ବଡ଼ଗାଁ,୨୬।୧୧(ଅଶୋକ ଷଡ଼ଙ୍ଗୀ): ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ତ୍ୱେ ସରକାର ଗୁହାରି ଶୁଣୁ ନ ଥିବା ଅଭିଯୋଗ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା। ଭାରତୀୟ ମଜଦୁର ସଂଘ ସହବନ୍ଧିତ ଅଲ ଓଡ଼ିଶା ଲେଡିଜ ୱାର୍କର୍ସ ଆସୋସିଏସନ୍ର ସୁନ୍ଦରଗଡ଼ ଜିଲା ଶାଖା ଡାକରାରେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି।
ବଡ଼ଗାଁ ବ୍ଲକ ଅଲ ଓଡ଼ିଶା ଲେଡିଜ ୱାର୍କର୍ସ ଆସୋସିଏସନ ପକ୍ଷରୁ ବୁଧବାରଠାରୁ ବଡ଼ଗାଁ ଆଇସିଡିଏସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆରମ୍ଭ ହୋଇଛି। ଗୁରୁବାର ପୂର୍ବାହ୍ନରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇ ବିଭିନ୍ନ ନାରାବାଜି କରିବା ସହ ଧାରଣାରେ ବସିଥିଲେ। ସଂଘ କାର୍ଯ୍ୟକର୍ତ୍ତାଙ୍କ ସୂଚନା ଅନୁସାରେ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।
ସଂଘ ପକ୍ଷରୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ୭ଟି ଦାବି ଉଠାଯାଇଛି। ସେଥିମଧ୍ୟରୁ ପ୍ରମୁଖ ଦାବିଗୁଡ଼ିକ ହେଲା। ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ନିୟମିତ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ। ନିୟମିତ କର୍ମଚାରୀ ମାନ୍ୟତା ନମିଳିବା ପର୍ଯ୍ୟନ୍ତ କର୍ମୀଙ୍କୁ ମାସିକ ୩୦ ହଜାର ଟଙ୍କା ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ। ନ୍ୟାୟାଳୟଙ୍କ ରାୟ ଓ ନିର୍ଦ୍ଦେଶ ଅନୁଯାୟୀ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ଗ୍ରାଚୁଇଟି ପ୍ରଦାନ। ସାମାଜିକ ସୁରକ୍ଷା ଓ ଅବସରକାଳୀନ ଆର୍ଥିକ ସହାୟତା ବାବଦରେ କର୍ମୀଙ୍କୁ ୧୦ ଲକ୍ଷ ଏବଂ ସହାୟିକାଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ। ୨୦୨୪ ନିର୍ବାଚନ ସମୟରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ଘୋଷଣା କରାଯାଇଥିବା ପାରିଶ୍ରମିକ ବୃଦ୍ଧିକୁ ତୁରନ୍ତ ଲାଗୁ କରିବା।
ସଂଘର କହିବା ଅନୁସାରେ, ସେମାନେ ଏ ସମ୍ପର୍କରେ ବାରମ୍ବାର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏହାସହ ସାଂସଦ ଜୁଏଲ ଓରାମ, ସ୍ଥାନୀୟ ବିଧାୟକ, ସଦର ଉପଜିଲାପାଳ ଏବଂ ସୁନ୍ଦରଗଡ଼ ଜିଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ମଧ୍ୟ ଲିଖିତ ଭାବେ ଦାବି ଜଣାଇଛନ୍ତି। ତେବେ ଅଧିକାଂଶ ଦାବି ଆଲୋଚନା ଓ ପ୍ରତିଶ୍ରୁତିରେ ସୀମିତ ରହିଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।
ଏହି ଆନ୍ଦୋଳନରେ ଅଙ୍ଗନବାଡ଼ି କର୍ମୀ ସଂଘର ସଭାନେତ୍ରୀ ଅଞ୍ଚଳୀ ମାଝୀ, ଉପସଭାନେତ୍ରୀ ସଂଯୁକ୍ତା ଦାସ, ସମ୍ପାଦିକା ସୂର୍ଯ୍ୟ କିସାନ, କୋଷାଧ୍ୟକ୍ଷ ଜିରେନ ଆଶା ଯଯୋ, ଜିଲା କାର୍ଯ୍ୟକର୍ତ୍ତା ରାଜକୁମାରୀ ବଘାର, ବ୍ଲକ କାର୍ଯ୍ୟକର୍ତ୍ତା ବିମଳା ମିଞ୍ଚ, ଗୌରୀ ପଟେଲ, ହେମଲତା ସା, ସଂଯୁକ୍ତା ପୃଷେଟ ଓ ତରୁଲତା ନାଏକ ପ୍ରମୁଖ ଯୋଗଦେଇ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି।
Dharitri – Odisha’s No.1 Odia Daily

