Posted inଫୁରସତ

ସ୍ଥପତି ଉଦୟ

ଶିଳ୍ପୀଙ୍କ ଯାଦୁକରି ହାତର ସ୍ପର୍ଶରେ ନିର୍ଜୀବ ପଥର ଦେହରେ ବି ସଂଚାରିତ ହୁଏ ପ୍ରାଣ। ମୁଗୁର, ନିହାଣ ମୁନରେ ପଥର କିମ୍ବା କାଠ ଖୋଦେଇରେ ଶିଳ୍ପୀ ଗଢ଼ିଥାଏ ସୁନ୍ଦର ସୁନ୍ଦର ମୂର୍ତ୍ତି। ଏମିତି କଳାକୃତିଗୁଡ଼ିକୁ ଦେଖିଲେ ସତେଜ ଓ ଜୀବନ୍ତ ପରି ମନେହୁଏ। କେବଳ ପଥର ଖୋଦେଇ ନୁହେଁ ବରଂ ବାଉଁଶ, କାଠ, ସିମେଣ୍ଟ, କନାରେ ମଧ୍ୟ ମୂର୍ତ୍ତି ତିଆରି କରି ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଜଣେ ସ୍ଥପତି। ଏଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ଶିଳ୍ପୀ ଉଦୟ ମହାନ୍ତି। ପିତା ଯୋଗେନ୍ଦ୍ର ମହାନ୍ତି, ମା’ ସାରଦାମଣି ଦେଈ। ଘର ବାଲେଶ୍ୱର ଜିଲାର ସୋର ଅନ୍ତର୍ଗତ ପାଗଡ଼ାଶୋଳା ଗ୍ରାମରେ। ସେ କୁହନ୍ତି, ଆମ ବଂଶର ପରମ୍ପରା ଭାବେ ପୂର୍ବରୁ ଜେଜେବାପାଙ୍କ ସମୟରୁ ବିଭିନ୍ନ ପଥର ଓ କାଠ ଖୋଦେଇ ଆଦି ହସ୍ତଶିଳ୍ପ କାମକୁ ପରିବାରର ସଦସ୍ୟମାନେ କରୁଥିଲେ। ସେତେବେଳେ ବାପା ଅନେକ ସ୍ଥାନକୁ ଯାଇ ବିଭିନ୍ନ ପଥର ଓ କାଠରେ କାରୁକାର୍ଯ୍ୟପୂର୍ଣ୍ଣ ଖୋଦେଇ କାମ କରୁଥିଲେ। ପିଲାଟିବେଳୁ ବାପାଙ୍କଠାରୁ ବିଭିନ୍ନ ଖୋଦେଇ କାମ ଶିଖିଥିଲି। ମାତ୍ର ସ୍କୁଲ ବୟସରୁ ଏହି କାମରେ ବେଶୀ ଆଗ୍ରହ ଥିବାରୁ ପାଠରେ ବିଶେଷ ମନ ଲାଗି ନ ଥିଲା। ସେଥିପାଇଁ ୧୦ମ ଯାଏଁ ହିଁ ପଢ଼ିଲି। ଏହା ବ୍ୟତୀତ ମୋର ଅଭିନୟ ପ୍ରତି ରୁଚି ଥିବାରୁ କିଛିବର୍ଷ ଜନତା ଗଣନାଟ୍ୟ, ରାଧାକୃଷ୍ଣ ଅପେରା, ସାଗରିକା ଗଣନାଟ୍ୟ, ସାତଶଙ୍ଖ ଅପେରାରେ ରହିଥିଲି। ଗାଁକୁ ଫେରିଲା ପରେ ମୋ ମାମୁ ବ୍ରଜକିଶୋର ଜେନା ହସ୍ତକଳା ଶିଳ୍ପ ପ୍ରତି ମୋତେ ଉତ୍ସାହିତ କରିଥିଲେ।

ସମୟକ୍ରମେ ପଥର କାରୁକାର୍ଯ୍ୟ ପ୍ରତି ଆଗ୍ରହ ବଢିଲା। ବଉଳ ଗାଡ଼ିଆ ପଥର ଖୋଦେଇ ହସ୍ତଶିଳ୍ପ କେନ୍ଦ୍ରରେ ଟ୍ରେନିଂ ନେଇ କାମ ଆରମ୍ଭ କଲି। ଗୁରୁ ରାଜକିଶୋର ମହାରଣା, ହରି ମହାରଣା ଓ ଶ୍ରୀଧର ମହାରଣାଙ୍କଠାରୁ ତାଲିମ ନେଇଥିଲି। ୧୯୮୪ ମସିହାରୁ ପଥରରେ ଖୋଦେଇ କରି ବିଭିନ୍ନ ମୂର୍ତ୍ତି ତିଆରି କରିଆସୁଛି। ପ୍ରଥମେ ଖଡ଼ିପଥରରେ କଳାକୃତି ସବୁ ଗଢ଼ୁଥିଲି। ପରେ ପରେ ଶାଣ, ମୁଗୁନି ଓ ମାର୍ବଲ ପଥରରେ ବିଭିନ୍ନ ମାପ ଅନୁସାରେ ସୁନ୍ଦର ସୁନ୍ଦର ଶ୍ରୀଗଣେଶ, ହନୁମାନ, ବୁଦ୍ଧ, ରାଧାକୃଷ୍ଣ, ରାମ ଲକ୍ଷ୍ମଣ ସୀତା, ବିଭିନ୍ନ ଭଙ୍ଗୀର ସଖୀ ଏବଂ ନର୍ତ୍ତକୀ ଆଦି ଦେବଦେବୀଙ୍କ ମୂର୍ତ୍ତି ଗଢ଼ିଲି। ଏହାଛଡ଼ା କେତେକ ପାର୍କରେ ବିଭିନ୍ନ ଡେକୋରେଶନ ପାଇଁ ଭିନ୍ନ ଭିନ୍ନ ମଡେଲ ତିଆରି କରିଛି। ଓଡ଼ିଶା, ଦିଲ୍ଲୀ, ପଶ୍ଚିମବଙ୍ଗ ଆଦି ରାଜ୍ୟର ବିଭିନ୍ନ ହସ୍ତକଳା କର୍ମଶାଳାରେ ଯୋଗଦେଇଛି।

ମୋ ହାତ ତିଆରି ପଥରର କଳାକୃତି ନେବା ପାଇଁ ବିଶେଷକରି ପଶ୍ଚିମବଙ୍ଗରୁ ଅଧିକ ଗରାଖ ଆସିଥାନ୍ତି। ଏଥିପାଇଁ ସେମାନେ ଅଗ୍ରିମ କିଛି ଅର୍ଥ ଦେଇ ମୂର୍ତ୍ତି ଅର୍ଡର କରିଥାନ୍ତି। ଜାମୁଝଡ଼ି ଛକଠାରେ ମୋର ଏହି କର୍ମଶାଳା ରହିଛି। ଏଠାରେ ଏବେ ୫/୬ ଜଣ ଶିଳ୍ପୀ କାର୍ଯ୍ୟ କରୁଛନ୍ତି। ଏଠାରେ ବର୍ଷର ସବୁ ସମୟରେ ନାନା ପ୍ରକାର ମୂର୍ତ୍ତି ଗଢାଯାଏ। ମୂର୍ତ୍ତିର ଦାମ୍‌ ସେହି ମୂର୍ତ୍ତି ଗଠନର ଶୈଳୀ ଓ ସୂକ୍ଷ୍ମ କାରୁକାର୍ଯ୍ୟକୁ ନେଇ ନିର୍ଦ୍ଧାରଣ କରାଯାଇଥାଏ। ଆଜିଯାଏ ବିଭିନ୍ନ ପଥରରେ ପ୍ରାୟ ଶତାଧିକ ମୂର୍ତ୍ତି ଗଢ଼ି ସାରିଲିଣି। ଯେଉଁଥିପାଇଁ ମୋତେ ୨୦୧୮ରେ କଳାକୃତି ସମ୍ମାନ, ୨୦୨୦ରେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ତରଫରୁ ପୁରସ୍କୃତ କରିବା ସହ ୨୦୨୨ରେ ହେରିଟେଜ୍‌ ସମ୍ମାନ, ୨୦୨୩ରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ମିଳିଛି। ୨୦୧୭ ମସିହାଠାରୁ ମୁଁ ଓଡ଼ିଶା ଶିଳ୍ପୀ ମହାସଂଘର ସଭାପତି ଦାୟିତ୍ୱ ତୁଲାଉଛି। ବିଭିନ୍ନ ଅଞ୍ଚଳରେ ହସ୍ତକଳାକୃତି ବିକ୍ରି ଉଦ୍ଦେଶ୍ୟରେ ସ୍ବତନ୍ତ୍ର ହାଟ ପାଇଁ ମୋର ଉଦ୍ୟମ ଜାରି ରହିଛି। ତେବେ ଯେତେଦିନ ଯାଏ ବଞ୍ଚିଥିବି ଓଡ଼ିଶାର ପାରମ୍ପରିକ ହସ୍ତକଳା ଶିଳ୍ପକୁ ଉଜ୍ଜୀବିତ ପାଇଁ କାର୍ଯ୍ୟ କରୁଥିବି। କାରଣ ଆଜି ମୋତେ ଏହି କଳା ହିଁ ପରିଚୟ ଦେଇଛି। -ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?