ବଡ଼ମଣିଷ ନା ଭଲମଣିଷ

ଡ. ବାସୁଦେବ ମିଶ୍ର

ମଣିଷ ସମାଜରେ ଆଚରଣ ଦୃଷ୍ଟିରୁ ବଡ଼ମଣିଷ ଏବଂ ଭଲମଣିଷ ଏ ଦୁଇଟି ଶବ୍ଦ ମଧ୍ୟରେ ଅନେକ ସମୟରେ ପାର୍ଥକ୍ୟ ଦେଖାଯାଏ। ଏପରି ଦେଖାଯାଏ, ସେମାନେ ବଡ଼ମଣିଷ ହୋଇଥିଲେ ଭଲମଣିଷ ହୋଇ ନ ଥାନ୍ତି ଏବଂ ଭଲମଣିଷ ହୋଇଥିଲେ ହୁଏ ତ ବଡ଼ମଣିଷ ହୋଇପାରି ନ ଥାନ୍ତି। ବଡ଼ ଏବଂ ଭଲ ଏପରି ଶବ୍ଦଗୁଡ଼ିକ ଅଭିଧାନର ଗଣ୍ଡି ମଧ୍ୟରୁ ବାହାରିଆସି ସେମାନଙ୍କର ଅର୍ଥବିସ୍ତୃତି କରିଥିବା ଦେଖାଯାଏ। ଆମ ସମାଜରେ ବହୁତ ଧନର ଅଧିକାରୀ ହୋଇଥିବା ଅଥବା ଯେ କୌଣସି ଉପାୟ ଅବଲମ୍ବନ କରି ଅଧିକରୁ ଅଧିକ ଧନ, ପ୍ରତିଷ୍ଠା ଅର୍ଜନ କରିଥିବା ଲୋକଟି ବଡ଼ମଣିଷ ପଦବାଚ୍ୟ ହେବା ଦେଖାଯାଏ। ଯଦିଓ ପ୍ରକୃତରେ ବଡ଼ମଣିଷର ଅର୍ଥ ହେଲା-ସତ୍ୟ, ଧର୍ମ, ନ୍ୟାୟର ମାର୍ଗରେ ଥାଇ ଅନ୍ୟମାନଙ୍କର ସେବାରେ ନିଜକୁ ଉତ୍ସର୍ଗୀକୃତ କରିବା। ଶାସ୍ତ୍ର କହେ-‘ଧନାନି ଜୀବିତଂ ଚୈବ ପରାର୍ଥେ ପ୍ରାଜ୍ଞ ଉତ୍ସୃଜେତ୍‌। ସନ୍ନିମିତ୍ତେ ବରଂ ତ୍ୟାଗୋ ବିନାଶେ ନିୟତେ ସତି।’ ଏହି କଥାଟିକୁ ମନେରଖି ଅବିରତ କର୍ମତପତ୍ର ରହିଥିବା ପ୍ରତ୍ୟେକ ମଣିଷ ବାସ୍ତବରେ ଜଣେ ବଡ଼ମଣିଷ ହେବା ସଙ୍ଗେ ସଙ୍ଗେ ଜଣେ ଭଲମଣିଷ ମଧ୍ୟ ହୋଇଥାଏ। ଜଣେ ବଡ଼ମଣିଷ ନିଶ୍ଚୟ ଜଣେ ଧନୀ, ମାନୀ ଅଥବା ଜ୍ଞାନୀ ହୋଇଥିବ, ଏପରି କିଛି କଥା ନାହିଁ। ମହାଭାରତର ପ୍ରସଙ୍ଗ। ମହାରାଜ ଯୁଧିଷ୍ଠିରଙ୍କର ରାଜସୂୟ ଯଜ୍ଞ ଅନୁଷ୍ଠିତ ହେବାବେଳର ଘଟଣା। ଗୋଟିଏ ନେଉଳ ଯଜ୍ଞଶାଳାରେ ଇତସ୍ତତଃ ବୁଲିବୁଲି ଧୂଳିରେ ଗଡ଼ିଯାଉଥିବା ଯୁଧିଷ୍ଠିରଙ୍କର ଦୃଷ୍ଟିକୁ ଆସିଲା। ବିସ୍ମୟର କଥା ଥିଲା ଯେ, ସେହି ନେଉଳଟିର ଶରୀରର ଅର୍ଦ୍ଧେକ ସୁବର୍ଣ୍ଣମୟ ଥିଲା। କଥାଟିର ରହସ୍ୟ କିଛି ବୁଝି ନ ପାରି ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ ଯୁଧିଷ୍ଠିର। ଉତ୍ତରରେ ଶ୍ରୀକୃଷ୍ଣ ସେହି ନେଉଳର ପୂର୍ବ ବୃତ୍ତାନ୍ତ ବର୍ଣ୍ଣନା କରି କହିଥିଲେ ମହାରାଜ ଯୁଧିଷ୍ଠିରଙ୍କୁ- ଚାରିଦିନ କ୍ଷୁଧାର୍ତ୍ତ ରହିବା ପରେ ଜଣେ ଦରିଦ୍ର ବ୍ରାହ୍ମଣ ନିଜ ପରିବାର ସଦସ୍ୟଙ୍କର ଭୋଜନ ନିମିତ୍ତ କିଛି ଛତୁଆ ଯୋଗାଡ଼ କରିପାରିଥିଲେ। ସମସ୍ତ ଚାରିଜଣ ସଦସ୍ୟଙ୍କ ମଧ୍ୟରେ ସମାନଭାବେ ସେହି ଛତୁଆକୁ ବାଣ୍ଟି ଦିଆଯାଇଥିଲା। ଭୋଜନ ଆରମ୍ଭ କରିବା ପୂର୍ବରୁ ଦ୍ୱାର ନିକଟରେ କେହି କ୍ଷୁଧାର୍ତ୍ତ କିଛି ଖାଦ୍ୟ ମାଗୁଥିବାର ଶୁଣି ବ୍ରାହ୍ମଣ ନିଜେ ନିଜ ପାଇଁ ଥିବା ଖାଦ୍ୟକୁ ସେହି କ୍ଷୁଧାର୍ତ୍ତକୁ ଦେଇଆସିଲେ। ସେତିକି ଖାଦ୍ୟ ଖାଇବା ପରେ ମଧ୍ୟ ଉକ୍ତ ଭିକ୍ଷୁ ତଥାପି କ୍ଷୁଧାର୍ତ୍ତ ବୋଲି କହିବାରୁ ତାଙ୍କ ପନତ୍ୀ ନିଜ ଖାଦ୍ୟ ତାଙ୍କୁ ଦେଇ ଆସିଲେ। ଭିକ୍ଷୁକଟି ତଥାପି କ୍ଷୁଧାର୍ତ୍ତ ବୋଲି କହିବାରୁ ତାଙ୍କର ପୁତ୍ର ଏବଂ ପୁତ୍ରବଧୂ କ୍ରମେ ନିଜନିଜର ଖାଦ୍ୟ ସେହି ଭିକ୍ଷୁଙ୍କୁ ପ୍ରଦାନ କଲେ। ଭିକ୍ଷୁ ନିଜର କ୍ଷୁଧା ଶାନ୍ତ କରି ଆନନ୍ଦମନରେ ସେଠାରୁ ବିଦାୟ ନେଲେ। ସେହି ସ୍ଥାନରେ ତଳେ ପଡ଼ିଯାଇଥିବା ଛତୁଆର କେତୋଟି ଦାନା ଏହି ନେଉଳଟି ଖାଇବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା। ଖାଇବା ପରେ ତା’ର ଶରୀରର ଅର୍ଦ୍ଧେକ ସ୍ବର୍ଣ୍ଣମୟ ହୋଇଯାଇଥିଲା। ଅନ୍ୟ କେଉଁ ପବିତ୍ର କ୍ଷେତ୍ରରେ ତା’ ଶରୀରର ବାକି ଅର୍ଦ୍ଧେକ ସ୍ବର୍ଣ୍ଣମୟ ହୋଇପାରିବ, ସେହି ଉଦ୍ଦେଶ୍ୟ ନେଇ ସେ ପ୍ରତ୍ୟେକଟି ତୀର୍ଥସ୍ଥାନ ପରିଭ୍ରମଣ କରୁଅଛି। ମହାରାଜ ଯୁଧିଷ୍ଠିରଙ୍କର ଯଜ୍ଞସ୍ଥଳ ଯେ ନିଶ୍ଚୟ ଏକ ପବିତ୍ର କ୍ଷେତ୍ର, ଏହି ଜ୍ଞାନରେ ସେ ନିଜ ଶରୀରର ବାକି ଅଂଶକୁ ସ୍ବର୍ଣ୍ଣମୟ କରିବା ଅଭିପ୍ରାୟରେ ଏଠାକୁ ଆସିଅଛି। ଯଜ୍ଞଶାଳାର ପ୍ରତ୍ୟେକ ପ୍ରାନ୍ତରେ ଭୂମି ଉପରେ ଗଡ଼ି ପରୀକ୍ଷା କରି ଦେଖୁଛି ତା’ର ଶରୀର ବାକି ଅଂଶତକ ସ୍ବର୍ଣ୍ଣମୟ ହେଲା କି ନାହିଁ।
