳାମି ପାଇଁ ଘରେ ମା’ବାପା ବିରକ୍ତ ହେଉଥିଲେ। ତଥାପି ସେ ନିଜର ପାଗଳାମି ଛାଡି ନ ଥିଲେ। ୨୦୧୧ ଏପ୍ରିଲ ୨ ତାରିଖରେ ଯେବେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କାକୁ ହରାଇ ଓ୍ବାଲର୍‌ଡ ଚାମ୍ପିୟନ ହୋଇଥିଲା ସଚିନ ନିଜେ ସୁଧୀରଙ୍କୁ ହାତଠାରି ଡାକିଥିଲେ ଡ୍ରେସିଂ ରୁମ୍‌କୁ ଆସି ସେଲିବ୍ରେଶନ୍‌ରେ ସାମିଲ ହେବାପାଇଁ। ସେତେବେଳେ ସଚିନ ଜାହିର ଖାଁଙ୍କୁ ଓ୍ବାଲର୍‌ଡ କପ୍‌ ଆଣିବାକୁ କହିଥିଲେ। ଆଉ ସେ ସୁଧୀରଙ୍କୁ ହ୍ୟାଣ୍ଡସେକ୍‌ କରିବା ସହ ଆଲିଙ୍ଗନ କରି ଜାହିରଙ୍କୁ କହିଥିଲେ ସୁଧୀରଙ୍କୁ ଓ୍ବାଲର୍‌ଡ କପ୍‌ ଦେବା ପାଇଁ। ସୁଧୀର ସେଦିନ ହାତରେ ଓ୍ବାଲର୍‌ଡ କପ୍‌ ଧରି ବହୁତ ଖୁସି ହୋଇଯାଇଥିଲେ। ଓ୍ବାଲର୍‌ଡ କପ୍‌ ଧରିଥିବା ସୁଧୀରଙ୍କ ସହ ସଚିନ ଫଟୋ ବି ଉଠାଇଥିଲେ। ୨୦୧୦ରେ ଥରେ ସଚିନ ପ୍ରାକ୍ଟିସ୍‌ କଲାବେଳେ ସୁଧୀର ତାଙ୍କ ସହ ହ୍ୟାଣ୍ଡସେକ୍‌ କରିବାକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ଜଣେ ସିନିୟର ପୋଲିସ ଅଫିସର ତାଙ୍କୁ ଦୁର୍ବ୍ୟବହାର କରି ବାହାରକୁ ପଠାଇଦେଇଥିଲେ। ପରେ ସଚିନ ପୋଲିସ ଅଫିସରଙ୍କୁ କହି ସୁଧୀରଙ୍କୁ ଆସିବାକୁ ଅନୁମତି ଦେଇଥିଲେ। ପୋଲିସ ଅଫିସର ସୁଧୀରଙ୍କୁ କ୍ଷମା ପ୍ରାର୍ଥନା ବି କରିଥିଲେ। ଏଇ ଘଟଣା ପରେ ବିସିସିଆଇ ସୁଧୀରଙ୍କୁ ସବୁ ମ୍ୟାଚ୍‌ ଦେଖିବା ପାଇଁ ସ୍ପୋନସର୍‌ କରିବେ ବୋଲି ଘୋଷଣା କରିଥିଲେ। ସଚିନ ଅବସର ନେବା ପରେ ବି ସୁଧୀର ଛାତିରେ ‘ମିସ୍‌ ୟୁ ତେନ୍ଦୁଲକର’ ଲେଖି ଟିମ୍‌ ଇଣ୍ଡିଆକୁ ଚିୟର୍‌ ଅପ୍‌ କରୁଛନ୍ତି।

ଅମିତାଭ କେଉଁଠି ମନ୍ଦିରରେ ପୂଜା ପାଉଛନ୍ତି ତ କିଏ ପଠାଇଛନ୍ତି ଟ୍ରକ୍‌ଭର୍ତ୍ତି ସିଙ୍ଗଡା: ବଲିଉଡ୍‌ ଇଣ୍ଡଷ୍ଟ୍ରୀର ସେହନ୍‌ଶାହ ଅମିତାଭ ବଚ୍ଚନ ଜଣେ କିମ୍ବଦନ୍ତୀ ଅଭିନେତା। ତାଙ୍କର ଫ୍ୟାନ୍‌ କେବଳ ଭାରତରେ ନୁହେଁ ସାରା ପୃଥିବୀରେ ଅଛନ୍ତି। ଫ୍ୟାନ୍‌ମାନେ ତାଙ୍କ ପାଇଁ ପାଗଳ। ତାଙ୍କୁ ମନ ମନ୍ଦିରରେ ପୂଜା କରନ୍ତି। ଖାଲି ମନ ମନ୍ଦିରରେ କାହିଁକି ତାଙ୍କ ପାଇଁ ସତସତିକା ମନ୍ଦିର ବି ଗଢ଼ିଛନ୍ତି। ଏହି ମନ୍ଦିରଟି ଅଛି କୋଲକାତାରେ। ଏହି ମନ୍ଦିରରେ ଏକ ସୁନ୍ଦର ସିଂହାସନ ଅଛି। ସେହି ସିଂହାସନ ଉପରେ ‘ସରକାର’ ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ଥିବା ଗେଟ୍‌ଅପ୍‌ର ମୂର୍ତ୍ତି ସ୍ଥାପନ ହୋଇଛି। ଦିଓ୍ବାର ମୁଭିରେ ଅମିତାଭ ବଚ୍ଚନ ପିନ୍ଧିଥିବା ଜୋତାକୁ ବି ଏଠାରେ ସାଇତି ରଖାଯାଇଛି। ମନ୍ଦିରରେ ପ୍ରବେଶ କରୁ କରୁ ନଜର ପଡ଼ିବ ଏକ ବଡ଼ ବ୍ୟାନର ଉପରେ ଯେଉଁଥିରେ ଲେଖାଥାଏ ‘ଜୟ ଅମିତାଭ ବଚ୍ଚନ’। ଆଉ ମନ୍ଦିର ଭିତରେ ଅମିତାଭଙ୍କ ଭକ୍ତମାନେ ‘ଜୟ ଶ୍ରୀ ଅମିତାଭ’ ମନ୍ତ୍ର ଜପ କରିଥାନ୍ତି। ମନ୍ଦିରଟିକୁ ଅଲ୍‌ ବେଙ୍ଗଲ ଅମିତାଭ ବଚ୍ଚନ ଫ୍ୟାନ୍‌ସ ଆସୋସିଏଶନ୍‌ର ସଦସ୍ୟମାନେ ତିଆରି କରିଛନ୍ତି।
ଏହା ବାଦ୍‌ ଥରେ ମୁମ୍ବାଇର ଜଣେ ସିଙ୍ଗଡ଼ା ବିକାଳି ଯିଏକି ଅମିତାଭ ବଚ୍ଚନଙ୍କର ଜଣେ ବଡ ଫ୍ୟାନ୍‌, ଏକ ଟ୍ରକ୍‌ ଭର୍ତ୍ତି ସିଙ୍ଗଡ଼ା ଅମିତାଭ ବଚ୍ଚନଙ୍କ ଘର ଜଲ୍‌ସାକୁ ପଠାଇଥିଲେ। ତାଙ୍କର ଏଭଳି କାମ ପଛର ଉଦ୍ଦେଶ୍ୟ ଥିଲା ଅମିତାଭ ବଚ୍ଚନ ଏହି ସିଙ୍ଗଡ଼ା ଉପରେ ତାଙ୍କର ଆଶୀର୍ବାଦ ଢାଳିଦେଲେ ସେ ସେହି ସିଙ୍ଗଡ଼ାଗୁଡିକୁ ପ୍ରସାଦଭାବେ ତାଙ୍କ ଫ୍ୟାନ୍‌ମାନଙ୍କୁ ବାଣ୍ଟିବେ।

ଶାହରୁଖଙ୍କ ପାଇଁ ଫ୍ୟାନ୍‌ ଘରକୁ କଲେ ଶାହରୁଖମୟ, କିଣିଲେ ଜହ୍ନରେ ଜମି: ସାରା ଭାରତରେ ଛୋଟରୁ ବଡ଼ ସମସ୍ତେ ଜାଣନ୍ତି ଶାହରୁଖ୍‌ ଖାନ୍‌ଙ୍କୁ। ସାରା ପୃଥିବୀରେ ବି ଅଛନ୍ତି ତାଙ୍କର ଅଗଣିତ ଫ୍ୟାନ୍‌। ସେଥିପାଇଁ ତ ସେ ପରିଚିତ ବଲିଉଡ୍‌ ବାଦ୍‌ଶାହଭାବେ। ତାଙ୍କ ଫ୍ୟାନ୍‌ମାନେ ତାଙ୍କର ଖାସ୍‌ ହେବା ଓ ତାଙ୍କ ଦୃଷ୍ଟିକୁ ଆସିବା ପାଇଁ କରିଥାନ୍ତି ଅନେକ ପାଗଳାମି। ସେମିତି ଜଣେ ଫ୍ୟାନ୍‌ ହେଉଛନ୍ତି ଲକ୍ଷ୍ନୌର ବିଶାଲ ସିଂ। ସେ ଶାହରୁଖଙ୍କ ପାଇଁ ଏତେ ପାଗଳ ଯେ ନିଜ ନାମକୁ ବଦଳାଇ ବିଶାହରୁଖ ଖାନ୍‌ କରିଛନ୍ତି। ସେ ପେସାରେ ଜଣେ ବ୍ୟବସାୟୀ। କିନ୍ତୁ ତାଙ୍କର ଶୟନ ସପନ ସବୁଥିରେ କେବଳ ଶାହରୁଖ ଆଉ ଶାହରୁଖ। ତେଣୁ ସେ ନିଜ ଘରକୁ କରିଦେଇଛନ୍ତି ଶାହରୁଖମୟ। ଅର୍ଥାତ୍‌ ଘରର ପ୍ରତି କୋଠରି, ପ୍ରତି କାନ୍ଥର ବାହାର ଓ ଭିତରପଟେ ରହିଛି ଶାହରୁଖଙ୍କ ଅସଂଖ୍ୟ ଫଟୋ ଓ ପୋଷ୍ଟର। ଏମିତିକି ସେ ନିଜ କାର୍‌ର ବାହାରପଟକୁ ସମ୍ପୂର୍ଣ୍ଣଭାବେ ଶାହରୁଖଙ୍କ ରାଓ୍ବାନ ଚଳଚ୍ଚିତ୍ର ଫଟୋରେ କଭର କରିଦେଇଛନ୍ତି। ତାଙ୍କର ମେଡିକାଲ ଶପ୍‌ର କାନ୍ଥ ବାଡ, ଆସବାବପତ୍ରରେ ବି ଶାହରୁଖଙ୍କ ଫଟୋ ଦେଖିବାକୁ ମିଳେ। ତା’ଛଡା ନିଜ ଦୁଇ ପିଲାଙ୍କ ନାମ ସେ ସିମ୍‌ରନ୍‌ ଓ ଆର୍ଯ୍ୟନ୍‌ ରଖିଛନ୍ତି। ଏହାଛଡ଼ା ସେ ହନିମୁନ୍‌ରେ କେଉଁଠିକୁ ଯାଇଥିଲେ ଜାଣନ୍ତି? ସେଦିନ ସେ ୧୩୦୦ କି.ମି. ଗାଡି ଚଲାଇ ମୁମ୍ବାଇ ଆସି ଶାହରୁଖଙ୍କ ଘର ମନ୍ନତ ବାହାରେ ସ୍ତ୍ରୀଙ୍କ ସହ ଘଣ୍ଟା ଘଣ୍ଟା ଠିଆ ହୋଇଥିଲେ। ସେହିଭଳି ଶାହରୁଖଙ୍କର ଆଉ ଜଣେ ବଡ଼ ଫ୍ୟାନ୍‌ ହେଉଛନ୍ତି ଅଷ୍ଟ୍ରେଲିଆର ଜଣେ ମହିଳା। ସେ ପ୍ରତିବର୍ଷ ଜହ୍ନରେ ଶାହରୁଖଙ୍କ ପାଇଁ ଜାଗା କିଣୁଛନ୍ତି। ଏହା ମଧ୍ୟରେ ସେ ଅନେକ ଏକରର ଜାଗା ଶାହରୁଖଙ୍କ ପାଇଁ ଜହ୍ନରେ କିଣି ସାରିଲେଣି। ଏହାର ସାର୍ଟିଫିକେଟ୍‌ ଶାହରୁଖ ପ୍ରତିବର୍ଷ ଲୁନାର ରିପବ୍ଲିକ ସୋସାଇଟିଠାରୁ ପାଇଥାନ୍ତି। ଶାହରୁଖ ତାଙ୍କର ଏହି ଖାସ୍‌ ଫ୍ୟାନ୍‌ଙ୍କ ସହ ଦେଖା କରିଛନ୍ତି ଓ ମେଲ୍‌ ମାଧ୍ୟମରେ ଯୋଗାଯୋଗ ବି ରଖିଛନ୍ତି। ତେବେ ଶାହରୁଖ ପ୍ରତିବର୍ଷ ନିଜ ଜନ୍ମଦିନ ଅବସରରେ ବାଲକୋନିରେ ଠିଆ ହୋଇ ହାତରେ ପୋଷ୍ଟର, ଗିଫ୍ଟ ଆଦି ଧରି ଉପସ୍ଥିତ ଥିବା ହଜାର ହଜାର ଫ୍ୟାନ୍‌ଙ୍କୁ ହାତ ହଲାଇ ଦେଖାକରନ୍ତି। ଆଉ ଶାହରୁଖଙ୍କ ଝଲକଟିଏ ପାଇ ତାଙ୍କ ଫ୍ୟାନ୍‌ମାନେ ଖୁସିରେ ଆତ୍ମହରା ହୋଇଯାଆନ୍ତି।

ସଲମାନ୍‌ଙ୍କୁ ଭେଟିବା ପାଇଁ ଘର ଛାଡ଼ି ଆସିଲେ ୯ମ ଶ୍ରେଣୀ ଝିଅ: ହ୍ୟାଣ୍ଡସମ୍‌ ହଙ୍କ ଓ ମୋଷ୍ଟ ଏଲିଜିବଲ ବ୍ୟାଚେଲର୍‌ଭାବେ ପରିଚିତ ସଲମାନ ଖାନ୍‌। ତାଙ୍କ ପାଇଁ ଅନେକେ ପାଗଳ। ଏମିତିକି ଭୋପାଳର ଜଣେ ୧୫ ବର୍ଷୀୟା ଝିଅ ଯିଏକି ୯ମ ଶ୍ରେଣୀର ଛାତ୍ରୀ ଘର ଛାଡି ଟ୍ରେନ୍‌ରେ ମୁମ୍ବାଇ ଚାଲି ଆସିଥିଲେ ସଲମାନଙ୍କୁ ଦେଖା କରିବା ପାଇଁ। ଆଉ ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ଭିତରେ ପଶିବାକୁ ଚେଷ୍ଟା କରିଥିଲେ। ସୁରକ୍ଷାକର୍ମୀ ତାଙ୍କୁ ବାରଣ କରିବାରୁ କାନ୍ଥ ଚଢିବାକୁ ଚେଷ୍ଟା କରିଥିଲେ। ପରେ ତାଙ୍କୁ ପୋଲିସ ଷ୍ଟେଶନ ନିଆଗଲା। ଆଉ ଜଣାପଡ଼ିଲା ଝିଅଟିର ମା’ବାପା ଝିଅକୁ ନ ପାଇ କିଡ୍‌ନାପିଙ୍ଗ୍‌ କେସ୍‌ କରିଛନ୍ତି। ସେହିଭଳି ଆଉ ଜଣେ ମହିଳା ଫ୍ୟାନ୍‌ ଥରେ ତାଙ୍କ ଆପାର୍ଟମେଣ୍ଟକୁ ପ୍ରବେଶ କରିବାବେଳେ ଧରାପଡିଥିଲେ। ଆଉ ସେ ଦାବି କରିଥିଲେ ଯେ, ସଲମାନ୍‌ ତାଙ୍କ ସ୍ବାମୀ ବୋଲି। ସଲ୍‌ମାନଙ୍କର ଅନେକ ଫିମେଲ୍‌ ଫ୍ୟାନ୍‌ ଅଛନ୍ତି। ଆଉ ଏହିଭଳି ଅନେକ ଅଜବ ଘଟଣା ଘଟାଇଥାନ୍ତି। ସେହିଭଳି ଜଣେ ଫ୍ୟାନ୍‌ ତ ସଲମାନଙ୍କୁ ଦେଖା କରିବା ଲାଗି ହଙ୍ଗର ଷ୍ଟ୍ରାଇକ୍‌ କରିଥିଲେ। ଆଉ ଜଣେ ଫ୍ୟାନ୍‌ ନିଜ ରକ୍ତରେ ଚିଠି ଲେଖୁଥିଲେ। ଚନ୍ଦା ଫଫୌଜିଆ ନାମ୍ନୀ ଜଣେ ପାକିସ୍ତାନୀ ମହିଳା ସୀମା ପାର ହୋଇ ସଲମାନ୍‌ଙ୍କୁ ଦେଖା କରିବାକୁ ଚାଲିଆସିଥିଲେ। ପରେ ତାଙ୍କୁ ପୋଲିସ ଗିରଫ କରିଥିଲା। ଫ୍ୟାନ୍‌ଙ୍କର ଏଇ ଭଲପାଇବା ଲାଗି ସଲ୍‌ମାନ ଖାସ୍‌ ଅବସରରେ ନିଜ ଗାଲାକ୍ସି ଆପାର୍ଟମେଣ୍ଟର ବାଲ୍‌କୋନିରେ ଠିଆ ହୋଇ ହାତ ହଲାଇ ଫ୍ୟାନ୍‌ଙ୍କ ସହ ନିଜର ଖୁସି ବାଣ୍ଟନ୍ତି।

