Posted inଜାତୀୟ

ସିଡିଏସ୍‌ ପଦବୀ ବିଭାଜନ ମସୁଧା

ନୂଆଦିଲ୍ଲୀ,୧୬ା୫: ପ୍ରାୟ ଅଢ଼େଇ ବର୍ଷ ତଳେ କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପଦ ସୃଷ୍ଟି କରିଥିଲେ ଏବେ ସେଥିରୁ ବିଚ୍ୟୁତ ହୋଇଥିବା କୁହାଯାଉଛି। କାରଣ ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାଓ୍ବତ୍‌ଙ୍କ ମୃତ୍ୟୁର ୫ ମାସ ବିତିଯାଇଥିଲେ ସୁଦ୍ଧା ତାଙ୍କ ଉତ୍ତରାଧିକାରୀ ଚୟନ କରାଯାଇପାରି ନାହିଁ। ଓଲଟା ସିଡିଏସ୍‌ ପଦବୀକୁ ଦୁଇଭାଗରେ ବିଭକ୍ତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ବିଚାର କରୁଥିବା ସୂତ୍ରରୁ ଜଣାପଡ଼ିଛି।

୧୯୪୭ରେ ଦେଶ ବିଭାଜନ ପରଠାରୁ ପଡ଼ୋଶୀ ପାକିସ୍ତାନ ସହ ଭାରତର ସୀମା ବିବାଦ ଲାଗିରହିଛି। ସେହିପରି ୧୯୬୨ ଯୁଦ୍ଧ ପୂର୍ବରୁ ଚାଇନା ସହିତ ଭୂଭାଗରେ ସୀମା ନିର୍ଦ୍ଧାରଣକୁ ନେଇ ମତଭେଦ ରହିଛି। ପାକିସ୍ତାନ ନିୟନ୍ତ୍ରଣରେଖା(ଏଲ୍‌ଓସି)ରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇ ଗୁଳି ବର୍ଷା ଓ ମୋର୍ଟାର ମାଡ଼ କରୁଥିବାବେଳେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟ ପ୍ରକୃତ ନିୟନ୍ତ୍ରଣରେଖା(ଏଲ୍‌ଏସି) ଅତିକ୍ରମ କରି ଭାରତୀୟ ଯବାନମାନଙ୍କୁ ବଳ ଦେଖାଉଛନ୍ତି। ଏସବୁର ମୁକାବିଲା ପାଇଁ ସେନାକୁ ଅଧିକ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୨୦୧୯ ଡିସେମ୍ବରରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପଦ ସୃଷ୍ଟି କରିଥିଲେ।

ଏହି ପଦବୀରେ ଅବସ୍ଥାପିତ ଅଫିସର ପ୍ରତିରକ୍ଷା ମନ୍ତ୍ରଣାଳୟର ସାମରିକ ବ୍ୟାପାର ବିଭାଗ ସଚିବ, ଷ୍ଟାଫ୍‌ କମିଟିର ସ୍ଥାୟୀ ଚେୟାରମ୍ୟାନ୍‌ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା ଭାବେ ଦାୟିତ୍ୱ ତୁଲାଇବେ ବୋଲି ନିୟମ ରହିଛି। ଏଥିସହ ୩ ସେନାର ଅପରେଶନ, ଲଜିଷ୍ଟିକ୍‌, ତାଲିମ, ସପୋର୍ଟ ସର୍ଭିସ୍‌, ଯୋଗାଯୋଗ ଆଦି କ୍ଷେତ୍ରରେ ସମନ୍ବୟ ରକ୍ଷା କରିବା ହେଉଛି ସିଡିଏସ୍‌ଙ୍କ ଦାୟିତ୍ୱ। କିନ୍ତୁ ଦେଶର ପ୍ରଥମ ସିଡିଏସ୍‌ ଭାବେ ନିଯୁକ୍ତି ପାଇଥିବା ପୂର୍ବତନ ସାମରିକ ଅଧିକାରୀ ଜେନେରାଲ ବିପିନ ରାଓ୍ବତ୍‌ଙ୍କ ମୃତ୍ୟୁର ୫ ମାସ ପରେ ମଧ୍ୟ ତାଙ୍କ ଉତ୍ତରାଧିକାରୀ ଚୟନ କରାଯାଇପାରି ନାହିଁ। ତେଣୁ ଏହି ପଦବୀ ସୃଷ୍ଟି ପଛର ଉଦ୍ଦେଶ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭାରତୀୟ ସ୍ଥଳସେନାର ୨୬ତମ ମୁଖ୍ୟ ପଦରୁ ଜେନେରାଲ ବିପିନ ରାଓ୍ବତ୍‌ ୨୦୧୯ ଡିସେମ୍ବର ୩୧ରେ ଅବସର ନେବା ପରଦିନ ଅର୍ଥାତ୍‌ ୨୦୨୦ ଜାନୁୟାରୀ ୧ରେ ତାଙ୍କୁ ଦେଶର ପ୍ରଥମ ସିଡିଏସ୍‌ ଭାବେ ନିଯୁକ୍ତି ଦିଆଯାଇଥିଲା। ରାଓ୍ବତ୍‌ କୌଣସି ଯୁଦ୍ଧ ଲଢ଼ି ନ ଥିଲେ ହେଁ ଅବସର ପରେ ତତ୍କାଳ ତିନି ସଶସ୍ତ୍ର ବାହିନୀର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିବାର ସୁଯୋଗ ପାଇଥିଲେ। ସେନା ଅଧିକାରୀମାନେ କୌଣସି ରାଜନୈତିକ ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ଆର୍ମି ରୁଲ୍ସ, ୧୯୫୪ର ଚାପ୍ଟର ୪ରେ ବାରଣ କରାଯାଇଥିବା ସତ୍ତ୍ୱେ ପାକିସ୍ତାନ, ଚାଇନା ଓ ମ୍ୟାନ୍‌ମାର ବିରୋଧରେ ରାଓ୍ବତ୍‌ଙ୍କ ମନ୍ତବ୍ୟ ତାଙ୍କୁ ଅତ୍ୟଧିକ ବିବାଦୀୟ କରିଥିଲା। ତେଣୁ ରାଓ୍ବତ୍‌ଙ୍କ ନିଯୁକ୍ତି ପଛରେ ତାଙ୍କ ଯୋଗ୍ୟତା ନୁହେଁ, ବରଂ ରାଜନୈତିକ ପୃଷ୍ଠପୋଷକତା କାମ କରିଥିବା ଅନେକେ କହିଥାଆନ୍ତି।

୨୦୨୧ ଡିସେମ୍ବର ୮ରେ ରାଓ୍ବତ୍‌, ତାଙ୍କ ସ୍ତ୍ରୀ ମଧୁଲିକା ଓ ଅନ୍ୟ ୧୨ ଷ୍ଟାଫ୍‌ ତାମିଲନାଡୁର ଓ୍ବେଲିଂଟନସ୍ଥିତ ଡିଫେନ୍ସ ସର୍ଭିସେସ୍‌ ଷ୍ଟାଫ୍‌ କଲେଜକୁ ଯାଉଥିବାବେଳେ ଦୁର୍ଭାଗ୍ୟବଶତଃ ଭାରତୀୟ ବାୟୁସେନା ହେଲିକପ୍ଟର ଏମ୍‌ଆଇ-୧୭ଭି୫ କନ୍ନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ରାଓ୍ବତ୍‌ଙ୍କ ସହ ଅନ୍ୟ ସମସ୍ତେ ପ୍ରାଣ ହରାଇଥିଲେ। ସେତେବେଳେ ସପ୍ତାହେ ମଧ୍ୟରେ ନୂଆ ସିଡିଏସ୍‌ ନିଯୁକ୍ତି ହୋଇଯିବ ବୋଲି କେନ୍ଦ୍ର ସରକାର କହିଥିଲେ। ତେଣୁ ତତ୍କାଳୀନ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ଏବଂ ଉପମୁଖ୍ୟ ଲୁଟ୍‌ନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କ ମଧ୍ୟରୁ ଜଣଙ୍କୁ ରାଓ୍ବତ୍‌ଙ୍କ ଉତ୍ତରାଧିକାରୀ ଚୟନ କରାଯିବ ବୋଲି ଦେଶବାସୀ ଧରିନେଇଥିଲେ। ଚଣ୍ଡୀ ପ୍ରସାଦ ୨୦୨୨ ଜାନୁୟାରୀ ୩୧ରେ ଓ ନରଓ୍ବଣେ ଏପ୍ରିଲ ୩୦ରେ ଅବସର ନେବା ପରେ ସେହି ଚର୍ଚ୍ଚା ଥମିଯାଇଛି। ହେଲେ ହେଲିକପ୍ଟର ଦୁର୍ଘଟଣାର ୫ ମାସ ପରେ ମଧ୍ୟ ନୂଆ ସିଡିଏସ୍‌ ନିଯୁକ୍ତି ହୋଇପାରି ନାହିଁ। ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପରିବର୍ତ୍ତେ ଏବେ ସିଡିଏସ୍‌ ପଦବୀକୁ ଦୁଇ ଭାଗରେ ବିଭକ୍ତ କରିବା ପାଇଁ ସରକାର ପ୍ରସ୍ତୁତି ଚଳାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ସର୍ତ୍ତରେ ସୂଚନା ଦେଇଛନ୍ତି।

ପୂର୍ବରୁ ସିଡିଏସ୍‌ ରାଓ୍ବତ୍‌ଙ୍କ ପାଖରେ ଥିବା ସାମରିକ ବ୍ୟାପାର ବିଭାଗ (ଡିଏମ୍‌ଏ) ସଚିବ ଦାୟିତ୍ୱ ତୁଲାଇବା ପାଇଁ ଏକ ଭିନ୍ନ ପଦବୀ ସୃଷ୍ଟି କରାଯିବ। ଏହି ପଦରେ ନିଯୁକ୍ତି ପାଇବାକୁ ଥିବା ଅଧିକାରୀ ତିନି ସେନାର ଅମଲାତାନ୍ତ୍ରିକ କାର୍ଯ୍ୟ ତୁଲାଇବେ ଏବଂ ସିଡିଏସ୍‌ଙ୍କ ନିକଟରେ ଉତ୍ତରଦାୟୀ ରହିବେ। ସିଡିଏସ୍‌ଙ୍କୁ ଆପଏଣ୍ଟମେଣ୍ଟ୍‌ସ କମିଟି ଅଫ୍‌ କ୍ୟାବିନେଟ୍‌ (ଏସିସି) ନିଯୁକ୍ତି ଦେଇଥାଏ। ୨୦୧୬ରୁ ଏସିସିରେ କେବଳ ଦୁଇଜଣ ସଦସ୍ୟ ଅଛନ୍ତି। ଜଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ଜଣକ ହେଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା। ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ସିଡିଏସ୍‌ ନିଯୁକ୍ତିକୁ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏତେ ଗୁରୁତ୍ୱପୂର୍ଣ୍ଣ ବୋଲି କହିବୁଲୁଥିଲେ ଏବଂ ରାଓ୍ବତ୍‌ଙ୍କ ମୃତ୍ୟୁ ପରେ ବି ପ୍ରଧାନମନ୍ତ୍ରୀ ତାଙ୍କ ନାମରେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଭୋଟ ମାଗିଥିଲେ, ସେହି ପଦବୀ ଏଯାଏ କାହିଁକି ପୂରଣ କରିପାରି ନାହାନ୍ତି।

ନୂଆ ସିଡିଏସ୍‌ ନିଯୁକ୍ତିରେ ଅହେତୁକ ବିଳମ୍ବ ଏବଂ ଉକ୍ତ ପଦବୀର ସମ୍ଭାବ୍ୟ ବିଭାଜନକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ, ଦେଶରେ ଏହି ସାମରିକ ପଦ ସୃଷ୍ଟି ଜରୁରୀ ନ ଥିଲା। ସେନାର ଆଧୁନିକୀକରଣ ଓ ସଂସ୍କାର କଥା କହି ରାଓ୍ବତ୍‌ଙ୍କ ରାଜନୈତିକ ପ୍ରଭୁମାନେ ତାଙ୍କୁ ଥଇଥାନ କରିଥିଲେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri