ଛାତିରେ ହାତ ରଖି କହିପାରିବା କି

ଉପେନ୍ଦ୍ର ବିଶ୍ୱାଳ

“ମୋ ରାଜ୍ୟରେ ଏମିତି କେତେ ଜଣ ଓଏଏସ ଅଫିସର ଅଛନ୍ତି, ଯେଉଁମାନେ କି ଛାତିରେ ହାତ ରଖି କହିପାରିବେ ସଚ୍ଚୋଟ ବୋଲି” -ବାଲେଶ୍ୱରଠାରେ ୧୯୯୦ରେ ଅନୁଷ୍ଠିତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ବାର୍ଷିକ ଅଧିବେଶନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କର ଏହା ଥିଲା ବଜ୍ର ଆହ୍ବାନ। ଗଣମାଧ୍ୟମର ପ୍ରମୁଖ ଖବର ପାଲଟି ଥିଲାବେଳେ, ସମଗ୍ର ଦେଶରେ ବି ଏହା ପ୍ରତିଧ୍ୱନିତ ହୋଇଥିଲା ସେତେବେଳେ। ନୀଳଗିରିର ତତ୍କାଳୀନ ତହସିଲଦାର ଖବରକାଗଜର ଏହି ଶିରୋନାମାକୁ ଅଫିସ ଟେବୁଲର କାଚ ତଳେ ସାଇତି ରଖିଥିଲେ। ଅବଶ୍ୟ, ଛାତିରେ ହାତ ରଖି ସଚ୍ଚୋଟ ବୋଲି କହିବାକୁ ପଡୁ ନ ଥିଲା, ଏହି ଅଧିକାରୀଙ୍କୁ। ବ୍ୟକ୍ତିଗତ କାମରେ ବାଲେଶ୍ୱର ଗଲେ ବି ବସରେ ବରଂ ଯାଉଥିଲେ, କିନ୍ତୁ ସରକାରୀ ଗାଡ଼ି ବ୍ୟବହାର କରୁ ନ ଥିବା, ଏ ଲେଖକ ଦେଖିଛି। ଦୁଇଟି ପାଳିରେ ମାତ୍ର ୭ବର୍ଷ ପାଇଁ ବିଜୁବାବୁ ଥିଲେ ମୁଖ୍ୟମନ୍ତ୍ରୀ। ଏ ଜାତି ପାଇଁ ଲଢ଼ିଛନ୍ତି। ଦୁର୍ନୀତିକୁ ପ୍ରଶ୍ରୟ ଦେଇନାହାନ୍ତି। ସେତେବେଳେ ସରକାରୀ କର୍ମଚାରୀମାନେ ଆଜି ପରି ଏମିତି ଖୁଲମ୍‌ଖୁଲା ଦୁର୍ନୀତି କରୁ ନ ଥିଲେ। ତାଙ୍କ ପ୍ରତି ଯେମିତି ଥିଲା ଭକ୍ତି, ସେମିତି ବି ଥିଲା ଭୟ। ମାତ୍ର, ଆଜି ଏମିତି କୌଣସି ଦିନ ନ ଥିବ, ଯେଉଁଦିନ ଭିଜିଲାନ୍ସ ଦ୍ୱାରା ବନ୍ଧା ହୋଇଥିବାର ଖବର ବାହାରି ନ ଥିବ। ସମାଜର ସମଗ୍ର ସତ୍ତାକୁ କେମିତି ଏହା ଗ୍ରାସ କଲାଣି, ତାହା ତ ବେଶ୍‌ ଜଣାପଡ଼େ, ଗୋଟେ ଗୋଟେ ଦିନର ଖବରରୁ। ଭିଜିଲାନ୍ସ ଦ୍ୱାରା କୋଟିପତି ଇଞ୍ଜିନିୟର ଧରାପଡିବା, ଅଧ୍ୟାପକଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହେବା , ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ ବିରୋଧରେ ଭିଜିଲାନ୍ସ ଦ୍ୱାରା ୪କୋଟିରୁ ଊଦ୍ଧର୍‌ବ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ଆଦି ଖବର ପ୍ରକାଶ ପାଉଛି।
