![](https://www.dharitri.com/wp-content/uploads/2024/03/89-5.jpg)
ଲଣ୍ଡନ,୩୧ା୩: ଚଳିତ ବର୍ଷ ଶେଷ ଭାଗରେ ବ୍ରିଟେନ୍ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଶାସକ କଞ୍ଜରଭେଟିଭ୍ ପାର୍ଟି ବଡ଼ ପରାଜୟର ସମ୍ମୁଖୀନ ହେବା ନେଇ ତଥାକଥିତ ମେଗା ନିର୍ବାଚନୀ ସର୍ଭେ ରିପୋର୍ଟରେ ସୂଚନା ଦିଆଯାଇଛି।
ଏପରିକି ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ନର୍ଥ ୟର୍କଶାୟାର ଆସନ ମଧ୍ୟ ସୂତାଖିଅରେ ଝୁଲୁଥିବା ଏଥିରେ କୁହାଯାଇଛି। ସିଭିଲ୍ ସୋସାଇଟି ପ୍ରଚାର ସଂଗଠନ ପକ୍ଷରୁ ଏହି ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ବେଷ୍ଟ ଅଫ୍ ବ୍ରିଟେନ ତରଫରୁ ସର୍ଭେଶନ ନାମକ ସଂସ୍ଥା ଏହି ସର୍ଭେ କରିଥିଲା। ଉକ୍ତ ରିପୋର୍ଟ ଅନୁଯାୟୀ ବିରୋଧୀ ଲେବର ପାର୍ଟି ୪୫ ପ୍ରତିଶତ ଭୋଟ ପାଇବାକୁ ଥିବାବେଳେ ଏହା କଞ୍ଜରଭେଟିଭ୍ ପାର୍ଟିଠାରୁ ୧୯ ପଏଣ୍ଟ ଆଗରେ ରହିବ, ଯାହାକି ପୂର୍ବ ନିର୍ବାଚନୀ ସର୍ଭେଠାରୁ ୩ ପଏଣ୍ଟ ଅଧିକ। ପ୍ରତି ଆସନକୁ ନେଇ ହୋଇଥିବା ଏହି ସର୍ଭେ ଅନୁଯାୟୀ କଞ୍ଜରଭେଟିଭ୍ ପାର୍ଟିର ସମ୍ଭାବନା ଯଥେଷ୍ଟ ହ୍ରାସ ପାଇବ। ସେମାନେ ୧୦୦ରୁ କମ୍ ଆସନରେ ଜିତି ସବୁଠୁ ଖରାପ ଫଳାଫଳ ପ୍ରଦର୍ଶନ କରିବାକୁ ଥିବାବେଳେ ଲେବର ପାର୍ଟି ୪୮୬ ଆସନ ଜିତିପାରେ ବୋଲି କୁହାଯାଇଛି।