ରାସ୍ତାର ଦୁଇ ପାଖ

ପ୍ରକାଶ ତ୍ରିପାଠୀ

ରାଜଧାନୀର ଏକ ଓସାରିଆ ରାସ୍ତା। ରାସ୍ତାର ଗୋଟିଏ କଡେ ଧାଡ଼ିହୋଇ ଲମ୍ବିଛି ଭିନ୍ନ ଭିନ୍ନ ଡିଜାଇନର ଆଧୁନିକ କୋଠା। ସମ୍ଭ୍ରାନ୍ତ, ଆଭିଜାତ୍ୟ ଓ ଆଧୁନିକତାର ସ୍ବାକ୍ଷର ବହନ କରୁଥିବା ସେହି ପ୍ରାସାଦଗୁଡ଼ିକରେ ରୁହନ୍ତି ଆମ ସମାଜର ଅନେକ ବିଶିଷ୍ଟ ଓ ଅତି ବିଶିଷ୍ଟ ମଣିଷ। ରାସ୍ତାର ଆରକଡେ ସମାନ୍ତରାଳ ଭାବେ ଗଢ଼ି ଉଠିଛି ଝୁମ୍ପୁଡ଼ି ଘର। ଆଧୁନିକ ଚଳଣିରେ ସେମାନେ ହେଉଛନ୍ତି ବସ୍ତିବାସିନ୍ଦା। ସମାଜର ତଳସ୍ତରର ମେହେନତି ମଣିଷ। ଅନ୍ୟଘରେ ଦିନଟିଏ କାମ ନ କଲେ ସେମାନଙ୍କର ଚୁଲି ଜଳେନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନେ ହେଉଛନ୍ତି ଦାରିଦ୍ର୍ୟର ସୀମାରେଖା ତଳେ ଥିବା ଅଭାବୀ ମଣିଷ। ରାସ୍ତାର ଦୁଇକଡ଼ରେ ଭିନ୍ନ ଭିନ୍ନ ଚଳଣିକୁ ସହଜରେ ଅନୁମାନ କରିହୁଏ। ଗୋଟିଏ ପଟେ ଭବ୍ୟ ରାଜପ୍ରାସାଦ ଭଳି କୋଠାଘରେ କୋଠରି ତ ଅନେକ, ହେଲେ ରହିବାକୁ ସେତିକି ମଣିଷ ନାହାନ୍ତି। ରାସ୍ତାର ଆରକଡେ ଗୋଟିଏ ଗୋଟିଏ ଝୁମ୍ପୁଡ଼ି ଘରେ ଅନେକ ମଣିଷ। ଗୋଟିଏ ପଟେ ଅଭାବର ଚିହ୍ନ ବର୍ଣ୍ଣ ନ ଥିବା ବେଳେ ଭାବର ଅଭାବ ଓ ଆରକଡେ ସବୁ ଅଭାବ ଭିତରେ ଭରପୂର ଭାବ । ରାସ୍ତାର ଗୋଟିଏ କଡ଼ରେ ଥିବା ଶୀତତାପ ନିୟନ୍ତ୍ରିତ କୋଠରିର ତୂଳୀତଳ୍ପ ଶଯ୍ୟାରେ ଶୋଇବାକୁ ନିଦବଟିକା ଲୋଡ଼ା ପଡୁଥିବା ବେଳେ ରାସ୍ତାର ଆରକଡ଼ ଘରେ ଭୂଇଁ ଉପରେ ମୁଣ୍ଡରେ ପିଢ଼ାରଖି ମଣିଷ ସୁଖନିଦ୍ରା ଯାଏ। କି ବିଚିତ୍ର ଏ ଦୁନିଆ, କି ବିଚିତ୍ର ଏ ମଣିଷ ? ଯେଉଁ ସୁଖ ଶାନ୍ତି ଟିକେ ପାଇବା ପାଇଁ ମଣିଷ ଅର୍ଥ ପଛରେ ଧାଇଁଛି, ସେତକ ପାଇବା ଭିତରେ ସୁଖ ଶାନ୍ତି ତକ ହଜାଇ ଦେଉଛି। ଯେଉଁ ପାର୍ଥିବ ବସ୍ତୁକୁ ଛାଡ଼ିକରି ଏ ସଂସାରରୁ ସେ ବିଦାୟ ନେବ, ତାହା ସହିତ ସେ ଅଧିକ ଯୋଡ଼ିହୋଇ ରହୁଛି,ମାତ୍ର ଦିବ୍ୟଗୁଣ, ଯାହା ସେ ସାଥିରେ ନେଇକରି ଯିବ, ତା ଠାରୁ ଦୂରେଇ ଯାଉଛି।
ନିଜର ଆଭିଜାତ୍ୟ ପ୍ରଦର୍ଶନ ପାଇଁ ମଣିଷ ଭବ୍ୟ ବଙ୍ଗଳା ତ ନିର୍ମାଣ କରି ରହୁଛି, ମାତ୍ର ସେ ଘରେ ସୁଖ ଶାନ୍ତି ଖୋଜୁ ଖୋଜୁ ତା’ ବୟସ ସରିଯାଉଛି। କୁହାଯାଏ, ଘର ବଡ଼ ହେଉ ବା ଛୋଟ ହେଉ, ଯଦି ସେ ଘରେ ରହୁଥିବା ମଣିଷଙ୍କ ମଧ୍ୟରେ ସମ୍ପର୍କରେ ମଧୁରତା ନ ଥାଏ, ସେ ଘର ନର୍କ ସମାନ ହୋଇଯାଏ। ମଣିଷ କଥାରେ ଯଦି ମିଠା ନ ଥାଏ, ତେବେ ତା’ ପାଖରେ ମଣିଷ ତ ଦୂରର କଥା, ପିମ୍ପୁଡ଼ି ବି ରୁହନ୍ତି ନାହିଁ। ବୁଦ୍ଧିମାନ ମଣିଷ ଅନ୍ୟର ବୁଦ୍ଧି ପ୍ରସାର କରିଥାଏ। ସୁନ୍ଦର ମଣିଷ ଅନ୍ୟର ଆଖି ଖୋଲିଥାଏ । କିନ୍ତୁ ପ୍ରେମରେ ବିଶ୍ୱାସ ରଖୁଥିବା ମଣିଷ ଅନ୍ୟର ହୃଦୟ ଖୋଲିଥାଏ। ପ୍ରେମରେ ସହଜରେ ବିଜୟୀ ହେବାର ଶକ୍ତି ଥିଲେ ମଧ୍ୟ ମଣିଷ ପ୍ରେମ ବଦଳରେ ହିଂସାର ପଥକୁ ଗ୍ରହଣ କରେ। କ୍ଷଣିକ ପଦ, ପଦବୀ, ପ୍ରତିଷ୍ଠାର ଅହଂରେ ବଳୀୟାନ ହୋଇ ଅନ୍ୟକୁ ହେୟ ମନେକରେ । ସଂସାରରେ ମନୁଷ୍ୟ ଏକମାତ୍ର ଏପରି ପ୍ରାଣୀ, ଯିଏ ଚାହିଁଲେ ପଶୁଠାରୁ ବି ଅଧିକ ତଳକୁ ଖସିଯାଇପାରେ ଓ ଚାହିଁଲେ ଦେବତାଙ୍କଠାରୁ ବି ଅଧିକ ଉଚ୍ଚକୁ ବି ଯାଇପାରେ। ମାତ୍ର ଦୁଃଖର କଥା ଦେବତା ଅପେକ୍ଷା ପଶୁ ହେବାକୁ ମଣିଷଠାରେ ବେଶି ଆଗ୍ରହ। ଏ ଦୁନିଆ ରହସ୍ୟ ଓ ଆଶ୍ଚର୍ଯ୍ୟରେ ଭରପୂର। ସବୁ ମଣିଷ ଚାହେଁ ତାକୁ ସମସ୍ତେ ପ୍ରଶଂସା କରନ୍ତୁ, ତାଙ୍କ ଗୁଣଗାନ କରନ୍ତୁ। ହେଲେ ଏ ଦୁନିଆ ବଡ଼ ବିଚିତ୍ର। ଦୁନିଆରେ ଥିବା ବେଳେ ମଣିଷର ଏ ଆଶା ପୂରଣ ହୋଇପାରେନା। ଏ ଦୁନିଆ ଛାଡ଼ିବା ପରେ ସେ ଆଶା ପୂରଣ ହୁଏ। ଦୁନିଆରେ ଥିବା ବେଳେ ତା’ର ଭଲଗୁଣ କାହା ନଜରକୁ ଆସେ ନାହିଁ। ତା’ ଅନୁପସ୍ଥିତିରେ, ତା’ ଉପସ୍ଥିତିର ମହତ୍ତ୍ୱ ଓ ଗୁରୁତ୍ୱକୁ ଦୁନିଆ ମନେ ପକାଏ।
ସମସ୍ତଙ୍କୁ ନିଜର ନିଜର ବୋଲି ମଣିଷ ତ ଡିଣ୍ଡିମ ପିଟିଥାଏ, ମାତ୍ର ପରିସ୍ଥିତିରେ ଅସଲ ନିଜର କିଏ ତାହା ଜଣାପଡ଼ିଯାଏ। ସୁଖବେଳେ ତ ସାରା ଦୁନିଆଟା ନିଜର ହୋଇଯାଏ, ମାତ୍ର ଦୁଃଖ ବେଳେ କେବଳ ନିଜେ ନିଜର ସାଥୀ ହେବାକୁ ପଡ଼ିଥାଏ। ସମୟକୁ ଦେଖିହୁଏ ନାହିଁ ସିନା, ହେଲେ ସମୟ ବହୁତ କିଛି ଦେଖାଇ ଦେଇଥାଏ। କିଏ ନିଜର, କିଏ ପର ତାହା ସେ ଚିହ୍ନାଇ ଦେଇଥାଏ। ଏ ସଂସାରରେ ଦୁଃଖ ଅଛି, ସୁଖ ବି ଅଛି। ଏଠି ବିଷାଦ ଅଛି, ଆନନ୍ଦ ବି ଅଛି। ମଣିଷ ଉପରେ ନିର୍ଭର କରେ ସେ ସୁଖକୁ ଚୟନ କରିବ ଅବା ଦୁଃଖକୁ ଗ୍ରହଣ କରିବ। ଯିଏ ସୁଖକୁ ଗ୍ରହଣ କରିବ ସେ ଦୁଇ ଦିନ ମଧ୍ୟରେ ଗୋଟିଏ ରାତି ଥିବା କହିବ। ଆଉ ଯିଏ ଦୁଃଖକୁ ଚୟନ କରିବ ସେ କହିବ ଦୁଇ ରାତି ଭିତରେ ଗୋଟିଏ ଦିନ ଅଛି। ପ୍ରତ୍ୟେକ ମଣିଷ ଈଶ୍ବରଙ୍କ ଏକ ଅଭିନବ ସୃଷ୍ଟି। ପ୍ରତ୍ୟେକ ଜୀବ ଗୋଟିଏ ଗୋଟିଏ ଶ୍ରେଷ୍ଠ ଜୀବ। ସମସ୍ତଙ୍କ ଭିତରେ ନିଜର ଶକ୍ତି ଓ ଦୁର୍ବଳତା ରହିଥାଏ। ଉଭୟକୁ ନିୟନ୍ତ୍ରଣ କରି ମଣିଷ ଆଗକୁ ବଢ଼ିବା ଉଚିତ। ଯେପରି ଜଳଚର ଜୀବ ସ୍ଥଳଭାଗରେ ରହିପାରେନା, ସେହିପରି ସ୍ଥଳଚର ଜୀବ ଜଳରେ ରହିପାରେନା। ସମସ୍ତେ ନିଜ ନିଜ ସ୍ଥାନରେ ଶ୍ରେଷ୍ଠ। ଅଭାବ ଆସିଲେ ବିଶ୍ୱସ୍ତ ରହିବା, ଧନ ଅଧିକ ଆସିଲେ ସରଳ ରହିବା, ଅଧିକାର ଆସିଲେ ମୌନ ରହିବା, କ୍ରୋଧ ଆସିଲେ ଶାନ୍ତ ରହିବା ହେଉଛି ଅସଲ ଜୀବନର ମହାମନ୍ତ୍ର। ଏହାକୁ ଧାରଣ କଲେ ଏକ ମହତ୍ତର ଜୀବନକୁ ନିର୍ବାହ କରିହୁଏ। ଏ ସବୁ ଜାଣିଥାଇ ମଧ୍ୟ ମଣିଷ ଏହାକୁ ଧାରଣ କରିପାରେନା। ସ୍ରୋତର ଅନୁକୂଳରେ ନ ଯାଇ ପ୍ରତିକୂଳରେ ଆଗେଇବାକୁ ପସନ୍ଦ କରିଥାଏ ସତ, ହେଲେ ବେଶି ସମୟ ତିଷ୍ଠି ପାରେନା। ଦୁଃଖ, ଅଶାନ୍ତି ଓ ଉଦାସରେ ବିବଶ ହୋଇପଡେ। ସଂସାରକୁ ପଠାଇବା ପୂର୍ବରୁ ଈଶ୍ବର ମଣିଷ ପାଇଁ ଆବଶ୍ୟକ ସବୁକିଛି ପ୍ରାବଧାନ କରିଥାନ୍ତି ଏଇ ପୃଥିବୀରେ। ହେଲେ ମଣିଷ ଆବଶ୍ୟକତାକୁ ଭୁଲି ଅନାବଶ୍ୟକ ପଛରେ ଧାଇଁଥାଏ। ଲୋଭର ବଶବର୍ତ୍ତୀ ହୋଇ ଅସୀମ ପ୍ରାପ୍ତି ଆଶାରେ ରୁହେ। ସେଥିପାଇଁ କୁହାଯାଏ ଯଦି ଇଚ୍ଛା ପୂରଣ ହୋଇ ନ ପାରି ମଣିଷର ପ୍ରାଣ ଚାଲିଯାଏ, ତେବେ ତାକୁ ମୃତ୍ୟୁ କୁହାଯାଏ। ମାତ୍ର ଯଦି ପ୍ରାଣ ରହିଥିବା ଅବସ୍ଥାରେ ଇଚ୍ଛା ଚାଲିଯାଏ ତେବେ ତାହା ହୁଏ ମୁକ୍ତି। ଲୋଭ, ମୋହ, ମାୟା ଓ ଆସକ୍ତିରେ ମଣିଷ ଛଟପଟ ହେଲେ ବି ମଣିଷ ବାହାରିପାରେନା ଏହା କବଳରୁ। ନିଜ ଭୁଲ ନ ଦେଖି ଦୋଷ ଦିଏ ଅନ୍ୟକୁ। ଯେଉଁ ଜିନିଷର ଆବଶ୍ୟକ ନ ଥାଏ, ସେ ଜିନିଷ ପଛରେ ଅର୍ଥ ଓ ସମୟ ବରବାଦ କରେ। ପ୍ରତିବଦଳରେ ଯେଉଁ ଜିନିଷ ଆବଶ୍ୟକ ତାକୁ ହତାଦର କରେ। ବୟସ ଥିବା ବେଳେ ସମସ୍ତ ବଳ ଓ ସମୟ ଖର୍ଚ୍ଚ କରି ଯାହା ପାଏ, ତାକୁ ଶେଷରେ ଭୋଗ କଲାବେଳକୁ ପାଖରେ ବୟସ ନ ଥାଏ। ଜୀବନଯାକ ପରିଶ୍ରମ କରି ଯାହା ଠୁଳ କରିଥାଏ, ଶେଷରେ ତାହା ମଧ୍ୟ ସେ ଏଠାରେ ଛାଡ଼ି ଚାଲିଯାଏ।
ବେଳେବେଳେ ହାରିଯିବାକୁ ଜୀବନର ଅନ୍ତ ବୋଲି ମଣିଷ ଭାବିନିଏ। ବୁଝିପାରେନି ପ୍ରତି ହାରିବା ପରେ ଜୀବନର ଶୁଭାରମ୍ଭ ହୁଏ। ଜିତିବାର ପୂର୍ବ ପାହାଚ ହେଉଛି ହାରିବା। ଯେତେବେଳେ ଈଶ୍ବର ଆମଠାରୁ କିଛି ଛଡ଼ାଇ ନିଅନ୍ତି, ସେତେବେଳେ ଆମେ ଏହାକୁ ଈଶ୍ୱରଙ୍କ ଅବିଚାର ନ ଭାବି ବୁଝିବା ଦରକାର ଯେ ବୋଧହୁଏ ଈଶ୍ୱର ପୂର୍ବଠାରୁ କିଛି ଅଧିକ ଦେବା ପାଇଁ ଆମ ହାତ ଖାଲି କରିଛନ୍ତି। ଏହାକୁ ଜୀବନରେ ଗ୍ରହଣ କରି ଅନେକ ଲୋକ ସ୍ଥିତପ୍ରଜ୍ଞ ହୋଇଛନ୍ତି। ସେମାନଙ୍କୁ ଦେଖି କିଛି ଲୋକଙ୍କ ମନରେ ପ୍ରଶ୍ନ ଉଠେ, ଏ ଲୋକ ଏତେ ଦୁଃଖରେ ଭାଙ୍ଗି ନ ପଡ଼ି ଏତେ ଦମ୍ଭ ରହିପାରୁଛନ୍ତି କେମିତି। ସେମାନେ ବୁଝିପାରନ୍ତି ନାହିଁ ଯେ ସେହି ଲୋକଟି ଅନେକ ଦୁଃଖକୁ ସାମ୍‌ନା କରି କରି ନିଜକୁ ଦମ୍ଭ କରିପାରିଛନ୍ତି। ଜୀବନରେ ସବୁ ମଣିଷ ସବୁକିଛି ହାସଲ କରିପାରନ୍ତି ନାହିଁ, କିଛି ଅଧା ରହିଯାଏ, କିଛି ରହିଯାଏ ଅପୂର୍ଣ୍ଣ । ଯାହା ପାଇଥାନ୍ତି ତାହାକୁ ହିଁ ଜୀବନର ପ୍ରାପ୍ତି ଭାବି ଖୁସିରେ ରୁହନ୍ତି। ଜୀବନ ଯେମିତି ଯେଉଁଭଳି ଭାବରେ ସାମ୍‌ନାକୁ ଆସୁଛି ତାକୁ ଖୁସିରେ ଆଲିଙ୍ଗନ କର, ଗ୍ରହଣ କର। ଫେରିଯିବା ପୂର୍ବରୁ ଜଣେ ମଣିଷଙ୍କ ସହ ବି ଯେପରି ଶତ୍ରୁତା ନ ରହୁ। ଜୀବନ ଏକ ରାଜରାସ୍ତା । ଏହାର ଗୋଟିଏ କଡ଼ରେ ସୁଖ ଓ ଶାନ୍ତି ଥିବାବେଳେ ଅନ୍ୟ କଡ଼େ ଦୁଃଖ ଓ ବିଷାଦ ରହିଛି। ମଣିଷ ଉପରେ ନିର୍ଭର କରେ ସେ କେଉଁ କଡ଼ରେ ରହିବ।
ମୋ:୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri