ଆମେ ନୀରବ ହେତୁ ଶୋଷିତ କି

ରାଜୀବ କର୍ମୀ

ବେଳେବେଳେ ମନକୁ ଗୋଟିଏ ପ୍ରଶ୍ନ ଆନ୍ଦୋଳିତ କରେ। ସମାଜରେ ଅସହାୟ, ନିରାଶ୍ରୟ, ଦରିଦ୍ର ଏବଂ ଅବହେଳିତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ୁଛି କାହିଁକି? ଅନେକ ସରକାରୀ ଏବଂ ବେସରକାରୀ ଯୋଜନା ସହିତ ଜନ ସଚେତନତାରେ କୋଟି କୋଟି ଟଙ୍କା ବ୍ୟୟହେଲେ ବି ନିଷ୍ପେଷିତଙ୍କ ସଂଖ୍ୟା ଯଥାପୂର୍ବଂ ତଥା ପରଂ। ବରଂ ତାଙ୍କର ଏହି ସ୍ଥିତି ତାଙ୍କୁ ଏକ ଭିନ୍ନ ବର୍ଗ ଏବଂ ଶ୍ରେଣୀ ଭାବରେ ବିଭେଦ ସୃଷ୍ଟି କରିଆସିଛିି। ଏହି ଶ୍ରେଣୀ ବିଭାଗ ଆଜିର ନୁହେଁ। ମାନବ ସମାଜ ସୃଷ୍ଟି ସହିତ ସମାନ୍ତରାଳ ଭାବରେ ଚାଲିଆସିଛି। କେବଳ ସ୍ଥଳ ବିଶେଷରେ ଏହାର ରୂପ ବଦଳିଛି, କିନ୍ତୁ ଏମାନଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ବଦଳି ନାହିଁ କିମ୍ବା ଏମାନଙ୍କ ପ୍ରତି ଦମନର ହାର କମି ନାହିଁ।
ଅନେକ ସମୟରେ ସ୍ବେଚ୍ଛାଚାରୀ ଶାସକମାନେ ଶାସିତମାନଙ୍କ ଉପରେ ଭୟଯୁକ୍ତ ବାତାବରଣ ସୃଷ୍ଟିକରି ସେମାନଙ୍କ ସ୍ବରକୁ ଦମନ କରିଥା’ନ୍ତି। ସେଥିପାଇଁ ଏହି ଗୋଷ୍ଠୀକୁ ଅନ୍ୟାୟ ଭାବରେ ସୃଷ୍ଟି କରାଯାଇଥିବା ଏକ ଶ୍ରେଣୀ ବୋଲି କୁହାଯାଇପାରେ। ଲୋକମାନେ ଯେ ସବୁବେଳେ କୁ-ମନୋଭାବ ନେଇ ଦମନର ଶିକାର ହୋଇଥାଆନ୍ତି ତା’ ନୁହେଁ, ବେଳେବେଳେ ଏକ ସୁ-ମନୋଭାବ ଥିବା ସମାଜ, ଉଦ୍ଦେଶ୍ୟମୂଳକ ଭାବରେ କରିଥାଏ। ବିଭିନ୍ନ ନୀତି ନିୟମ ପ୍ରଣୟନ ମାଧ୍ୟମରେ ଲୋକଙ୍କୁ ଏକ ନିଷ୍ପେଷିତ ଶ୍ରେଣୀ ଭାବରେ ତିଆରି କରି ସେମାନଙ୍କର ବିଚାରଧାରା ଏବଂ ସ୍ବାଧୀନତାକୁ ସୀମିତ କରିଥାଏ। ଉପରୋକ୍ତ ଶ୍ରେଣୀ କେବଳ କିଛି ସ୍ବାର୍ଥାନ୍ବେଷୀଙ୍କ ଇଚ୍ଛା ଏବଂ ସାମାଜିକ କଟକଣା ଦ୍ୱାରା ବିଭାଜିତ। ଏପରି ବିଭେଦତା ମନୋଭାବ ଏମାନଙ୍କୁ ଆହୁରି ତଳକୁ ଠେଲି ଦେଇଥାଏ।
ଶ୍ରେଣୀ ବିଭାଜନ ଫଳରେ ଲୋକମାନେ ଅନ୍ୟମାନଙ୍କ ତୁଳନାରେ ନିଜର କାର୍ଯ୍ୟ ଦକ୍ଷତା ହରାଇ ବସନ୍ତି। ଫଳରେ ଏମାନେ ପୂର୍ଣ୍ଣାଙ୍ଗ ମନୁଷ୍ୟ ହେବାରୁ ବଞ୍ଚିତ ହୋଇ ନିଜର ଅଧିକାର ଏବଂ ମାନବିକ ମର୍ଯ୍ୟାଦା ହରାଇ ବସନ୍ତି। ଏହା ସହିତ ଏମାନଙ୍କୁ ଭାଷା, ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗରୁ ବଞ୍ଚତ୍ତ କରାଯାଏ। ମାନସିକ ଏବଂ ବୌଦ୍ଧିକ ବିକାଶରେ ବାଧା ସୃଷ୍ଟି କରାଯାଏ। ଦେଖିବାକୁ ଗଲେ ଲୋକେ ନିଜ ଶୈଳୀରେ ଜୀବନଯାପନ କରିଥାନ୍ତି, ମାତ୍ର ସ୍ବେଚ୍ଛାଚାରୀ ଶାସକର ଦମନ ମନୋଭାବ ଏହି ଜୀବନ ଶୈଳୀକୁ ପ୍ରଭାବିତ କରିଥାଏ। ଆଇରିସ୍‌ ମେରିଅନ୍‌ ୟଙ୍ଗ୍‌ଙ୍କ ଅନୁସାରେ ଲୋକମାନଙ୍କୁ ପାଞ୍ଚ ପ୍ରକାରେ ଦମନ କରାଯାଇଥାଏ। ହିଂସା, ଶୋଷଣ, ସୀମାବଦ୍ଧ କରି ରଖିବା, ଦୁର୍ବଳ କରିବା ଏବଂ ସାଂସ୍କୃତିକ ବାଦର ଶିକାର ଇତ୍ୟାଦି। ସାମ୍ପ୍ରତିକ ସମାଜରେ ଏହାର ପ୍ରାସଙ୍ଗିକତା ଏବଂ ସଂଯୋଗ ଅଛି କି ନାହିଁ ବିଚାରଯୋଗ୍ୟ।
ଅନେକ ସମୟରେ ଲୋକଙ୍କ ପରିଶ୍ରମ ଦ୍ୱାରା ଲାଭ ଉଠାଯାଏ ଅଥଚ ଉପଯୁକ୍ତ ପ୍ରାପ୍ୟ ଦିଆଯାଏ ନାହିଁ। ଶ୍ରମର ମୂଲ୍ୟ ସବୁବେଳେ ସ୍ବଳ୍ପ। ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ମଜୁରିରେ ତାରତମ୍ୟ, ଉପଯୁକ୍ତ କାମଧନ୍ଦାର ଅଭାବ, ଠିକ୍‌ ସମୟରେ ମଜୁରି ନ ଦେବା, ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ନ ଦେବା ସହିତ ଶ୍ରମ ଅନୁଯାୟୀ ଶ୍ରେଣୀ ବିଭାଜନ କରି ଲୋକମାନଙ୍କୁ ଶୋଷଣ କରାଯାଇଥାଏ; ଯାହାଫଳରେ ଧନୀ ଆହୁରି ଧନୀ ହୁଏ ଏବଂ ଗରିବ ଆହୁରି ଗରିବ ହୋଇଯାଏ। ବିଭିନ୍ନ ବେସରକାରୀ କମ୍ପାନୀ ଏବଂ ଶିଳ୍ପକୁ ଶ୍ରମ କ୍ଷେତ୍ରରେ ସରକାରଙ୍କ ପ୍ରବେଶ ଅନୁମତି ଏହି ଅବହେଳିତ ବର୍ଗକୁ ଶୋଷଣ କରିବାର ଏକ ସଦ୍ୟତମ ଉଦାହରଣ। ଶୋଷଣ ଫଳରେ ଲୋକମାନେ ନିଜର ଅଧିକାର ପାଇଁ ସ୍ବର ଉତ୍ତୋଳନ କରିପାରନ୍ତି ନାହିଁ।
ସମାଜର ଗୋଟିଏ ବଡ଼ ଗୋଷ୍ଠୀ ଗୋଟିଏ ଛୋଟ ଛୋଟ ଗୋଷ୍ଠୀର ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସୀମିତ କରି ରଖନ୍ତି। ଏହାଦ୍ୱାରା ଲୋକଙ୍କୁ ମୁଖ୍ୟ ସ୍ରୋତରୁ ଦୂରେଇ ରଖାଯାଏ। ଏପରି କି ଶ୍ରମରେ ମଧ୍ୟ ଏମାନଙ୍କର ଭାଗୀଦାରିତା ନ ଥାଏ। ଦଳିତ ଶ୍ରେଣୀ ଏଥିରେ ବେଶି ପ୍ରଭାବିତ ହୋଇଥାନ୍ତି। ସମାଜର ତଥାକଥିତ ଉଚ୍ଚବର୍ଗ ଏମାନଙ୍କୁ ଶ୍ରମରେ ନିୟୋଜିତ କରନ୍ତିି ନାହିଁ। ଦଳିତମାନଙ୍କର ଗ୍ରହଣୀୟତା ମଧ୍ୟ ସମାଜରେ ବହୁତ କମ୍‌। ତେଣୁ ଅନେକ ଜୀବିକାରୁ ଏମାନେ ବଞ୍ଚତ୍ତ ହୁଅନ୍ତି। ଶିଶୁ, ଭିନ୍ନକ୍ଷମ, ବୟସ୍କ, ମାନସିକ ଅସୁସ୍ଥ ବ୍ୟକ୍ତି, ମହିଳା, ବିଧବା, ସଂଖ୍ୟାଲଘୁ ଇତ୍ୟାଦି ଏହି ଶ୍ରେଣୀ ଅନ୍ତର୍ଭୁକ୍ତ। ଏହାଦ୍ୱାରା ସମାଜର ଏକ ବଡ଼ ଅଂଶ ବିକାଶ ପ୍ରକ୍ରିୟାରୁ ଦୂରେଇଯାଏ। ଅନେକ ସମୟରେ ଏମାନେ ନିଜର ମୌଳିକ ଅଧିକାରରୁ ମଧ୍ୟ ବଞ୍ଚତ୍ତ ହୁଅନ୍ତି। ଏହି ପ୍ରକ୍ରିୟା ଶୋଷଣଠାରୁ ମଧ୍ୟ ସାଙ୍ଘାତିକ।
କ୍ଷମତାଶାଳୀମାନେ ଅନ୍ୟର ସ୍ବରକୁ ଦମନ କରି ଦୁର୍ବଳ କରିଦିଅନ୍ତି। ତେଣୁ ଦୁର୍ବଳମାନେ ସବଳମାନଙ୍କର ନିର୍ଦ୍ଦେଶ ମାନିବାକୁ ବାଧ୍ୟ ହୋଇଥାଆନ୍ତି। ଏମାନଙ୍କୁ ନିଷ୍ପତ୍ତି ନେବାରେ ବାଧା ସୃଷ୍ଟି କରାଯାଇଥାଏ। ନିମ୍ନ ସାମାଜିକ ସ୍ଥିତି ପାଇଁ ଏମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଏ ନାହିଁ। ଅନେକ ସମୟରେ ଦୁର୍ବଳ ଶ୍ରେଣୀର ଲୋକମାନେ ବିକାଶ ପ୍ରକ୍ରିୟାରେ ଅଂଶଗ୍ରହଣର ସୁଯୋଗ ପାଆନ୍ତି ନାହିଁ। ସବଳମାନଙ୍କ ଆଗରେ କଥା କହିବାର ସାହସ ଯୁଟେ ନାହିଁ। ଧୀରେଧୀରେ ପିଢ଼ିରୁ ପିଢ଼ି ଏମାନେ ନିଜକୁ ମାନସିକ ଭାବରେ ଦୁର୍ବଳ ଭାବି ନିଅନ୍ତି। ଅନ୍ୟାନ୍ୟ କଟକଣା ସହିତ ଏମାନଙ୍କୁ ଗୁଣାତ୍ମକ ଶିକ୍ଷା ଅଧିକାରରୁ ବଞ୍ଚତ୍ତ କରାଯାଏ, କାରଣ ଏମାନେ ସଚେତନ ହେଲେ ପ୍ରତିବାଦର ସମ୍ଭାବନା ରହିଛି। ନିଜର ମାଲିକ ବା ସାହୁକାର ଆଗରେ ଏମାନେ କିଛି କହିପାରନ୍ତି ନାହିଁ। ବର୍ଷ ବର୍ଷ ଧରି ଶୋଷଣ ହୁଅନ୍ତି, ହେଲେ ପ୍ରତିବାଦ କରନ୍ତି ନାହିଁ। ଧୀରେଧୀରେ ଏହି ପ୍ରବୃତ୍ତି ତାଙ୍କର ଦେହସୁହା ହୋଇଯାଏ। ଏପରିକି ଯଦି କିଏ ଏହାର ପ୍ରତିବାଦ କରେ, ତେବେ ନିଜ ଗୋଷ୍ଠୀର ଲୋକ ବାଧା ଦିଅନ୍ତି। ଧୀରେ ଧୀରେ ଏମାନଙ୍କ ସ୍ବର ସଙ୍କୁଚିତ ହୋଇଯାଏ। ତାଙ୍କ ଭିତରେ ଏକ ନକାରାତ୍ମକ ଛବି ସୃଷ୍ଟି କରାଯାଏ, ଫଳରେ ଏମାନେ ନିଜ ପ୍ରତି ଏକ ନକାରାତ୍ମକ ଛବି ସୃଷ୍ଟି କରିବାରେ ଲାଗନ୍ତି।
ସାଂସ୍କୃତିକ ସାମ୍ରାଜ୍ୟବାଦରେ ଶାସକ ନିଜର ସଂସ୍କୃତିକୁ ସୁହାଇଲା ଭଳି ନୀତି ନିୟମର ଅନୁପାଳନ ପାଇଁ ବାଧ୍ୟ କରନ୍ତି। କ୍ଷମତାଶାଳୀ ଗୋଷ୍ଠୀ ନିଜ ଅନୁସାରେ ଏହାକୁ ପରିଚାଳନା କରି ପ୍ରଚାର ପ୍ରସାର କରିଥାଆନ୍ତି। କ୍ଷମତାଶାଳୀମାନେ ଏହା ମାଧ୍ୟମରେ ଫାଇଦା ନେଇଥାନ୍ତି। ଫଳରେ ଛୋଟଛୋଟ ସଂସ୍କୃତି ଏବଂ ବିଶ୍ୱାସ ପରିଚୟ ହରାଇଥାଏ; ଯଦ୍ଦ୍ବାରା ସଂଖ୍ୟାଲଘୁମାନେ ଶୋଷଣର ଶିକାର ହୋଇଥା’ନ୍ତି। ତୃତୀୟଲିଙ୍ଗୀମାନଙ୍କ ପ୍ରତି ହେଉଥିବା ବାଛବିଚାର ଏହାର ଉଦାହରଣ। କାରଣ ସାମାଜିକ ସଂସ୍କୃତି ଏବଂ ଚାଲିଚଳନ ଏମାନଙ୍କୁ ଅଲଗା କରିଦେଇଥାଏ। ଅନେକ ଲୋକ ଏମାନଙ୍କୁ ଗ୍ରହଣ କରିପାରନ୍ତିି ନାହିଁ। ଏପରି ସାଂସ୍କୃତିକ ବାଦର ଶିକାର ଗୋଷ୍ଠୀ ଅନ୍ୟମାନଙ୍କଠାରୁ ଅଲଗା ହୋଇଯାଆନ୍ତି। ସମାଜରେ ଏମାନଙ୍କୁ ନିମ୍ନ ଦୃଷ୍ଟିରେ ଦେଖାଯାଏ; ଯାହାକି ସେମାନଙ୍କୁ ଏକ ଭିନ୍ନ ପରିଚୟ ଦେଇଥାଏ।
ହିଂସା, ଦମନର ଆଉ ଏକ ମାଧ୍ୟମ ଯାହା କି ବାହାରକୁ ସ୍ପଷ୍ଟ ଭାବରେ ଜଣାପଡ଼ିଥାଏ। କିଛି ଗୋଷ୍ଠୀର ଲୋକମାନେ ନିଜର ଧନ ଜୀବନକୁ ନେଇ ସବୁବେଳେ ସଂଶୟ ଭିତରେ ବଞ୍ଚତ୍ଥାନ୍ତି। ଅନାବଶ୍ୟକ ଭାବରେ ସେମାନେ ଆକ୍ରମଣର ଶିକାର ହେବାର ସମ୍ଭାବନା ଅଧିକ। ଧର୍ମ ସଂଖ୍ୟାଲଘୁ, ଦଳିତ, ଭିନ୍ନକ୍ଷମ, ମାନସିକ ଅସୁସ୍ଥ, ଏକାକୀ ମହିଳା, କିନ୍ନର, ବାରବୁଲା, ଶରଣାର୍ଥୀ ସହିତ ଭିନ୍ନ ମତବାଦରେ ବିଶ୍ୱାସ କରୁଥିବା ବ୍ୟକ୍ତି ବା ଗୋଷ୍ଠୀ ଏହାଦ୍ୱାରା ବେଶି ପ୍ରଭାବିତ। ସମାଜରେ ଘଟୁଥିବା ଅନ୍ୟାୟ, ଅପରାଧ, ଚୋରି, ଡକାୟତି ଇତ୍ୟାଦିରେ ପ୍ରଥମ ସନ୍ଦେହ ଏମାନଙ୍କ ଉପରକୁ ଯାଇଥାଏ; ଯଦ୍ଦ୍ବାରା ସବୁବେଳେ ଏକ ସମ୍ଭାବ୍ୟ ଆକ୍ରମଣ ମାନସିକତାରେ ରୁହନ୍ତି।
ଏହି ତାରତମ୍ୟ ଏବଂ ବିଭେଦତାକୁ ଦୂର କରିବା ଜରୁରୀ। ଏହା ହେଲେ ସମାଜରେ ଏକ ସିଂହଭାଗ ବିକାଶ ପ୍ରକ୍ରିୟାରେ ସାମିଲ ହୋଇପାରିବେ। ସଚେତନତାର ବିକାଶ ହେଲେ ଆତ୍ମ ବିଶ୍ୱାସ ଏବଂ ସାହସ ବଢ଼ିବ। ସଚେତନତା ମାଧ୍ୟମରେ ହିଁ ଦୁର୍ବଳତା ଏବଂ ଶୋଷଣ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିହେବ। ଇତିହାସ ଏହାର ସାକ୍ଷୀ। ଅତୀତରେ ଶୋଷଣ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ଦୁର୍ବଳ ଶ୍ରେଣୀ ବିଜୟ ହାସଲ କରିଛି। ଆତ୍ମସଚେତନତା, ଶିକ୍ଷା, ସାକ୍ଷରତା ଏବଂ ଆତ୍ମସମୀକ୍ଷା ମାଧ୍ୟମରେ ହିଁ ଏହା ସଫଳ ହୋଇପାରିଛି। ମଣିଷ୍‌-ମଣିଷ ଭିତରେ ସୃଷ୍ଟି କରାଯାଇଥିବା ଅଦୃଶ୍ୟ ପାଚେରି ବା ଦୂରତାକୁ ଭାଙ୍ଗିଲେ ହିଁ ସମତ୍ୱ ଆସିବ। ଶାସକର ଉଦାର ମନୋଭାବ ଏବଂ ଶାସିତର ଦୃଢ଼ ଇଚ୍ଛାଶକ୍ତି ଏହି ଦୂରତ୍ୱକୁ କମ୍‌ କରିବାରେ ସହାୟକ ହେବ। ଏହା କେବଳ ଶିକ୍ଷା ମାଧ୍ୟମରେ ସମ୍ଭବ।
ଶଗଡ଼ା, ବୌଦ୍ଧ
ମୋ-୮୩୨୮୮୪୮୧୪୫


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri