ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ ଅଭିଯୋଗରେ ତାଙ୍କୁ ସସ୍ପେଣ୍ଡ କରାଯାଇଛି। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରାଯାଇଛି।
ମିଳିଥିବା ସୂଚନାନୁଯାୟୀ, ଚାନ୍ଦବାଲି ଅଞ୍ଚଳରେ ଚାଲିଥିବା ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା, ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦାୟିତ୍ୱ ଓ ବ୍ଲକସ୍ତରୀୟ ପ୍ରଶାସନିକ ପରିଚାଳନାରେ ଗୁରୁତର ଅନିୟମିତତା ଦେଖାଦେଇଥିଲା। ବିଶେଷ କରି ଜନସାଧାରଣଙ୍କ ସେବା ଓ ଜରୁରୀକାଳିନ କାର୍ଯ୍ୟରେ ଅବହେଳା ନେଇ ସ୍ଥାନୀୟ ଅଞ୍ଚଳରୁ ସରକାରଙ୍କ ପାଖରେ ବାରମ୍ବାର ଅଭିଯୋଗ ପହଞ୍ଚିଥିଲା।
ଏହି ଅଭିଯୋଗଗୁଡ଼ିକର ପ୍ରାଥମିକ ତଦନ୍ତ ପରେ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇଥିଲେ। ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଓ ସମୟାନୁବର୍ତ୍ତିତା ବଜାୟ ରଖିବା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ଏହି ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

