
ବରଗଡ଼, ୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ସୁନା ଲରମ୍ଭା ବାଘପାଲି ଗ୍ରାମରେ ଗୁରୁବାର ସଂଘଟିତ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଉକ୍ତ ହତ୍ୟାକାଣ୍ଡରେ ମୃତ ମଘା ଓରଫ ମଧୁସୂଦନ ଭୁଏ(୫୫)ଙ୍କ ପୁଅ ନେପାଳ ଓରଫ ନାମ(୨୮)ଙ୍କୁ ଗିରଫ କରିବା ପରେ ଡବଲ ମର୍ଡର ଘଟଣାର କାରଣ ପଦାକୁ ଆସିଛି। ତାଙ୍କ ବାପା ମଘାଙ୍କୁ ମୃତ ଅଭିଯୁକ୍ତ ତରଣୀ ବାଗ(୩୫) ହତ୍ୟା କରିବାରୁ ପ୍ରତିଶୋଧ ପରାୟଣ ହୋଇ ସେ ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ନେପାଳ ଜେରାବେଳେ ପୋଲିସ ଆଗରେ ସ୍ବୀକାର କରିଥିବା ଭେଡେନ ଥାନା ଆଇଆଇସି ସୁଶାନ୍ତ କୁମାର ଦାଶ କହିଛନ୍ତି। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ବାଉଁଶ ଲାଠି, ଷ୍ଟିଲ ରଡ, ଖଟିଆର କାଠ (ଖଟପୁହା), ଗୋଟିଏ ଛୁରୀକୁ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ନେପାଳଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବରଗ ଉପ କାରାଗାର ହାଜତକୁ ପଠାଇ ଦିଆଯାଇଛି। ମୃତ ତରଣୀଙ୍କ ବଡଭାଇ ନିତ୍ୟାନନ୍ଦଙ୍କ ଏତଲାକ୍ରମେ ନେପାଙ୍କ ବିରୋଧରେ ଏକ ହତ୍ୟା ମାମଲା (ନଂ-୧୦୦/୨୫) ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ଗତ୧ତାରିଖ ବାଘପାଲି ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିଲା। ସେହି ବିବାହ ଉତ୍ସବକୁ ମୃତ ମଘାଙ୍କ ସମେତ ପରିବାର ଲୋକେ ଯାଇଥିଲେ। ସେଠାକୁ ଉକ୍ତ ଡବଲ ମର୍ଡର ଘଟଣାର ଅନ୍ୟ ମୃତକ ତରୁଣ ମଧ୍ୟ ପହଞ୍ଚିଥିଲେ। ତେବେ ସେଠାରେ ମଘା ଏବଂ ତରଣୀଙ୍କ ମଧ୍ୟରେ କିଛି ବଚସା ହୋଇଥିଲା। ଏହାପରେ ସେଠାରୁ ତରଣୀ ଚାଲି ଆସି ମଘାଙ୍କ ଘର ସମ୍ମୁଖକୁ ପହଞ୍ଚିଥିଲେ। ମଘା ଘର ଭିତରକୁ ପଶିବା ପରେ ତରୁଣ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ଏବଂ ଘଟଣାସ୍ଥଳରେ ମଘାଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ବାପାଙ୍କୁ ତରଣୀ ଆକ୍ରମଣ କରୁଥିବା ସୂଚନା ପାଇ ନେପାଳ ସେଠାରେ ପହଞ୍ଚି ଥିଲେ। ସେ ମଧ୍ୟ ତରଣୀଙ୍କୁ ପାଲଟା ଆକ୍ରମଣ କରିଥିଲେ। ସେଠାରେ ତରଣୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଉଭୟଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ନେପାଳ ଫେରାର୍ ହୋଇଯାଇଥିଲେ। ଅନ୍ୟପକ୍ଷରେ ମଘାଙ୍କ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମଘା ଏବଂ ତରଣୀଙ୍କ ଶବ ପଡ଼ିଥିବା ଖବର ପାଇ ସେତେବେଳେ ବରଗଡ଼ ଦାୟିତ୍ୱରେ ରହିଥିବା ବଲାଙ୍ଗୀର ଏସ୍ପିଜି. ଅଭିଳାଷ, ବରଗଡ଼ ଅତିରିକ୍ତ ଏସ୍ପି ଈନ୍ଦୁରେଖା ପଶ୍ଚିମ କବାଟ, ଏସ୍ଡିପିଓ ପଦାରବିନ୍ଦ ତ୍ରିପାଠୀ, ଭେଡେନ ଥାନା ଆଇଆଇସି ସୁଶାନ୍ତ କୁମାର ଦାଶ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ତାହାକୁ ବରଗଡ଼ ଡାକ୍ତରଖାନା ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ଶୁକ୍ରବାର ଉଭୟଙ୍କ ମୃତଦେହ ଗ୍ରାମକୁ ଫେରିଥିଲା। ମୃତ ମଘାଙ୍କ ପୁଅ ନେପାଳ ସେତେବେଳେ ଫେରାର୍ ଥିବା ଯୋଗୁ ତାଙ୍କ ଝିଅ ଯାଜ୍ଞସେନୀ ମୁଖାଗ୍ନୀ ଦେଇଥିଲେ। ସେହିପରି ତରଣୀଙ୍କ ଶବକୁ ତାଙ୍କ ପୁତୁରା ରାକେଶ ମୁଖାଗ୍ନୀ ଦେଇଥିଲେ । ମୃତ ତରଣୀ ଜଣେ ପେଶାଦାର ଅପରାଧୀ ଥିଲେ ଏବଂ ସେ ଫେରାର୍ ଥିବା ଯୋଗୁ ତାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି ହୋଇଥିବା ବେଳେ ଘଟଣା ଦିନ ସେ ଗ୍ରାମକୁ ଆସିଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।