କରୀନାଙ୍କୁ ଫ୍ୟାନ୍‌ଙ୍କ ହୀରାହାର ଉପହାର: ଗ୍ଲାମର୍ସ କରୀନାଙ୍କର ବି ଅନେକ ପାଗଳ ଫ୍ୟାନ୍‌ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବର୍ଷ ବର୍ଷ ଧରି ନିଜ ରକ୍ତରେ ଚିଠି ଲେଖି ପଠାଉଥିଲେ। ହେଲେ ଯେତେବେଳେ ତାଙ୍କର କୌଣସି ଚିଠିର ଉତ୍ତର ସେ ପାଇଲେନି ଶେଷରେ ୪୦ ଲକ୍ଷ ଟଙ୍କାର ଏକ ହୀରାର ନେକ୍‌ଲେସ୍‌ କରୀନାଙ୍କୁ ଉପହାରସ୍ବରୂପ ପଠାଇଥିଲେ।
ନିଜ ସମ୍ପତ୍ତିକୁ ସଞ୍ଜୟ ଦତ୍ତଙ୍କ ନାମରେ କରାଇଲେ ଫ୍ୟାନ୍‌: ଏକ ଇଭେଣ୍ଟରେ ଯୋଗ ଦେବାକୁ ସଞ୍ଜୟ ଦତ୍ତ କୋଲକାତା ଯାଇଥିବାବେଳେ ତାଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ ରିସିଭ୍‌ କରିବାରୁ ଜାଣିବାକୁ ପାଇଲେ ଯେ, ନିଶୀ ହରିଚନ୍ଦ୍ରା ତ୍ରିପାଠୀ ନାମ୍ନୀ ଜଣେ ଫ୍ୟାନ୍‌ ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ସମ୍ପତ୍ତିକୁ ତାଙ୍କ ନାମରେ କରିଦେଇଛନ୍ତି। ସଞ୍ଜୟ ଦତ୍ତ ସେ ଫ୍ୟାନ୍‌ଙ୍କ ଭଲ ପାଇବାକୁ ସମ୍ମାନ ଦେଇଥିଲେ। ହେଲେ ସମ୍ପତ୍ତିକୁ ଗ୍ରହଣ କରି ନ ଥିଲେ।

ଐଶ୍ୱର୍ଯ୍ୟାଙ୍କ ବିବାହ ପରେ ଡିପ୍ରେସନ୍‌କୁ ଚାଲିଯାଇଥିଲେ ଫ୍ୟାନ୍‌: ବଲିଉଡ୍‌ର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଫ୍ୟାନ୍‌ ଲିଷ୍ଟ ବହୁତ ଲମ୍ବା। ତନ୍ମଧ୍ୟରେ ନିରୋଶନ ଦେବପ୍ରିୟ ନାମକ ଜଣେ ଫ୍ୟାନ୍‌ ଯିଏ କି ଶ୍ରୀଲଙ୍କାରେ ରୁହନ୍ତି ଦାବି କରିଥିଲେ ଯେ ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କର ସମ୍ପର୍କ ଥିଲା। ତେଣୁ ଐଶ୍ୱର୍ଯ୍ୟା ଅଭିଷେକଙ୍କ ସହ ବିବାହ କରିବାରୁ ସେ ଦୁଃଖରେ ଭାଙ୍ଗିପଡି ଡିପ୍ରେସନ୍‌କୁ ଚାଲିଯାଇଥିଲେ। ସ୍ଥିତି ଏମିତି ଥିଲା ଯେ, ସେହି ଫ୍ୟାନ୍‌ ଜଣକ ପୋଲିସ ଷ୍ଟେଶନ୍‌ରେ ଐଶ୍ୱର୍ଯ୍ୟାଙ୍କ ବିରୋଧରେ କେସ୍‌ ଫାଇଲ କରିବାକୁ ବି ଯାଇଥିଲେ।

ସାଇକେଲ ଚଲାଇ ପହଞ୍ଚତ୍ଥିଲେ ଆମିରଙ୍କୁ ଦେଖା କରିବାକୁ: ଚକୋଲେଟ୍‌ ହିରୋ ଆମିରଙ୍କୁ ଦେଖା କରିବା ଲାଗି କିଶୋର କୁମାର ନାମକ ଜଣେ ଫ୍ୟାନ୍‌ ରାଞ୍ଚତ୍ରୁ ସାଇକେଲ ଚଲାଇ ମୁମ୍ବାଇ ପହଞ୍ଚତ୍ଥିଲେ। ସାଇକେଲରେ ସେ ‘ସତ୍ୟମେବ ଜୟତେ’, ‘ଆମିର ଖାନ୍‌ ଜୀ ସେ ମିଲ୍‌ନେ କେ ଲିୟେ ସାଇକେଲ ୟାତ୍ରା’ ଆଦି ହାତ ଲେଖା ଟଙ୍ଗାଇଥାନ୍ତି। ତା’ସହ ରାସ୍ତାରେ ଆସିବାବେଳେ ଅନ୍ୟ ଫ୍ୟାନ୍‌ମାନେ ଆମିରଙ୍କ ପାଇଁ ଦେଉଥିବା ଚିଠି ଗ୍ରହଣ କରୁଥାନ୍ତି। ଶେଷରେ ସେ ମୁମ୍ବାଇରେ ପହଞ୍ଚତ୍ ଆମିରଙ୍କ ସହ ଦେଖା ହେବାର ସୁଯୋଗ ପାଇଥିଲେ। ଆମିର ତାଙ୍କୁ ଦେଖି ବହୁତ ଖୁସି ହୋଇଯାଇଥିଲେ। ତାଙ୍କ ସହ ସମୟ ବିତାଇଥିଲେ। ସେ ଆଣିଥିବା ଫ୍ୟାନ୍‌ଙ୍କ ଚିଠି ସବୁକୁ ପଢ଼ିଥିଲେ।

ଭଲପାଇବା ଥାଏ ଫ୍ୟାନ୍‌ଙ୍କ ହୃଦୟରେ। ସେମାନେ ଜାଣନ୍ତି ଏମିତି ପାଗଳପ୍ରାୟ ଭଲ ପାଇବା ବଦଳରେ ବିଶେଷ କିଛି ମିଳିବନି। ତଥାପି ସେମାନେ ଭଲ ପାଆନ୍ତି। ତେଣୁ ଏତେ ଭଲ ପାଇବା ପାଉଥିବା ସେଲିବ୍ରିଟିମାନେ ମଧ୍ୟ ପ୍ରତିବଦଳରେ ଟିକେ ଭଲ ପାଇବା ଦେଇପାରିଲେ ଫ୍ୟାନ୍‌ ଓ ସେଲିବ୍ରିଟି ମଧ୍ୟସ୍ଥ ସମ୍ପର୍କ ଆହୁରି ସୁଦୃଢ଼ ହୋଇପାରିବ।
-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ବିଶ୍ୱ ରେଡ୍‌କ୍ରସ ଦିବସ

ପ୍ରତିବର୍ଷ ମେ’ ୮ରେ ବିଶ୍ୱ ରେଡ୍‌କ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡ୍‌କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେ ରଖିବା ପାଇଁ ଏହା...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri