ନୂଆଦିଲ୍ଲୀ,୨୬ା୧୧: ଆସନ୍ତା ଡିସେମ୍ବର ୧୬ରେ ହେବାକୁଥିବା ଆଇପିଏଲ୍ ଅକ୍ସନ ଲାଗି ପୂର୍ବତନ ଭାରତୀୟ ଓପ୍ନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀରଙ୍କ ସମେତ ୯୯୪ ଅନ୍କ୍ୟାପ୍ଡ ଖେଳାଳି ନାମ ପଞ୍ଜୀକୃତ କରାଇଛନ୍ତି। ଅଷ୍ଟ୍ରେଲିଆ ପେସର ସ୍କଟ୍ ବୋଲାଣ୍ଡ ଓ ଝେ ରିଚାର୍ଡସନ ସୀମିତ ଉପଲବ୍ଧତା ସତ୍ତ୍ୱେ ଅକ୍ସନରେ ସାମିଲ ହୋଇଛନ୍ତି।
୨୦୧୬ରେ ଆଇପିଏଲ୍ ଖେଳିଥିବା ବୋଲାଣ୍ଡ ୧ କୋଟି ଟଙ୍କାର ବେସ୍ ପ୍ରାଇସ୍ରେ ନାମ ପଞ୍ଜୀକୃତ କରାଇଛନ୍ତି। କିନ୍ତୁ ଟୁର୍ନାମେଣ୍ଟ ଲାଗି ତାଙ୍କର ଉପଲବ୍ଧ ରହିବାର ବିଶେଷ ସମ୍ଭାବନା ନାହିଁ। ୨୦୨୧ ସିଜନରେ ପଞ୍ଜାବ ପାଇଁ ଖେଳିଥିବା ରିଚାର୍ଡସନ ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ କାଟେଗୋରିରେ ରହିଛନ୍ତି। କିନ୍ତୁ ସେ ଅଧା ଟୁର୍ନାମେଣ୍ଟ ଲାଗି ଉପଲବ୍ଧ ରହିବେ। ସେ ସମସ୍ତ ଫର୍ମାଟ୍ରେ ଅଷ୍ଟ୍ରେଲିଆ ପାଇଁ ଖେଳିସାରିଛନ୍ତି। ଅନ୍ତିମଥର ୨୦୨୪ରେ ଆଇପିଏଲ୍ ଖେଳିଥିବା ଡେଭିଡ୍ ଓ୍ବାର୍ନର ନିଜକୁ ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ କାଟେଗୋରିରେ ରଖିଛନ୍ତି। ଅବସର ନେଇସାରିଥିବାରୁ ତାଙ୍କ ଉପଲବ୍ଧତାକୁ ନେଇ କୌଣସି ସମସ୍ୟା ନାହିଁ। ମାତ୍ର ତାଙ୍କୁ କୌଣସି ଫ୍ରାଞ୍ଚାଇଜ୍ ବାଛିବାର ଖୁବ୍ ସମ୍ଭାବନା ରହିଛି। ଇଂଲଣ୍ଡର ସାମ୍ ବିଲିଂସ ୮୦ ପ୍ରତିଶତ ଟୁର୍ନାମେଣ୍ଟ ଲାଗି ଉପଲବ୍ଧ ରହିବେ। ପ୍ରତ୍ୟେକ ଆଇପିଏଲ୍ ପୂର୍ବରୁ ବିଦେଶୀ ଖେଳାଳିଙ୍କ ଉପଲବ୍ଧତାକୁ ନେଇ ଖୁବ୍ ଚର୍ଚ୍ଚା ହୁଏ। ମିଚେଲ ଷ୍ଟାର୍କ ୨୦୨୬ ଆଇପିଏଲ୍ର ପ୍ରଥମ ଭାଗ ଲାଗି ଉପଲବ୍ଧ ନ ରହିବା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଡ଼ କ୍ଷତି ସାବ୍ୟସ୍ତ ହୋଇଥିଲା। ଷ୍ଟାର୍କ ଓ ଟ୍ରାଭିସ୍ ହେଡ୍ ୨୦୨୭ ଆଇପିଏଲ୍ ଲାଗି ଉପଲବ୍ଧ ନାହାନ୍ତି।
ବର୍ଷରୁ କମ୍ ଭାରତୀୟ ଦଳର ଷ୍ଟାର ଆର୍ଯ୍ୟବୀର ଓ ମୋହିଦ ଉଲଭା ୩୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସ୍ରେ ଅକ୍ସନରେ ସାମିଲ ହୋଇଛନ୍ତି। ଦୁହେଁ ୧୯ ବର୍ଷରୁ କମ୍ ଏସିଆ କପ୍ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଥିଲେ। ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ ହୋଇଥିବା ବେଳେ ୫ ଇନିଂସ୍ରେ ୩୬୧ ରନ କରିଥିବା ଆର୍ଯ୍ୟବୀରଙ୍କୁ ପ୍ଲେୟର ଅଫ୍ ଦି ଟୁର୍ନାମେଣ୍ଟ ବିବେଚିତ କରାଯାଇଛି। ଭେଟେରାନ ଇଶାନ୍ତ ଶର୍ମା ଓ ନୀତୀଶ ରାଣା ଅନ୍କ୍ୟାପ୍ଡ ତାଲିକାରେ ନାମ ପଞ୍ଜୀକୃତ କରାଇଛନ୍ତି।

