
ନୂଆଦିଲ୍ଲୀ, ୧୦।୪ : ସୀମା ସୁରକ୍ଷା ବଳ (ବିଏସଏଫ) ହାତରେ ୬ ଜଣ ବାଂଲାଦେଶୀ ନାଗରିକ ଭାରତ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଧରାପଡ଼ିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ତିନିଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି।
ପଚରାଉଚରା ବେଳେ ଏହା ଜଣାପଡିଛି ଯେ ସେମାନଙ୍କ ମଧ୍ୟରୁ କେତେଜଣ ନିଜ ସମ୍ପର୍କୀୟଙ୍କୁ ଭେଟିବାକୁ ଭାରତ ଆସୁଥିଲେ। ଅନ୍ୟମାନେ କାମ କିମ୍ବା ରୋଜଗାରର ସନ୍ଧାନରେ ଅନୁପ୍ରବେଶ କରୁଥିଲେ। ଧରାପଡିଥିବା ସମସ୍ତ ବ୍ୟକ୍ତି କହିଛନ୍ତି ଯେ ସେମାନେ ଭାରତରେ ବେଆଇନ ଅନୁପ୍ରବେଶ ପାଇଁ ମଧ୍ୟସ୍ଥିଙ୍କୁ ଟଙ୍କା ଦେଇଛନ୍ତି।
ଏହି ପ୍ରସଙ୍ଗରେ ବିଏସଏଫ ଏକ ବିବୃତ୍ତି ଜାରି କରି କହିଛି ଯେ ବାଂଲାଦେଶର ୬ଜଣ ଲୋକ ରଙ୍ଗହାଟ ଏବଂ ଜିତପୁର ସୀମା ପୋଷ୍ଟରେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଧରାପଡିଛନ୍ତି। ପରେ, ୨୪ ପ୍ରଗଣା ଜିଲାର ସୀମା ପୋଷ୍ଟରେ ତାଙ୍କୁ ବାଂଲାଦେଶ ସୀମା ସୁରକ୍ଷା(ବିଜିବି)ଙ୍କୁ ହସ୍ତାନ୍ତର କରାଯାଇଛି।
ଏହାପୂର୍ବରୁ ଏପ୍ରିଲ ୭ ରେ ନଦିଆ ଜିଲାର ସୀମାନ୍ତ ଅଞ୍ଚଳରେ ବାଂଲାଦେଶର ଗୋଟିଏ ପରିବାରର ଚାରିଜଣ ସଦସ୍ୟ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ବିଏସଏଫର ୮ତମ ବାହିନୀର ରାମନଗର ପୋଷ୍ଟରେ ଧରାପଡିଥିଲେ। ଏହି ଚାରିଜଣଙ୍କୁ ସୀମା ପାର କରିବା ପାଇଁ ସହାୟତା କରୁଥିବା ଜଣେ ମହିଳା ମଧ୍ୟସ୍ଥିଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ମହିଳା ଜଣଙ୍କ ସେମାନଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ନେଇଥିଲେ।