ଜାତି ଥେରାପି

ଅଧ୍ୟାପକ ଗୋପବନ୍ଧୁ

 

କଣ୍ଟାକୁ କଣ୍ଟାରେ କଢ଼ାଯାଏ। ସର୍ପ ବିଷର ପ୍ରତିଷେଧକ ସର୍ପ ବିଷରୁ ତିଆରି କରାଯାଏ। ବସନ୍ତ ରୋଗର ପ୍ରତିଷେଧକ ବସନ୍ତ ରୋଗର ଜୀବାଣୁରୁ ତିଆରି ହୁଏ। ହୋମିଓପାଥି ଚିକିତ୍ସାରେ ରୋଗର ମାତ୍ରା ବଢ଼ାଇ ଚିକିତ୍ସା କରାଯାଏ। ଫଳରେ ଦେହରେ ସେହି ରୋଗ ବିରୋଧରେ ପ୍ରତିଷେଧକ ତିଆରି ହୁଏ। ଠିକ୍‌ ସେହିପରି ଭାରତବର୍ଷରେ ଜାତିପ୍ରଥା ରୂପକ ଯେଉଁ ଭୟଙ୍କର ବ୍ୟାଧି କାୟା ବିସ୍ତାର କରି ରହିଛି ତାହାର ସମାପ୍ତି ପାଇଁ ସେହି ଜାତିର ପ୍ରୟୋଗ ସର୍ବାପେକ୍ଷା ଅଧିକ ଫଳପ୍ରଦ ମାର୍ଗ। ଚିକିତ୍ସା ବିଜ୍ଞାନ ଭାଷାରେ ଏହାକୁ ‘ଜାତି ଥେରାପି’ ବୋଲି କୁହାଯାଇପାରେ। ଏବେ ଦେଶରେ ଜାତି ଥେରାପିର ଆବଶ୍ୟକତା ପଡ଼ିଛି ଏହି ବ୍ୟାଧିରୁ ମୁକ୍ତି ପାଇଁ।
ସମ୍ବିଧାନ ନିର୍ମାତାମାନେ ଏ କଥାକୁ ଠିକ୍‌ ଭାବେ ବୁଝିଥିଲେ। ତେଣୁ ଜାତିକୁ ସ୍ବୀକୃତି ଦେଇ ଅନଗ୍ରସର ଜାତିସମୂହର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ଏମାନେ ଜାତିଗୋଷ୍ଠୀ ତିଆରିକରି ସଂରକ୍ଷଣ ମାଧ୍ୟମରେ ବିକଶିତ ହେବାର ବ୍ୟବସ୍ଥା କରିଥିଲେ। ଫଳରେ ସମ୍ବିଧାନସମ୍ମତ ଭାବେ ସାମାଜିକ ଓ ଆର୍ଥିକ ସ୍ଥିତିର ତାରତମ୍ୟକୁ ଦେଖି ଏମାନଙ୍କୁ ଏସ୍‌ଟି, ଏସ୍‌ସି ଓ ଓବିସି ଭାବେ ବର୍ଗୀକରଣ କରାଯାଇଛି। ଏଠାରେ ଜାତି ବିରୋଧରେ ଜାତିଗୋଷ୍ଠୀର ପ୍ରୟୋଗ ହୋଇଛି। ଅର୍ଥାତ ଜାତି ଥେରାପିର ଉପଯୋଗ ହୋଇଛି। ଗୋଟିଏ କଥା ସ୍ପଷ୍ଟ ଯେ, କେବଳ ଭାଷଣବାଜିରେ ଜାତି ହଟିବ ନାହିଁ। ଏହା ହଟିବ ଅନଗ୍ରସର ଜାତିସମୂହର ବିକାଶ ଓ ପ୍ରତ୍ୟେକ ବିଭାଗରେ ସେମାନେ ସମାନ ଭାଗୀଦାରି ପ୍ରାପ୍ତ ହେବା ଦ୍ୱାରା। କାରଣ ବର୍ତ୍ତମାନର ଜାତି ବ୍ୟବସ୍ଥା ବଞ୍ଚିଛି ସାମାଜିକ ଓ ଆର୍ଥିକ ବିକାଶର ତାରତମ୍ୟରୁ ଜାତ ଅହଂକାର ଯୋଗୁ। ଏହି ଅହଂକାର ସେହିଦିନ ଧଂସହେବ ଯେଉଁଦିନ ଅନଗ୍ରସର ଜାତିସମୂହ ବିକଶିତ ହୋଇ ଅଗ୍ରସର ଜାତିସମୂହ ସହିତ ସମକକ୍ଷ ହୋଇଯିବେ।
ତେଣୁକରି ଯେଉଁମାନେ ଜାତି ଆଧାରରେ ସମାନ ଅଧିକାର ପାଇଁ ଲଢୁଛନ୍ତି ସେମାନଙ୍କୁ ଜାତିବାଦୀ ବୋଲି କୁହାଯାଇପାରିବ ନାହିଁ। ଅନେକ ସମୟରେ ଏମାନେ ପ୍ରଚଳିତ ସାମାଜିକ ତାଡନାର ଶିକାର ହୋଇ ଜାତି ସଂଗଠନ ମାଧ୍ୟମରେ କିଛି ପାଇବାକୁ ଚେଷ୍ଟା କଲେ ତାଙ୍କୁ ଜାତିବାଦୀ ବୋଲି ଜୋରରେ ପ୍ରଚାର ହୁଏ। ଅନ୍ୟପକ୍ଷରେ ଜାତି ଆଧାରରେ ଏମାନଙ୍କୁ ତାଙ୍କ ସମାନ ଅଧିକାରରୁ ବଞ୍ଚିତ କଲେ ତାଙ୍କୁ ଜାତିବାଦୀ କୁହାଯାଏ ନାହିଁ। ବରଂ ଅଭିଯୋଗକାରୀ ପ୍ରଗତିବାଦୀର ଆଖ୍ୟା ନେଇ ସମାଜରେ ଘୂରିବୁଲନ୍ତି। ଯେଉଁ ଦଳିତମାନଙ୍କୁ ମନ୍ଦିର ପ୍ରବେଶ କରିବାକୁ ଦିଆଯାଏ ନାହିଁ ଓ ଧାର୍ମିକ କାର୍ଯ୍ୟକ୍ରମଗୁଡ଼ିକରେ ଭାଗ ନେବାକୁ ଦିଆଯାଏ ନାହିଁ, ସେମାନେ ଏ ଅଧିକାର ମାଗିଲେ ତାଙ୍କୁ ଜାତିବାଦୀ କୁହାଯାଏ। ଯେଉଁ ଆଦିବାସୀମାନେ ସଂଗଠିତ ହୋଇ ଜୀବନଧାରଣର ସର୍ବନିମ୍ନ ସୁବିଧା ସୁଯୋଗ ମାଗନ୍ତି ତାଙ୍କୁ ଜାତିବାଦୀ କୁହାଯାଏ। ନିଜର ଆଦିମ ପରମ୍ପରା ମୁତାବକ ଜଳ, ଜମି ଓ ଜଙ୍ଗଲ ଉପରେ ଏମାନେ ଯେତେବେଳେ ସାମୂହିକ ମାଲିକାନା ଦାବିକରନ୍ତି ତାଙ୍କୁ ଜାତିବାଦୀ କୁହାଯାଏ। ଓବିସିମାନେ ନିଜର ସଂଖ୍ୟାନୁପାତରେ ସମସ୍ତ କ୍ଷେତ୍ରରେ ସମାନ ଅଧିକାର ମାଗିଲେ ତାଙ୍କୁ ଜାତିବାଦୀ କୁହାଯାଏ। କୌଣସି ଜାତି ରାଜନୈତିକ ପ୍ରତିନିଧିତ୍ୱରୁ ବଞ୍ଚିତ ହୋଇ ପ୍ରତିନିଧି ଦାବି ଉଠାଇଲେ ସେ ଜାତିବାଦୀ। ଅଥଚ ଯେଉଁମାନେ ଏମାନଙ୍କୁ ଏ ସୁବିଧାରୁ ବଞ୍ଚିତ କରନ୍ତି ସେମାନେ ହେଉଛନ୍ତି ପ୍ରଗତିବାଦୀ ବୋଲି ଧାରଣା ସୃଷ୍ଟି କରନ୍ତି। ପ୍ରକୃତପକ୍ଷେ ଏମାନେ ହେଉଛନ୍ତି ଅସଲ ଜାତିବାଦୀ। ପ୍ରଗତିବାଦୀ ମୁଖାତଳେ ଏମାନଙ୍କ ଜାତିବାଦୀ ଚେହେରା ଲୁଚିଥାଏ। ଏମାନେ ସମତାଭିତ୍ତିକ ସମାଜକୁ ଗ୍ରହଣ କରିପାରନ୍ତି ନାହିଁ। ସାମ୍ବିଧାନିକ ବ୍ୟବସ୍ଥାକୁ ମଧ୍ୟ ମାନନ୍ତି ନାହିଁ।
ପ୍ରଗତିବାଦୀ ମୁଖାତଳେ ଲୁଚିଥିବା ଏହି ଜାତିବାଦୀ ଗୋଷ୍ଠୀ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ତ ଜୋରସୋରରେ ପ୍ରଚାର କରନ୍ତି, କିନ୍ତୁ ଜାତି ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରନ୍ତି ନାହିଁ। ଜାତିକୁ ହଟାଇବା ପାଇଁ ଏମାନଙ୍କ ନିକଟରେ କୌଣସି ଏଜେଣ୍ଡା ନ ଥାଏ। ଏମାନେ ପୁଣି ବହୁ ଭାଗରେ ବିଭକ୍ତ। କିଏ ହେତୁବାଦୀ ତ କିଏ ତର୍କବୁଦ୍ଧିବାଦୀ, କିଏ ବିଜ୍ଞାନବାଦୀ ତ କିଏ ମାନବବାଦୀ। ଜାତି କଥା କହିଲେ ଏମାନଙ୍କ ମୁହଁ ବନ୍ଦ ହୋଇଯାଏ। ବେଶି ପ୍ରଶ୍ନ କଲେ କହନ୍ତି ଆମେ ଜାତିରେ ବିଶ୍ବାସ କରୁନା। ତୁମ ପାଖରେ ଜାତିକୁ ଉଠାଇବା ପାଇଁ କିଛି ଏଜେଣ୍ଡା ଅଛି ନା ନାହିଁ ପ୍ରଶ୍ନ କଲେ ମୁହଁ ଚୁପ। ସଭା ସମିତିରେ ସିନା ଏମାନେ ଜାତିବାଦ ବିରୋଧରେ ଭାଷଣ ଦିଅନ୍ତି, କିନ୍ତୁ ଘରକୁ ଗଲେ ସବୁକିଛି ପୂର୍ବପରି। ନା ଏମାନେ ଦେହରେ ଥିବା ଜାତିଗତ ଚିହ୍ନକୁ ଛାଡ଼ିପାରନ୍ତି, ନା ନାମ ପଛର ଜାତିସୂଚକ ଟାଇଟେଲକୁ ଛାଡିପାରନ୍ତି। ଧର୍ମ ଓ ସଂସ୍କୃତିର ଆଳରେ ନିଜର ଜାତିଗତ ସ୍ବତନ୍ତ୍ରତାକୁ ବଜାୟ ରଖିବାକୁ ପୂର୍ଣ୍ଣ ଚେଷ୍ଟା କରନ୍ତି।
ସାଧୀନତାର ଦୀର୍ଘ ବର୍ଷ ପରେ ବି ଜାତି ବ୍ୟବସ୍ଥା ତା’ର କଳୁଷିତ କାୟା ବିସ୍ତାର କରି ରଖିଛି ଏହି ଜାତିବାଦୀଙ୍କ ପାଇଁ। ଅନେକ ସମୟରେ ଜାତିବାଦକୁ ହଟାଇବା କଥା ନ କହି ଏହାର ସପକ୍ଷରେ ଯୁକ୍ତି କରନ୍ତି। ଏହି ବ୍ୟବସ୍ଥାର ଗୁଣଗାନ କରନ୍ତି। ଧର୍ମ ଓ ସଂସ୍କୃତିର ଆବରଣ ପିନ୍ଧାଇ ଏହାକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବାକୁ ଚେଷ୍ଟା କରନ୍ତି। ଯେଉଁମାନେ ପ୍ରକୃତରେ ଜାତିପ୍ରଥାର ବିରୋଧୀ ତାଙ୍କୁ ନାନାଭାବେ ଭର୍ସନା କରନ୍ତି। ଫଳସ୍ବରୂପ ଦେଶରେ ଜାତିବାଦ କମିବାର ନାମ ନେଉନାହିଁ। ରାଜନୀତି ଜାତିବାଦକୁ ପ୍ରୋତ୍ସାହିତ କରିଆସିଛି। ଗୋଟିଏ ଦୁଇଟି ଜାତି ଏଥିପାଇଁ ଦାୟୀ। ସେମାନେ ସମସ୍ତ କ୍ଷମତା ନିଜ ହାତରେ ରଖିବାକୁ ଚାହାନ୍ତି। ଏମାନେ କଳେବଳେ କୌଶଳେ ରାଜନୈତିକ, ପ୍ରଶାସନିକ ଓ ନ୍ୟାୟିକ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହାନ୍ତି। ଏହାହିଁ ମାରାତ୍ମକ ଜାତିବାଦ। ଯେଉଁମାନେ ନିଜର ସଂଖ୍ୟାନୁପାତିକ ଭାଗ ପାଇଁ ଲଢୁଛନ୍ତି ସେମାନଙ୍କୁ କଦାପି ଜାତିବାଦୀ ବୋଲି କହିହେବ ନାହିଁ। ସେହିମାନଙ୍କୁ ଜାତିବାଦୀ ବୋଲି କୁହାଯିବ ଯେଉଁମାନେ ଅନ୍ୟମାନଙ୍କୁ ତାଙ୍କ ସଂଖ୍ୟାନୁପାତିକ ପ୍ରାପ୍ୟ ଦେଉନାହାନ୍ତି।
ଜାତି ବ୍ୟବସ୍ଥାର ସମାପ୍ତି ପାଇଁ ଅନଗ୍ରସର ଜାତି ସମୂହର ବିକାଶ ଜରୁରୀ ହୋଇଥିବା ଯୋଗୁ ଏମାନେ ବିକାଶର ଲକ୍ଷ୍ୟ ନେଇ ସଙ୍ଗଠିତ ହେବା ଜରୁରୀ। ଏମାନେ ନିଜ ମଧ୍ୟରେ ଥିବା ଜାତି ବିଦ୍ୱେଷ ଓ ଜାତିଗତ ଭାବନାକୁ ସମାପ୍ତ କରିବା ଆବଶ୍ୟକ। ଏହା ନ ହେଲେ ଜାତିବାଦ ଭିନ୍ନରୂପରେ ଆତ୍ମପ୍ରକାଶ କରିବ। ଯେଉଁ ଅଗ୍ରସର ଗୋଷ୍ଠୀ ବିକାଶର ଚରମ ସୀମାରେ ପହଞ୍ଚିଛନ୍ତି ସେମାନେ ପଛକୁ ଦେଖିବା ଜରୁରୀ ଯେ କେଉଁମାନେ ବିକାଶର ଦୌଡ଼ରେ ପଛରେ ପଡ଼ିଯାଇଛନ୍ତି। ଏମାନେ ସାମ୍ବିଧାନିକ ବ୍ୟବସ୍ଥାକୁ ମାନିବା ଦରକାର ଓ ସମତାଭିତ୍ତିକ ସମାଜକୁ ସ୍ବୀକାର କରିବା ଦରକାର। ଏହା ତାଙ୍କ ସାମାଜିକ ଓ ନାଗରିକତ୍ୱର ଦାୟିତ୍ୱ ମଧ୍ୟ। ଏହାଛଡ଼ା ଜାତିବିହୀନ ସମାଜ ଗଠନ କରିବା ପାଇଁ ଏମାନଙ୍କୁ ଯୋଜନା ମଧ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ। ଆବଶ୍ୟକ ହେଲେ ଧାର୍ମିକ ଓ ସାଂସ୍କୃତିକ ସଂଶୋଧନ ପାଇଁ ପଦକ୍ଷେପ ନେବାକୁ ପଡ଼ିବ। ଏହା ନ ହେଲେ ଅନଗ୍ରସର ଜାତିସମୂହ ନିକଟରେ କଣ୍ଟାକୁ କଣ୍ଟାରେ କାଢ଼ିବା ସଦୃଶ ଜାତିକୁ ଜାତି ଦ୍ୱାରା ହଟାଇବା ପାଇଁ ଜାତି ଥେରାପିର ଆଶ୍ରୟ ନେବାକୁ ପଡ଼ିବ।
ଦର୍ଶନ ବିଭାଗ (ଅବସରପ୍ରାପ୍ତ)
ବାରିପଦା, ମୟୂରଭଞ୍ଜ
ମୋ- ୭୦୦୮୯୭୬୧୮୦


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri