ରାହୁରୂପୀ କପି

ଅକ୍ଷୟ କୁମାର ମିଶ୍ର

ଅଧୁନା କପି ହେବା, ପ୍ରଶ୍ନପତ୍ର ପ୍ରଘଟ ହେବା ସାଧାରଣ ଘଟଣାରେ ପରିଣତ ହେଲାଣି। ପରୀକ୍ଷାରେ କପି କାହିଁକି ହେଉଛି, କାରଣ କ’ଣ, ଏହା ପଛରେ ଦାୟୀ କେଉଁମାନେ, ଏସବୁ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବା ଏବଂ ପ୍ରତିକାର କ୍ଷେତ୍ରରେ ଆନ୍ତରିକତା ପ୍ରଦର୍ଶନ କରିବା ମନେହେଉ ନାହିଁ। ରକ୍ଷକ ଯେତେବେଳେ ଭକ୍ଷକ ସାଜେ, କିଏ କାହାକୁ ଦୋଷ ଦେବ? ଏହାହିଁ ଘଟୁଛି ଆମ ରାଜ୍ୟର ବିଭିନ୍ନ ପରୀକ୍ଷା ବିଶେଷକରି ମାଟ୍ରିକ ପରୀକ୍ଷାରେ। ଚାଲିଛି କପି। ଅଭିଯୋଗ ଉଠୁଛି, ଏଥିରେ ଶିକ୍ଷକମାନେ ହେଉଛନ୍ତି ମୁଖ୍ୟ କାର୍ପଟଦାର। ଅବଶ୍ୟ କିଛି ଶିକ୍ଷକ ଏଭଳି ମନ୍ଦ କାର୍ଯ୍ୟର ବିରୋଧୀ। କିନ୍ତୁ ଏମାନଙ୍କ ସଂଖ୍ୟା ଏତେ କମ୍‌, ଯାହାକି ଏମାନେ ବାଧ୍ୟ ହେଉଛନ୍ତି ଚୁପ୍‌ ରହିବାକୁ। ଏହି ବର୍ଗର ଜଣେ ଶିକ୍ଷକ ନିଜ ପରିଚୟ ଗୋପନ ରଖି ଯାହା କହିଲେ ମୁଁ ତାଜୁବ ହୋଇଗଲି। ମନେମନେ ଭାବିଲି, ଆଜି ସମାଜରେ ଯେତେ ଅନ୍ୟାୟ ଅନୀତି ହେଉଛି ତା’ର ଅୟମାରମ୍ଭ ବୋଧହୁଏ ଏହି ପରୀକ୍ଷାରୁ ଆରମ୍ଭ ହେଉଛି। କୋମଳମତି ଶିଶୁ ମନରେ ଭରି ଦିଆଯାଉଛି କେମିତି ପରିଶ୍ରମ ନ କରି ଭଲ ଫଳ ମିଳିପାରିବ। ତାହା ପୁଣି କିଏ ଭରି ଦେଉଛନ୍ତି, ଯିଏ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶର ଦାୟିତ୍ୱ ନେଇଛନ୍ତି।
ଛାତ୍ରୀଛାତ୍ରମାନଙ୍କୁ ପ୍ରଥମ ଶ୍ରେଣୀରେ ଅଧ୍ୟୟନ ବେଳଠୁ କପିମନ୍ତ୍ର ପାଠ କରାଇବାରେ ଅଭ୍ୟସ୍ତ କରାଯାଉଛି। କୌଣସି ପ୍ରାଥମିକ ବିଦ୍ୟାଳୟରେ ପରୀକ୍ଷା ଚାଲିଥିବା ସମୟରେ ଯଦି ଆମେ ସେଠାକୁ ଯିବା ଏହାହିଁ ଦେଖିବାକୁ ପାଇବା। ଦେଖିଲା ପରେ ଯେକେହି କହିବ ପାଠରେ ନୁହେଁ, ବରଂ କପି କରିବାରେ କାହାର କେତେ ଦକ୍ଷତା ତାହା ହିଁ ପରୀକ୍ଷା କରାଯାଉଛି। ଏମିତି ଚାଲିଲେ ପିଲାଏ ପଢ଼ିବେ କାହିଁକି, ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ କାହିଁକି?
ଆମ ରାଜ୍ୟରେ ମାଧ୍ୟମିକ ଶିକ୍ଷା କହିଲେ ନବମ ଓ ଦଶମ ଶ୍ରେଣୀକୁ ବୁଝାଏ। ପୂର୍ବରୁ କେବଳ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷାକୁ ଛାଡ଼ିଦେଲେ ବାକି ସମସ୍ତ ପରୀକ୍ଷା ବିଦ୍ୟାଳୟ ଦ୍ୱାରା ପରିଚାଳିତ ହେଉଥିଲା। ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ରର ପ୍ରସ୍ତୁତି, ପରୀକ୍ଷା ଖାତାର ମୂଲ୍ୟାୟନ ଏବଂ ଫଳ ପ୍ରକାଶନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କରୁଥିଲେ। ୨୦୨୦ରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ସଂସ୍କାର ନାମରେ ଅନେକ କିଛି ପରିବର୍ତ୍ତନ ଆଣିଲେ। ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷାର ନାମ ବଦଳାଇ ଯଥାକ୍ରମେ ସମ୍ମେଟିଭ-୧ ଓ ସମ୍ମେଟିଭ-୨ ନାମରେ ନାମିତ କଲେ। ଉଭୟ ଶ୍ରେଣୀରେ ହେଉଥିବା ଏହି ଦୁଇଟି ପରୀକ୍ଷା ପରିଚାଳନାର ଦାୟିତ୍ୱ ବୋର୍ଡ ହାତକୁ ନେଇଛନ୍ତି। ନବମ ଶ୍ରେଣୀର ଏହି ଦୁଇଟି ପରୀକ୍ଷା ଯଦିଓ ନିଜ ବିଦ୍ୟାଳୟରେ ଅନୁଷ୍ଠିତ ହେଉଛି, କିନ୍ତୁ ପ୍ରଶ୍ନପତ୍ର ବୋର୍ଡ ଦ୍ୱାରା ଯୋଗାଇ ଦିଆଯାଉଛି। ମୂଲ୍ୟାୟନ ଅନ୍ୟ ବିଦ୍ୟାଳୟର ଶିକ୍ଷକଙ୍କ ଦ୍ୱାରା ହେଉଛି। ବୋର୍ଡ ପରୀକ୍ଷାଫଳ ପ୍ରକାଶ କରୁଛି। ହେଲେ ପରୀକ୍ଷା ଯେମିତି ଚାଲିଛି କହିଲେ କୁଳ କୁଟମ୍ବକୁ ଲାଜ, ନ କହିଲେ କୁଳ ଭାସି ଯାଉଛି। ପରୀକ୍ଷା ହେବାର ଯଥେଷ୍ଟ ପୂର୍ବରୁ ପ୍ରଶ୍ନ ଓ ଉତ୍ତର ଉଭୟ ୟୁ-ଟ୍ୟୁବ୍‌ରେ ମିଳୁଛି।
ଆଉ ପରୀକ୍ଷା କେମିତି ହେଉଛି ନ କହିବା ଭଲ। ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି। ଦଶମ ଶ୍ରେଣୀରେ ଏବେ ଦୁଇଟି ବୋର୍ଡ ପରୀକ୍ଷା। ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରକୁ ଦୁଇ ଦୁଇ ଥର ପରୀକ୍ଷା ଦେବା ପାଇଁ ଯିବାକୁ ପଡୁଛି ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କୁ। ପ୍ରଶ୍ନପତ୍ର ପ୍ରଘଟ ନ ହେବା ପାଇଁ ପ୍ରତି ବ୍ଲକରେ ଗୋଟିଏ ଗୋଟିଏ ନୋଡାଲ ସେଣ୍ଟର ହୋଇଛି, ଯେଉଁଠି ପ୍ରଶ୍ନପତ୍ର ସଞ୍ଚତ୍ତ ରହୁଛି ଏବଂ ପରୀକ୍ଷା କେନ୍ଦ୍ରକୁ ହାଇ ସିକ୍ୟୁରିଟି ଜରିଆରେ ପ୍ରୋଗ୍ରାମ ଅନୁଯାୟୀ ପ୍ରଶ୍ନ ପ୍ୟାକେଟ ଯାଉଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ୍‌ ଗଠନ କରାଯାଉଛି। କିଛି କିଛି ପରୀକ୍ଷା କେନ୍ଦ୍ରକୁ ଅବଜର୍ଭର ମଧ୍ୟ ପଠାଯାଉଛି। ହେଲେ କପି ରୋକାଯାଇ ପାରିଛି ନା ପାରିବ, ଯେପର୍ଯ୍ୟନ୍ତ ଶିକ୍ଷକମାନେ ଚାହିଁ ନାହାନ୍ତି। ଏ ବାବଦରେ ଯଦି ଶିକ୍ଷକଙ୍କୁ ପଚରାଯିବ, ”ପରୀକ୍ଷାରେ କପି କରିବା ଏବଂ ଏହାକୁ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ପ୍ରୋତ୍ସାହନ ଦେବା ଅପରାଧ ନୁହେଁ କି? ଏହା ସମ୍ପୂର୍ଣ୍ଣ ବନ୍ଦ ହେଉ ଏକଥା କ’ଣ ଆପଣମାନେ ଚାହୁଁ ନାହାନ୍ତି?“ ଉତ୍ତର ଆସିବ, ”କପି କରିବା ଏକ ବଡ଼ ଧରଣର ଅପରାଧ। ଏହା ଦ୍ୱାରା ଛାତ୍ର ସମାଜର ଅପୂରଣୀୟ କ୍ଷତି ହେଉଛି। କିନ୍ତୁ କେବଳ ମୁଁ ଚାହିଁଲେ ହେବ ନାହିଁ। ସମସ୍ତେ ଚାହିଁବା ଦରକାର। କି ସୁନ୍ଦର ପଳାୟନପନ୍ଥୀ ଯୁକ୍ତି! ନିଜ ଦାୟିତ୍ୱବୋଧଠାରୁ ନିଜକୁ ଦୂରେଇ ନେଇ ଅନ୍ୟ ଉପରେ ଦୋଷ ଲଦିଦେବାର ଯୋଜନା।
ଏବେ ଦେଖାଯାଉଛି ପରୀକ୍ଷାରେ କପି ହେବାକୁ ନେଇ ବୋର୍ଡ, ବିଭାଗୀୟ କର୍ତ୍ତୃପକ୍ଷ, ସ୍କ୍ବାଡ୍‌, ପର୍ଯ୍ୟବେକ୍ଷକ, କେନ୍ଦ୍ର ଅଧୀକ୍ଷକ, ଉପଅଧୀକ୍ଷକ, ଶିକ୍ଷକ୍ଷିତ୍ରୀ, ଶିକ୍ଷକ ଯେଉଁମାନେ ନିରୀକ୍ଷକ ହେଉଛନ୍ତି, ସଭିଏଁ ନିଜର ଦୋଷ ଦୁର୍ବଳତା ନ ଧରି ଅନ୍ୟମାନଙ୍କୁ ଦୋଷ ଦେବାରେ ବ୍ୟସ୍ତ। ଖାଲି ଏତିକି ନୁହେଁ, କିଛି କିଛି ପରୀକ୍ଷା କେନ୍ଦ୍ରରେ କପି ଯୋଗାଇବା ନାମରେ ପିଲାଙ୍କଠାରୁ ଅର୍ଥ ଆଦାୟ କରାଯାଉଥିବା ମଧ୍ୟ ଶୁଣିବାକୁ ମିଳେ। କିନ୍ତୁ ଏହା ବିରୋଧରେ କେହି ପାଟି ଖୋଲନ୍ତି ନାହିଁ। କିଏ କାହିଁକି ବା କହିବ! ବିନା ପରିଶ୍ରମରେ ପାଠ ନ ପଢ଼ି ଭଲ ନମ୍ବର ରଖି ମାଟ୍ରିକ ପାଶ୍‌। ପରୀକ୍ଷାର୍ଥୀ ଖୁସ୍‌। ଉତ୍ତରଦାୟିତ୍ୱର ବୋଝ ନ ମୁଣ୍ଡାଇ ନେଇ ଆଣି ଥୋଇ ପାରିଲେ ଶତ ପ୍ରତିଶତ ପରୀକ୍ଷାଫଳ। ସମସ୍ତଙ୍କ ମୁହଁରେ ପ୍ରଶଂସା ”ପାରିବାପଣିଆ ମାଷ୍ଟର ଏକା।“ ବିଭାଗୀୟ ଅଧିକାରୀ ନିଜ ଜିଲା, ପରୀକ୍ଷା ଫଳରେ ରେକର୍ଡ କରିଥିବାରୁ କୃତକୃତ୍ୟ। ନବେ ପ୍ରତିଶତରୁ ଊର୍ଦ୍ଧ୍ୱ ପାଶ୍‌ ହାର ଯୋଗୁ ବୋର୍ଡ ଗର୍ବରେ ଫାଟି ପଡ଼ୁଛି। ସରକାର କହୁଛନ୍ତି, ଆମ ପିଲା କୌଣସି ଗୁଣରେ ସିବିଏସ୍‌ଇ, ଆଇସିବିସି ପିଲାଙ୍କଠାରୁ କମ୍‌ ନୁହନ୍ତି। ଗହନ କଥା ସମସ୍ତେ ଜାଣନ୍ତି, ହେଲେ କେହି କହନ୍ତି ନାହିଁ। କିଏ ନ ଜାଣିଛି ବାର୍ଷିକ ଶିକ୍ଷାର ପରିସଂଖ୍ୟାନ ରିପୋର୍ଟ ସମ୍ପର୍କରେ? ପ୍ରାଥମିକ ଶିକ୍ଷା ସ୍ତରରେ ୮୦% ପିଲା ଯେଉଁଠି ଭଲକରି ଲେଖିପଢ଼ି ପାରୁନାହାନ୍ତି, ସେଠାରେ ମାଧ୍ୟମିକ ସ୍ତରରେ ଏମିତି କେଉଁ ଔଷଧ ପିଲାଙ୍କୁ ଖୁଆଇ ଦିଆଗଲା ଯେ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷାରେ ୯୦%ରୁ ଅଧିକ ପିଲା ଛକା ମାରିଦେଲେ? କପିର କମାଲ!
କିନ୍ତୁ କପି ଏମିତି ଏକ ରାହୁ, ଯିଏ ପିଲାମାନଙ୍କର ମସ୍ତିଷ୍କକୁ ଗ୍ରାସ କରେ। ବୌଦ୍ଧିକ ବିକାଶର ପଥ ରଦ୍ଦ କରିଦିଏ। ସର୍ଜନଶୀଳତାକୁ ପଙ୍ଗୁ କରିଦିଏ। ଶେଷରେ ନୈତିକତା ଧଂସ ହୋଇଯାଏ। ଏହି ଅସାଧୁ ପ୍ରକ୍ରିୟା ବନ୍ଦ ହେବା ଆବଶ୍ୟକ। ଯେଉଁ ଯେଉଁ ବ୍ୟବସ୍ଥା ପରୀକ୍ଷାରେ କପି କରିବାକୁ ସହଜ ଓ ସରଳ କରିଦେଉଛି ସେଗୁଡିକ ସମ୍ପର୍କରେ ସରକାର ଓ ବୋର୍ଡ ପୁନଃ ଚିନ୍ତନ କରନ୍ତୁ। ଅର୍ଦ୍ଧେକ ବସ୍ତୁନିଷ୍ଠ ପ୍ରଶ୍ନ ପୁଣି ୱେମାର ଜରିଆରେ ପରୀକ୍ଷାରେ ଅସାଧୁ କାର୍ଯ୍ୟକୁ ବୃଦ୍ଧି କରିବାରେ ସହାୟକ ହୋଇଛି। ମନେରଖିବା ଉଚିତ ଏସବୁ ପରୀକ୍ଷା ପ୍ରତିଯୋଗିତାମୂଳକ ପରୀକ୍ଷା ନୁହେଁ। ତେବେ ସବୁରି ମୂଳରେ ଶିକ୍ଷକ। କେବଳ ସେମାନେ ଚାହିଁଲେ ପରୀକ୍ଷାରେ ହେଉଥିବା କପିକୁ ବନ୍ଦ କରିଦେଇ ପାରିବେ। କୋମଳମତି ଛାତ୍ରୀଛାତ୍ରଙ୍କ ବିନାଶ ପ୍ରତି ନୁହେଁ, ବିକାଶ ପ୍ରତି ସମ୍ବେଦନଶୀଳ ହେବା ସମସ୍ତଙ୍କର ଧେୟ ହେଉ ।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା
ମୋ: ୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?