ଆଜିକାଲି ମାଆବାପାମାନେ ନିଜ ପିଲାମାନଙ୍କୁ ଗୋଟିଏ ଭଲମଣିଷର ରାସ୍ତା ଏବଂ ପାହାଚ ଦେଇ ବଡ଼ମଣିଷଟିଏ କରିବା ସପକ୍ଷରେ ଥିବା ଦେଖାଯାଏ ନାହିଁ। ନିଜ ପିଲାମାନଙ୍କୁ କଳେବଳେ କୌଶଳେ ପରୀକ୍ଷାଗୁଡ଼ିକରେ ଅଧିକରୁ ଅଧିକ ନମ୍ବର ରଖି ଉପରକୁ ଉପର ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ଥାନ ଅଧିକାର କରିବା ଏବଂ ଶେଷରେ ବର୍ଷକୁ ପଚିଶ ତିରିଶ ଲକ୍ଷ ଅଥବା ତହିଁରୁ ଅଧିକ ପ୍ୟାକେଜର ସହିତ କୌଣସି କମ୍ପାନୀକୁ ନିଜ ମୁଣ୍ଡ ବିକ୍ରି କରିଦେବାକୁ ବୁଝାଏ। ଏ କଥା ସତ ଯେ ଅଧିକରୁ ଅଧିକ ଟଙ୍କାର ମୋହରେ ତଥା ବହୁ ଦୂରରେ ଥିବା ମେଟ୍ରୋ ସିଟିରେ ଜୀବନ ବିତାଉଥିବା ପୁତ୍ର ନିଜ ମାତାପିତାଙ୍କର ବାର୍ଦ୍ଧକ୍ୟଜନିତ କଷ୍ଟକୁ ଦେଖିବା ତଥା ବୁଝିବାକୁ ସକ୍ଷମ ହୋଇପାରେ ନାହିଁ। ସତକଥା କହିବାକୁ ଗଲେ ସେ କେବଳ ନିଜେ ନିଜକୁ ଏବଂ ନିଜର ଟଙ୍କା ବ୍ୟତୀତ କାହାକୁ ମଧ୍ୟ ଚିହ୍ନିବା ସପକ୍ଷରେ ନ ଥାଏ। ଏ ଭିତରେ ସେ କେବଳ ତଥାକଥିତ ବଡ଼ମଣିଷଟିଏ ହୁଏତ ହୋଇ ସାରିଥାଏ, କିନ୍ତୁ ଜୀବନବ୍ୟାପୀ ଭଲମଣିଷଟିଏ ହୋଇପାରେ ନାହିଁ।
ଅଧୁନା ଗାଁଁରେ ରହୁଥିବା ବୃଦ୍ଧଙ୍କର ଦୁଇଟି ପୁଅଙ୍କ ମଧ୍ୟରୁ ଯେଉଁ ପୁଅଟି ପିଲାଦିନେ ଭଲ ପାଠ ପଢୁଥିଲା ଏବଂ ସମସ୍ତଙ୍କର ଆଦରର ଧନ ବୋଲି ପରିଗଣିତ ହେଉଥିଲା, ଯାହା ଉପରେ ମାଆବାପାଙ୍କଠାରୁ ଆରମ୍ଭ କରି ସାହିପଡ଼ିଶା, ଶିକ୍ଷୟିତ୍ରୀଶିକ୍ଷକ ଏବଂ ବନ୍ଧୁବାନ୍ଧବ ସମସ୍ତେ ଅଯାଚିତ ଆଶୀର୍ବାଦ ଅଜାଡି ଦେଉଥିଲେ ଏବଂ ଅନେକ ଆଶା ରଖିଥିଲେ, ସେ ବର୍ତ୍ତମାନ ବଡ଼ମଣିଷଟିଏ ହୋଇ ନିଜ ଘରଠାରୁ ବହୁ ଦୂରରେ ବଡ଼ ସହରରେ ବହୁତଳ ପ୍ରାସାଦଟିଏ ନିର୍ମାଣ କରି ବାସ କରୁଛି। ଗଁା କଥା