ଗରିବଙ୍କୁ ବାଧିବ

ଦେଶରେ ଚାଇନା ବିରୋଧରେ କ୍ରୋଧ ବଢ଼ିବାରେ ଲାଗିଛି। ଚାଇନାକୁ ଉଚିତ ଶିକ୍ଷା ଦେବା ପାଇଁ ଏହାର ସମସ୍ତ ସାମଗ୍ରୀ, ସେବା ତଥା ଏପରିକି ପ୍ରଯୁକ୍ତିବିଦ୍ୟାକୁ ଦେଶବ୍ୟାପୀ ବର୍ଜନ କରିବା ପାଇଁ ଆହ୍ବାନ ଦିଆଯାଉଛି। ଅନ୍ୟାନ୍ୟ ସାମଗ୍ରୀ ଭିତରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଟିଭି ସେଟ୍‌ ଓ ସ୍ମାର୍ଟ ଫୋନ୍‌ ପ୍ରଭୃତି ଚାଇନାନିର୍ମିତ ସୁଦୃଶ୍ୟ ଉପକରଣଗୁଡ଼ିକୁ ସର୍ବସାଧାରଣରେ ଭାଙ୍ଗିରୁଜି ନଷ୍ଟ କରିଦିଆଯାଉଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଚାଇନାର ଖାଦ୍ୟ ବିକ୍ରୟ କରୁଥିବା ରେଷ୍ଟୁରାଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ତଥାକଥିତ ଚାଇନିଜ୍‌ ଖାଦ୍ୟ ବିକ୍ରୟ କରୁଥିବା ରେଷ୍ଟୁରାଣ୍ଟଗୁଡିକରେ ଭାରତୀୟ ରୋଷେୟା ଓ ଭାରତୀୟ ଶ୍ରମିକମାନେ ନିୟୋଜିତ ହୋଇଥିବା ବିଷୟରେ ଧ୍ୟାନ ଦେଇ ନ ଥିବା ମନ୍ତ୍ରୀ ଦେଶର ଗ୍ରାମାଞ୍ଚଳରେ ଗରିବ କୃଷକଙ୍କ ଦ୍ୱାରା ଉତ୍ପାଦିତ ଶସ୍ୟ ଓ ପନିପରିବା ଆଦି ଯେ ଏହି ରୋଷେଇରେ ବ୍ୟବହୃତ ହୁଏ, ସେ ବିଷୟରେ ଚିନ୍ତା କରି ନ ଥିବା ସ୍ବାଭାବିକ। କୋଟିକୋଟି ଡଲାର ମୂଲ୍ୟର କାରବାର ବର୍ତ୍ତମାନ ଏକ ପ୍ରକାର ଠପ୍‌ ହୋଇଯାଇଛି। ମହାରାଷ୍ଟ୍ର ସରକାର ସୋମବାର ୫୦୦୦ କୋଟି ଟଙ୍କା ମୂଲ୍ୟର ଚାଇନାର ପୁଞ୍ଜିଲଗାଣ ଉପରେ ରହିତାଦେଶ ଜାରି କରିଥିବା ଘୋଷଣା କରିଛନ୍ତି। ଅନ୍ୟାନ୍ୟ ଅନେକ ରାଜ୍ୟ ସରକାର ଏହାକୁ ଅନୁସରଣ କରିପାରନ୍ତି। ୨୦ ଜଣ ଭାରତୀୟ ସୈନିକଙ୍କ ନିର୍ଦ୍ଦୟ ହତ୍ୟା ଏବଂ ସୀମାନ୍ତରେ ଚାଇନା କ୍ରମାଗତ ଉତ୍ତେଜନା ସୃଷ୍ଟି କରୁଥିବା ପରିପ୍ରେକ୍ଷୀରେ ଦେଶରେ ଚାଇନାବିରୋଧୀ ଆକ୍ରୋଶ ସୃଷ୍ଟିହେବା ସ୍ବାଭାବିକ। କିନ୍ତୁ ତା’ ବୋଲି ଚାଇନାର ସମସ୍ତ ସାମଗ୍ରୀ ଏବଂ ସେବାର ଦ୍ୱାର ବନ୍ଦ କରିଦେବା ଅର୍ଥନୈତିକ ଦୃଷ୍ଟିରୁ କେବଳ ଅର୍ଥହୀନ ନୁହେଁ ବରଂ ଏହା ସ୍ବଳ୍ପରୁ ମଧ୍ୟମ ଅବଧି ମଧ୍ୟରେ ଦେଶ ପାଇଁ ବିପରୀତ ଫଳଦାୟୀ ହୋଇପାରେ। ଅନେକ ସମୟରେ ଯୁକ୍ତି କରାଯାଉଛି ଯେ, ଚାଇନା ସହିତ ଭାରତ ବାଣିଜି୍ୟକ ନିଅଣ୍ଟ ଦେଇ ଗତି କରୁଛି। କିନ୍ତୁ ବାଣିଜି୍ୟକ ନିଅଣ୍ଟ ସବୁବେଳେ ଖରାପ ନୁହେଁ। ଏହାର ଅର୍ଥ ନୁହେଁ ଯେ, ଏକ ଦେଶ ସହିତ ବାଣିଜି୍ୟକ ଉଦ୍‌ବୃତ୍ତ ସବୁବେଳେ ଭାରତକୁ ଆର୍ଥିକ ଦୃଷ୍ଟିରୁ ଉକ୍ତ ଦେଶ ଅପେକ୍ଷା ଅଧିକ ସମୃଦ୍ଧ କରିବ। ଉଦାହରଣ ସ୍ବରୂପ ଆମେରିକା, ବ୍ରିଟେନ ଏବଂ ନେଦରଲାଣ୍ଡ ସହିତ ଭାରତର ବାଣିଜି୍ୟକ ଉଦ୍‌ବୃତ୍ତ ରହିଛି। କିନ୍ତୁ ଏହା ଭାରତୀୟ ଅର୍ଥନୀତିକୁ ଏହି ଦେଶଗୁଡ଼ିକ ତୁଳନାରେ ଅଧିକ ଶକ୍ତିଶାଳୀ କିମ୍ବା ଉନ୍ନତ କରିନାହିଁ। ସେହିଭଳି ଦକ୍ଷିଣ ଆଫ୍ରିକା ସମେତ ୨୦ଟିରୁ ଅଧିକ ଦେଶ ସହିତ ଭାରତର ବାଣିଜି୍ୟକ ନିଅଣ୍ଟ ରହିଛି। କିନ୍ତୁ ଏହାର ଅର୍ଥ କ’ଣ ଦକ୍ଷିଣ ଆଫ୍ରିକା ତୁଳନାରେ ଭାରତର ଅର୍ଥନୀତି ଖରାପ? ତେଣୁ ବାଣିଜି୍ୟକ ନିଅଣ୍ଟ ଏକ ଦୁର୍ବଳ ଅର୍ଥନୀତିର ସ୍ପଷ୍ଟ ସୂଚକ ହୋଇ ନ ପାରେ। ଚାଇନା ସହିତ ବାଣିଜି୍ୟକ ନିଅଣ୍ଟର ଅର୍ଥ ହେଉଛି ଚାଇନିଜ୍‌ମାନେ ଯେତିକି ଭାରତୀୟ ସାମଗ୍ରୀ କିିଣୁଛନ୍ତି, ସେହି ତୁଳନାରେ ଭାରତୀୟମାନେ ଅଧିକ ଚାଇନିଜ୍‌ ସାମଗ୍ରୀ କିଣୁଛନ୍ତି। ଏହାର ଅନ୍ୟ ଅର୍ଥ ହେଉଛି ଚାଇନା ସାମଗ୍ରୀ ଜର୍ମାନ୍‌ କିମ୍ବା ଜାପାନୀ ଉତ୍ପାଦ କିମ୍ବା ତା’ର ଭାରତୀୟ ବିକଳ୍ପ ତୁଳନାରେ ଅଧିକ ଭଲ। ଉଭୟ ଭାରତୀୟ ଗ୍ରାହକ ଏବଂ ଚାଇନାର ଉତ୍ପାଦକମାନେ ଦ୍ୱିପାକ୍ଷିକ ବାଣିଜ୍ୟରୁ ଲାଭବାନ୍‌ ହୁଅନ୍ତି। ଯଦି ଭାରତ ଏକ ବିକଳ୍ପ ବ୍ୟବସ୍ଥା କରି ନ ପାରେ ଯେଉଁଥିରେ ସମାନ ଜିନିଷ ସମାନ ଦରରେ ଉତ୍ପାଦିତ ହୋଇପାରିବ, ତା’ହେଲେ ପରିସ୍ଥିତି ବଦଳିବ ନାହିଁ। ଆହୁରି ମଧ୍ୟ ଭାରତୀୟମାନେ ଚାଇନା କିମ୍ବା ଚାଇନାର ଉତ୍ପାଦକୁ ଭଲ ପାଆନ୍ତି ବୋଲି ଚାଇନା ଜିନିଷ କିଣନ୍ତି ନାହିଁ। ପ୍ରକୃତରେ ଭାରତରେ ଏହି ଦେଶ ପ୍ରତି ଯଥେଷ୍ଟ ଘୃଣାଭାବ ରହିଛି। କିନ୍ତୁ ଅର୍ଥନୀତି ସବୁବେଳେ ଅନ୍ୟ ବିଚାର ଅପେକ୍ଷା ପ୍ରାଧାନ୍ୟ ପାଇଥାଏ। ଅଧିକ ଭଲ ବିକଳ୍ପ ନ ଥିବାରୁ ଭାରତୀୟମାନେ ଚାଇନାର ଉତ୍ପାଦ କିଣୁଛନ୍ତି। ନିଜ ଦେଶର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଉତ୍ପାଦନ କରିବାର କ୍ଷମତା ଆମର ନାହିଁ। ସମାନ ମୂଲ୍ୟରେ ସମାନ ଜିନିଷ ଉତ୍ପାଦନ କରିବା ପାଇଁ ଆମର ଦକ୍ଷ ମାନବସମ୍ବଳ କିମ୍ବା ଏକ ଦକ୍ଷ ବ୍ୟବସ୍ଥା ନାହିଁ। ପୃଥିବୀର କୌଣସି ଦେଶ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ନୁହନ୍ତି। ଗୋଟିଏ ଉତ୍ପାଦ କିମ୍ବା ସେବା କିମ୍ବା ଅନ୍ୟ କିଛି ପାଇଁ ପ୍ରତ୍ୟେକ ଦେଶ ଅନ୍ୟ ଉପରେ ନିର୍ଭର କରେ। କେବଳ ରପ୍ତାନି ଏବଂ ଆମଦାନି ମଧ୍ୟରେ ଅନୁପାତ ଭିନ୍ନ ହୋଇଥାଏ। ଅତୀତ ତୁଳନାରେ ଆଜି ଭାରତ ପାଖରେ ୫୦୦ ବିଲିୟନ ଡଲାରର ବୈଦେଶିକ ମୁଦ୍ରା ରହିଛି, ଯାହାଦ୍ୱାରା ଏକ ବର୍ଷରୁ ଅଧିକ ସମୟ ପାଇଁ ବିଦେଶରୁ ଆବଶ୍ୟକ ସାମଗ୍ରୀ ଆମଦାନି କରାଯାଇପାରିବ। ଚାଇନା ସାମଗ୍ରୀ ଉପରେ ନିଷେଧାଦେଶ ଜାରି କରାଗଲେ ତାହା ଗରିବ ଭାରତୀୟଙ୍କୁ ଅଧିକ ପ୍ରଭାବିତ କରିବ କାରଣ ଭାରତ ଏକ ମୂଲ୍ୟ-ସମ୍ବେଦନଶୀଳ ବଜାର ଏବଂ ସମ୍ଭାବ୍ୟ ମୂଲ୍ୟବୃଦ୍ଧି ଦ୍ୱାରା ଗରିବ ଲୋକମାନେ ସବୁଠାରୁ ବେଶି ପ୍ରଭାବିତ ହେବେ। ଯଦି ଚାଇନା ସାମଗ୍ରୀକୁ ନିଷିଦ୍ଧ କରାଯାଏ ଧନୀ ଲୋକମାନଙ୍କର କିଛି ଅସୁବିଧା ହେବନାହିଁ କାରଣ ସେମାନେ ବିକଳ୍ପ ସ୍ବରୂପ ଅଧିକ ମୂଲ୍ୟବାନ୍‌ ଜାପାନୀ କିମ୍ବା ଜର୍ମାନ୍‌ ଉତ୍ପାଦ କିଣିପାରିବେ। କିନ୍ତୁ ଯଦି ସରକାର ଦେଶର ଅତିଗରିବମାନଙ୍କ ପାଇଁ ଶସ୍ତା ଉତ୍ପାଦ ଉପଲବ୍ଧ କରାଇ ନ ପାରନ୍ତି ତେବେ ସେମାନଙ୍କ ଦୁଃଖର ସୀମା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri