ପ୍ରଜ୍ଞାପୁରୁଷ ପଣ୍ଡିତ ନୀଳକଣ୍ଠ

ଡ. ସିଦ୍ଧାର୍ଥ କାନୁନ୍‌ଗୋ

 

ପଣ୍ଡିତ ନୀଳକଣ୍ଠଙ୍କର ବୌଦ୍ଧିକତାରେ ଥିଲା ବିଶ୍ୱକୋଷିକ ବ୍ୟାପ୍ତି। ନୀଳକଣ୍ଠଙ୍କର ଆଗ୍ରହ କେଉଁ ଅବଲୁପ୍ତ ଯୁଗର ମିଶର, ସୁମେର, ମହେଞ୍ଜୋଦାରୋ ସଭ୍ୟତାଠାରୁ ଆରମ୍ଭକରି ସାମ୍ପ୍ରତିକ କାଳର ରାଜନୀତି ପର୍ଯ୍ୟନ୍ତ, ଭାଷାତତ୍ତ୍ୱଠାରୁ ଆରମ୍ଭକରି ସଂସ୍କୃତିର ସୂକ୍ଷ୍ମ ବିଶ୍ଳେଷଣ ପର୍ଯ୍ୟନ୍ତ, କାବ୍ୟଠାରୁ ଆରମ୍ଭକରି ଦୈନିକ ଓ ମାସିକ ଖବରକାଗଜ ସମ୍ପାଦନା ପର୍ଯ୍ୟନ୍ତ, ବହୁ କ୍ଷେତ୍ରରେ ଯେପରି ପ୍ରକାଶ ପାଇଥିଲା ତାହା ଭାବିଲେ ତାଙ୍କ ନିକଟରେ ଆମ ମୁଣ୍ଡ ନଇଁଯାଏ। ସେ ପୁଣି ତାଙ୍କ କାଳରେ ଥିଲେ ଜଣେ ପ୍ରସିଦ୍ଧ ବାଗ୍ମୀ ବା ଅରେଟର। ଜଣେ ବ୍ୟକ୍ତିଙ୍କର ଏତେ ସିଦ୍ଧି ଓ ସଫଳତାର ଏପରି ପୁନରାବୃତ୍ତି ବୋଧହୁଏ ହେବ ନାହିଁ।
ପଣ୍ଡିତ ନୀଳକଣ୍ଠଙ୍କ ଜୀବନର ରାଜନୈତିକ ଦିଗଟିର ଆଲୋଚନା ଯେତେ ଗୁରୁତ୍ୱ ବହନ କରିଛି ତାଙ୍କ ବୌଦ୍ଧିକ ଦିଗରେ ଆଲୋଚନା ସେତେ ଗୁରୁତ୍ୱ ଲାଭ କରିପାରିନାହିଁ। ସାମ୍ପ୍ରତିକ କାଳରେ ରାଜନୀତି ଏକମାତ୍ର ନିୟାମକ ହୋଇପଡ଼ିଥିବା ବେଳେ ଏ ପ୍ରକାର ସାମଞ୍ଜସ୍ୟହୀନ ମୂଲ୍ୟାଙ୍କନ ସ୍ବାଭାବିକ। ପୁଣି ଓଡ଼ିଶାରେ କଂଗ୍ରେସ ରାଜନୀତି ନୁହେଁ, ସ୍ବାଧୀନତା ପରବର୍ତ୍ତୀ କାଳରେ କେତେକ ଘଟଣାର ପ୍ରଭାବ ଓ ପ୍ରତିକ୍ରିୟାରେ ବିରୋଧୀ ପକ୍ଷର ଭୂମିକାରେ ପଣ୍ଡିତ ନୀଳକଣ୍ଠଙ୍କର ଅବଦାନ କିଛି କମ୍‌ ନୁହେଁ। ୧୯୩୬ରେ ଓଡ଼ିଶା ପ୍ରଦେଶ ଗଠନ ପର୍ଯ୍ୟନ୍ତ ଓଡ଼ିଶାରେ କଂଗ୍ରେସରେ ସେ ଅବିସମ୍ବାଦିତ ନେତା ଥିଲେ, ତାଙ୍କ ବଳିଷ୍ଠ ନେତୃତ୍ୱରେ ୧୯୩୭ରେ ଓଡ଼ିଶା ପ୍ରଦେଶର ସର୍ବପ୍ରଥମ ସାଧାରଣ ନିର୍ବାଚନରେ ସ୍ରୋତର ପ୍ରତିକୂଳ ମଧ୍ୟରେ ଓଡ଼ିଶାରେ କଂଗ୍ରେସ ବିପୁଳ ସଂଖ୍ୟାଗରିଷ୍ଠତା ଲାଭ କରିଥିଲା, ଏହା ଅସ୍ବୀକାର କରିବାର ଉପାୟ ନାହିଁ। ପରବର୍ତ୍ତୀ ସମୟରେ କଂଗ୍ରେସରେ ଗୋଷ୍ଠୀ ବିବାଦର ଶିକାର ହୋଇ ସେ କଂଗ୍ରେସରୁ ବିଦାୟ ନେଇଥିଲେ ମଧ୍ୟ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆମନ୍ତ୍ରଣ କ୍ରମେ ପୁଣି କଂଗ୍ରେସରେ ସମ୍ମାନିତ ଆସନ ଲାଭ କରିଥିଲେ। ପଣ୍ଡିତ ନୀଳକଣ୍ଠଙ୍କ ସମୟରେ ଯେଉଁମାନେ ରାଜନୀତିରେ ଯୋଗଦେଇଥିଲେ ସେମାନେ ପ୍ରତ୍ୟେକେ ଥିଲେ ଜଣେ ଜଣେ ବିଦ୍ୱାନ୍‌- ସେ ହୋଇପାରନ୍ତି ପଣ୍ଡିତ ମଦନମୋହନ ମାଲବ୍ୟ କିମ୍ବା ପଣ୍ଡିତ ଜବାହରଲାଲ ନେହେରୁ କିମ୍ବା ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଅଥବା ପଣ୍ଡିତ ଗୋପବନ୍ଧୁ ଦାସ। କିନ୍ତୁ ଆମେ ନମ୍ରତାର ସହିତ ଏହା କହିବାକୁ ଚାହୁଁ ଯେ ପଣ୍ଡିତ ନୀଳକଣ୍ଠଙ୍କ ମୂଲ୍ୟାଙ୍କନ କଲାବେଳେ ରାଜନୀତି ଅପେକ୍ଷା ପାଣ୍ଡିତ୍ୟ ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅପୂରଣୀୟ ସ୍ଥାନ ସମସ୍ତଙ୍କର ଦୃଷ୍ଟିଆକର୍ଷଣ କରିଥିଲା। ସେଥିପାଇଁ ସେଦିନ ମାୟାଧର ମାନସିଂ ‘କୋଣାର୍କ’ କାବ୍ୟର ମୁଖବନ୍ଧରେ ଏକଥା ଯଥାର୍ଥରେ କହିଥିଲେ- ”ରାଜନୈତିକ ନୀଳକଣ୍ଠ କାଆଲି ବିସ୍ମୃତିଗର୍ଭରେ ଲୀନ ହୋଇଯିବେ ମାତ୍ର ପଣ୍ଡିତ ନୀଳକଣ୍ଠଙ୍କର ମୃତ୍ୟୁନାହିଁ।“ ସଂଯୋଗକ୍ରମେ ପଣ୍ଡିତ ନୀଳକଣ୍ଠ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରଥମ ସଭାପତି ଥିଲେ। ଏହାଦ୍ୱାରା ଓଡ଼ିଶା ସାହିତ୍ୟ ଏକାଡ଼େମୀର ମର୍ଯ୍ୟାଦା ବହୁ ପରିମାଣରେ ବୃଦ୍ଧି ହୋଇଥିଲା।
ନୀଳକଣ୍ଠଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ଅଧିବେଶନରେ ସତ୍ୟବାଦୀ ବନବିଦ୍ୟାଳୟ ପିଲାମାନଙ୍କର ଶୃଙ୍ଖଳାଜ୍ଞାନ ଓ ଦୃଢ଼ ଚରିତ୍ରବତ୍ତା ଲକ୍ଷ୍ୟ କରି ମଧୁସୂଦନ ଦାସ କହିଥିଲେ, ଗୋପବନ୍ଧୁ ଓ ନୀଳକଣ୍ଠ! ତୁମେ ଜାତୀୟ ବିଦ୍ୟାଳୟ ଛାତ୍ରମାନେ ବାସ୍ତବିକ ନିଅଁାପିଣ୍ଡୁଳା। ମଧୁସୂଦନ ଦାସ ଆନନ୍ଦରେ ଗୋପବନ୍ଧୁ ଓ ନୀଳକଣ୍ଠଙ୍କୁ କୁଣ୍ଢାଇପକାଇ କହିଥିଲେ, ”ଗୋପବନ୍ଧୁ! ନାଳନ୍ଦାଟାଏ ତ ଗଢ଼ିଦେଲୁ!“ ଗୋପବନ୍ଧୁ କହିଲେ ”ମୁଁ ନୁହେଁ ନୀଳକଣ୍ଠ।“
ଜାତୀୟତାର ସ୍ବାଭିମାନ ଓ ସ୍ବାଧୀନତାର ପ୍ରାଣପ୍ରତିଷ୍ଠା ପାଇଁ ସେ ଆଜୀବନ ସଂଗ୍ରାମ ଚଳାଇଥିଲେ। ତାଙ୍କ ସଂଗ୍ରାମର ସ୍ଥଳୀ ଥିଲା ସାଧାରଣ ସ୍କୁଲ ପଡ଼ିଆଠାରୁ ଆରମ୍ଭକରି କେନ୍ଦ୍ର ଆସେମ୍ବ୍ଲି ଏବଂ ଜନତା ଜନାର୍ଦ୍ଦନଙ୍କର ବକ୍ତୃତା ମଞ୍ଚ। ମେଦିନୀପୁରଠାରୁ ମଞ୍ଜୁଷା ପର୍ଯ୍ୟନ୍ତ ସେ ଝୁଲାମଣି ଧରି ବୁଲିଥିଲେ ଓଡ଼ିଶାରେ ବ୍ୟାପକ ଜନଜାଗରଣ ପାଇଁ। ଲକ୍ଷ୍ୟ ଥିଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ। ବନ୍ଦୀ ଜୀବନକୁ ସେ ବ୍ୟର୍ଥ ଭାବେ ବିତାଇ ନ ଥିଲେ। କାରାଗାର କକ୍ଷରେ ତାଙ୍କର ବହୁ ମୂଲ୍ୟବାନ ଲେଖା ରୂପ ପାଇଥିଲା।
ରାଜନୈତିକ ଝଡ଼ଝଞ୍ଜା ମଧ୍ୟରେ ସେ କିପରି ଏତେ ସମୟ ବାହାର କରିପାରୁଥିଲେ ଶାସ୍ତ୍ର, ପୁସ୍ତକ ଓ ପୁରାଣଗ୍ରନ୍ଥ ଅଧ୍ୟୟନ ପାଇଁ ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ତାଙ୍କ କଥାରେ, ଲେଖାରେ ଏବଂ ବକ୍ତୃତାରେ ଏକ ବହୁମୁଖୀ ପ୍ରତିଭା ପ୍ରତିଫଳିତ ହେଉଥିଲା। ଚିନ୍ତା ଓ ଚେତନା ଦୃଷ୍ଟିରୁ ତାଙ୍କୁ ବିରୋଧ କଲେ ମଧ୍ୟ ଏଡ଼ାଇଦେଇ ହେବନାହିଁ।
ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ସେ ଯେଉଁ ନିର୍ଣ୍ଣାୟକ ଭୂମିକା ନିଭାଇଛନ୍ତି ତାହା ଏବେ ମଧ୍ୟ ବିଧାନସଭା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ପୂର୍ବରୁ ଲୋକ ସଭା ଓ ବିଧାନସଭା ଭଙ୍ଗ ପରେ ବାଚସ୍ପତି ପଦବୀ ଆପେ ଆପେ ମଉଳି ଯାଉଥିଲା। କିନ୍ତୁ ପଣ୍ଡିତ ନୀଳକଣ୍ଠଙ୍କ ଅକାଟ୍ୟ ଯୁକ୍ତି ଫଳରେ ବାଚସ୍ପତି ନୂତନ ବିଧାନସଭା ବା ଲୋକ ସଭା ଗଠିତ ପର୍ଯ୍ୟନ୍ତ ରହିପାରିବେ ବୋଲି ଭାରତ ସରକାର ନିଷ୍ପତ୍ତି ନେଲେ। ସଂସଦୀୟ ଗଣତନ୍ତ୍ର କ୍ଷେତ୍ରରେ ପଣ୍ଡିତ ନୀଳକଣ୍ଠଙ୍କ ଏହା ଏକ ମହାର୍ଘ ଅବଦାନ।
ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟରେ ତାଙ୍କର ପାଣ୍ଡିତ୍ୟ ଥିଲା। ଉଭୟ ଦେଶର ଧର୍ମ, ଦର୍ଶନ ଓ ଆଧ୍ୟାତ୍ମିକ ନୀତି ସମ୍ପର୍କରେ ନିରବଚ୍ଛିନ୍ନ ଅନୁଶୀଳନ କରିଚାଲିଥିଲେ। ତାଙ୍କର ବିଶେଷତ୍ୱ ଏହା ଥିଲା ଯେ, ସେ କାହାରି ଦ୍ୱାରା ପ୍ରଭାବିତ ହୋଇ ନ ଥିଲେ କିମ୍ବା କାହାକୁ ନିଜର ମତ ଜାହିର କରି ପ୍ରଭାବିତ କରିବାକୁ ଚେଷ୍ଟା କରୁ ନ ଥିଲେ।
ଜଣେ ଆଦର୍ଶ ଶିକ୍ଷକ ଓ ସାମ୍ବାଦିକ ଭାବେ ତାଙ୍କ ସାଧନା ଅପରିସୀମ। ନୀଳକଣ୍ଠଙ୍କ ସମ୍ପାଦିତ ‘ନବଭାରତ’ ଓଡ଼ିଶାର ସଂସ୍କୃତି, ସାହିତ୍ୟ ଓ ସାଧାରଣ କ୍ଷେତ୍ରରେ ଏକ ଅନୁଷ୍ଠାନ କହିଲେ କିଛି ଭୁଲ ହେବନାହିଁ। ଓଡ଼ିଶା ସାମ୍ବାଦିକତା କ୍ଷେତ୍ରରେ ”ନବଭାରତର ଅବଦାନ ଅପୂରଣୀୟ।“ ଏ କଥା କହିବାକୁ ଦ୍ୱିଧା ନାହିଁ ଯେ, ନବଭାରତ ପରି ସାହିତ୍ୟ ପତ୍ରିକା ପୂର୍ବରୁ କେବେ ନ ଥିଲା କିମ୍ବା ଆଜି ପର୍ଯ୍ୟନ୍ତ ସେ ଅଭାବ ପୂରଣ ହୋଇପାରି ନାହିଁ। କାରଣ ନୀଳକଣ୍ଠଙ୍କ ପରି ଜଣେ ସର୍ବମାନ୍ୟ ଗୁଣି ସମ୍ପାଦକ ଆଉ ସେ ସ୍ଥାନ ପୂରଣ କରିପାରି ନାହାନ୍ତି। ନୀଳକଣ୍ଠ ହେଉଛନ୍ତି ଶିଶୁରାଇଜର ବିଶ୍ୱକର୍ମା। ସେ ହିଁ ଓଡ଼ିଆ ସାହିତ୍ୟରେ ପ୍ରଥମେ ଶିଶୁକବିର ମାନ୍ୟତା ଲାଭ କରିଛନ୍ତି। ନୀଳକଣ୍ଠଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟରେ ଏ ଦିଗଟି ବିଶେଷ ଭାବରେ ପଲ୍ଲବିତ ହୋଇ ନ ଥିଲା।
ନୀଳକଣ୍ଠଙ୍କ ବ୍ୟକ୍ତିତ୍ୱ ନିକଟରେ ସାଧାରଣ ଲୋକ କାହିଁକି, ବୁଦ୍ଧିଜୀବୀଙ୍କର ମଧ୍ୟ ଆଖି ପାଉନଥିଲା। ପଣ୍ଡିତଜୀ ଯାହା କହୁଥିଲେ ବା ଆଲୋଚନା କରୁଥିଲେ ତାହା ବେଦର ଗାର ବୋଲି ସମସ୍ତେ ମନେ କରୁଥିଲେ। ମାତ୍ର ପଣ୍ଡିତ ନୀଳକଣ୍ଠଙ୍କ ନିକଟରେ ପାଣ୍ଡିତ୍ୟର ସ୍ବାଭିମାନ ଥିଲା ସତ; କିନ୍ତୁ ସେ ଅହଂକାରୀ ଓ ଅନ୍ଧାନୁସାରୀ ନଥିଲେ। ସେ ଯାହା ଲେଖୁଥିଲେ ତାହା ଅନ୍ୟମାନଙ୍କୁ ପଢ଼ି ଶୁଣାଉଥିଲେ। ଯଦି କେହି ମତାମତ ବ୍ୟକ୍ତ କରେ ଏବଂ ସେ ତା’କୁ ଉଚିତ ମନେ କରନ୍ତି; ସଙ୍ଗେ ସଙ୍ଗେ ତାଙ୍କ ପୂର୍ବ ଲେଖାକୁ ସଂଶୋଧନ କରିଦିଅନ୍ତି। ଏହା ହେଉଛି ପ୍ରକୃତ ଗୁଣୀ ଲୋକର ପରିଚୟ। ସେହିପରି କଲିକତା ବିଶ୍ୱବିଦ୍ୟାଳୟର କୁଳପତି ସାର୍‌ ଆଶୁତୋଷ ମୁଖାର୍ଜୀଙ୍କର ଅନୁରୋଧକ୍ରମେ ପଣ୍ଡିତ ନୀଳକଣ୍ଠ କିଛିଦିନ କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ। ମାତ୍ର ସ୍ବାଧୀନତା ଆନ୍ଦୋଳନର ଆହ୍ବାନ ତାଙ୍କୁ ଅଧ୍ୟାପନାରେ ବାନ୍ଧି ରଖିପାରି ନ ଥିଲା।
ଆଲେଖ୍ୟର କ୍ଷୁଦ୍ର କଳେବର ମଧ୍ୟରେ ଏପରି ଜଣେ ମନୀଷୀଙ୍କର ବ୍ୟକ୍ତିତ୍ୱର ଆକଳନ କରିବା ହୁଏତ ଆମ ପକ୍ଷରେ ସମ୍ଭବ ହୋଇ ନ ପାରେ। ଏ କଥା ସତ୍ୟ ଯେ, ତାଙ୍କ ଭଳି ପ୍ରଜ୍ଞାପୁରୁଷ କୋଟିଏରେ ଗୋଟିଏ ଭାବେ ଧରାପୃଷ୍ଠରେ ଜନ୍ମ ନେଇଥାନ୍ତି।
ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ, ଓଡ଼ିଶା ସରକାର
ମୋ: ୯୪୩୮୦୭୨୮୫୦

 


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri