ଧନ କ’ଣ ସୁଖ କିଣିପାରେ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

 

ଏ ପ୍ରଶ୍ନର ଜବାବ ଦେବାକୁ ହେଲେ ପ୍ରଥମେ ନିରୂପଣ କରିବାକୁ ହେବ ସୁଖର ସଂଜ୍ଞା। ଅନେକ ଦାର୍ଶନିକ ଏବଂ ଚିନ୍ତାଶୀଳ ବ୍ୟକ୍ତି ଏହାକୁ ଏକ ପ୍ରହେଳିକା ବୋଲି କହନ୍ତି। ଏଣୁ କବି ରାଧାନାଥଙ୍କ ଭାଷାରେ ”ସୁଖ ରୂପେ ଯାହା ଜନ ନେତ୍ରେ ଦିଶେ, ହାତେ ଆସେ ହାତୁ ପଡ଼ିବା ପାଇଁ ସେ। ବସ୍ତୁ ନୁହଁଇ ସେ ଅଟଇଟି ଧୂମ, ଆନ ନାମ ତା’ର ଆକାଶ କୁସୁମ।“ ଅତଏବ ସୁଖ ପଛରେ ଧାଇଁବା ଆକାଶ କୁସୁମ ତୋଳିବା ଭଳି ଏକ ନିଷ୍ଫଳ ପ୍ରୟାସ। ତଥାପି ଆମେ ଅନବରତ ତାହା ହିଁ କରିଥାଉ। ସୁଖର ସନ୍ଧାନରେ ଧାଇଁ ଧାଇଁ ଅଣନିଃଶ୍ୱାସୀ ହେଉ ଏବଂ ତାହା ହୁଏ ଆମର ସବୁ ଦୁଃଖର କାରଣ। ସେଥିପାଇଁ ଯୋଗୀ ଶ୍ରେଷ୍ଠ ଶ୍ରୀ ଅରବିନ୍ଦ କହିଛନ୍ତି, ”ତୁମେ ବର୍ତ୍ତମାନ ଯାହା ଅଛ, ତାହାକୁ ନେଇ ଯଦି ସୁଖୀ ନୁହଁ, ତେବେ ତୁମେ କଦାପି ସୁଖୀ ହୋଇପାରିବ ନାହିଁ।“ ଅର୍ଥାତ୍‌ ସୁଖ ପାଇବାକୁ ହେଲେ ଆମକୁ ନିଜର ବର୍ତ୍ତମାନରେ ହିଁ ସନ୍ତୁଷ୍ଟ ହେବା ଶିଖିବାକୁ ପଡ଼ିବ। ସେଥିପାଇଁ ଏକାନ୍ତ ଭାବେ ଲୋଡ଼ା ଆଧ୍ୟାମତ୍ିକ ଚେତନାର ବିକାଶ, ଜୀବନର ଅଳିକତା ସମ୍ପର୍କରେ ସଚେତନତା ତଥା ବସ୍ତୁବାଦୀ ଲାଳସାରୁ ମୁକ୍ତି। ତାହା ହିଁ ଆମକୁ ସନ୍ତୋଷ ଦେଇପାରିବ ଓ ସୁଖ କ’ଣ ନ ବୁଝିଲେ ବି ତାହାର ଏକ ଅଜଣା ସ୍ପର୍ଶ ଆମ ମନକୁ ସ୍ପର୍ଶ କରିପାରିବ। ତେବେ, ଦିନକୁ ଦିନ ମଣିଷ ସମାଜରେ ବିସ୍ତାର ଲାଭ କରିବାରେ ଲାଗିଛି ବସ୍ତୁବାଦ। ଲୋକେ ଅଧିକରୁ ଅଧିକ ଲାଳସାଗ୍ରସ୍ତ ହୋଇପଡୁଛନ୍ତି ବିଭିନ୍ନ ସାଂସାରିକ ବସ୍ତୁ ପ୍ରତି, ଯାହା କି କିଣାଯାଇପାରିବ। ସେଥିପାଇଁ ଏବେ ଅନେକେ ମନେକରୁଛନ୍ତି ଯେ, ଏସବୁ କିଣିବା ମାଧ୍ୟମରେ ସୁଖ ଲାଭ କରାଯାଇପାରିବ। ସେମାନଙ୍କ ମତରେ ଆମେ ଭଲ ପାଉଥିବା ଜିନିଷଟି ପାଇବାକୁ ହେଲେ ଧନ ଦରକାର। ତେବେ, ମଣିଷର ଲାଳସା ଅପରିସୀମ। ଏଣୁ ସେଥି ଅନୁସାରେ ଏହା ପରିତୃପ୍ତ କରିବା ପାଇଁ ସବୁ ପାଇବାକୁ ହେଲେ ଲୋଡ଼ା ଅପରିସୀମ ଧନ, ଯାହା କି ସମ୍ଭବ ନୁହେଁ। ତା’ ହେଲେ ଏଭଳି ସୁଖ ଲାଭ କରାଯାଇ ପାରିବା ମଧ୍ୟ ଅସମ୍ଭବ।
ଧନ ସହିତ ସୁଖର ସମ୍ପର୍କକୁ ନେଇ ବିଭିନ୍ନ ବର୍ଗର ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି। ଏହା ସ୍ଥିର କରିବାକୁ ୧୯୯୦ ଦଶକରେ ସର୍ବେକ୍ଷଣଟିଏ କରିଥିଲେ ଆମେରିକାର ବର୍କଲେସ୍ଥିତ କାଲିଫର୍ନିଆ ବିଶ୍ୱ ବିଦ୍ୟାଳୟର ଅର୍ଥନୀତିଜ୍ଞ ଡାନିଏଲ କହନେମ୍ୟାନ ଏବଂ ଅଂଗୁସ ଡେଆଟନ। ତାଙ୍କ ମତରେ ସୁଖର ସଂଜ୍ଞା ହେଲା ଶାରୀରିକ ଏବଂ ମାନସିକ ସ୍ତରରେ ସନ୍ତୋଷ ଲାଭ। ଏହି ସର୍ବେକ୍ଷଣରେ ସେମାନେ ନେଇଥିଲେ ବିଭିନ୍ନ ଦେଶର ୧, ୭୨୫, ୯୯୪ ଜଣ ପ୍ରାପ୍ତ ବୟସ୍କ (୧୮ରୁ ୬୫ ବର୍ଷ) ଲୋକ। ସେଥିରୁ ଜଣାପଡ଼ିଲା ଯେ, ପ୍ରାଥମିକ ଅବସ୍ଥାରେ ଧନ ସହିତ ସୁଖର ସମ୍ପର୍କ ରହିଛି। ତେବେ, ଏହାର ଏକ ସୀମା ଅଛି। ଅନ୍ୟ ଭାଷାରେ କହିବାକୁ ଗଲେ, ସଂସାର ଚଳାଇବାକୁ କଠିନ ହେଉଥିବା ନିମ୍ନ ଆୟକାରୀମାନଙ୍କ କ୍ଷେତ୍ରରେ ଧନ ସହିତ ସୁଖର ସମ୍ପର୍କ ରହିଛି। ତେବେ ଏ ସମ୍ପର୍କ ଧୀରେ ଧୀରେ ଶିଥିଳ ହୁଏ ଆୟବୃଦ୍ଧି ସହିତ। କହନେମ୍ୟାନ ଏବଂ ଡେଆଟନଙ୍କ ଆକଳନ ଅନୁସାରେ ଏହାର ସୀମାହେଲା ବାର୍ଷିକ ୭୫୦୦୦ ଡଲାର ଆୟ କରିବା। ତହିଁରୁ ଅଧିକ ଆୟକାରୀଙ୍କ କ୍ଷେତ୍ରରେ ସୁଖ ସହିତ ଧନର ସମ୍ପର୍କ ହ୍ରାସ ପାଇଚାଲେ। ଅନ୍ୟପକ୍ଷରେ, ଅଧିକ ଧନୀ ଲୋକଙ୍କ କ୍ଷେତ୍ରରେ ତାହା ନକାରାମତ୍କ ହୋଇଥାଏ ବୋଲି କହନ୍ତି ଇଲିନଏ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱବିତ୍‌ ଏଡ୍‌ ଡାଇନର। ଅର୍ଥାତ୍‌ ତାଙ୍କ ମତରେ ଅଧିକରୁ ଅଧିକ ଧନ ମାନସିକ ଚାପ ସୃଷ୍ଟିକାରୀ ହୋଇଥିବାରୁ ତାହା ସୁଖକୁ ହରଣ କରେ।
ସେହିପରି ମତଟିଏ ପୋଷଣ କରନ୍ତି ମିଚିଗାନ ଷ୍ଟେଟ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱବିତ୍‌ ରିଚାର୍ଡ ଇ ଲ୍ୟୁକାସ। ସେ ଯୁକ୍ତି ବାଢ଼ନ୍ତି ଯେ, ତାହା ହୋଇ ନ ଥିଲେ ଫିନଲାଣ୍ଡ ବା ଡେନମାର୍କ ଅଥବା ଭୂଟାନ ଭଳି ଦେଶର ଲୋକେ ଅଧିକ ବିତ୍ତଶାଳୀ ଆମେରିକୀୟମାନଙ୍କ ଠାରୁ ‘ଖୁସିର ସୂଚକାଙ୍କ’ରେ ଊର୍ଦ୍ଧ୍ୱରେ ରହନ୍ତି କିପରି? ଅନ୍ୟପକ୍ଷରେ ଅସୁଖୀଙ୍କ ତାଲିକାରେ କିପରି ଭାରତର ସ୍ଥାନ ଲାଇବେରିଆ, ରାଓଣ୍ଡା, ସିରିଆ ଇତ୍ୟାଦିଙ୍କର ଉପରେ ହୁଅନ୍ତା?
ଏକ ନିୟମିତ ସମୟ ବ୍ୟବଧାନରେ (ପ୍ରାୟ ପ୍ରତିବର୍ଷ) ବିଭିନ୍ନ ଦେଶର ଲୋକଙ୍କ ଜୀବନଧାରାକୁ ନେଇ ଜାତିସଂଘ ତରଫରୁ ସଷ୍ଟେନେବଲ ଡେଭେଲପମେଣ୍ଟ ସଲ୍ୟୁସନ୍‌ସ ନେଟଓ୍ବର୍କ ଦ୍ୱାରା ଖୁସିର ସୂଚକାଙ୍କ ପ୍ରସ୍ତୁତ କରାଯାଏ। ଏହା ନିର୍ଦ୍ଧାରଣ କରିବା ପାଇଁ ବିଚାରକୁ ନିଆଯାଉଥିବା କାରକମାନଙ୍କ ମଧ୍ୟରୁ ମୁଖ୍ୟଗୁଡ଼ିକ ହେଲା ଲୋକଙ୍କ ଆୟ, ସ୍ବାଧୀନତା, ବିଶ୍ୱାସ, ସୁସ୍ଥ ଜୀବନ, ଆୟୁଷ, ସାମାଜିକ ସହାୟତା ଏବଂ ବଦାନ୍ୟତା। ଏଥି ଅନୁଯାୟୀ ଆର୍ଥିକ ଅବସ୍ଥାରେ କ୍ରମାଗତ ବୃଦ୍ଧି ଘଟି ଚାଲିବା ସତ୍ତ୍ୱେ ବି ବିଗତ କିଛି ବର୍ଷ ଧରି ସମଗ୍ର ବିଶ୍ୱରେ ଖୁସିର ସୂଚକାଙ୍କ ହ୍ରାସ ପାଇବାରେ ଲାଗିଛି। ଆମ ଦେଶରେ ଏହା ଅଧିକ ମାତ୍ରାରେ ଘଟିଛି। ଅତଏବ ବିଗତ ବର୍ଷ (୨୦୨୦ରେ) ଏହା ସର୍ବେକ୍ଷଣଭୁକ୍ତ ହୋଇଥିବା ୧୫୬ଟି ଦେଶ ମଧ୍ୟରେ ୧୪୦ତମ ସ୍ଥାନ ଅଧିକାର କରିଛି। ଏହାର ପୂର୍ବ ବର୍ଷ ଏହା ଥିଲା ୧୩୩ତମ ସ୍ଥାନରେ। ଅନ୍ୟପକ୍ଷରେ ଏହା ଉପରକୁ ଅଛନ୍ତି ତୁଳନାମତ୍କ ଭାବେ ଆର୍ଥିକ ଅନଗ୍ରସର ପାକିସ୍ତାନ (୬୭ତମ) ଏବଂ ବାଂଲାଦେଶ (୧୨୫ତମ)। ଚାଇନାର ସ୍ଥାନ ୯୩ତମ।
ଏହା ମନକୁ ଆଣିଥାଏ ପେନ୍‌ସିଲଭାନିଆ ବିଶ୍ୱବିଦ୍ୟାଳୟର ଅର୍ଥନୀତିଜ୍ଞ ରିଚାର୍ଡ ଇଷ୍ଟରଲିନ ୧୯୭୪ରେ ପ୍ରକାଶ କରିଥିବା ଏକ ମତବାଦ, ଯାହା କି ‘ଇଷ୍ଟରଲିନ ପାରାଡୋକ୍ସ’ ରୂପେ ଜଣାଶୁଣା। ସେଥିରେ ସେ ଯୁକ୍ତି ବାଢ଼ିଥିଲେ ଯେ, ଦେଶର ଅର୍ଥନୈତିକ ବିକାଶ ବା ନାଗରିକଙ୍କର ଅଧିକ ଆୟ ସନ୍ତୋଷ ବା ସୁଖ ପ୍ରଦାନ କରି ନ ଥାଏ। ସେଥିପାଇଁ ଅପେକ୍ଷାକୃତ ଦରିଦ୍ର ଦେଶର ଲୋକେ ସେମାନଙ୍କ ଆବଶ୍ୟକତା ପୂରଣ କରିବା ଭଳି ଆୟକୁ ନେଇ ଅଧିକ ସୁଖୀ ହୋଇପାରିଥାନ୍ତି। ଅନ୍ୟପକ୍ଷରେ ଉଚ୍ଚ ଆୟକାରୀ ବର୍ଗ ଧାଇଁଥାନ୍ତି ଅଧିକରୁ ଅଧିକ ଧନ ପଛରେ। ତେଣୁ ତାଙ୍କୁ ସେହି ଅନୁସାରେ ସୁଖ ବା ସନ୍ତୋଷ ମିଳିବା ସମ୍ଭବ ହୁଏ ନାହିଁ। (ଏହା ମଧ୍ୟ ଗାନ୍ଧିଜୀ ଏବଂ ବୁଦ୍ଧଦେବଙ୍କ ମତ)। ଅବଶ୍ୟ, ଏ ମତବାଦକୁ କିଛି ଅର୍ଥନୀତିଜ୍ଞ ବିରୋଧ କରନ୍ତି।
ଧନ ଓ ସୁଖ ମଧ୍ୟରେ ରହିଥିବା ସମ୍ପର୍କ ଏକ ଭିନ୍ନ ଦିଗରୁ ବିଚାରକୁ ନେଇଛନ୍ତି ଇଂଲଣ୍ଡର ବେଟ୍‌ସେ ଷ୍ଟିଭେନସନ ଏବଂ ଜଷ୍ଟିନ ଓ୍ବେଲଫେର। ତାଙ୍କ ମତରେ ଧନ ହୁଏତ ସୁଖ ଦେଇପାରେ କିନ୍ତୁ ଏହାକୁ ନିଶ୍ଚିତ କରିପାରେ ନାହିଁ। ସେମାନେ ଆୟକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ପରମ ଆୟ ଏବଂ ଆପେକ୍ଷିକ ଆୟ। ତହିଁରୁ ପ୍ରଥମଟି ହେଲା ଆମେ ଯାହା ଅର୍ଥ ବା ଧନ ଆକାରରେ ରୋଜଗାର କରୁ। ତେବେ ଦ୍ୱିତୀୟଟି ଆମ ଜୀବନଧାରା ଉପରେ ପର୍ଯ୍ୟବସିତ। ଉଦାହରଣସ୍ବରୂପ, ଅଧିକାଂଶ ଦିନ ନିଜର ବନ୍ଧୁମାନଙ୍କୁ ଭେଟିବା ଓ ତାଙ୍କ ସହିତ କିଛି ସମୟ ହସଖୁସିରେ କଟାଇବାର ମୂଲ୍ୟ ବାର୍ଷିକ ୬୩, ୮୩୩ ପାଉଣ୍ଡ ହେଲା ବେଳେ କେବଳ ସପ୍ତାହକୁ ଦୁଇଥର ସେ ସୁଯୋଗ ପାଇବା ୫୦, ୫୦୦ ପାଉଣ୍ଡ ଆୟର ସୁଖଦିଏ ବୋଲି ଆକଳନ କରିଛନ୍ତି ଲଣ୍ଡନ ବିଶ୍ୱବିଦ୍ୟାଳୟର ନାଟ୍ଟା ଭୁଦ୍ଧ ପୋଓ୍ବଡଥାଭି ଏବଂ ଅନ୍ୟ କିଛି ଗବେଷକ। ସେହିପରି ପଡ଼ୋଶୀମାନଙ୍କ ସହିତ ନିୟମିତ ବାର୍ତ୍ତାଳାପ, ବନ୍ଧୁଙ୍କ ସହିତ ଏକତ୍ର ବାସ କରିବା, ବିବାହ ଏବଂ ଉତ୍ତମ ସ୍ବାସ୍ଥ୍ୟର ମୂଲ୍ୟ ଯଥାକ୍ରମେ ବାର୍ଷିକ ୪୦,୦୦୦, ୮୨,୫୦୦, ୫୩,୮୩୩ ଏବଂ ୩, ୦୪,୦୦୦ ପାଉଣ୍ଡ ଆୟ ସହିତ ସମାନ ସୁଖ ଦେଲା ବେଳେ ବୈଧବ୍ୟ, ସ୍ବାମୀ ସ୍ତ୍ରୀ ଅଲଗା ରହିବା, ବିବାହ ବିଚ୍ଛେଦ ଏବଂ ଖରାପ ସ୍ବାସ୍ଥ୍ୟ କ୍ଷେତ୍ରରେ ଏହା ବାର୍ଷିକ ଯଥାକ୍ରମେ ୨,୫୦,୦୦୦, ୫୭,୬୬୭, ୨୪,୫୦୦ ଏବଂ ୪୮,୦୦୦ ଡଲାର ହରାଇବା ଦୁଃଖ ସହ ସମାନ ବୋଲି ଗଣନା କରାଯାଏ। ଷ୍ଟିଭେନସନ ଓ ଓ୍ବେଲଫେରଙ୍କ ମତରେ ଏହା ହେଉଛି ‘ଆପେକ୍ଷିକ ଆୟ’।
ଏସବୁ କଥା ବିଚାରକୁ ନେଲେ ଧନ ସହିତ ସୁଖର କିଛି ନିଶ୍ଚିତ ସମ୍ପର୍କ ଥିବାର ମନେ ହୁଏନା। ତାହା ହୋଇଥିଲେ ବଡ଼ ବଡ଼ ବ୍ୟବସାୟୀ, ଶିଳ୍ପପତି, ଲୁଣ୍ଠନକାରୀ ଏବଂ ଅସାଧୁ ଉପାୟରେ ଧନ ଉପାର୍ଜନ କରୁଥିବା ଲୋକେ ସର୍ବାଧିକ ସୁଖୀ ହୋଇଥାନ୍ତେ। କିନ୍ତୁ ପ୍ରକୃତରେ ତାହା ନୁହେଁ। ଅନ୍ୟପକ୍ଷରେ ବୈଜ୍ଞାନିକମାନେ ବିବିଧବର୍ଗର ଲୋକଙ୍କ ମସ୍ତିଷ୍କର କ୍ରିୟାଶୀଳତା ଉପରେ ଅଧ୍ୟୟନ କଲାପରେ ଦୀର୍ଘକାଳ ଧରି ଧ୍ୟାନ ଓ ଯୋଗରେ ଲିପ୍ତ ରହୁଥିବା ନେପାଳର ମାଥିଏଉ ରିକାର୍ଡଙ୍କୁ ଚଳିତବର୍ଷ ବିଶ୍ୱର ସବୁଠାରୁ ସୁଖୀ ମଣିଷ ରୂପେ ଘୋଷଣା କରିଛନ୍ତି। ସେ ଥିଲେ ଜଣେ ଆଣବିକ ଜୀବ ବିଜ୍ଞାନୀ କିନ୍ତୁ ଏବେ ପାଲଟିଛନ୍ତି ବୌଦ୍ଧ ସନ୍ନ୍ୟାସୀ।
ଗାନ୍ଧିଜୀ କହୁଥିଲେ, ଧନ କେବଳ ଆମ ଆବଶ୍ୟକତା ପୂରଣ ପାଇଁ ଅଭିପ୍ରେତ ହେବା ଦରକାର। ଆମେ ଲାଳସାଗ୍ରସ୍ତ ହୋଇ ତା’ ପଛରେ ଧାଇଁବା ଠିକ୍‌ ନୁହେଁ। କାରଣ ଲାଳସାର ସୀମା ନାହିଁ। ଏହା ବଢ଼ି ବଢ଼ି ଚାଲେ ଏବଂ ମାନସିକ ଚାପ ଓ ଅସନ୍ତୋଷ ଭାବକୁ ବଢ଼ାଇଚାଲେ। ଏହି ଲାଳସା ହିଁ ଏବେ ପ୍ରକୃତିକୁ ଲୁଣ୍ଠନ କରାଉଛି। ସେଥିପାଇଁ ତାଙ୍କ ମତରେ ଧନ ଅର୍ଜନ କର କିନ୍ତୁ ତା’ ପାଲରେ ପଡ଼ ନାହିଁ। ନଚେତ୍‌ ସୁଖ ବା ଶାନ୍ତି ତ ମିଳିବ ନାହିଁ, ବରଂ ବଢ଼ିବ ମନର ଅଶାନ୍ତି ଓ ଆମେ ଆମ ଉତ୍ତର ପିଢି ପାଇଁ ଛାଡ଼ିଯିବା ଏକ ନିକୃଷ୍ଟ ପ୍ରକୃତି ଏବଂ ପରିବେଶ।
ଉଷାନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏଚ୍‌ଆଇଭି ସଂକ୍ରମିତ ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ମିଜୋରାମର ଭନ୍‌ଲାର୍ଲୁଟି କୋଲ୍‌ନେ। ସେ ଏବେ ସୁଦ୍ଧା ୧୦,୦୦୦ ଏଚ୍‌ଆଇଭି ସଂକ୍ରମିତଙ୍କୁ ସଶକ୍ତ କରିପାରିଛନ୍ତି। ମିଜୋରାମର ଆଜିଓ୍ବାଲାରେ...

ଅସହାୟ ଜୀବନ ଓ ଦିଗହରା ରାଜନୀତ

ବ୍ରଜକିଶୋର ଦାସ ଓଡ଼ିଶା ଏକ ପ୍ରାକୃତିକ ଦୁର୍ବିପାକର ରାଜ୍ୟ। ବର୍ଷ ବର୍ଷ ଧରି ବନ୍ୟା, ବାତ୍ୟା, ମରୁଡ଼ି ସବୁବେଳେ ଜନସାଧାରଣଙ୍କୁ ଦୁଃଖ ଓ ଦୁର୍ଦ୍ଦଶା ମଧ୍ୟକୁ...

ଏଇ ଭାରତରେ

ତାମିଲନାଡୁ ତ୍ରିଚି ସହରର ଏକ ମିଠା ଦୋକାନ ବ୍ୟବସାୟ କରିବା ସହ ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେଉଛି। ଏହି ଦୋକାନ ୧୦୫ ବର୍ଷର। ତିନିପିଢ଼ି...

ଉଡ଼ାଣ ପୁଣି ବନ୍ଦ

ଆକାର ପଟେଲ ଚଳିତ ସପ୍ତାହରେ ହଂକଂ ଏୟାର ଇଣ୍ଡିଆ ଉଡାଣକୁ ପୁଣି ବନ୍ଦ କରିଛି। ସେଠାରେ ଓହ୍ଲାଇଥିବା ଭାରତୀୟମାନଙ୍କଠାରେ କୋଭିଡ୍‌ ପଜିଟିଭ୍‌ ମିଳିବା ପରେ ହଂକଂ...

ଯୁଦ୍ଧରେ ହାରନ୍ତି ଜନତା

ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ ଆଜି ଛାର୍‌ଖାର୍‌। ଅନେକ ଲୋକ ମୃତାହତ ହେଲେଣି। କେବଳ ସାମରିକସ୍ଥଳୀ ନୁହେଁ, ଅନେକ ସର୍ବସାଧାରଣ ସ୍ଥାନରେ ରୁଷିଆ ବୋମାମାଡ଼ କରୁଥିବାର ସୂଚନା...

ସୀମାରେ ସାମାଜିକ ବାଡ଼

ଶୁଭନାରାୟଣ ଶତପଥୀ   ଓଡ଼ିଶାର ୧୪ଟି ଜିଲାର ସୀମା ପଡ଼ୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟର ସୀମାରେଖା ସହ ସଂଲଗ୍ନ। ପଡ଼ୋଶୀ ରାଜ୍ୟଗୁଡ଼ିକ...

ବାୟୁରେ ମୃତ୍ୟୁକଣିକା

ଆମ ଦେଶରେ ବାୟୁ ପ୍ରଦୂଷଣ ଗମ୍ଭୀରତାକୁ ନେଇ ବ୍ୟାପକ ସୂଚନା ପ୍ରଦାନ କରାଯାଇଛି ନିକଟରେ ପ୍ରକାଶିତ ଦୁଇଟି ଆନ୍ତର୍ଜାତିକ ରିପୋର୍ଟ (ମାର୍ଚ୍ଚ ୨୦୨୨)ରେ। ଏଥିରେ ବିଚାରକୁ...

ବିଜ୍ଞାନ ପାଇଁ ପଦଯାତ୍ରା

କମଳାକାନ୍ତ ଜେନା ପ୍ରକୃତି ଓ ପରିବେଶରୁ ବିଜ୍ଞାନର ଜନ୍ମ। ପ୍ରକୃତିରେ ଘଟୁଥିବା ଘଟଣାଗୁଡ଼ିକୁ ବୁଝିବା, ତା’ ପଛର କାରଣକୁ ଖୋଜିବା ଏବଂ ସେହି ଜ୍ଞାନକୁ ପ୍ରୟୋଗକରି...

Advertisement
Archives

Model This Week