ବ୍ରାଜିଲର ସଂସ୍କାରବାଦୀ ନେତା

– ଜିତେନ୍ଦ୍ର କୁମାର ନାୟକ

 

ଇଚ୍ଛାଶକ୍ତି ଦୃଢ଼ ଥିଲେ ବଡ଼ ହେବା ଲାଗି ଦାରିଦ୍ର୍ୟ କଦାପି ବାଧକ ସାଜି ନ ଥାଏ। ଇତିହାସରେ ଏହାର ଅନେକ ଦୃଷ୍ଟାନ୍ତ ରହିଛି। ବ୍ରାଜିଲର ନୂଆ ରାଷ୍ଟ୍ରପତି ଭାବେ ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭା ଏବେ ନିର୍ବାଚିତ ହେବା ପରେ ପୁଣି ତାଙ୍କ ସଂଘର୍ଷର କାହାଣୀ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ପିଢ଼ି ପରେ ପିଢ଼ି ଆଗକୁ ବଢ଼ିବା ଲାଗି ଏହିଭଳି ଉଦାହରଣରୁ ପ୍ରେରଣା ପାଇଥାଆନ୍ତି। ସମଗ୍ର ବିଶ୍ୱରେ ଲୁଲା ଭାବେ ପରିଚିତ ଏହି ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପିଲା ଦିନ ଥିଲା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ। ୨୭ ଅକ୍ଟୋବର ୧୯୪୫ରେ ବ୍ରାଜିଲ ପର୍ନାମ୍‌ବୁକୋର କାଏଟେସ୍‌ରେ ଏକ ଅପାଠୁଆ ଗରିବ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିତା ଆରିଷ୍ଟିଡିସ୍‌ ଇନ୍‌ସାନିଓ ଡା ସିଲ୍‌ଭା ଓ ମାତା ଇରୁଡାଇସ୍‌ ଫେରେଇରା ଡେ ମେଲୋଙ୍କ ୮ ସନ୍ତାନ ମଧ୍ୟରୁ ଲୁଲା ଥିଲେ ଅନ୍ୟତମ। ସେ ଜନ୍ମ ହେବାର ଦୁଇ ସପ୍ତାହ ପରେ ପିତା ଆରିଷ୍ଟିଡିସ୍‌ ସାଓ ପାଉଲୋ ଚାଲିଯାଇଥିଲେ। ତାଙ୍କ ମା’ ଜଣେ ପର୍ତ୍ତୁଗିଜ ତଥା ଇଟାଲୀୟ ବଂଶୋଦ୍ଭବ ଥିଲେ। ଡିସେମ୍ବର ୧୯୫୨ରେ ଲୁଲାଙ୍କୁ ଯେତେବେଳେ ୭ ବର୍ଷ ହୋଇଥିଲା ମାତା ତାଙ୍କ ପିତାଙ୍କୁ ଖୋଜିବାକୁ ସାଓ ପାଉଲୋ ଚାଲିଯାଇଥିଲେ। ସେଠାରେ ଯାଇ ଦେଖିବାରୁ ତାଙ୍କ ସ୍ବାମୀ ଆଉ ଜଣେ ମହିଳା ଭାଲ୍‌ଡୋମିରାଙ୍କ ସହ ଦ୍ୱିତୀୟ ସଂସାର ଗଢ଼ିିଛନ୍ତି। ତଥାପି ଦୁଇ ପରିବାର ଗୋଟିଏ ଘରେ ରହିଥିଲେ। ହେଲେ ସମ୍ପର୍କ ଭଲ ରହିଲା ନାହିଁ। ବାଧ୍ୟ ହୋଇ ଇରୁଡାଇସ୍‌ ତାଙ୍କ ପିଲାମାନଙ୍କୁ ନେଇ ଅନ୍ୟତ୍ର ରହିଲେ। ଏହି ସମୟରେ ତାଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥିଲା। ଫଳରେ ଲୁଲା ୧୦ ବର୍ଷ ଯାଏ ଭଲରେ ପଢ଼ି ପାରି ନ ଥିଲେ ଓ ଶେଷରେ ସେକେଣ୍ଡ୍‌ ଗ୍ରେଡ୍‌ରୁ ସେ ସ୍କୁଲ ଛାଡ଼ି ଦେଇଥିଲେ। ପରିବାରକୁ ପୋଷିବା ଲାଗି ୧୨ ବର୍ଷ ବୟସରେ ଜୋତା ପଲିସି କରିବା ଓ ପରେ ବୁଲା ବିକାଳି ହୋଇଥିଲେ। ୧୪ ବର୍ଷ ବୟସ ବେଳେ ଗୋଟେ ଓ୍ବେରହାଉସ୍‌ରେ ବିଧିବଦ୍ଧ କାମ କରିବାର ସୁଯୋଗ ପାଇଥିଲେ। ତଥାପି ଦୁଃଖ ତାଙ୍କ ପିଛା ଛାଡ଼ି ନ ଥିଲା। ଏକ ଅଟୋମୋବାଇଲ ଯନ୍ତ୍ରାଂଶ କାରଖାନାରେ ପ୍ରେସ୍‌ ଅପରେଟର ଭାବେ କାମ କରୁଥିବା ବେଳେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବାମ ହାତର କାଣି ଆଙ୍ଗୁଠି ହରାଇଥିଲେ। ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୧୯। ଏପରି କି ଡାକ୍ତରୀ ସୁବିଧା ପାଇବା ପାଇଁ ତାଙ୍କୁ ବିଭିନ୍ନ ହସ୍‌ପିଟାଲ ଦୌଡ଼ିବାକୁ ପଡ଼ିଥିଲା। ଏଭଳି ଦୁର୍ଦ୍ଦଶା ଓ ସଂଘର୍ଷମୟ ଜୀବନ ତାଙ୍କୁ ଶ୍ରମିକ ସଙ୍ଗଠନରେ ଅଂଶଗ୍ରହଣ କରିବା ଲାଗି ଆଗ୍ରହ ଜନ୍ମାଇଥିଲା। ଯେତେବେଳେ ସେ ସେଥିରେ ନିଜକୁ ସାମିଲ କରିଦେଲେ ଓ ଧୀରେ ଧୀରେ ନିଜ ନେତୃତ୍ୱର ପରାକାଷ୍ଠା ପ୍ରଦର୍ଶନ କଲେ, ସେତେବେଳେ ଶ୍ରମିକ ସଙ୍ଗଠନର ବଡ଼ ପଦବୀ ତାଙ୍କ ପାଖକୁ ଚାଲିଆସିଲା। ୧୯୭୫ରେ ସେ ଷ୍ଟିଲ୍‌ ଓ୍ବାର୍କର୍ସ ୟୁନିୟନ ଅଫ୍‌ ସାଓ ବର୍ନାର୍ଡେ ଡୋ କମ୍ବୋ ଆଣ୍ଡ୍‌ ଡାଏଡେମାର ସଭାପତି ହେବାର ଗୌରବ ଅର୍ଜନ କରିଥିଲେ। ଫଳରେ ସେହି ଶ୍ରମିକ ସଂଘର ସୌଧରୁ ଗଢ଼ି ଉଠିଲା ଲୁଲାଙ୍କ ରାଜନୈତିକ ଜୀବନ।
ଟ୍ରେଡ୍‌ ୟୁନିୟନର ଅଭିଜ୍ଞତାକୁ ଉପଯୋଗ କରି ଲୁଲା ୧୦ ଫେବୃୟାରୀ ୧୯୮୦ରେ କେତେକ ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଓ ଶ୍ରମିକ ସଂଘ ନେତାଙ୍କୁ ନେଇ ପାର୍ଟିଡୋ ଡସ୍‌ ଟ୍ରାଭାଲ୍‌ହାଡୋରେସ୍‌ (ପିଟି) ବା ଓ୍ବାର୍କର୍ସ ପାର୍ଟି ନାମରେ ପ୍ରଗତିଶୀଳ ଚିନ୍ତାଧାରା ଉପରେ ଆଧାରିତ ବାମପନ୍ଥୀ ରାଜନୈତିକ ଦଳ ଗଢ଼ିଥିଲେ। ସେତେବେଳେ ବ୍ରାଜିଲରେ ସାମରିକ ଶାସନ ଚାଲିଥିଲା। ୧୯୮୨ରେ ତାଙ୍କ ଆଇନଗତ ନାମରେ ସେ ଡାକ ନାମ ‘ଲୁଲା’ ଯୋଡ଼ିଦେଇଥିଲେ। ସୌଭାଗ୍ୟକ୍ରମେ ୧୯୮୩ରେ ସେ ସେଣ୍ଟ୍ରାଲ୍‌ ୟୁନିକା ଡସ୍‌ ଟ୍ରାଭାଲ୍‌ହାଡୋରେସ (ସିୟୁଟି) ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ତେବେ ୧୯୮୪ରେ ପିଟି ମାଧ୍ୟମରେ ସେ ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନ ଲାଗି ସିଧାସଳଖ ଲୋକପ୍ରିୟ ଭୋଟ କରିବା ସକାଶେ ଦାବି କରିଥିଲେ। ଉଲ୍ଲେଖଯୋଗ୍ୟ, ୧୯୬୪ରୁ ସେଠାରେ ସାମରିକ ଶାସନ ଚାଲି ଆସୁଥିଲା। ନାଗରିକ ସେଥିରେ ଅତିଷ୍ଠ ଥିଲେ। ଲୁଲା ଓ ପିଟି ସମର୍ଥକମାନେ ନିର୍ବାଚନୀ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ଚଳାଇଥିବା ଅଭିଯାନ ସମୟକ୍ରମେ ଆଂଶିକ ସଫଳତା ପାଇଥିଲା। ପ୍ରତ୍ୟକ୍ଷ ନ ହୋଇ ପରୋକ୍ଷ ଭାବେ ୧୯୮୫ରେ ଲୁଲାଙ୍କ ସମର୍ଥନରେ ନାଗରିକ ରାଷ୍ଟ୍ରପତି ଭାବେ ଟାନ୍‌କ୍ରେଡୋ ନେଭେସ୍‌ ନିର୍ବାଚିତ ହୋଇଥିଲେ। ପରେ ୧୯୮୯ରେ ଦେଶରେ ସିଧାସଳଖ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଲୁଲା ଓ୍ବାର୍କିଂ କ୍ଲାସ୍‌ ପ୍ରେସିଡେଣ୍ଟ ହେବା ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ବିଫଳ ହୋଇଥିଲେ। ତା’ ପରେ ୧୯୯୪ ଓ ୧୯୯୮ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ସେ ଅସଫଳ ହୋଇଥିଲେ। ଶେଷରେ ଭାଗ୍ୟଦେବୀ ୨୦୦୨ରେ ତାଙ୍କୁ ରାଷ୍ଟ୍ରପତି ଆସନରେ ବସିବା ଲାଗି ଆଶୀର୍ବାଦ ଦେଇଥିଲେ। ତାଙ୍କ ଶାସନ ସମୟରେ ସେ ପ୍ରଣୟନ କରିଥିବା ନୀତି ଯୋଗୁ ଦେଶର ଅନେକ ନିୟୁତ ଗରିବ ଉପରକୁ ଉଠିବାରେ ସକ୍ଷମ ହୋଇଥିଲେ। ଏପରି କି ଦେଶର ଅର୍ଥନୀତି ବିଶ୍ୱର ୬ଷ୍ଠ ସର୍ବବୃହତ୍‌ ଅର୍ଥନୀତିର ମାନ୍ୟତା ପାଇପାରିଥିଲା। ୨୦୧୦ ଯାଏ ରାଷ୍ଟ୍ରପତି ରହିଥିବା ଲୁଲାଙ୍କ ସରକାର ନାମରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସେ ପଦତ୍ୟାଗ କରିଥିଲେ। ୨୦୧୭ରେ ତାଙ୍କୁ ଏଥିଲାଗି ଦେଢ଼ ବର୍ଷ ଜେଲ ଯିବାକୁ ପଡ଼ିଥିଲା। ପରେ ଦୋଷମୁକ୍ତ ହୋଇ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ସକ୍ଷମ ହେବାରୁ ସେ ଏବେ ଦେଶବାସୀଙ୍କ ସମର୍ଥନ ପାଇପାରିଛନ୍ତି। ୨୦୨୩ ଜାନୁୟାରୀ ପହିଲାରେ ସେ ବ୍ରାଜିଲର ୩୯ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ। କୁହାଯାଉଛି ଜୈର ବୋଲସେନାରୋଙ୍କ ଏକଚ୍ଛତ୍ରବାଦୀ ଚିନ୍ତାଧାରାକୁ ପ୍ରତିହତ କରିବାରେ ଲୁଲା ସକ୍ଷମ ହେବାରୁ ତାଙ୍କୁ ଏହି ସଫଳତା ମିଳିଛି। ଏବଂ ତାଙ୍କ ନେତୃତ୍ୱ ବ୍ରାଜିଲକୁ ପୁନଃ ଦୃଢ଼ ଅର୍ଥନୀତିରେ ପରିଣତ କରିବ ବୋଲି ଦେଶବାସୀ ଆଶା ରଖିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri