ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍ଡ ଚାମ୍ପିୟନଶିପ୍ ଅଫ୍ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ ସହ ପୂର୍ବତନ ଅଷ୍ଟ୍ରେଲୀୟ ଓପନର ଡେଭିଡ ଓ୍ବାର୍ନର କେତେଜଣ ନୂଆ ଖେଳାଳି ସ୍ଥାନ ପାଇଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଅକ୍ଟୋବର ୩ରୁ ୧୮ ପର୍ଯ୍ୟନ୍ତ ହେବାକୁଥିବା ଏହି ଟୁର୍ନାମେଣ୍ଟର ଭେନ୍ୟୁ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ପାକିସ୍ତାନ ଚାମ୍ପିୟନ୍ସକୁ ପରାସ୍ତ କରି ଇଣ୍ଡିଆ ଚାମ୍ପିୟନ୍ସ ପ୍ରଥମ ସିଜନ ଜିତିଥିବା ବେଳେ ପାକିସ୍ତାନ ଚାମ୍ପିୟନ୍ସ ବିପକ୍ଷରେ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକା ଚାମ୍ପିୟନ୍ସ ଦ୍ୱିତୀୟ ସିଜନ ବିଜେତା ହୋଇଥିଲା। ଦୁଇ ରେକର୍ଡ ବ୍ରେକିଂ ସିଜନ ପରେ ଡବ୍ଲ୍ୟୁସିଏଲ୍ ୨୦୨୬ରେ ଅଧିକ ଷ୍ଟାର ଖେଳାଳିଙ୍କ ଯୋଗଦାନ ଯୋଗୁ ଟୁର୍ନାମେଣ୍ଟ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆଶା କରାଯାଉଛି। ତୃତୀୟ ସିଜନରେ ବାଂଲାଦେଶ ଚାମ୍ପିୟନ୍ସ ଦଳକୁ ଯୋଗ କରାଯାଇଛି।
ଆୟୋଜକଙ୍କ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଯେ, ଯୁବରାଜ ସିଂ, ଏବି ଡି’ଭିଲର୍ସ, ଡ୍ବେନ ବ୍ରାଭୋ, ଶାହିଦ ଆଫ୍ରିଦୀ ଓ ମୋଇନ୍ ଅଲିଙ୍କ ସହିତ ଡେଭିଡ ଓ୍ବାର୍ନର ଓ ମହମୁଦୁଲ୍ଲା ରିୟାଦଙ୍କ ଭଳି ଷ୍ଟାର ଖେଳାଳିଙ୍କ ଉପସ୍ଥିତି ଯୋଗୁ ଡବ୍ଲ୍ୟୁସିଏଲ୍ ସିଜନ-୩ ଅଧିକ ଆକର୍ଷଣୀୟ ହେବ ବୋଲି ଆଶା କରାଯାଉଛି।
ଓ୍ବାଲର୍ଡ ଚାମ୍ପିୟନଶିପ୍ ଅଫ୍ ଲିଜେଣ୍ଡ୍ସର ପ୍ରତିଷ୍ଠାତା ତଥା ସିଇଓ ହର୍ଷିତ ତୋମାର କହିଛନ୍ତି, ସିଜନ ୩ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି। ଏଥର ଏଭଳି ଷ୍ଟାର ଖେଳାଳିଙ୍କୁ ସାମିଲ କରିବୁ, ଯାହାକି ପ୍ରଶଂସକଙ୍କ କଳ୍ପନା ବାହାରେ ହେବ।