କେବେଠାରୁ ବୋଧହୁଏ ସେ ପାସୋରିଗଲାଣି। ସେଇଠି ମାଆବାପା ବୃଦ୍ଧା ବୃଦ୍ଧ ହୋଇଗଲେଣି, ସେକଥା ଅନ୍ତତଃ କେବେ ସ୍ମରଣରେ ଆଣିବା ପାଇଁ ତା’ର ସମୟ ନାହିଁ। ସାଙ୍ଗସାଥୀମାନେ କିପରି ଅଛନ୍ତିି ସେ କଥା କେବେ ବି ତା’ର ମନେପଡ଼େ ନାହିଁ। ଆଉ ଯେଉଁ ପୁଅଟି ଭଲ ପାଠ ପଢୁ ନ ଥିଲା, ଥରେ ପରୀକ୍ଷାରେ କମ୍‌ ନମ୍ବର ରଖିଥିବାରୁ ଯିଏ ବାପାଙ୍କଠାରୁ ମାଡ଼ ଖାଇ ବେହୋସ ହୋଇଯାଇଥିଲା, ସ୍କୁଲର ଶିକ୍ଷକମାନେ କେବେ ଯାହାକୁ ଆଶୀର୍ବାଦ କରି ବଡ଼ମଣିଷଟିଏ ହୁଅ ବୋଲି କହି ନ ଥିଲେ, ବୃଦ୍ଧଙ୍କର ସେହି ପୁଅଟି ଅବଶ୍ୟ ବଡ଼ମଣିଷଟିଏ ହୋଇପାରି ନାହିଁ, କିନ୍ତୁ ନିଶ୍ଚିତରୂପେ ଭଲମଣିଷଟିଏ ହୋଇପାରିଛି ବୋଲି କହିହେବ। କାରଣ ଗଁାଠାରୁ ଅଳ୍ପ ଦୂରରେ ଥିବା ସହରରେ ଛୋଟ ଚାକିରିଟିଏ କରେ ସତ, କିନ୍ତୁ ତା’ ସହିତ ବୃଦ୍ଧ ମାଆବାପାଙ୍କର କଥା ବୁଝେ, ତାଙ୍କର ସେବା କରେ, ଯତ୍ନ ନିଏ। ଗଁାରେ ଜମିବାଡ଼ି, ଚାଷବାସ କଥା ବୁଝେ। ଗାଁର ଅନ୍ୟଲୋକ ତଥା ସାଙ୍ଗସାଥୀଙ୍କ ସୁଖଦୁଃଖରେ ସାମିଲ ହୁଏ। ରାତିଅଧରେ କେହି ବିପଦରେ ପଡ଼ିଲେ ସେ ତା’ ଦୁଆରେ ଯାଇ ଆଗ ଠିଆହୁଏ। ଗଁାର ବିଭିନ୍ନ ସାମୂହିକ ପର୍ବରେ ତା’ର ନାଁ ଆଗ ଡାକ ପଡ଼େ। ଦୁଃଖୀରଙ୍କୀଙ୍କର କଥା ବୁଝେ। ବନ୍ଧୁବାନ୍ଧବ ତା’ର ଅମାୟିକ ବ୍ୟବହାରରେ ପ୍ରୀତ ହୋଇ ତାକୁ ଆଶୀର୍ବାଦ କରନ୍ତିି। ଆଜି ବୃଦ୍ଧାବସ୍ଥାରେ ମାତାପିତାଙ୍କର ଆଶୀର୍ବାଦର ହାତ ଅବିରତ ତା’ ମୁଣ୍ଡ ଉପରେ ରହିଛି। ତେଣୁ ଆମ ବିଚାରରେ ତା’ ଜୀବନକାଳ ଭିତରେ ସେ ବଡ଼ମଣିଷଟିଏ ହୋଇପାରିଛି କି ନାହିଁ ହୁଏତ କହିହେବ ନାହିଁ, କିନ୍ତୁ ଭଲମଣିଷଟିଏ ନିଶ୍ଚୟ ହୋଇପାରିଛି ବୋଲି ସମସ୍ତେ ଅନୁଭବ କରନ୍ତିି।
ଦଶରଥପୁର, ଯାଜପୁର
ମୋ-୯୪୩୮୩୨୮୭୫୫


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri