ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ମଧ୍ୟରେ ଆବାସ ଯୋଜନା ହିତାଧିକାରୀ

ନବରଙ୍ଗପୁର,୧୨।୫(ବି.ପ୍ର.):  ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। କେତେକ କ୍ଷେତ୍ରରେ ପରିଚାଳନାଗତ ତ୍ରୁଟି, ତଦାରଖର ଅଭାବ ଓ ମଧ୍ୟସ୍ଥିଙ୍କ ହସ୍ତକ୍ଷେପ ଯୋଗୁ ଅନେକ ଜନ ହିତକର ଯୋଜନାର ସୁଫଳ ମିଳୁନି। ନବରଙ୍ଗପୁର ବ୍ଲକ ଚଟାହାଣ୍ଡି ପଞ୍ଚାୟତ ସଦର ଅଞ୍ଚଳରେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଆବାସ ଯୋଜନାରେ ହିତାଧିକାରୀ ଘର ନିର୍ମାଣ ପାଇଁ ପ୍ରଥମ କିସ୍ତି ଅନୁଦାନ ସହ କାର୍ଯ୍ୟାଦେଶ ପାଇଲେ। ଏହାପରେ ଅନୁଦାନ ମିଳିବା ଦୁର କଥା ଏବେ ଉକ୍ତ ଜମିରୁ ଓହରି ଯିବାକୁ କହୁଛନ୍ତି। ଏହାକୁ ନେଇ ହିତାଧିକାରୀ ଚିନ୍ତାରେ ଥିବା ଅଭିଯୋଗ କରିଛନ୍ତି। ସମସ୍ୟା ନେଇ ୮ ହିତାଧିକାରୀ ଚଳିତ ବର୍ଷ ଜାନୁୟାରୀ ୧୭ ରେ ରାସ୍ତାରୋକୋ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି କୌଣସି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି।
ଚଟାହାଣ୍ଡିର ପଟେଲ କୁମ୍ଭାର ଏବଂ ପଦ୍ମା କୁମ୍ଭାର ଦୁଇଙ୍କୁ ୨୦ ହଜାର ଟଙ୍କା ପ୍ରଥମ କିସ୍ତି ସହ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ୨୦୧୮-୧୯ ବର୍ଷରେ ଦିଆଯାଇଛି। ଦୁହେଁ ଲିଣ୍ଟେଲ ଲେବେଲ ପର୍ଯ୍ୟନ୍ତ ଗୃହ ନିର୍ମାଣ କଲେ। ହେଲେ ଦ୍ୱିତୀୟ କିସ୍ତି ଅନୁଦାନ ଆସିଲା ନାହିଁ। ଏ ନେଇ ବ୍ଲକ ଓ ପଞ୍ଚାୟତରେ ପଚାରି ବୁଝିଥିଲେ। ସେତେବେଳେ ଯେଉଁ ସ୍ଥାନରେ ଘର ନିର୍ମାଣ ହେଉଛି ତାହା ସରକାରୀ ଜମି। ଏ ନେଇ ଆଉ ଆନୁଦାନ ମିଳୁନାହିଁ ବୋଲି ସେତେବେଳେ କୁହାଗଲା। ଦୀର୍ଘ ୪୦ ବର୍ଷ ହେବ ଘର ନିର୍ମାଣ ସ୍ଥାନରେ ପରିବାର ସହ ରହି ଅସୁଥିଲେ। କାର୍ଯ୍ୟାଦେଶ ପାଇବା ପରେ ଘର ତୁରନ୍ତ ତିଆରି କରିବା ପାଇଁ କହିଲେ। ଘର କାମ ଏବେ ଯାହାବି ହୋଇଛି ଦିତୀୟ କିସ୍ତି ମିଳିଯାଇ ଥାଆନ୍ତା। ଧାର କରଜ କରି ଘର କାମ କଲେ। ଏବେ ଯେତେ ଜଣାଇଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ପଦ୍ମା କହିଛନ୍ତି। କୁମ୍ଭାର ପରିବାର ହୋଇଥିବାରୁ ବିଭିନ୍ନ ମାଟି ପାତ୍ର ତିଆରି କରି ହାଟ, ବଜାରରେ ବିକ୍ରି କରି ପରିବାର ଚଳାନ୍ତି। ଏଥିରୁ କରଜ ଟଙ୍କା ଶୁଝିବା କଷ୍ଟକର ହେଲାଣି ବୋଲି ସେ କହିଛନ୍ତି। ଦ୍ୱିତୀୟ କିସ୍ତି ଟଙ୍କା ମଧ୍ୟ ମିଳୁ ନ ଥିବାରୁ ଘର ଅଧା ନିର୍ମାଣ ଅବସ୍ଥାରେ ରହିଛି। ସେହିଭଳି ମତାଇ ଭାତରାଙ୍କୁ ମଧ୍ୟ ୩ ବର୍ଷ ହେଲା କାର୍ଯ୍ୟାଦେଶ ସହ ପ୍ରଥମ କିସ୍ତି ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସେ ମଧ୍ୟ ସରକାରୀ ଜମିରେ ଘର କରି ରହିଥିବାରୁ ସେଠାରେ ଘର ତିଆରି କରି ରହିପାରିବେ ନାହିଁ ବୋଲି କୁହାଗଲା। ଫଳରେ ସେ ଘର ତିଆରି କରିପାରି ନ ଥିବା କହିଛନ୍ତି। ସରକାର ଭୂମିହୀନଙ୍କୁ ଘରଡିହ ଯୋଗାଉଥିବା ବେଳେ ଏମାନେ ଏଥିରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ଯୋଗାଇବା ପୂର୍ବରୁ ଉପଯୁକ୍ତ ହିତାଧିକାରୀ ଚୟନ କରାଯାଇଥାଏ। ଏ ନେଇ ସର୍ଭେ ମଧ୍ୟ କରାଯାଉଛି। ହିତାଧିକାରୀ ଚୟନ ପରେ ଦିନ ଧାର୍ଯ୍ୟ କରି ନିର୍ବାଚିତ ପ୍ରତିନିଧି ତଥା ଏମ୍‌ପି, ବିଧାୟକ, ଜିଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି । ଜଣେ ହିତାଧିକାରୀଙ୍କ ସମସ୍ତ ଜମିଜମା କାଗଜ ପତ୍ର ଦେଖିବା ପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କ ଦାୟିତ୍ୱ ରହୁଛି। ସମସ୍ତ ଯାଞ୍ଚ ପରେ ସରକାରଙ୍କ ବିଭିନ୍ନ ନିୟମାବଳୀ ଅନୁଯାୟୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉଛି। ତେବେ ଏଠାରେ ହିତାଧିକାରୀଙ୍କୁ ସରକାରୀ ଜମି କହି ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଉନାହିଁ। ତେବେ କାଗଜପତ୍ର ଯାଞ୍ଚବେଳେ ଏ ସବୁ କାହିଁକି ସ୍ପଷ୍ଟ ହୋଇପାରୁନି ତାହାକୁ ନେଇ ପ୍ରଶ୍ନ ଉଠିଛି। ଚଟାହାଣ୍ଡି ପଞ୍ଚାୟତ ସଦର ଏକ ରାଜସ୍ବ ଗାଁ ହୋଇଥିବା ବେଳେ ୨୯ଟି ପଡ଼ା ଗାଁ ରହିଛି। ଏହି ପଞ୍ଚାୟତରେ ୩ ବର୍ଷ ମଧ୍ୟରେ ୪୦ ହିତାଧିକାରୀଙ୍କ ଘର ଆଧାପନ୍ତରିଆ ପଡ଼ିଛି। ଆବାସ ଗୃହ ନିର୍ମାଣ କାର୍ଯ୍ୟରେ ମଧ୍ୟସ୍ଥି ମାନଙ୍କ ହସ୍ତକ୍ଷେପ ଓ ପ୍ରଶାସନିକ ପରିଚାଳନାରେ ତ୍ରୁଟି ଯୋଗୁ ହିତାଧିକାରୀମାନେ ସମସ୍ୟା ଭୋଗୁଥିବା ଅଭିଯୋଗ ହେଉଛି। ଏ ନେଇ ଜିଲାପାଳ ଓ ଡିଆର୍‌ଡିଏ ପିଡି ଗୁରୁତ୍ୱ ଦେବାକୁ ଦାବି ହେଉଛି। ତେବେ ଜିଓ ଟ୍ୟାଗ୍‌ ଦାୟିତ୍ୱରେ ଥିବା ଗ୍ରାମ ରୋଜଗାର ସେବକ ଜଗବନ୍ଧୁ ଭତରାଙ୍କୁ ପଚାରିବାରୁ ସେ କହିଛନ୍ତି, ପଟେଲ କୁମ୍ଭାର, ପଦ୍ମା କୁମ୍ଭାର ଓ ମତାଇ ଭତରା ଯେଉଁ ସ୍ଥାନରେ ଘର କରି ରହିଛନ୍ତି ତାହା ସରକାରଙ୍କ ଖାତାରେ ଗୋଚର ଜମି ଭାବେ ରହିଛି । ସେଥିପାଇଁ ଅନୁଦାନ ପାଇବା ଓ ଘର ନିର୍ମାଣରେ ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟତ୍ର ପଞ୍ଚାୟତ ଅଧୀନରେ ଏ ପର୍ଯ୍ୟନ୍ତ ୪୦ ଘର ଆଧା ନିର୍ମାଣ ହୋଇପଡ଼ିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ସମୟରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ପରିସ୍ରା କରିବାକୁ ଯାଇଥିବା ବେଳେ…

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନ ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୧…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri