ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ଉପକୁଳ ଜେଟିରେ ବନ୍ଧା ହୋଇଥିବା ମାଛ ଡଙ୍ଗା ବୁଡ଼ିଯିବା ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ଏହା ସାଙ୍ଗକୁ ମଙ୍ଗଳବାର ସକାଳ ଠାରୁ ପ୍ରବଳ ବର୍ଷା ସହ ପବନ ବହିବାରେ ଲାଗିଛି। ଯାହା ଫଳରେ ଜଳସ୍ତର ବୃଦ୍ଧି ପାଇ ଦୁଇଟି ଡଙ୍ଗା ବୁଡ଼ି ଯାଇଥିବା ଜଣାପଡ଼ିଛି। ମତ୍ସ୍ୟଜିବୀମାନଙ୍କ ପାଇଁ ସମୁଦ୍ର ବାରଣ ହୋଇଥିବା ଯୋଗୁ ଡଙ୍ଗାଗୁଡ଼ିକ ବନ୍ଧା ହୋଇ ଜେଟିରେ ରଖାଯାଇଛି। ଯଦିଓ ଜନଜୀବନର କୌଣସି କ୍ଷତି ହୋଇ ନାହିଁ, ଡଙ୍ଗା ଗୁଡ଼ିକର ଇଂଜିନ ଓ ବିଭିନ୍ନ ସାମଗ୍ରୀ କ୍ଷତି ହୋଇଥିବା କୁହାଯାଉଛି ଏବଂ କ୍ଷୟ କ୍ଷତିର ପରିମାଣ ସଠିକ ଆକଳନ ଏ ପର୍ଯ୍ୟନ୍ତ ହୋଇନାହିଁ। ତେବେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଭୟ ଡଙ୍ଗାକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି।

