ବଲାଙ୍ଗୀର, ୨୪।୭ (ସୁନିଲ କୁମାର ମହାନ୍ତି): ଶୁକ୍ରବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡ଼ା ରଥଯାତ୍ରା ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ଶ୍ରୀଜିଉମାନେ ମାଉସୀମା ମନ୍ଦିରରୁ ବାହୁଡ଼ି ମୂଳ ମନ୍ଦିରକୁ ଫେରିବା ସହ ଚଳିତ ବର୍ଷର ଗୁଣ୍ଡିଚା ରଥଯାତ୍ରାର ସମାପନ ହୋଇଛି।
ଶୁକ୍ରବାର ଅପରାହ୍ନରେ ବଲାଙ୍ଗୀର ସହରର ଟିକ୍ରାପଡ଼ାସ୍ଥିତ ଗାନ୍ଧୀ ପାଠାଗାର ନିକଟ ମାଉସୀମା ମନ୍ଦିରରୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପହଣ୍ଡି ବିଜେ କରାଯିବା ପରେ ରଥରେ ବିଜେ କରାଯାଇଥିଲା। ପରେ ଶ୍ରଦ୍ଧାଳୁମାନେ ରଥ ଟାଣି ତିନି ଠାକୁରଙ୍କୁ ଜଗନ୍ନାଥପଡ଼ାସ୍ଥିତ ମନ୍ଦିରକୁ ବାହୁଡ଼ା ଯାତ୍ରାରେ ନେଇଥିଲେ।
ସେହିପରି କୋଶଳ କଳା ମଣ୍ଡଳସ୍ଥିତ ମାଉସୀମା ମନ୍ଦିରରୁ ମଧ୍ୟ ତିନି ଠାକୁରଙ୍କ ପହଣ୍ଡି ବିଜେ ପରେ ବାହୁଡ଼ା ରଥଯାତ୍ରା ଆରମ୍ଭ ହୋଇଥିଲା। ଏହି ଅବସରରେ ଶତାଧିକ ମହିଳା ଶ୍ରଦ୍ଧାଳୁ ରଥ ଟାଣି ଭକ୍ତିଭାବର ପରିଚୟ ଦେଇଥିଲେ। ବାହୁଡ଼ା ରଥଯାତ୍ରାରେ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସମଗ୍ର ପରିବେଶ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା।

