Posted inଫୁରସତ

ପର୍ଯ୍ୟଟନସ୍ଥଳୀ ଅରିତାର: ଯେଉଁଠି ମିଳେ ମନକୁ ଶାନ୍ତି

ସିକ୍କିମ୍‌ସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଅରିତାର। ଏଠାକାର ଶାନ୍ତ ତଥା ମନୋରମ ପରିବେଶ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ବିଶେଷକରି ସକାଳ ସମୟରେ ଏହି ସ୍ଥାନର ଅପୂର୍ବ ଶୋଭା କାହାକୁ ବି ଆକର୍ଷିତ କରିପାରେ। ତେଣୁ ପ୍ରାୟତଃ ଦେଖାଯାଏ, ପରିବାର ସଙ୍ଗେ ହେଉ ଅବା ସାଙ୍ଗସାଥୀ ଅଥବା ନିଜ ଜୀବନସାଥୀ ସହ କ୍ୱାଲିଟି ଟାଇମ୍‌ ବିତାଇବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଆସିଥାନ୍ତି।

ଅପୂର୍ବ ପ୍ରାକୃତିକ ଶୋଭା ସାଙ୍ଗକୁ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀକୁ ନିଜ ଭିତରେ ସାଇତି ରଖିଥିବା ଅରିତାର ହେଉଛି ସିକ୍କିମ୍‌ସ୍ଥିତ ଏକ ଶାନ୍ତ, ମନୋରମ ସ୍ଥାନ। ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ବହୁ ଉଚ୍ଚ ଉଚ୍ଚ ପାହାଡ, ଘଞ୍ଚ ଜଙ୍ଗଲ, ହ୍ରଦ, ଝରଣା ଆଧ୍ୟାତ୍ମିକ ପୀଠ ସାଙ୍ଗକୁ ଆହୁରି ଅନେକ କିଛି। କେବଳ ସେତିକି ନୁହେଁ ଏଠାରେ ବହୁ ଦୁଃସାହସିକ କ୍ରୀଡ଼ା ପାଇଁ ବି ରହିଛି ସୁବିଧା ଓ ସୁଯୋଗ। ସେଥିପାଇଁ ବର୍ଷକ ବାରମାସ ଏଠାରେ ପର୍ଯ୍ୟଟକଙ୍କର ଯା’ଆସ ଲାଗି ରହିଥାଏ।

କ’ଣ ଦେଖିବେ
* ଲମ୍ପୋଖରୀ: ଏହା ହେଉଛି ସିକ୍କିମ୍‌ସ୍ଥିତ ଏକ ବହୁ ପୁରୁଣା ପ୍ରାକୃତିକ ହ୍ରଦ, ଯାହାର ସୌନ୍ଦର୍ଯ୍ୟ ଏବେ ବି ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ଅରିତାରର ଖୁବ୍‌ ନିକଟରେ ରହିଛି ଏହି ହ୍ରଦଟି। ଏଠାରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ବୋଟିଂର ସୁବିଧା ପ୍ରଦାନ କରାଯାଇଥାଏ। କେବଳ ସେତିକି ନୁହେଁ ପ୍ରତିବର୍ଷ ଏପ୍ରିଲ୍‌- ମେ’ ଆଡ଼କୁ ଏଠାରେ ଲମ୍ପୋଖରୀ ଟୁରିଜମ୍‌ ଫେଷ୍ଟିଭାଲ୍‌ର ଆୟୋଜନ କରାଯାଇଥାଏ; ଯେଉଁ ସମୟରେ ବିଭିନ୍ନ ପ୍ରକାର ଦୁଃସାହସିକ କ୍ରୀଡ଼ା ଯେମିତି କି ବୋଟିଂ, ଘୋଡ଼ା ସବାରି, ପରମ୍ପରାଗତ ତୀର ଚାଳନା, ଟ୍ରେକିଂ, ରକ୍‌ କ୍ଲାଇମ୍ବିଂ, ପାରାଗ୍ଲାଇଡିଂ ଆଦି ପ୍ରତିଯୋଗିତାରେ ଭାଗ ନେବାକୁ ବହୁ ସଂଖ୍ୟାରେ ପ୍ରତିଯୋଗୀ ଏଠାକୁ ଆସିଥାନ୍ତି।

* ଅରିତାର ଗୁମ୍ପା: ଏହା ହେଉଛି ସ୍ଥାନୀୟ ଏକ ପୁରାତନ ମଠ। ଏହି ମଠର କାରୁକାର୍ଯ୍ୟ ଦେଖିବାକୁ ବେଶ୍‌ ଆକର୍ଷଣୀୟ ହୋଇଥାଏ।
* ଡାକବଙ୍ଗଳା: ଏହା ଅରି-ବଙ୍ଗଳା ନାମରେ ବି ପରିଚିତ। ବହୁ ପୁରୁଣା ଏହି ବଙ୍ଗଳାକୁ କୁଆଡ଼େ ବ୍ରିଟିଶ୍‌ମାନେ ନିର୍ମାଣ କରିଥିଲେ ବୋଲି ସୂଚନା ରହିଛି।
* ପର୍ବତେଶ୍ୱର ଶିବାଳୟ ମନ୍ଦିର: ପାହାଡ଼ ଉପରେ ଅବସ୍ଥିତ ଏହି ଶିବାଳୟରେ ପ୍ରତିବର୍ଷ ଶିବରାତ୍ରି ଓ ଶ୍ରାବଣ ମାସରେ ଭକ୍ତଙ୍କର ବେଶ୍‌ ଗହଳି ଦେଖିବାକୁ ମିଳିଥାଏ।
* ମଙ୍ଗ୍‌ଖିମ୍‌: ଏହା ହେଉଛି ଅରିତାରସ୍ଥିତ ଅନ୍ୟତମ ଆଧ୍ୟାତ୍ମିକ ପୀଠ। ପ୍ରକୃତିକୁ ପୂଜା କରୁଥିବା ସ୍ଥାନୀୟ ରାୟ ଜନଜାତି ଲୋକମାନଙ୍କର ଏହା ହେଉଛି ମନ୍ଦିର। ପ୍ରତିବର୍ଷ ଏପ୍ରିଲ୍‌-ମେ’ ସମୟରେ ଏଠାରେ ସାକେବ ନାମକ ଏକ ବିଶେଷ ପୂଜାର ଆୟୋଜନ କରାଯାଇଥାଏ। ଚାଷରେ ଭଲ ଅମଳ ହେବାର ଲକ୍ଷ୍ୟ ରଖି ସେମାନେ ଏହି ପୂଜା କରିଥାନ୍ତି ବୋଲି ବିଶ୍ୱାସ ରହିଛି।
* ଏଭର୍‌ଗ୍ରୀନ୍‌ ନର୍ସରୀ ଓ ରାମଗୌରୀ ସଂଗ୍ରହାଳୟ: ଏଠାରେ ବିଭିନ୍ନ ପ୍ରକାର ଫୁଲ ଗଛ ସହ ଅନେକ ଔଷଧୀୟ ବୃକ୍ଷ ଦେଖିବାର ସୁଯୋଗ ପାଇପାରିବେ ପର୍ଯ୍ୟଟକ। ତା’ସହିତ ନାନାଦି ରକମର କାଠ ବିଷୟରେ ଜାଣିବାର ବି ସୁବିଧା ଏଠାରେ ଉପଲବ୍ଧ ରହିଛି।
* କାଲି ଖୋଲ୍‌ ଜଳପ୍ରପାତ: ମାତ୍ର ୧୦୦ ମିଟର ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟି ହେଉଛି ଅରିତାରର ଅନ୍ୟତମ ଆକର୍ଷଣ। ଏହାକୁ କେହି କେହି ଲୋନ୍‌ଲି ଜଳପ୍ରପାତ ବୋଲି ମଧ୍ୟ କହିଥାନ୍ତି।
* ଚାଙ୍ଗେ ଜଳପ୍ରପାତ: ଲମ୍ପୋଖରୀ ନିକଟସ୍ଥ ଏହା ହେଉଛି ଅନ୍ୟତମ ଜଳପ୍ରପାତ। ମାତ୍ର ୫୦ ମିଟର ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟିର ଆକର୍ଷଣୀୟ ଦୃଶ୍ୟ କାହାକୁ ବି ଆକର୍ଷିତ କରିପାରେ।
* ଲଙ୍ଗ୍‌ଚୋକ୍‌ ଉପତ୍ୟକା: ଏହା ହେଉଛି ଅରିତାର ନିକଟସ୍ଥ ଏକ ଲୋକପ୍ରିୟ ଟ୍ରେକିଂ ଡେଷ୍ଟିନେଶନ।
* ଲଭ୍‌ ଦାରା: ଏହା ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପିକ୍‌ନିକ୍‌ ସ୍ପଟ୍‌।

କେବେ ଓ କେମିତି ଯିବେ
ବର୍ଷର ଯେକୌଣସି ସମୟରେ ଅରିତାରକୁ ବୁଲିଯିବାର ସୁବିଧା ଥିଲେ ହେଁ ଶୀତଦିନେ ଏଠାରେ ବେଶ୍‌ ଭିଡ଼ ଜମୁଥିବା ଦେଖିବାକୁ ମିଳିଥାଏ। ଅନ୍ୟପକ୍ଷେ ଏପ୍ରିଲ୍‌-ମେ’ ସମୟରେ ବି ଏଠି ଆଗନ୍ତୁକଙ୍କର ପ୍ରବଳ ଗହଳି ପରିଲକ୍ଷିତ ହୋଇଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ଯେହେତୁ ଅରିତାରରେ କୌଣସି ରେଳଷ୍ଟେଶନ ନାହିଁ, ତେଣୁ ପର୍ଯ୍ୟଟକଙ୍କୁ ନ୍ୟୁ ଜଲପାଇଗୁଡ଼ି ଜଙ୍କସନ୍‌ ରେଲଓ୍ବେ ଷ୍ଟେଶନରେ ପହଞ୍ଚତ୍ ସେଠାରୁ ଟ୍ୟାକ୍ସି ହେଉ ଅବା କ୍ୟାବ୍‌ ଭଡ଼ା କରି ଅରିତାରକୁ ଯିବାକୁ ହୋଇଥାଏ। ଅନ୍ୟପକ୍ଷେ ବାଗ୍‌ଡୋଗ୍ରା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ହେଉଛି ଅରିତାରର ନିକଟବର୍ତ୍ତୀ ମୁଖ୍ୟ ବିମାନବନ୍ଦର। ସେଠାରୁ ବି ଅରିତାରକୁ ଯିବା ପାଇଁ ଟ୍ୟାକ୍ସିର ସୁବିଧା ରହିଛି। ଏସବୁ ବାଦ୍‌ ଦେଶର ବିଭିନ୍ନ ସ୍ଥାନରୁ ବି ସିକ୍କିମ୍‌କୁ ଯିବା ପାଇଁ ଟୁରିଷ୍ଟ ବସ୍‌ର ବ୍ୟବସ୍ଥା ରହିଛି। ଯଦ୍ଦ୍ବାରା ପର୍ଯ୍ୟଟକ ସିକ୍କିମ୍‌ରେ ପହଞ୍ଚତ୍ ସେଠାରୁ ଟାଉନ୍‌ ବସ୍‌ ହେଉ ଅବା ଟ୍ୟାକ୍ସି ସାହାଯ୍ୟରେ ଯାଇ ଆରାମରେ ଅରିତାରରେ ପହଞ୍ଚିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?