ନୂଆଦିଲ୍ଲୀ,୬।୧୧: ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସିଲହଟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ବାଂଲାଦେଶୀ ବ୍ୟାଟର୍ ଶାଦମାନ ଇସଲାମ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଷ୍ଟ୍ରେଚର୍ ସାହାଯ୍ୟରେ ପଡ଼ିଆରୁ ବାହାରକୁ ନିଆଯାଇଛି।
ଫିଲ୍ଡିଂ କରୁଥିବା ସମୟରେ ଶାଦମାନଙ୍କ ଗୋଡ଼ ଭୟଙ୍କର ଭାବେ ମୋଡ଼ି ହୋଇଯାଇଥିଲା। ଆଘାତ ଲାଗିବା ପରେ ସେ ଯନ୍ତ୍ରଣାରେ ଛଟପଟ ହୋଇ ପଡ଼ିଆରେ ପଡ଼ିଯାଇଥିଲେ। ତାଙ୍କ ଅବସ୍ଥା ଏତେ ଖରାପ ଥିଲା ଯେ ସେ ନିଜ ଗୋଡ଼ରେ ଚାଲି ପଡ଼ିଆରୁ ବାହାରି ପାରିନଥିଲେ। ଶେଷରେ ତାଙ୍କୁ ଷ୍ଟ୍ରେଚରରେ ବାହାରକୁ ନିଆଯାଇଥିଲା। ପରେ ଏମଆର୍ଆଇ ସ୍କାନ ପାଇଁ ତାଙ୍କୁ ହସ୍ପିଟାଲ ପଠାଯାଇଛି।
ଏବେ ୱେଷ୍ଟଇଣ୍ଡିଜ ଦଳ ବାଂଲାଦେଶ ଗସ୍ତରେ ରହିଛି। ଉଭୟ ଦେଶ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯାଉଛି। ସିରିଜ୍ର ଦ୍ୱିତୀୟ ମ୍ୟାଚ ସିଲହଟରେ ଜାରି ରହିଛି। ମ୍ୟାଚର ଦ୍ୱିତୀୟ ଦିନରେ ଫିଲ୍ଡିଂ କରୁଥିବା ସମୟରେ ଶାଦମାନ ଇସଲାମ ଆହତ ହେବାରୁ ବାଂଲାଦେଶ ଦଳର ଚିନ୍ତା ବଢ଼ିଯାଇଛି।
ୱେଷ୍ଟଇଣ୍ଡିଜ ଇନିଂସର ୭୮ତମ ଓଭରରେ ଏହି ଘଟଣା ଘଟିଥିଲା। ଶାଦମାନ ଏକ ବଲ ପଛରେ ଦୌଡ଼ୁଥିବା ସମୟରେ ପଡ଼ିଆରେ ଥିବା କାକର ଯୋଗୁ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ତାଙ୍କ ଗୋଇଠି ମୋଡ଼ି ହୋଇଯାଇଥିଲା। ସେ ସଙ୍ଗେସଙ୍ଗେ ପଡ଼ିଆରେ ପଡ଼ିଯାଇଥିଲେ ଏବଂ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖାଯାଇଥିଲା। ଘଟଣା ପରେ ମେଡିକାଲ ଟିମ ତୁରନ୍ତ ପହଞ୍ଚି ତାଙ୍କୁ ସହାୟତା କରିଥିଲା।
ଶାଦମାନ ଇସଲାମଙ୍କ ଆଘାତ ଗୁରୁତର ଥିବା ଜଣାପଡ଼ୁଥିଲା। ସେ ନିଜେ ଚାଲି ପଡ଼ିଆରୁ ବାହାରିବା ସ୍ଥିତିରେ ନଥିଲେ। ପ୍ରଥମେ ତାଙ୍କୁ ସହାୟତା କରି ଚଲାଇ ବାହାରକୁ ନେବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏହା ସମ୍ଭବ ନହେବାରୁ ପଡ଼ିଆକୁ ଷ୍ଟ୍ରେଚର୍ ଅଣାଯାଇଥିଲା। ପରେ ଷ୍ଟ୍ରେଚର୍ ସାହାଯ୍ୟରେ ତାଙ୍କୁ ପଡ଼ିଆରୁ ବାହାରକୁ ନିଆଯାଇଥିଲା।
ଆଘାତ ପରେ ଶାଦମାନଙ୍କୁ ଏମଆର୍ଆଇ ସ୍କାନ ପାଇଁ ହସ୍ପିଟାଲ ପଠାଯାଇଛି। ତେବେ ଏପର୍ଯ୍ୟନ୍ତ ତାଙ୍କର ମେଡିକାଲ ରିପୋର୍ଟ ସାମ୍ନାକୁ ଆସିନାହିଁ। ସ୍କାନ ରିପୋର୍ଟ ଆସିବା ପରେ ହିଁ ତାଙ୍କ ଆଘାତର ଗମ୍ଭୀରତା ଏବଂ ପଡ଼ିଆକୁ ଫେରିବା ନେଇ ସ୍ପଷ୍ଟ ସୂଚନା ମିଳିପାରିବ।