ଅଟ୍ଟାଳିକାଟିଏ ଗଢିବାକୁ ହେଲେ, ଖାଲଟିଏ ଆଗ ଖୋଳିବାକୁ ହୁଏ। କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହେଉଛି ମାନେ, କେଉଁଠି ନା କେଉଁଠି ନଗଡ଼ା ପରି ଗାଁ ସୃଷ୍ଟି ହୋଇ ଚାଲିଛି। ଗୋଟେ ଭୂଖଣ୍ଡର ବିକାଶ ବାଧାପ୍ରାପ୍ତ ହୁଏ ସେତେବେଳେ, ଯେବେ ଭ୍ରଷ୍ଟାଚାରର ବିଷାକ୍ତ ବଳୟ ବ୍ୟାପି ଚାଲେ ବ୍ୟକ୍ତି ସତ୍ତାରୁ ସମଗ୍ର ସତ୍ତାକୁ। ଦୁର୍ନୀତିର ଦାବାନଳରେ ଦୁର୍ଗତିକୁ ସାମ୍ନା କରେ ଦେଶ। ଏଣୁ, ଦୁର୍ନୀତି ବିରୋଧରେ ସଚେତନତା ସୃଷ୍ଟି ପାଇଁ ଡିସେମ୍ବର ୯ ତାରିଖରେ ଜାତିସଂଘ ଦ୍ୱାରା ପାଳିତ ହୋଇ ଆସୁଛି ଦୁର୍ନୀତି ନିରୋଧ ଦିବସ। ପୁଣି, ଚଳିତ ବର୍ଷ (ଅକ୍ଟୋବର ୨୭ରୁ ନଭେମ୍ବର ୨) ପରି ପ୍ରତିବର୍ଷ ସପ୍ତାହ ବ୍ୟାପୀ ପାଳିତ ହୁଏ ଦୁର୍ନୀତି ସଚେତନତା ସପ୍ତାହ। ସରକାରୀ ଦପ୍ତରଗୁଡ଼ିକରେ ସମସ୍ତେ ଶପଥ ନେଇଥାନ୍ତି, ସ୍ବଚ୍ଛତା ଅବଲମ୍ବନ କରିବାକୁ, ନିଜେ ଦୁର୍ନୀତି ମୁକ୍ତ ରହିବାକୁ। ଭ୍ରଷ୍ଟାଚାର ବିରୋଧରେ କେନ୍ଦ୍ର ସରକାରଙ୍କ କଠୋର ଆଭିମୁଖ୍ୟ, ଶୂନ୍ୟ ସହନଶୀଳତା ପରି ଓଡ଼ିଶା ସରକାର ମଧ୍ୟ ସେଇ ପନ୍ଥା ଧରି, ୨୦୧୯ରେ ଶତାଧିକ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରିବା ସହିତ କେତେଜଣଙ୍କ ପେନ୍‌ସନ ବି ବନ୍ଦ କରି ଦେଇଛନ୍ତି। ତଥାପି ଆମେ ନିିର୍ଲଜ୍ଜମାନେ ଚେତୁ ନାହୁଁ କି ଲୋଭକୁ ଛାଡି ପାରୁନାହୁଁ, ଠିକ ‘ପାହମ୍‌’ ପରି। ସୁପ୍ରସିଦ୍ଧ ରୁଷୀୟ ଲେଖକ ଲିଓ ଟଲଷ୍ଟୟଙ୍କ “How much land does a man require” ଗଳ୍ପର ମୁଖ୍ୟ ଚରିତ୍ର ‘ପାହମ୍‌’କୁ ଲୋଭ କବ୍‌ଜା କରିବସେ। ସମ୍ପତ୍ତି ସମ୍ପତ୍ତି ବୋଲି ଦିନ ରାତି ଭାଳି ହୁଏ। ସେମିତି ଦିନେ ଅତିକ୍ରମ ଜମିକୁ ଅକ୍ତିଆର କରିବା ଲକ୍ଷ୍ୟରେ ସୂର୍ଯୋଦୟରୁ ଅଣନିଃଶ୍ୱାସୀ ହୋଇ ଦୌଡ଼ିଛି ସେ। ପାହମ୍‌ ପାସୋରି ଦେଇଥିଲା କଠୋର ଚେତାବନୀକୁ – ସୂର୍ଯ୍ୟାସ୍ତ ପୂର୍ବରୁ ହିଁ ତାକୁ ଫେରିବାକୁ ପଡ଼ିବ ମୂଳ ସ୍ଥଳକୁ। ଏଣୁ, କ୍ଷିପ୍ର ଗତିରେ ଫେରୁଥିବା ପାହମ, ପହଞ୍ଚି ନ ପାରି ଟଳି ପଡିଛି ଅଳ୍ପ କିଛି ଦୂରରେ। ଶେଷରେ ମର ଶରୀରକୁ କବର ଦିଆଗଲା, ମାତ୍ର ୬ଫୁଟ ଜାଗାରେ। ଆଜି ଆମେ ‘ପାଠକ’ମାନେ ବି ଠିକ ସେମିତି। ”ଜୀବନ ସୂର୍ଯ୍ୟ ଅସ୍ତମିତ ହେବ ଓ ଆମକୁ ଫେରିବାକୁ ହେବ ସୁନିଶ୍ଚିତ। ଆମ ପାଇଁ ଲୋଡ଼ା ମାତ୍ର ଛଅ ଫୁଟର ଜମି“ – ଅତି ନିର୍ମମ ଏହି ସର୍ତ୍ତ ଓ ସତ୍ୟକୁ ଖାତିର ନ କରି, ଲକ୍ଷାଧିକ ଟଙ୍କାର ବେତନ ପାଇ ବି ଯହୁଁ ଦିନ ଗଡି ଗଡି ଯାଉଛି, ତହୁଁ ଆମେ ଜୋରରେ ଦୌଡୁଛୁ, ଅଧିକରୁ ଅଧିକ ଆବୋରିବାକୁ। କ’ଣ ହେବ କୋଡ଼ିଏ/ପଚିଶ କୋଟି ଟଙ୍କାର ଅନ୍ୟାୟ ଅର୍ଜିତ ସେ ସମ୍ପତ୍ତି ?
ଏବେ ଆସିବା, ଭିଜିଲାନ୍ସ ପାଖକୁ। ଓଡ଼ିଶା ଭିଜିଲାନ୍ସ ବିଭାଗର ବାର୍ଷିକ ବିବରଣୀ ଆଧାରରେ United News of Indiaର ତଥ୍ୟ କୁହେ, ୨୦୧୮ ରେ ଦରଜ ହୋଇଥିବା ୭୦୭ ଅଭିଯୋଗ ମଧ୍ୟରୁ ୫୨ଜଣ ଥିଲେ ୧ମ ଶ୍ରେଣୀ ସରକାରୀ କର୍ମଚାରୀ ଓ ୪୩୩ ଜଣ ଥିଲେ ୩ୟ ଶ୍ରେଣୀର। ୨୦୧୭ରେ ୧୬୧ ଜଣଙ୍କୁ ଭିଜିଲାନ୍ସ ଟ୍ରାପ କରିଥିଲା ବେଳେ, ୨୦୧୮ରେ ୧୮୨ ଜଣଙ୍କୁ। ତନ୍ମଧ୍ୟରୁ ୧ମ ଶ୍ରେଣୀ ପାହ୍ୟାର ମାତ୍ର ୧୨ଜଣ ଥିଲାବେଳେ, ୩ୟ ଶ୍ରେଣୀ କର୍ମଚାରୀ ୧୬୧ ଜଣ। ଅତଏବ ଉପରୋକ୍ତ ତଥ୍ୟ କୁହେ, ବଡ଼ ବଡ଼ ହାକିମମାନେ କାଁ ଭାଁ କେଇଟି ଚୋରି କଲାବେଳେ, ପ୍ରାୟତଃ ସବୁ ଚୋରି, ତଳିଆ କର୍ମଚାରୀମାନେ ହିଁ କରିଥାନ୍ତି। ଏହା କେତେଦୂର ଯୁକ୍ତିଯୁକ୍ତ? ସେମିତି, ଟ୍ରାଏଲ କୋର୍ଟରେ ଚାଲୁଥିବା ମୋକଦ୍ଦମା ମଧ୍ୟରୁ ୨୦୧୭ରେ ୪୭ ଭାଗ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲା ବେଳେ ୨୦୧୮ରେ, ପାଖାପାଖି ୫୧ ଭାଗ। ଅର୍ଥାତ୍‌ ପ୍ରାୟ ୫୦ଭାଗ ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ ହୁଅନ୍ତି। ତା’ହେଲେ, ଏଥିରୁ ଆମେ କ’ଣ ବୁଝିବା? ଭିଜିଲାନ୍ସ ବିଭାଗ ମିଛଟାରେ ବାହାବା ନେବାକୁ ଏମିତି ବାନ୍ଧି ପକାଏ ନା ପୋଲିସ ଦ୍ୱାରା ଜବତ ହେଉଥିବା ବ୍ରାଉନସୁଗାର, ବେଳେ ବେଳେ ଚକ୍‌ ଗୁଣ୍ଡରେ ପରିଣତ ହେବା ପରି, ଏଠି ବି ସେମିତି ଘଟୁଛି ?
୧୮୦ଟି ଦେଶକୁ ନେଇ Transparency International ଦ୍ୱାରା ହୋଇଥିବା ୨୦୧୯ ସର୍ଭେ ରିପୋର୍ଟ ଅନୁଯାୟୀ ସ୍ବଚ୍ଛତାରେ ସର୍ବାଗ୍ରେ ଥିବା ଦେଶ ଗୁଡିକ ହେଲେ ଡେନମାର୍କ, ନ୍ୟୁଜିଲାଣ୍ଡ, ଫିନ୍‌ଲାଣ୍ଡ, ସିଙ୍ଗାପୁର, ସ୍ବିଡେନ, ସୁଇଜରଲାଣ୍ଡ ଆଦି। ସର୍ବାଧିକ ଦୁର୍ନୀତିଗ୍ରସ୍ତ ତାଲିକାରେ ଅଛନ୍ତି ସୋମାଲିଆ, ଦକ୍ଷିଣ ସୁଦାନ, ସିରିଆ, ୟେମେନ ଆଦି ଅନୁନ୍ନତ ଦେଶ। ଆମ ଦେଶ ୨୦୧୮ରେ ୭୮ତମ ସ୍ଥାନରେ ଥିଲାବେଳେ ୨୦୧୯ରେ ରହିଛି ୮୦ତମ ସ୍ଥାନରେ। ତା’ମାନେ, ଏତେ ସବୁ ପଦକ୍ଷେପ ସତ୍ତ୍ୱେ ଦୁର୍ନୀତି ଏଇଠି ବଢି ବଢି ଚାଲିଛି।
‘ମାଟିର ମଣିଷ’ର ସ୍ରଷ୍ଟା କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଭାଷାରେ ”ଆବଶ୍ୟକତାଠାରୁ ଅଧିକ ପାଇବାକୁ ପ୍ରୟାସ କରିବା, ଏକ ସାମାଜିକ ଅପରାଧ। ଏହା ଏକ ପାପ ପ୍ରକ୍ରିୟା।“ କେତେଜଣ ଆମେ ଏହାକୁ ବୁଝୁଛୁ ଆଜି? ଏପରି କି, ଭିକାରିଙ୍କଠାରୁ ଲୁଟିବାକୁ ପଛାଉ ନ ଥିବା ଲୋକେ ବି ମିଳିବେ ଏଠି। ଏଇ ଯେମିତି, ପରିସ୍ଥିତି ଚାପ ଓ ବାଧ୍ୟ ବାଧକତାରେ ଅତି ବିପଦ ସଙ୍କୁଳ ପରିବେଶରେ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଥିବା ଜଣେ ବ୍ୟକ୍ତି, କାନ୍ଦି କାନ୍ଦି ସେଦିନ କହୁଥିଲେ ତାଙ୍କ ଶୋଷଣର କାହାଣୀ। ଏକ ଆନ୍ତର୍ଜାତିକ ସ୍ବେଚ୍ଛାସେବୀ ସଙ୍ଗଠନର ଜିଲା ମୁଖିଆ ବୋଲି ପରିଚୟ ଦେଉଥିବା ବ୍ୟକ୍ତି ଜଣକ, ଓଡ଼ିଶାର ଏକ ବୃହତ୍‌ ଶିଳ୍ପାନୁଷ୍ଠାନର ସିକ୍ୟୁରିଟି ଇନଚାର୍ଜ ଥିବାବେଳେ, ମାସିକ ୪/୫ ହଜାର ଟଙ୍କା ବି ପାଉ ନ ଥିବା ଗାର୍ଡମାନଙ୍କର ଇପିଏଫ୍‌ ଓ ଇଏସ୍‌ଆଇ ପଇସା ଦାଖଲ ନ କରି ନିଜେ ପକେଟସ୍ଥ କରି ଚାଲିଥିଲେ ବର୍ଷ ବର୍ଷ ଧରି। ସମାଜ ବା ସରକାର, ସେମାନଙ୍କୁ ପ୍ରୋତ୍ସାହିତ କରେ କି? ତେବେ, ଦେଶରୁ ଦୁର୍ନୀତି ଓ ଦୁର୍ଗତି ଦୂର ହେବ କେମିତି? ଏଥିପାଇଁ ଆସନ୍ତୁ ଆମେ ପ୍ରତିଟି ପ୍ରାଣ ପଣ କରିବା,”ସତ୍ୟ ଓ ସଚ୍ଚୋଟତାକୁ ସାଥୀ କରିବା। ତା’ପରେ, ଛାତିରେ ହାତ ରଖି କହିପାରିବା- ମୁଁ ଚୋର ନୁହଁ, ମୁଁ ସଚ୍ଚୋଟ।
ଗୋଡ଼ିଶୂଳ, ସଜନାଗଡ଼, ବାଲେଶ୍ବର
ମୋ:୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri